ଅବିଭକ୍ତ କଟକ ଜିଲ୍ଲାରେ ଗୋଟେ ଡ୍ଯାମ କରିକି ଦେଖେଇଲ ଦେଖିବା, ତମେ କେଡେ ବାହାଣିଆ ସରକାର ଆମେ ଟିକେ ଜାଣିବୁ …..
କଟକ ଜିଲ୍ଲାରେ ପାଣି ଦରକାର ହେଲେ ସେଠାରେ ବ୍ଯାରେଜ୍ ହେବ, ତାହା ପୁଣି 5 କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ 3 ଟା ବି ହେଇ ପାରିବ, ଗୋଟେ ମୁଣ୍ଡୁଳିରେ, ଗୋଟେ ଯୋବ୍ରାରେ ତ ଆଉ ଗୋଟେ ଚଉଦ୍ବାର ଯିବା ବାଟରେ, ନହେଲେ ଯାଜପୁର ଯୋକଡିଆଁରେ ।
କୋଉ ଗାଁ ର ଇଞ୍ଚେ ଜମି ବି ପାଣିରେ ନ ବୁଡିବା ବ୍ଯବସ୍ଥା।
କିନ୍ତୁ ସମ୍ବଲପୁର, ଢେଙ୍କାନାଳ, କେଉଁଝର , କୋରାପୁଟ, ବଲାଙ୍ଗିରରେ ପାଣି ଦରକାର ହେଲେ ସେଠି ସବୁ ବଡ ବଡ ଡ୍ଯାମ୍ ହେବ, ଗାଁ ଗଣ୍ଡା ଘର ଦ୍ବାର ଜମି ବାଡି ମଠ ମନ୍ଦିର ପୀଠ ପାଠଶାଳା ସ୍କୁଲ କଲେଜ୍ ଯାହା ବୁଡୁଛି ବୁଡୁ,
ଲୋକ ନିଜର ଭିଟାମାଟି ସଂସ୍କୃତି ସଭ୍ଯତା ଛାଡି ଉଦବାସ୍ତୁ ହେଇ ଯୁଆଡେ ଗଲେ କେତେ ମଲେ କେତେ କିଏ ପଚାରୁଛି !
ତମେ ଭୁବନେଶ୍ବରରେ ବସି ବେପରୁଆ ଭାବେ ଏକଥା କରିଦେଇ ପାରୁଛ, କାରଣ ସେ ଲୋକମାନେ ସୁମଣିଷ ଗୁଣସମ୍ପନ୍ନ ସରଳ, ଆଉ ତାଙ୍କ ସ୍ଥାନୀୟ ନେତାମାନେ ବ୍ଯକ୍ତି ସ୍ବାର୍ଥକୈନ୍ଦ୍ରିକ କ୍ଷମତା ଓ ଅର୍ଥ ଲୋଭି ପାଦ ଚଟା ନୋଚା ସ୍ତରୀୟ ।
ହେଲେ ବାବୁ
ତମେ ତ ବୁଦ୍ଧିମାନ ଜ୍ଞାନବାନ ମଣିଷ, ତମେ କେମିତି ଏପରି ପାତର ଅନ୍ତର ଅମଣିଷ ପଣିଆ କାମ କରୁଚ ?
ସେମାନେ ତୁମକୁ କଣ ନଜାଣି ଖାଲି ଶୁଖିଲାଟାରେ କଟକିଆ କହି ବିରକ୍ତ ହେଉଛନ୍ତି କି ?
ଗୋଟେ ସମୟ ଥିଲା କପିଳେନ୍ଦ୍ରଙ୍କ ଉତ୍କଳ ଗଙ୍ଗାଠାରୁ ଆରମ୍ଭ କରି ତାମିଲନାଡ଼ୁ ପର୍ଯ୍ୟନ୍ତ ବ୍ଯାପିଥିଲେ ବି ଏଡେ ବଡ ରାଜ୍ଯର କେହି ଜଣେ ପ୍ରଜା ଅସନ୍ତୁଷ୍ଟ ନଥିଲେ, କପିଳେନ୍ଦ୍ରଙ୍କ ସୁଶାସନକୁ ଝୁରୁଛନ୍ତି ଆଜିଯାଏ
ଏବେର ଓଡିଶା ତ କପିଳେନ୍ଦ୍ରଙ୍କ ଉତ୍କଳର ଅଣାଏ ବି ହେବନି,
ତମେ ଆଧୁନିକ ଓଡିଶା ଶାସକଗଣ ଏମିତି ପ୍ରଜାପାଳକ ସୁଶାସକ ଯେ ସେ ଅଣାକ ଉତ୍କଳରୁ ବି ଅଧା ଓଡିଶା ଲୋକ ଗୋଟେ ବଡ ମାନସିକ ଅଶାନ୍ତିରେ ରହି ବାରମ୍ୱାର ଭାବୁଛନ୍ତି ଏ ଅବଶିଷ୍ଟ ଓଡିଶା ବକଟକ ବି ଭାଙ୍ଗି ଚାରିଖଣ୍ଡ ହେଇଯାଆନ୍ତା କି ! ଏଗୁଡାଙ୍କ ଚଞ୍ଚକତାରୁ ତ୍ରାହି ମିଳନ୍ତା
କାହିଁକି ଏପରି ଅମଣିଷଙ୍କ ପରି କାମ କରୁଚ ?
ଆମେରିକା ସମେତ ବହୁ ବିକଶିତ ଦେଶମାନେ, ଏପରିକି ସମଗ୍ର ବିଶ୍ବର ଇଞ୍ଜିନିୟର ବୈଜ୍ଞାନିକ ରାଷ୍ଟ୍ରନାୟକ ମାନେ ଯେତେବେଳେ ଡ୍ଯାମ ନିର୍ମାଣକୁ ଏକ ପ୍ରକୃତି ବିରୋଧୀ, ମାନବତା ବିରୋଧୀ, ବିକାଶ ବିରୋଧୀ ଅବାଞ୍ଛିତ ବ୍ଯୟ ବୋଲି ବିବେଚନା କରୁଛନ୍ତି ଏବଂ ଅତୀତରେ ନିର୍ମାଣ ହୋଇଥିବା ଡ୍ଯାମ ମାନଙ୍କୁ ଭାଙ୍ଗି ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ,
ତୁମେ ହଜାର ହଜାର ପରିବାରକୁ ଯାଯାବର ବନେଇ ଓଡିଶାରେ, ଲୋୟର ସୁକତେଲ ଡ୍ଯାମ ତିଆରୁଛ କେଉଁ ଅକଲରେ ?
ଓଃ ! ରାଜ୍ଯ ପାଇଁ ସେଇଠୁ ବିକାଶ ଟା ଜନ୍ମିବ ତ !!
ଯାହା ତ କରିଛ କରିଛ, ଏବେ ଲୋକଙ୍କ କଥା ମାନ, ଲୋୟର ସୁକତେଲ ଡ୍ଯାମକୁ କେବଳ ଗୋଟେ ବ୍ଯାରେଜ୍ ହିସାବରେ ବ୍ଯବହାର କର, ଯେତେ ବଳ ପାଉଛି ଓଡିଶାରେ ସେତେ ବ୍ଯାରେଜ ନିର୍ମାଣ କର, ଶହ ଶହ ବ୍ଯାରେଜ କଲେ ବି ମଙ୍ଗଳ ।
ଛତିଶଗଡରୁ ଶିଖୁନ, ସିଏ ମହାନଦୀ ଉପରେ ସାତ ଆଠଟା ବ୍ଯାରେଜ କଲା, ଗୋଟେ ବଡ ଡ୍ଯାମ କଲା କି ?
ଏତେମାତ୍ରାରେ ଅକଲହୀନ ହୋଇ ସରକାର ହେଲେ ଚଳିବ କି ??
ଶେଷଥର ପାଇଁ କହୁଛି କଥାମାନ
ଲୋୟର ସୁକତେଲକୁ ଗୋଟେ ବ୍ଯାରେଜ ହିସାବରେ ବ୍ଯବହାର କର, ପଇସା ଅଛି ତ ସୁକତେଲ ଉପରେ ଆଉ ଯୋଡାଏ ତିନିଟା ବ୍ଯାରେଜ କର
ଲୋୟର ସୁକତେଲ ଡ୍ଯାମ ପାଇଁ ବିସ୍ଥାପିତ ହୋଇଥିବା ଲୋକମାନଙ୍କ ମଧ୍ଯରୁ ଯେଉଁମାନେ ପୁଣି ତାଙ୍କ ଭିଟାମାଟିକୁ ଫେରିଆସିବାକୁ ଚାହିଁବେ ସେମାନଙ୍କୁ ତାଙ୍କ ଜମିବାଡି ଫେରେଇ ଦିଅ,
କିଛି ଅସୁବିଧା ହେବନି, ଯେତିକି ପଇସାରେ ସେମାନେ ସରକାରଙ୍କୁ ସେମାନଙ୍କ ଜମି ବିକିଛନ୍ତି, ସେମାନେ ଇଚ୍ଛା କଲେ ପୁଣି ସେତିକି ପଇସା ଦେଇ ସରକାରଙ୍କ ଠାରୁ ତାଙ୍କ ଜମି ଫେରେଇ ନେବେ,
ଇଞ୍ଜିନିୟରମାନେ, ନେତାମାନେ ତ ଯିଏ ଯାହା ପିସି ନେବା କଥା ନେଇ ସାରିଛ, ସେଗୁଡା ତ କେହି ତୁମକୁ ଆଉ ଫେରେଇବାକୁ କହିବେନି, ତାହେଲେ ଅସୁବିଧା କଣ ?
ନବୀନଙ୍କ ପରି ଜଣେ ସରଳ ଲୋକ କାହିଁକି ଲୋକଙ୍କ ହା ହୁତାସ ଅଭିଶାପ ପାପର ବୋଝ ମୁଣ୍ଡେଇବେ ? ଏଇ ଲୋକ ଅଭିଶାପରୁ ତାଙ୍କ ଆତ୍ମା ମୁକ୍ତି ପାଇବ କି ?
ନା ଇତିହାସ ଲେଖିବନି ଯେ – ଏକଦା ଓଡିଶାରେ ଜଣେ ଶାସକ ଥିଲେ, ଯିଏ ତାଙ୍କ ପାତ୍ର ମନ୍ତ୍ରୀ ଯନ୍ତ୍ରୀ କଲେକ୍ଚରଙ୍କ କୁଚକ୍ରାନ୍ତରେ ପଡି ହଜାର ହଜାର ପରିବାରକୁ ପାଣିରେ ବୁଡେଇ ମାରିଦେବାର ଷଡଯନ୍ତ୍ର କରିଥିଲେ ଓ ଲୋକେ ସେ ଖବର ପାଇ ଜୀବନ ବିକଳରେ ରାତି ଅନ୍ଧାରରେ ଘରଦ୍ବାର ଗାଁ ଗଣ୍ଡା ଛାଡି ଜୀବନ ନେଇ କାଳକାଳକୁ ଯାଯାବର ହୋଇଯାଇଥିଲେ
ଇତିହାସ ଏକଥା ନ ଲେଖିଲେ ସେଇ ଉଦବାସ୍ତୁଙ୍କ ବଂଶଧର ପୁଅ ନାତି ଅଣନାତି ସେକଥା ଭୁଲି ପାରିବେ କି ? ସେମାନେ ବି ତ ଲେଖିବେ ନା ?
କିଏ କହିବ ସେମାନଙ୍କ ପୁଅ ନାତି ଅଣ ନାତିଙ୍କ ଭିତରୁ କାଲି କେହି ଆଇ.ଏ.ଏସ. କି ମୁଖ୍ଯମନ୍ତ୍ରୀ ନ ହେବ ବୋଲି ??
ତେଣୁ କହୁଚି କଥା ମାନ,ଲୋୟର ସୁକତେଲ ଡ୍ଯାମକୁ ଗୋଟେ ବ୍ଯାରେଜ ହିସାବରେ ବ୍ଯବହାର କର, ପଇସା ଅଛି ତ ସୁକତେଲ ଉପରେ ଆଉ ଯୋଡାଏ ତିନିଟା ବ୍ଯାରେଜ କର ।
ଯଦି ଡ୍ଯାମରୁ ବଡ ବଡ ବିକାଶ ଜନମୁଛି, ତାହେଲେ ଗୋଟେ କାମ କର,
ଧଉଳି ପାହାଡରୁ ଆରମ୍ଭ କରି ଚଉଦ୍ବାରର କୌଣସି ଗୋଟେ ରଗିଡି ମୁଣ୍ଡିଆ ପର୍ଯ୍ଯନ୍ତ ହୀରାକୁଦ ଉଚ୍ଚର ବନ୍ଧଟେ ବାନ୍ଧି ଦେଇ ଗୋଟେ ବଡ୍ଡ ଡ୍ଯାମ ଟେ କରି ଦିଅ , ସବୁ ପାଣି ତ ଏଇ ବାଟ ଦେଇ ସମୁଦ୍ରକୁ ଯାଉଛି, ଏଇଠି କଟକ-ଭୁବନେଶ୍ୱର ପାଖରେ ଅଟକି ଗଲେ ବହୁତ ପାଣି ଅମଳ ହେବ , ବହୁତ ବିକାଶ ହେଇ ପାରିବ
ବେଶୀ ବଡ ଅସୁବିଧା ବି ହେବନି, ହେଇ ହେଇ ଗୋଟେ କଟକ-ଭୁବନେଶ୍ୱର ଟୁଇନ ସିଟି ପାଣିରେ ବୁଡିଯିବ, ବୁଡୁ, ଏମାନେ ତ ପଇସା ବାଲା ଲୋକ, ଆଉ କୋଉଠି ଗୋଟେ ଘର କରି ଦେବେ, ଏମିତି କେତେ ସମୟ ଲାଗିବ କି ?
ଯେହେତୁ ଏମାନେ ପଇସା ବାଲା ଧନୀ ଲୋକ, ଏମାନେ ସରକାରଙ୍କ ଠାରୁ କ୍ଷତିପୂରଣ ବି ଦାବି କରିବେନି
ହଁ, ଅବଶ୍ଯ ଆମ ରାଜ୍ୟର ରାଜଧାନୀ ଟା ବୁଡିଯିବ, ହଉ ବୁଡୁ, ସେଟାକୁ ନହେଲେ ଆମେ ସେ ଲୋୟର ସୁକତେଲ ପାଖାପାଖି କୋଉ ଗୋଟେ ପାହାଡ ମୁଣ୍ଡିଆକୁ ଉଠେଇ ନେବା ନହେଲେ ବଲାଙ୍ଗୀରର ହରିଶଙ୍କର ପାହାଡ ଉପରକୁ ନେଇଯିବା, ଅସୁବିଧା କଣ ?
ଥରେ ରାଜଧାନୀଟା ବଲାଙ୍ଗୀର ଆଡେ ପଳେଇଲେ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥଟା ଚାଳିଶି ବର୍ଷ ହେଲା ହେଇ ପାରୁନି କଣ, ଯଦି ଚାରି ମାସ ଭିତରେ କମ୍ପ୍ଲିଟ୍ ନହେଇ ଯିବ ତାହେଲେ ମତେ କହିବ
ପ୍ରବଳ ବିକାଶ ଫଳିବ ମ
ଟିକେ ଟ୍ରାଏ କରିକି ଦେଖୁନ !
ଲୋୟର ସୁକତେଲ ଡ୍ଯାମ ବୁଡି ଅଞ୍ଚଳ ଗାଆଁରେ ଦିନେ : (ବୋଧହୁଏ 2003 ମସିହାର କଥା ) ଆତଙ୍କିତ ଗାଆଁ ଲୋକମାନଙ୍କ ସହ କେଇପଦ ଆତ୍ମିୟତା ଭରା କଥା। ସେଦିନ ଯେଉଁ ମନ୍ଦିର ଅଗଣାରେ ବସି ମୁଁ ଗାଆଁ ଲୋକମାନଙ୍କ ସହ କଥା ହେଉଥିଲି ସେ ଗାଆଁ, ସେ ମନ୍ଦିର ଆଜି ସୁକତେଲ ଡ୍ଯାମ ଗର୍ଭରେ ଜଳମଗ୍ନ । ଫଟୋ : ରାଜୀବ ସଗରିଆ, ବଙ୍ଗମୁଣ୍ଡା, ବଲାଙ୍ଗୀର।
ଲୋୟର ସୁକତେଲ ଡ୍ଯାମ ବୁଡି ଅଞ୍ଚଳ ଗାଆଁରେ ଦିନେ : ( ବୋଧହୁଏ 2003 ମସିହାର କଥା ) ଆତଙ୍କିତ ଗାଆଁ ଲୋକମାନଙ୍କ ସହ କେଇପଦ ଆତ୍ମିୟତା ଭରା କଥା। ସେଦିନ ଯେଉଁ ମନ୍ଦିର ଅଗଣାରେ ବସି ମୁଁ ଗାଆଁ ଲୋକମାନଙ୍କ ସହ କଥା ହେଉଥିଲି ସେ ଗାଆଁ, ସେ ମନ୍ଦିର ଆଜି ସୁକତେଲ ଡ୍ଯାମ ଗର୍ଭରେ ଜଳମଗ୍ନ (2023) । ଫଟୋ : ରାଜୀବ ସଗରିଆ, ବଙ୍ଗମୁଣ୍ଡା, ବଲାଙ୍ଗୀର।
ଏ ଫଟୋ କେଇଟି ଦେଖି କାହିଁକି କେଜାଣି ଆଖିରୁ ଦୁଇ ଧାର ଲୁହ ଗଡି ଆସିଲା । ମୋର ଇଚ୍ଛା ହେଉଛି ମୁଁ ଆଉ ଥରେ ସେ ଲୋକମାନଙ୍କୁ, ସେ କୁନି କୁନି ପିଲାମାନଙ୍କୁ ଭେଟିବାକୁ ସେମାନଙ୍କ ପାଖକୁ ଯିବି, ସେମାନେ ଏବେ ଯେଉଁଠି ଥିବେ ସେମାନଙ୍କୁ ଖୋଜି ଖୋଜି ଭେଟିବି, ଏଇ ଫଟୋ ସାଙ୍ଗରେ ନେଇକି ଯିବି, ହୁଏତ କେହି କେହି ଚିହ୍ନି ବି ପାରନ୍ତି ଫଟୋ ଦେଖିଲେ ।– -ଲକ୍ଷ୍ମୀଧର ନାୟକ,
My Facebook Post: 7th August 2023
ବ୍ୟାରେଜ୍ ଏବଂ ଡ୍ୟାମ୍ ସମ୍ପର୍କରେ ଆଲୋଚନା ଭଲ ଲାଗିଲା।ବ୍ୟଙ୍ଗାତ୍ମକ ଶୈଳୀରେ ଉପସ୍ଥାପନ କରାଯାଇଥିବା ସୂଚନା ସତରେ ଖୁବ୍ ମାର୍ମିକ।ସୁକତେଲ ଏପର୍ଯ୍ୟନ୍ତ ଏକ ବିଫଳ ଯୋଜନା ଭାବରେ ଅପଖ୍ୟାତି ପାଇସାରିଛି।ଅପଦାର୍ଥ ମାନଙ୍କ ଜରିଆରେ ଅମଣିଷ ମାନଙ୍କ ର ଅମାପ ସମ୍ପତି ଆହରଣ କରିବାରେ ଏହା ଏବେ ଏକ ଅମୋଘ ଅସ୍ତ୍ର ରେ ପରିଣତ ହୋଇଛି।