ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୫ମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ

Share it

ଭୁବନେଶ୍ବର: ୨୫ ଜୁଲାଇ ୨୦୨୪

– ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଓ ବାୟୁର ଗୁଣବତ୍ତା ସ୍ଥିତି ସଂପର୍କିତ ୫ମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ

– ୨୦୧୯ ମସିହାରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ଆରମ୍ଭ ହୋଇଥିଲା

– ଦେଶର ୧୩୧ଟି ସହର ମଧ୍ୟରେ ଓଡ଼ିଶାର ୭ଟି ସହର ରହିଛି

– ୨୦୨୬ ସୁଦ୍ଧା ଦେଶରେ ବିଭିନ୍ନ ସହରରେ ବାୟୁର ଗୁଣାତ୍ମକ ମାନ ବୃଦ୍ଧି ଏହାର ଲକ୍ଷ୍ୟ ରହିଛି

ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଓ ବାୟୁ ଗୁଣବତ୍ତା ସ୍ଥିତି ସଂପର୍କିତ ୫ମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଲୋକସେବା ଭବନରେ କମିଟିର ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜସ୍ୱ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ, ଇସ୍ପାତ ଓ ଖଣି ବିଭାଗ ଦେଓ ରଂଜନ କୁମାର ସିଂ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଓଡ଼ିଶା ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ. କେ. ମୁରୁଗେସନଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ସଂପ୍ରତି କ୍ରମାଗତ ଭାବେ ନିର୍ମାଣ କାର୍ଯ୍ୟ ହେବା ଯୋଗୁଁ ତତ୍ ଜନିତ ସୃଷ୍ଟି ହେଉଥିବା ବର୍ଜ୍ୟ ପଦାର୍ଥ, ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି, ଯାନବାହାନ ଚଳାଚଳ ବୃଦ୍ଧି, ଅନିୟତ ଭାବରେ ଖୋଲା ସ୍ଥାନରେ ବର୍ଜ୍ୟବସ୍ତୁକୁ ଜଳାଯିବା ଏବଂ ଶୀତଦିନେ ପ୍ରଦୁଷଣ ସୃଷ୍ଟିକାରୀ କାରକଗୁଡ଼ିକ ସହଜରେ ବାୟୁରେ ନମିଶିବା ଫଳରେ ବାୟୁ ପ୍ରଦୁଷଣ ମାତ୍ରା ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁର ଗୁଣବତ୍ତା ମାନର ଉନ୍ନତିରେ ବାଧକ ହେଉଛି ।

ଏହାକୁ ଦୃଷ୍ଟିରେ ରଖି ଭାରତରେ ୨୦୧୯ ମସିହାରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ଆରମ୍ଭ ହୋଇଥିଲା ଏବଂ ୨୦୨୬ ସୁଦ୍ଧା ଦେଶରେ ବିଭିନ୍ନ ସହରରେ ବାୟୁର ଗୁଣାତ୍ମକ ମାନ ବୃଦ୍ଧି ଏହାର ଲକ୍ଷ୍ୟ ରହିଛି ।

ଦେଶର ୧୩୧ଟି ସହର ମଧ୍ୟରେ ଓଡ଼ିଶାର ୭ଟି ସହର ରହିଛି। ସେଗୁଡିକ ହେଲା ରାଉରକେଲା, ତାଳଚେର, ଅନୁଗୋଳ, ବାଲେଶ୍ୱର, କଳିଙ୍ଗନଗର, କଟକ ଓ ଭୁବନେଶ୍ୱର । ଏଥି ସହିତ ଶିଳ୍ପ ବହୁଳ ରାଜଗାଙ୍ଗପୁର,ଝାରସୁଗୁଡା, ବେଲପାହାଡ, ବଣାଇ, କେନ୍ଦୁଝର, ଅନୁଗୋଳ, କଳିଙ୍ଗନଗର, ପାରାଦ୍ୱୀପ ଭଳି ସହର ଗୁଡିକ ମଧ୍ୟ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ନେଇ ପ୍ରସ୍ତାବ ରହିଛି ।

ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଓ ବାୟୁର ଗୁଣବତ୍ତା ବୃଦ୍ଧି ପାଇଁ କାନପୁରରେ ଏକ ଜାତୀୟ ଜ୍ଞାନ ନେଟଓ୍ୱାର୍କ ବିକଶିତ କରାଯଇଛି, ଯାହାକି ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ଅଂଶୀଦାରୀ ଅନୁଷ୍ଠାନ ଓ ସଂସ୍ଥାମାନଙ୍କ ଦକ୍ଷତା ବୃଦ୍ଧି ସହ ସମନ୍ୱୟ ରକ୍ଷା କରୁଛି ।

ଆମ ରାଜ୍ୟରେ ରାଜ୍ୟସ୍ତରୀୟ ପରିଚାଳନା କମିଟି, ବାୟୁର ଗୁଣାତ୍ମକ ମାନ ତଦାରଖ କମିଟି ଓ ଜିଲ୍ଲାସ୍ତରୀୟ ତଦାରଖ କମିଟି ରହିଛି ।

ବୈଠକରେ ଏନସିଏପି ପାଣ୍ଠି ଉପଯୋଗ ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନ କରାଯିବା ସହ ଆଗାମୀ ୨ ବର୍ଷରେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ତଦାରଖ ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯିବ, ନିର୍ଦ୍ଦିଷ୍ଟ ଅଂଚଳ ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ ଆଦି ସଂପର୍କରେ ଆଲୋଚନା କରାଯାଇଥିଲା ।

ମୁଖ୍ୟ ଶାସନ ସଚିବ ବିଭିନ୍ନ ସହରରେ ବାୟୁର ଗୁଣବତ୍ତା ସ୍ଥିତିର ସଠିକ ଅଧ୍ୟୟନ ଏବଂ ବାୟୁର ଗୁଣବତ୍ତା ସ୍ଥିତି ଭଲ ରହିଥିବା ଦେଶର ଅନ୍ୟ ସହରର ଉତ୍ତମ ଅଭ୍ୟାସକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ସହଯୋଗୀ ସଂସ୍ଥାମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଓଡ଼ିଶାର ଏନସିଏପି ସହର ଭାବେ ଚିହ୍ନଟ ସହରଗୁଡ଼ିକରେ ଦୀର୍ଘକାଳୀନ ସୂତ୍ରରେ ବାୟୁର ଗୁଣବତ୍ତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଛନ୍ତି ।

ସାମ୍ବାଦିକମାନଙ୍କ ପାଇଁ କାମ :
1.. 2019 ରୁ 2024 ଯାଏ ଓଡିଶାରେ ଏ ସମ୍ପର୍କିତ କି କି କାର୍ଯ୍ଯ କରାଯାଇଛି ଓ ତାହାର କି କି ସଫଳତା ମିଳିଛି, ଏ କମିଟି ମେମ୍ବର ମାନଙ୍କୁ ପଚାରି ବୁଝିବା

2. ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ଅଛି କି ନାହିିଁ ବୁଝିବା

3. ଏନସିଏପି ପାଣ୍ଠି କେତେ ଆସିବ ଓ ତାହାର କେମନ୍ତ ଉପଯୋଗ ହେବ ସେ ସମ୍ପର୍କରେ ସଠିକ୍ ଖବର ରଖିବା

4. ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ଅଂଶୀଦାର ଅନୁଷ୍ଠାନ ଓ ସଂସ୍ଥାମାନେ ସବୁ କିଏ ଓ 2019 ରୁ 2024 ମଧ୍ଯରେ କେତେ ଟଙ୍କା ଖର୍ଚ କରାଯାଇ ସେମାନଙ୍କର କି କି ଦକ୍ଷତା ବୃଦ୍ଧି କରାଯାଇଛି ଏବଂ ଆଗକୁ କେଉଁ ସଂସ୍ଥାମାନଙ୍କର କେବଣ ପ୍ରକାରେ ଦକ୍ଷତା ବୃଦ୍ଧି କରାଯିବ ସେ ସମ୍ପର୍କରେ ପଚାରି ବୁଝିବା

5. ଯାହା ସବୁ ବୁଝିଲେ ସେ ସବୁକୁ ଗଣ ମାଧ୍ୟମରେ ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରିବା

ଏମନ୍ତ ପ୍ରକାରେ ଆମ ସାମ୍ବାଦିକମାନେ ଆମ ରାଷ୍ଟ୍ରୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ନିଜେ ଧନ୍ଯ ହେବା ସହ ରାଜ୍ୟ ପବନକୁ ମଧ୍ଯ ଧନ୍ଯ କରିପାରନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights