ରେ ପୁତନା ଖିଆ, ତୋ ରଥ ଆଉ ଚାଲିବନାହିଁ …

Share it

14th July 2024

ମୁଁ ଏବେ ଆୟତ୍ତ ତୋହର,
ତୁ ଯାହା ଇଚ୍ଛା ତାହା କର

ବର୍ଷକରେ ଥରେ ଆଷାଢ଼ ଶୁକ୍ଳଦ୍ଵିତୀୟା ଦିନ ଭକ୍ତ ବତ୍ସଳ ମହାପ୍ରଭୁ ଜଗନ୍ନାଥ, ଓହ୍ଲେଇ ଆସନ୍ତି ବଡ଼ ଦାଣ୍ଡକୁ ତାଙ୍କ ଭକ୍ତ ମାନଙ୍କ ସହ ଟିକିଏ ଅନ୍ତରଙ୍ଗ ଭାବେ ମିଶିବା ପାଇଁ । ଭକ୍ତ ମାନଙ୍କ ଘଣ୍ଟ ଘଣ୍ଟା ଓ ହରିବୋଲ ଧ୍ୱନୀରେ ନବ ଦିନାତ୍ମକ ଘୋଷ ଯାତ୍ରା କରି ଭକ୍ତମାନଙ୍କୁ ଆହ୍ଲାଦିତ କରନ୍ତି । ଭକ୍ତମାନଙ୍କ ଦର୍ଶନ ପାଇଁ ତାର ରଥ ପୁଣି କେବେ ଅଟକି ଯାଏ ବାଟରେ । ଏମିତି ଦିନେ ମହାପ୍ରଭୁଙ୍କ ଯବନ ଭକ୍ତ ସାଲବେଗ ବୃନ୍ଦାବନରୁ ଆସି ପହଞ୍ଚିବାରେ ଡେରି ହେବାରୁ, ଭକ୍ତ ଆସିବା ଯାଏଁ ବଳଗଣ୍ଡି ନିକଟରେ ଅଟକି ଯାଇଥିଲା ନନ୍ଦିଘୋଷ ।

ରଥଯାତ୍ରା ବେଳେ ତାର ଦର୍ଶନରୁ ଯିଏ ତାହାର ଭକ୍ତକୁ ବଞ୍ଚିତ କଲା, ତାକୁ ପରିହାସ କଲା, ଗାଳି, ମାଡ଼, ଭର୍ତ୍ସନା କିମ୍ବା ଅପମାନିତ କି ଲଜ୍ଜିତ କଲା, ଜଗନ୍ନାଥେ ସେସବୁ କେବେ ସହିନାହାଁନ୍ତି । ଏହିଭଳି ଏକ ଘଟଣା ଘଟି ଥିଲା ଆଜକୁ ପ୍ରାୟ ପାଞ୍ଚ ଶହ ବର୍ଷ ତଳେ ପ୍ରଭୁଙ୍କ ଅନନ୍ୟ ଭକ୍ତ ବଳରାମଦାସଙ୍କ ପାଇଁ । ଏହି ଗାଥା ବର୍ଣ୍ଣିତ ହୋଇଛି ଭକ୍ତକବି ରାମ ଦାସଙ୍କ ବିରଚିତ ଦାଢ୍ୟତା ଭକ୍ତି ରସାମୃତରେ ।

ମହାପ୍ରଭୁ ସେ ଦିନ ଏକଥା ପ୍ରମାଣ କରିଦେଇଥିଲେ, “ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେନ ଚ, ମଦ୍‌ଭକ୍ତାଃ ଯତ୍ର ଗାୟନ୍ତି, ତତ୍ର ତିଷ୍ଠାମି ନାରଦ ।”

ବଳରାମ ଦାସ ପଞ୍ଚସଖା ମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ ବରିଷ୍ଠସଖା। ସେ ଓଡ଼ିଆରେ ଦାଣ୍ଡି ବା ଜଗମୋହନ ରାମାୟଣ, ନିଜସ୍ୱ ଢଙ୍ଗରେ ରଚନା କରି ଉତ୍କଳବାଲ୍କୀକି ଭାବେ ବିଖ୍ୟାତ । ନୀଳାଚଳ ଧାମରେ ସେ ଗଜପତି ମହାରାଜା ମୁକୁନ୍ଦଦେବଙ୍କ ଦ୍ୱିତୀୟ ଅଙ୍କରେ ଜନ୍ମଲାଭ କରିଥିଲେ । ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଅର୍ଥାତ୍ ଷୋଡଶ ଶତାବ୍ଦୀରେ ସେ ଜୀବିତ ଥିଲେ । ତାଙ୍କର ପିତାଙ୍କ ନାମ ସୋମନାଥ ମହାପାତ୍ର, ସେ କରଣ କୂଳରେ ଜନ୍ମ ହୋଇଥିଲେ । ବଳରାମ ଥିଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ । ମାତ୍ର ଚନ୍ଦ୍ରରେ କଳଙ୍କ ପ୍ରାୟ ତାଙ୍କ ଚରିତ୍ରରେ ଗୋଟିଏ ଦୋଷ ଥିଲା ସେ ଥିଲେ ଅତ୍ୟନ୍ତ ବେଶ୍ୟାସକ୍ତ।

ଦାଢ୍ୟତାଭକ୍ତି କଥା ଅନୁସାରେ :-
ପୂର୍ବ ଅର୍ଜିତ କର୍ମଫଳେ ।
ନିରତେ ବେଶ୍ୟାଘରେ ଚଳେ ।।

ସେଦିନ ଥାଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା, ରଥ ପଥ ସବୁ ପ୍ରସ୍ତୁତ। ମହାପ୍ରଭୁ ଭାଇଭଉଣୀଙ୍କୁ ଧରି ବିଜେ କରିଛନ୍ତି ନନ୍ଦିଘୋଷରେ । ସମଗ୍ର ଶ୍ରୀକ୍ଷେତ୍ର କୋଳାହଳମୟ । ବଡ଼ ଦାଣ୍ଡରେ ରୁଣ୍ଡ ହୋଇଛନ୍ତି ଅସଂଖ୍ୟ ଭକ୍ତ,ଥାଳି ମାରିଲେ ମୁଣ୍ଡ ଉପରେ ଚାଲି ଯିବ । କୀର୍ତ୍ତନ, ହରିବୋଲ ଧ୍ୱନୀ କରି ଭକ୍ତମାନେ ଉନ୍ମତ୍ତ ହୋଇ ନୃତ୍ୟ କରୁଛନ୍ତି । ଆଉ ଅଳ୍ପସମୟ ପରେ ରଥଟଣା ଆରମ୍ଭ ହେବ,ଭକ୍ତମାନେ ପରମ ଆନନ୍ଦରେ ମହାପ୍ରଭୁଙ୍କ ରଥ ଭିଡ଼ିନେବେ । ଅଥଚ ବଳରାମ ଦାସେ ସେହି ସମୟରେ ପଡ଼ି ରହିଛନ୍ତି ଯମୁନା ବେଶ୍ୟା ଗୃହରେ, ମାତି ଯାଇଛନ୍ତି ଯମୁନା ସହ ରଙ୍ଗରସରେ । ହଠାତ ତାଙ୍କ କାନରେ ଶଙ୍ଖ ଘଣ୍ଟ, ଘଣ୍ଟା ଧ୍ୱନୀ ବାଜିଲା । ତାଙ୍କ ଚେତା ପଶିଲା । ନିଜକୁ ଧିକ୍କାର କରି କହିଲେ,ଆରେ ! ଆଜି ପରା ମହାପ୍ରଭୁଙ୍କର ଘୋଷଯାତ୍ରା, ଧିକ୍ ମୋ ଜୀବନକୁ, ଧିକ ମୋ ଅଜ୍ଞାନ ପଣକୁ । ଏ କଅଣ କଲି । ମୁଁ ଏ ବେଶ୍ୟା ଘରେ ପଡ଼ି ରହିଛି, ପ୍ରଭୁ ମୋର ତେଣେ ରଥରେ ବିଜେ କରି ସାରିଲେଣି ।

ବୋଇଲେ ଧିକ ମୋ ଜୀବନ
ଅଜ୍ଞାନେ ବଞ୍ଚିଲି ମୁଁ ଦିନ ।।
ପ୍ରଭୁ ମୋ ରଥେ ବିଜେ କଲେ
ଶୋଇ ମୁଁ ଅଛି ବେଶ୍ୟା ତୁଲେ !

ଆଉ ସେ ନିଜକୁ ସମ୍ଭାଳି ପାରିଲେ ନାହିଁ । ପାଗଳ ପ୍ରାୟ ଦୌଡି଼ଲେ ରଥ ପାଖକୁ । ଦେହରେ ତାଙ୍କର ଲାଗିରହିଥାଏ କୁଙ୍କୁମ, କଜଳ । ସେମିତି ଅଶୌଚ ଅବସ୍ଥାରେ ସିଧାଯାଇ ଚଢ଼ିଗଲେ ନନ୍ଦିଘୋଷ ରଥ ଉପରକୁ । ପ୍ରଭୁଙ୍କ କଳା ଶ୍ରୀମୁଖକୁ ଅନାଇଁ ତାଙ୍କ ଆଖିରୁ ବୋହିଯାଉ ଥାଏ, ଧାର ଧାର ପ୍ରେମାଶ୍ରୁ ।

ସେବକ ମାନେ ଦେଖିନେଲେ ମତ୍ତ ଅଶୌଚ ବଳି ଦାସକୁ । ସଭିଏଁ ଏକସ୍ୱରରେ ପାଟିକରି ଉଠିଲେ, ଆରେ ବେହିପୋ ବଳିଆ ଦାସରେ ! ବାଡା ବାଡା ବେହିପୋକୁ । ସ୍ନାନ, ଶୌଚ କିଛିନାହିଁ ବେହିପୁଅ ସିଧା ବେଶ୍ୟା ଘରୁ ଆସି, ରଥ ଉପରେ ହାଜର । ବେହିପୋ ଭାରି ଭକତଟା ତ । ମାର, ମାର ବେହି ପୁଅକୁ । ଏମିତି ପାଟି କରି ବଳିଆ ଦାସକୁ ବହେ ଛେଚି ସେବକମାନେ ତଣ୍ଟିଆ ମାରି ତଳକୁ ଠେଲି ପକାଇ ଦେଲେ ।

ଦାସେ ତଳେ ଠିଆ ହୋଇ ଅଶ୍ରୁ ଭରା ନୟନରେ ପ୍ରଭୁଙ୍କୁ ଚାହିଁ କହିଲେ, ତୋର ଯଦି ମୋତେ ଦଣ୍ଡ ଦେବାର ଥିଲା ନିଜେ ଦେଲୁ ନାହିଁ, ଏଇମିତି ପର ହସ୍ତରେ ମାଡ଼ ମରାଇ ତୋର କି ଗୌରବ ହେଲା ।

ତୁ ଭକ୍ତ ବତ୍ସଳ ବୋଲି ଜାଣି, ଦୋଉଡ଼ି ଆସିଥିଲି । ତୁ ମୋତେ ମାଡ଼ ମରାଇ, ଅପମାନ ଦେଇ ତଳକୁ ଠେଲିଦେଲୁ । ହଉରେ ନନ୍ଦପୁଅ, ମୁଁ ଏବେ ବାହୁଡ଼ି ଯାଉଛି ଦେଖିବା ତୋ ରଥ ଦଉଡ଼ି କିଏ ଟାଣୁଛି ।

ଏବେ ମୁଁ ଗଲିଟି ବାହୁଡ଼ି
କେ ଝିଙ୍କୁ ତୋ ରଥ ଦଉଡ଼ି ।।

ଦେଖିବା ତୁ କେମିତି ଯାତ୍ରାକରୁଛୁ । ମୁଁ ତୋ ବାପ ନନ୍ଦର ରାଣ ଖାଇ କହୁଛି, ରେ ପୁତନା ଖିଆ ତୋ ରଥ ଆଉ ଚାଲିବନାହିଁ । ଯଦି ତୁ ସେବକର ହାନି ଲାଭ ନବୁଝିଲୁ ତେବେ କାହାର ନିନ୍ଦା ହେବ ଭାବି ଦେଖ । ତମକୁ ଆଉ ଅଧିକ କଅଣ କହିବି । ତମେ ତ ମୋର ଏକମାତ୍ର ପ୍ରଭୁ ।

ଏମିତି କହି ଦାସେ ସିଧା ଚାଲିଲେ ବାଙ୍କି ମୁହାଁଣ । ସେଇଠି ଯାଇ ମନ ଦୁଃଖରେ ବସି ରହି ବାଲିରେ ତିନି ଗୋଟି ରଥ ତିଆରି କଲେ । ଆଖି ବୁଜି ଧ୍ୟାନ କରି କହିଲେ,

“ବୋଇଲା ଏଥେ ବିଜେ କର,
ମୁଁ ଯେବେ ସେବକ ତୋହର”

ଏମିତି ଚିନ୍ତାରେ ଭକ୍ତ ବଳରାମ ଭାବ ଗଦଗଦହୋଇ କାନ୍ଦିପକାଇଲେ । ଭକ୍ତର ଆକୁଳ ନିବେଦନ ବଳୀୟାର ଭୁଜଙ୍କ କର୍ଣ୍ଣ ଗୋଚର ହେଲା ।ପ୍ରଭୁ ଦାରୁ ବିଗ୍ରହ ତେଜ୍ୟା କରି ଭାଇ ଭଗ୍ନୀଙ୍କ ସହିତ ଯାଇ ଭକ୍ତଙ୍କ ବାଲି ରଥରେ ବିଜେହେଲେ ଆଉ ବଳରାମଙ୍କୁ କହିଲେ,

ଘୋର ସନ୍ତାପ ତୋର ଦେଖି,
ଯାତ୍ରା ମୁଁ ଅଇଲି ଉପେକ୍ଷି ।।

ଆଉ ମୋ ଉପରେ ରାଗେ ନାଁ ।
ମୁଁ ଏବେ ଆୟତ୍ତ ତୋହର,
ତୁ ଯାହା ଇଚ୍ଛା ତାହା କର ।।

ପ୍ରଭୁଙ୍କୁ ଦେଖି ଭକ୍ତ ବଳରାମ ଯୋଡ଼ ହସ୍ତ ହୋଇ ତାଙ୍କ ପାଦତଳେ ପଡ଼ି କହିଲେ,’ହେ ପ୍ରଭୁ ଆପଣ ଏଡ଼େ ଦୟା ମୟ । କମଳା ଯାହାଙ୍କର ପରିଚାରି, ସର୍ବ ଦେବା ଦେବୀ ଯାହାଙ୍କ ସେବା କରନ୍ତି, ମାଆ ଶାରଦା ଯାହାଙ୍କ ଆଜ୍ଞାକାରୀ, ଯିଏ ସବୁ ଯୋଗୀ ଜନଙ୍କର ଧ୍ୟେୟ । ସେ ପ୍ରଭୁଙ୍କର ଏ ଅକିଞ୍ଚନ ପ୍ରତି ଏତେ କରୁଣା ! ଆପଣ ସତରେ କରୁଣା ବାରିଧି !! ମୁଁ, ମୁଢ଼ ପଣରେ ଆପଣଙ୍କୁ ବହୁ କଟୁ କଥା କହି, କଷ୍ଟ ଦେଲି । ମୋ ତୁଣ୍ଡରେ ବଜ୍ର ପଡୁ଼ ।

ହୁଡ଼ି ବୋଇଲି ଯେତେ ଆଜ
ସେ ତୁଣ୍ଡେ ପଡ଼ୁ ମୋର ବଜ୍ର ।।

ପୁଣି କହିଲେ, ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ତୋ’ ପରିକା ପ୍ରଭୁ ଥାଉ ଥାଉ, ଲୋକେ ଏତେ ତୀର୍ଥକୁ ଯାଆନ୍ତି କାହିଁକି ? ପୁଣି ସେ ମହାପ୍ରଭୁଙ୍କୁ କହିଲେ, ପ୍ରଭୁ ଆପଣ ତ ରଥ ତେଜି ଏଠାକୁ ଆସି ଗଲେ, ଏବେ ମୁଁ ଆପଣଙ୍କୁ କଅଣ ମଣୋହୀ କରାଇବି । ଦାସେଙ୍କୁ ପାଖରେ ବସେଇ ମହାପ୍ରଭୁ ସ୍ମିତହାସ୍ୟ କରି କହିଲେ,

ଉତ୍ସବ ମୋର କିସ ହେବ,
ମୂଳ ମୋ ଭକତର ଭାବ ।।

ଭକ୍ତ ସେହିଠାରେ ପ୍ରଭୁଙ୍କ ମାନସିକ ପୂଜା ସାରିଦେଲେ ।

ଏପଟେ ବଳରାମ ଦାସଙ୍କ ପାଖରେ ମହାପ୍ରଭୁ ଓ ତାଙ୍କର ଭକ୍ତ ସହ ଲୀଳା ଚାଲିଛି । ସିଆଡ଼େ ବଡ଼ ଦାଣ୍ଡରେ ଯେତେ ଭିଡ଼ିଲେ ମଧ୍ୟ ରଥ ଚକ ଟିକିଏ ହେଲେ ଗଡ଼ୁନାହିଁ । ସବୁ ଭକ୍ତ, କଳାବେଠିଆ ରଥ ଦଉଡ଼ି ଝିଙ୍କିଝିଙ୍କି ନୟାନ୍ତ ହେଲେଣି ।

ଗଜପତିଙ୍କ ପାଖରେ ଖବର ପହଞ୍ଚିଲା । ଗଜପତି ପ୍ରତାପରୁଦ୍ର ଦେବଙ୍କ ଆଦେଶରେ ଶହେ ହାତୀ ଆଣି ଲଗାଇ ଦିଆଗଲା । ମାତ୍ର ଅଚଳ ମହାମେରୁ ସେହି ଭଳି ବସିଥାନ୍ତି । ସିଏ ପରା ଇଚ୍ଛାମୟ । ତାଙ୍କ ଇଚ୍ଛା ନ ହେଲେ କାହାର ସାଧ୍ୟ ଅଛି ତାଙ୍କୁ ଚଲାଇବାକୁ ।

ଶ୍ରୀଚୈତନ୍ୟ ପରା କହିଚ୍ଛନ୍ତି,’ବିଶ୍ଵମ୍ଭର ଜଗନ୍ନାଥ, କେ ଚଲାଇତେ ପାରେ’l କାହାର ବୁଦ୍ଧି ଖଟୁନାହିଁ କ’ଣ କରାଯିବ । ଆଉକିଛି ଉପାୟ ନାହିଁ । ରାଜା ଦାନ୍ତରେ ତିରଣ ଧରି ଅଧିଆ ପଡ଼ିଲେ ।

ଅନ୍ତର୍ଯ୍ୟାମୀ ମହାପ୍ରଭୁ ରାଜାଙ୍କ ମନ କଥା ଘେନା କଲେ । ସ୍ୱପ୍ନରେ ପ୍ରଭୁ ତାଙ୍କୁ କହିଲେ, ଯିଏ ମୋର ଭକ୍ତ, ମୋର ନାମ ଯିଏ ନିଏ ତା’ର ଦେହ ସର୍ବଦା ଶୁଚିମନ୍ତ । ଏକଥା ତୋର ସେବକ ମାନେ ନଜାଣି ମୋ ଭକ୍ତ ବଳିଆ ଦାସକୁ ରଥରୁ ଘଉଡ଼ି ଦେଲେ । ମୁଁ ଏହାକୁ ସହି ଥାନ୍ତି କିପରି ? ଆମ୍ଭେ ତ ଯାଇ ତା’ ବାଲି ରଥରେ ଚକ୍ରତୀର୍ଥ, ବାଙ୍କି ମୁହାଁଣରେ ବିଜେ କରିଛୁ, ଆଉ ତୋ ରଥ ଚଳନ୍ତା କିପରି ? ମୁଁ ପରା ଭକ୍ତ ପାଇଁ ସୁଦର୍ଶନ ଧାରଣ କରିଛି ।

ଗଜପତି କହିଲେ, ହଉ ମଣିମା ମୋର ଅପରାଧ ମାର୍ଜନା କରନ୍ତୁ, ଏଥର ଉପାୟ କୁହନ୍ତୁ ମୁଁ କଅଣ କରିବି ।

ମହାପ୍ରଭୁ କହିଲେ, ଅକାରଣେ ମୋ ଭକ୍ତ ବଳରାମ ଦାସକୁ ଯେଉଁ ମାନେ ଦଣ୍ଡିଛନ୍ତି ତାଙ୍କର ଦଣ୍ଡ ବିଧାନ କର । ସେମାନେ ମୋ ଭକ୍ତ ପାଖରେ ଦନ୍ତରେ ତିରଣଧରି ଶରଣପଶନ୍ତୁ । ତୁ ଯାଇ ମୋ ଭକ୍ତର ମଥାରେ ଶିରୀପା ବାନ୍ଧି ତାକୁ ଘୋଡ଼ାରେ ବସାଇ ପାଛୋଟି ଘେନିଆସ।

ତାହାହିଁ ହେଲା, ଭକ୍ତପ୍ରବର ବଳରାମ ଦାସ ଆସି ରଥ ଛୁଇଁ ଦେଇ କହିଲେ, ‘ଏଥର ଚାଲିବା ହେଉ ମହାବାହୁ’ । କଳାବେଠିଆ ମାନେ ଦଉଡ଼ି ଭିଡ଼ିବା ଆରମ୍ଭ କରିଦେଲେ । ଘର୍ଘର ଘୋଷରେ ଶୂନ୍ୟରେ ପକ୍ଷୀ ଉଡ଼ିଲା ପ୍ରାୟେ ରଥ ଦଉଡ଼ିବାକୁ ଲାଗିଲା ଓ ପଲକ ପତନ ମାତ୍ରେ ଯାଇ ଗୁଣ୍ଡିଚା ମନ୍ଦିରରେ ହାଜର ହୋଇଗଲା । ଯୁଗଯୁଗ ପାଇଁ ମହାପ୍ରଭୁଙ୍କ କଥା ରହିଗଲା :-

ଧନ୍ୟ ଏ’ ପ୍ରଭୁଙ୍କ ମହିମା
ରଖିଲେ ଭକତ ଗାରିମା ।।

!!! ଜୟ ଜଗନ୍ନାଥ !!!
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights