ରୁରୁ ମୁନିଙ୍କ କାହାଣୀ

Share it

ମହାଭାରତ ଆଦି ପର୍ବର କଥା । ଗନ୍ଧର୍ବ ବିଶ୍ଵାବସୁ ଏବଂ ଅପ୍ସରା ମେନକାଙ୍କ ଗର୍ଭରୁ ଏକ କନ୍ୟା ଜାତ ହେଲା । ଜନ୍ମ ହେବା କ୍ଷଣି ମେନକା ଶିଶୁଟିକୁ ଋଷି ସ୍ଥୂଳକୋଷଙ୍କ ଆଶ୍ରମ ନିକଟରେ ଛାଡ଼ି ଦେଇ ଚାଲି ଗଲେ । ୠଷି ଅସହାୟ କନ୍ୟାଟିକୁ ଉଠାଇ ନେଇ ତାର ପାଳନ କଲେ ଓ ନାମ ରଖିଲେ ପ୍ରମଦାରା । କାଳକ୍ରମେ, ପ୍ରମଦାରା ଯୁବା ବୟସରେ ଉପନୀତ ହେଲା । ମୁନି ତାଙ୍କ ସୁନ୍ଦରୀ କନ୍ୟାର ବିବାହ ରୁରୁ ମୁନିଙ୍କ ସହିତ କରାଇ ଦେଲେ ।

ମହର୍ଷି ଭୃଗୁଙ୍କ ପୁତ୍ର ଥିଲେ, ୠଷି ଚ୍ୟବନ । ଚ୍ୟବନ ଵିଵାହ କରିଥିଲେ ସୁକନ୍ୟାଙ୍କୁ । ଚ୍ୟବନ ସୁକନ୍ୟାଙ୍କ ପୁତ୍ର ଥିଲେ ପ୍ରମତି । ପ୍ରମତି ଓ ଅପସରା ଘୃତାଚିଙ୍କ ଗର୍ଭରୁ ଜନ୍ମହୋଇଥିଲେ ସର୍ଵବିଦ୍ୟା ବିଶାରଦ ପୁତ୍ର ରୁରୁ । ଏହି ରୂରୁ ଓ ୠଷି ପୁତ୍ରୀ ପ୍ରମଦାରାଙ୍କ ପ୍ରଣୟ ପରେ, ବିବାହରେ ପରିଣତ ହେବାକୁ ସ୍ଥିର ହେଲା । ମାତ୍ର ଦୁର୍ଭାଗ୍ୟକୁ, ବିବାହ ପୂର୍ବରୁ ପ୍ରମଦାରାଙ୍କ ସର୍ପ ଦଂଶନରେ ମୃତ୍ୟୁ ହେଲା ।

ଭାବିପତ୍ନୀଙ୍କ ମୃତ୍ୟୁରେ ରୁରୂ ଅତ୍ୟନ୍ତ ଦୁଃଖୀ ହୋଇ କ୍ରନ୍ଦନ କରିବାକୁ ଲାଗିଲେ । ଏହି ସମୟରେ ଜଣେ ଦେବଦୂତ ଆସି ତାଙ୍କୁ ବୁଝାଇ କହିଲେ, ମୃତ୍ୟୁ ଭଳି ସତ୍ୟ ପାଇଁ ତୁମେ କାହିଁକି ବ୍ୟଥିତ ହେଉଛ । ତୁମେ ଶୋକ ପରିହାର କର । କିନ୍ତୁ ରୂରୂ କୌଣସି ପ୍ରକାର ତାଙ୍କ ଶୋକକୁ ଭୁଲି ପାରିଲେ ନାହିଁ ।

ଏପରି ଦେଖି ଦେବଦୂତ କହିଲେ, ପ୍ରମଦାରାଙ୍କୁ ଜୀବିତ କରାଇବା ପାଇଁ, ଏକ ଉପାୟ ଅଛି । ତୁମେ ଯଦି ତୁମ ଆୟୁର ଅର୍ଦ୍ଧେକାଂଶ ଦାନ କରିପାରିବ ତେବେ ତାହା ସମ୍ଭବ ହେବ । ରୁରୁ ସଙ୍ଗେ ସଙ୍ଗେ ଏକଥାରେ ରାଜି ହୋଇ ଗଲେ । ଏହାପରେ, ଦେବ ଦୂତ ପ୍ରମଦାରାଙ୍କ ପିତା ବିଶ୍ଵାବସୁଙ୍କୁ ନେଇ ଯମପୁରରେ ପହଁଚିଲେ ।

ଦେବଦୂତ ଜନ୍ତୁପତିଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ପ୍ରମଦାରାଙ୍କ ଜୀବନ ଫେରାଇ ଦେବାକୁ କହିଲେ । ଯମରାଜ ତାଙ୍କ ଜୀବନ ଫେରାଇ ଦେବାରୁ ରୂରୁଙ୍କ ସହ ତାଙ୍କର ବିବାହହୋଇଗଲା ଓ ସେମାନେ ଅତି ଆନନ୍ଦରେ କାଳକାଟିଲେ । ଏହି ଘଟଣାପରେ ରୁରୁ ସର୍ପକୂଳ ପ୍ରତି ଅତୀବ ପ୍ରତିହିଂସା ପରାୟଣ ହୋଇ ପଡ଼ିଲେ । ସେ ଯେଉଁଠାରେ ସର୍ପ ଦେଖୁଥିଲେ ତାକୁ ମାରି ପକାଉ ଥିଲେ ।

ଦିନେ ରୁରୁ ବନ ପଥରେ ଗମନ କରୁ ଥିଲେ । ପଥ ମଧ୍ୟରେ ସେ ଗୋଟିଏ ବୃଦ୍ଧ ଚଳତ୍ ଶକ୍ତିହୀନ ସର୍ପ ଦେଖି ତାକୁ ମାରିବା ପାଇଁ ଉଦ୍ୟତ ହେବାରୁ ସର୍ପଟି କହିଲା, ମୁଁ ତ ଆପଣଙ୍କ କିଛି କ୍ଷତି କରୁନାହିଁ । ବିନା ଦୋଷରେ, ଆପଣ କାହିଁକି ମୋତେ ମାରି ଦେବାକୁ ଚାହୁଁଛନ୍ତି ।

ସର୍ପଟି ମନୁଷ୍ୟଭଳି କଥା କହୁଛି ଦେଖି ରୁରୁ ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କ ନିଜ କାହାଣୀ କହି କହିଲେ, ତୁମ ସର୍ପମାନଙ୍କ ପ୍ରକୃତି ଦଂଶନ କରିବା । ଏଣୁ ସର୍ପ ମାନଙ୍କ ପ୍ରତି ମୋର ଏପରି ବୈର ଭାବ । ସେ ସର୍ପ କୌଣସି ସାଧାରଣସର୍ପ ନୁହେଁ ଜାଣିପାରି ରୁରୁ ତାକୁ ପରିଚୟ ମାଗିବାରୁ ସେହି ସର୍ପ ତାହାର କାହାଣୀ ଆରମ୍ଭ କଲା ।

ସର୍ପ କହିଲା, ପୂର୍ବେ ଖଗମ ନାମକ ଜଣେ ତପନିଷ୍ଠ ବ୍ରାହ୍ମଣ ଥିଲେ, ମୋର ପରମ ବଂଧୁ । ମୋର ସେହି ବନ୍ଧୁ ଥରେ ଅଗ୍ନିହୋତ୍ର କରୁଥାନ୍ତି । ତାଙ୍କୁ ଭୟଭୀତ କରିବାପାଇଁ ମୁଁ ଏକ କୃତ୍ରିମ ସର୍ପ ତିଆରିକରି ତାଙ୍କ ଆଗରେ ନେଇ ଥୋଇଦେଲି । ସେ ସର୍ପଟିକୁ ଦେଖି ଭୟରେ ମୂର୍ଚ୍ଛିତ ହୋଇଗଲେ । ଚେତା ଫେରି ପାଇ ସେ ସାମ୍ନାରେ ମୋତେ ଦେଖି ଶାପ ଦେଲେ, ଯେଉଁ ସର୍ପ ଦେଖାଇ ମୋତେ ତୁମେ ଭୟଭୀତକଲ ତୁମେ ସେହି ସର୍ପ ହୋଇଯାଅ ।

ତାଙ୍କ ତପ ବଳର ପ୍ରଭାଵ ମୋତେ ଜଣାଥିଲା । ସୁତରାଂ ମୁଁ କ୍ଷମା ମାଗି ତାଙ୍କୁ ଅଭିଶାପ ଫେରାଇ ନେବା ପାଇଁ ଅନୁରୋଧ କଲି । କିନ୍ତୁ ସେ କହିଲେ, ଅଭିଶାପ ଫେରାଇ ନେବା ଶକ୍ତି ମୋର ନାହିଁ । କିନ୍ତୁ ତୁମର ଶାପମୁକ୍ତି ହେବାର ପଥ ମୁଁ କହି ଦେଉଛି । ତୁମେ ଗୋଟିଏ ବୃଦ୍ଧ ଚଳତଶକ୍ତି ବିହିନ ସର୍ପ ଭାବରେ ଅରଣ୍ୟ ପଥରେ ପଡ଼ିରହିବ । ଦିନେ ସେହିବାଟ ଦେଇ ଭୃଗୁବଂଶୀ ପ୍ରମତିଙ୍କ ପୁତ୍ର ରୁରୁ ଆସିବେ । ତୁମେ ତାଙ୍କ ଦର୍ଶନ କରି ଶାପମୁକ୍ତ ହେବ । ସୌଭାଗ୍ୟକୁ ଆଜି ମୋର ଆପଣଙ୍କ ଦର୍ଶନ ହୋଇଗଲା ।

ଏପରି କହି ସର୍ପଟି ନିଜ ବ୍ରାହ୍ମଣରୂପ ଧାରଣ କଲା । ସେ ଥିଲେ, ବ୍ରାହ୍ମଣ ସହସ୍ରପାଦ । ଉପଦେଶ ଦେଇ ବିପ୍ର ସହସ୍ରପାଦ ରୃରୁଙ୍କୁ କହିଲେ, ତୁମେ ବ୍ରହ୍ମଜ୍ଞାନୀ ବ୍ରାହ୍ମଣ । ଅହିଂସା ପରମ ଧର୍ମ । ତେଣୁ ତୁମେ ପ୍ରାଣୀ ମାନଙ୍କ ପ୍ରତି ହିଂସା ପରାୟଣ ହୁଅନାହିଁ । ବ୍ରାହ୍ମଣଙ୍କ ଉପଦେଶରେ ରୃରୁ ସର୍ପମାନଙ୍କ ପ୍ରତି ତାଙ୍କ ଦ୍ୱେଷକୁ ଚିରଦିନ ପାଇଁ ପରିହାର କଲେ ।

ମହର୍ଷି ଉତ୍ତଙ୍କ ପରିକ୍ଷିତଙ୍କ ପୁତ୍ର ଜନ୍ମେଜୟଙ୍କୁ ସର୍ପ ଯଜ୍ଞକରି ତକ୍ଷକ ନାଗସହ ସମସ୍ତ ସର୍ପକୂଳକୁ ଧ୍ଵଂସ କରିବାକୁ ଉପଦେଶ ଦେଲାବେଳେ, ଏହି କାହାଣୀ ଛଳରେ କହିଥିଲେ, ‘ ଯେତେବେଳେ ରୁରୁ ମୁନିଙ୍କ ଭଳି ଜଣେ ମହାତ୍ମା, ସର୍ପମାନଙ୍କ ଉପରେ ତାଙ୍କର ରୋଷକୁ ଭୁଲିପାରି ନ ଥିଲେ, ତୁମେ କେମିତି ଭୁଲି ଯିବ ତକ୍ଷକଉପରେ ପ୍ରତିଶୋଧ ନେବା ପାଇଁ’ ।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights