ପ୍ରଭୁ ଶ୍ରୀରାମଙ୍କୁ ବନବାସରୁ ଫେରାଇ ଆଣିବାକୁ ଯାଇ, ଭରତ ସେ ଦିନ ଚିତ୍ରକୁଟରେ ଭରଦ୍ୱାଜଙ୍କ ଆଶ୍ରମରେ ରାତ୍ରିଯାପନ କଲେ l ପରଦିନ ସକାଳୁ ଭରଦ୍ୱାଜଙ୍କ ଠାରୁ ଭରତ ବିଦାୟ ନେବାକୁ ଯାଇ ପଚାରିଲେ, ଭଗବନ ! ଆପଣ ଆମକୁ ଶ୍ରୀରାମଙ୍କ ଆଶ୍ରମରେ ପହଞ୍ଚିବାକୁ ସୁଗମ ପଥ ଦର୍ଶାଇ ଦିଅନ୍ତୁ ଯାହା ଫଳରେ, ଆମେ ଯାଇ ଶ୍ରୀରାମଙ୍କ ପାଖରେ ଶୀଘ୍ର ପହଞ୍ଚି ଯିବୁ l ଋଷି ଭରଦ୍ୱାଜ କହିଲେ, ଏହି ଠାରୁ ଅଢ଼େଇ ଯୋଜନ ଦୂର ମନ୍ଦାକିନୀର ଦକ୍ଷିଣ ତଟରେ ଚିତ୍ରକୁଟ ପର୍ବତ ଅବସ୍ଥିତ l ସେହି ଠାରେ ରାମ ପର୍ଣ୍ଣ କୁଟୀରରେ ନିବାସ କରୁଛନ୍ତି l
ଭରଦ୍ୱାଜ ନିର୍ଦ୍ଦେଶକରିଥିବା ମାର୍ଗରେ ଯାଇ ଭରତ ଚିତ୍ରକୁଟରେ ପହଞ୍ଚି ଗଲେ l ସେଠାରେ ଶ୍ରୀରାମଙ୍କ ଆଶ୍ରମ ଖୋଜିବାକୁ ଯାଇ, ଭରତଙ୍କ କିଛି ଅନୁଚର ଆସି ଖବରଦେଲେ କିଛିଦୂରରେ ଆମେ ଧୂମ ଶିଖା ଦେଖିବାକୁ ପାଇଛୁ l ପ୍ରଭୁ ଲକ୍ଷ୍ମଣ ଓ ସୀତାଙ୍କ ସହ ନିଶ୍ଚୟ ସେଠାରେ ନିବାସ କରୁଛନ୍ତି l ଭରତ ମନ୍ତ୍ରୀ ସୁମନ୍ତ୍ର ଏବଂ ଧୃତିଙ୍କ ସହ, ସେହି ଦିଗରେ ଉତ୍ଫୁଲ୍ଲିତ ଚିତ୍ତରେ ଅଗ୍ରସର ହେଲେ l
ଦୂରରୁ ତୁମୁଳ କୋଳାହଳଶୁଣି ଓ ବନ ପଶୁମାନେ ଇତସ୍ତତଃ ପଲାଉଥିବାର ଦେଖି ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ,ତୁମେ ଯାଇ ଦେଖିଆସ ଏପରି କୋଳାହଳ କେଉଁ ଆଡ଼ୁ ଶୁଭା ଯାଉଛି l ଲକ୍ଷ୍ମଣ ନିକଟରେ ଏକ ଶାଳବୃକ୍ଷ ଉପରକୁ ଚଢ଼ିଯାଇ ନୀରିକ୍ଷଣ କରି କିଛି କ୍ଷଣ ପରେ କହିଲେ, ଭାଇ ! ଶୀଘ୍ର କୁଟୀରକୁ ଯାଇ ଆପଣ ଆପଣଙ୍କର ଧନୁର୍ବାଣ ଧାରଣ କରନ୍ତୁ l ଆଉ ଭାଉଜଙ୍କୁ କୁଟୀର ମଧ୍ୟରେ ରହିବାପାଇଁ କୁହନ୍ତୁ l ମୁଁ ସ୍ପଷ୍ଟ ଦେଖିପାରୁଛି ଭରତ ଚତୁରଙ୍ଗ ବଳ ସହ ଆମ ମାନଙ୍କୁ ହତ୍ୟା କରିବା ପାଇଁ ଅଗ୍ରସର ହେଉଛି l ମୁଁ ପ୍ରତିଜ୍ଞା କରୁଛି, ମୁଁ ଭରତକୁ ନିଶ୍ଚୟ ହତ୍ୟାକରିବି l ପ୍ରଭୁ ଲକ୍ଷ୍ମଣଙ୍କୁ ଶାନ୍ତ ହେବା ପାଇଁ କହିଲେ, ତୁମର ସେପରି ଭାବିବା ଉଚିତ ନୁହଁ l ଭରତ ଯଦି ଆସୁଛି ତେବେ ସେ ଆମର ବନବାସରେ ଶୋକାର୍ତ୍ତ ହୋଇ ନିଶ୍ଚୟ ଆମ ସହ ସାକ୍ଷାତ କରିବାପାଇଁ ଆସୁଥିବ l ଭରତ ମୋର ପ୍ରାଣଠାରୁ ପ୍ରିୟ l ତାଙ୍କ ପ୍ରତି ନିଷ୍ଠୁର ବାକ୍ୟ, ମୋତେ ବଡ଼ କଷ୍ଟ ଦେଉଛି l ଲକ୍ଷ୍ମଣ ଶାନ୍ତ ହୋଇ କହିଲେ, ବୋଧହୁଏ, ପିତା ଦଶରଥ, ଆମ ମାନଙ୍କୁ ଦେଖିବାକୁ ଆସୁଛନ୍ତି l ରାମ କହିଲେ, ହଁ !ତାହାମଧ୍ୟ ହୋଇପାରେ l କିନ୍ତୁ ଦୂରରେ ମୁଁ ପିତାଙ୍କ ଶତ୍ରୁଞ୍ଜୟ ହାତୀଟି ଆସୁଥିବା ଦେଖି ପାରୁଛି l କିନ୍ତୁ ସେହି ହାତୀ ଉପରେ ଶ୍ୱେତ ରାଜଛତ୍ର କାହିଁ ଦୃଶ୍ୟ ହେଉନାହିଁ ତ !!!
ଭରତ କିଛି ଦୂରରେ ତାଙ୍କ ରଥ, ହାତୀ ଓ ସୈନ୍ୟ ମାନଙ୍କୁ ରହିବାକୁ ଦେଲେ ଓ ଚାଲି ଚାଲି ଚିତ୍ରକୁଟ ଆଶ୍ରମ ଆଡ଼କୁ ଅଗ୍ରସର ହେଲେ l ତାଙ୍କ ସଙ୍ଗରେ ଥାନ୍ତି ଶତ୍ରୁଘ୍ନ ଓ ମନ୍ତ୍ରୀ ସୁମନ୍ତ୍ର l କିଛି ସମୟ ପରେ ସେମାନେ ପ୍ରଭୁଙ୍କ ପର୍ଣ୍ଣ କୁଟୀର ନିକଟରେ ପହଞ୍ଚି ଦେଖିଲେ, ପ୍ରଭୁ, ମାଟି ଉପରେ ଏକ ତୃଣ ଆସନ ଉପରେ ବସିଛନ୍ତି, ଜାନକୀ ଓ ଲକ୍ଷ୍ମଣ ନିକଟରେ ବସିଛନ୍ତି l ଭରତ ଅତ୍ୟନ୍ତ ଶୋକ ଗଦଗଦ ହୋଇ ବାଷ୍ପାକୁଳ କଣ୍ଠରେ କହି ଉଠିଲେ, ଯେଉଁ ପ୍ରଭୁଙ୍କ ଶରୀର ସୁଗନ୍ଧ ଚନ୍ଦନରେ ଚର୍ଚ୍ଚିତ ହେଉଥିଲା ସେ ବର୍ତ୍ତମାନ ଜଟା ବଳ୍କଳ ଧାରଣ କରି ଧୂଳି ଧୂସରିତ ହୋଇ ବସିଛନ୍ତି,ମୋର ଏ ଲୋକ ନିନ୍ଦିତ ନୃଶଂସ ଜୀବନକୁ ଧିକ l ଏହା କହି, “ଭାଇ” ବୋଲି କହି ଭରତ ତାଙ୍କ ପାଦତଳେ ପଡ଼ିଗଲେ l ଶତ୍ରୁଘ୍ନ ମଧ୍ୟ ସେହି ପରି କାନ୍ଦି କାନ୍ଦି ତାଙ୍କ ପାଦ ତଳେ ଲୋଟି ପଡ଼ିଲେ l ଶ୍ରୀରାମ ଦୁଇ ଭାଇଙ୍କୁ ଆଲିଙ୍ଗନ କରି ଅଶ୍ରୁ ବର୍ଷଣ କରିବାରେ ଲାଗିଲେ l ସେ ଭରତଙ୍କୁ କୋଳ କରି କହିଲେ, ତୁମେ ରାଜଧର୍ମ ଅନୁସାରେ ରାଜ୍ୟ ଶାସନ କରୁଛ ତ !!! ପ୍ରଜାମାନେ ସୁଖରେ ଅଛନ୍ତି ତ !!! କୁଳଗୁରୁ ବଶିଷ୍ଠ, ମାତା କୈକେୟୀ, ସୁମିତ୍ରା, କୌଶଲ୍ୟା କୁଶଳରେ ଅଛନ୍ତି ତ !!! ବୃଦ୍ଧ ପିତାଙ୍କ ସେବା ନ କରି, ତୁମର ଏ ବନକୁ ଆସିବା ଉଚିତ ହୋଇ ନାହିଁ l
ଭରତ କହିଲେ, ହେ ଅଗ୍ରଜ, ମୁଁ ମାତୁଳାଳୟରେ ଥିବା ବେଳେ ଏବଂ ତୁମେ ବନକୁ ବାହାରି ଆସିବା ଉପରାନ୍ତେ, ଅତିଶୟ ଶୋକାର୍ତ୍ତ ହୋଇ ପିତା ସ୍ଵର୍ଗ ଗମନ କରିଛନ୍ତି l ଆପଣଙ୍କୁ ଅତି ଭଲ ପାଉ ଥିବା ପିତା, ଆପଣଙ୍କ କଥା ଚିନ୍ତା କରି କରି, ହା ରାମ ! ହା ରାମ !! ହୋଇ ପ୍ରାଣ ତ୍ୟାଗ କରିଛନ୍ତି l ଶତ୍ରୁଘ୍ନ ଏବଂ ମୁଁ ପିତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରି ଆସିଛୁ l ଇକ୍ଷାକୁବଂଶର କଲ୍ୟାଣ ନିମନ୍ତେ ଆପଣ ଅଯୋଧ୍ୟା ଫେରିଚାଲନ୍ତୁ ଓ ରାଜସିଂହାସନ ମଣ୍ଡନ କରନ୍ତୁ l ଏହାହିଁ ମୋର ମିନତି l
ପିତାଙ୍କ ସ୍ୱର୍ଗବାସଖବର ଶୁଣି ପ୍ରଭୁ ଅତ୍ୟନ୍ତ ଶୋକ ସନ୍ତପ୍ତ ହୋଇ ପଡ଼ିଲେ ଏବଂ କାନ୍ଦି କାନ୍ଦି ଭରତଙ୍କୁ ଚାହିଁ କହିଲେ, ତୁମେ ଅତ୍ୟନ୍ତ ଭାଗ୍ୟବାନ l ସୀତା ଓ ଲକ୍ଷ୍ମଣଙ୍କୁ ଡାକି କହିଲେ, ତୁମେ ଶୀଘ୍ର ଇଂଗୁଦୀ ଚୁନାରେ ପିଠୋଉ ପ୍ରସ୍ତୁତ କର l ମୁଁ ପିତାଙ୍କ ତର୍ପଣ କ୍ରିୟା କରିବି l
ପୂଣ୍ୟତୋୟା ମନ୍ଦାକିନୀର ଏକ ଘାଟରେ ପିତାଙ୍କ ଉଦ୍ଦେଶ୍ୟରେ ପ୍ରଭୁ ଜଳାଞ୍ଜଳୀ ଦାନ କରି କହିଲେ, ହେ ନରଶାର୍ଦ୍ଦୁଳ ! ମୋ ଜଳାଞ୍ଜଳୀ ଗ୍ରହଣ କରନ୍ତୁ l ବରକୋଳି ଯୁକ୍ତ ଇଂଗୁଦି ପିଣ୍ଡ ଦାନ କରି କହିଲେ, ହେ ପୂଜ୍ୟ ପିତା ! ଏ ବନପ୍ରଦେଶରେ ଏହାହିଁ ଆମ ମାନଙ୍କ ଖାଦ୍ୟ l ତୁମେ ତାହା ଆନନ୍ଦରେ ଭୋଜନ କର l ଭରତ ଶତ୍ରୁଘ୍ନ ନିକଟରେ ଥାଇ ଅଶ୍ରୁ ବର୍ଷଣ କରୁଥିଲେ l
ଇତ୍ୟବସରେ ଭରତଙ୍କ ସହ ଆସିଥିବା ରାଜମାତା ମାନେ,କୁଳଗୁରୁ ବଶିଷ୍ଠ, ମନ୍ତ୍ରୀ ସୁମନ୍ତ୍ର ତଥା ସମସ୍ତ ପ୍ରଜାମାନେ ଆସି ଶ୍ରୀରାମଙ୍କ ପର୍ଣ୍ଣକୁଟୀ ନିକଟରେ ପହଞ୍ଚି ଯାଇଥାନ୍ତି l ରାମ କୁଳ ଗୁରୁଙ୍କ ପଦ ବନ୍ଦନା କରି, ଶୋକାର୍ତ୍ତ ମାତା ମାନଙ୍କ ପଦ ବନ୍ଦନା କଲେ ଓ ଆସିଥିବା ପ୍ରଜା ମାନଙ୍କୁ କୁଶଳ ଜିଜ୍ଞାସା କଲେ l ଶେଷରେ ସେ କୁଳଗୁରୁଙ୍କ ପାଖରେ ବସି ରହିଲେ l ଭରତ, ମନ୍ତ୍ରୀ ସୁମନ୍ତ୍ର ଓ ପୁରବାସୀ ଗଣ ତାଙ୍କ ପଛ ପଟକୁ ବସି ରହିଲେ l ଭରତ ରାମଙ୍କୁ କଣ କହିବା ପାଇଁ ଯାଉଛନ୍ତି ତାହା ଶୁଣିବାପାଇଁ ଉଦ୍ଗ୍ରୀବ ହୋଇ ସମସ୍ତେ ଚାହିଁ ରହିଲେ l
ଭରତ କାନ୍ଦ କାନ୍ଦ ହୋଇ କହିଲେ, ହେ ଅଗ୍ରଜ !! ନିର୍ମଳ ଚନ୍ଦ୍ରମା ନଥିଲେ, ଶାରଦୀୟ ରଜନୀ ପ୍ରାୟ ସସାଗରା ଧରଣୀ, ଆପଣଙ୍କ ବିନା ଅନାଥ ହୋଇ ପଡ଼ିଛି l ଆଜି ଆମେ;ମାନେ ଆପଣଙ୍କ ନିକଟରେ ପହଞ୍ଚିଛୁ l ଭରତ ଆପଣଙ୍କ ଭ୍ରାତା, ଦାସାନୁଦାସ l ନତଶିର ହୋଇ, ମୁଁ ସମସ୍ତଙ୍କ ତରଫରୁ ନିବେଦନ କରୁଛି, ଆପଣ ଅଯୋଧ୍ୟା ଫେରିଚାଲନ୍ତୁ l ମୁଁ ରାଜା ନୁହେଁ l ରାଜ୍ୟ ରାମଙ୍କର l ମୁଁ ସେବକ ମାତ୍ର l
ରାମ କହିଲେ,” ଭରତ ! ଆମେ ପୁତ୍ର ଭାବେ ପିତା ମାତା ଉଭୟଙ୍କୁ ସମ୍ମାନକରିବା l ପିତା ଦଶରଥ ଓ ମାତା କୈକେୟୀ ଆମ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଦେଇଛନ୍ତି l ତଦନୁଯାୟୀ ମୁଁ ଚଉଦବର୍ଷ ବନବାସ କରିବି ଓ ତୁମେ ଅଯୋଧ୍ୟାରେ ରାଜତ୍ଵ କରିବ l ମୁଁ ଏହାକୁ ଲଙ୍ଘନ କରିବି କିପରି ? ପିତାଙ୍କ ଆଦେଶ ତୁମର ଓ ମୋର ପାଳନୀୟ” l
ଭରତ ବହୁ ବିନୟହୋଇ କହିଲେ, ପିତା ବାର୍ଦ୍ଧକ୍ୟ ବଶ ହୋଇ ହୁଏ ତ ଏଭଳି ଏକ ଭ୍ରମାତ୍ମକ ନିର୍ଣ୍ଣୟ ନେଇଛନ୍ତି l ଏବେ ଆମର କର୍ତ୍ତବ୍ୟ ହେଉଛି ତାହା ସଂଶୋଧନ କରିବା,ତୁମ ରାଜ୍ୟ ଶାସନ କରିବାକୁ ମୁଁ କିଏ? ତୁମଠୁଁ ବିଚ୍ଛିନ୍ନ ହୋଇ ମୁଁ ଦଣ୍ଡେମାତ୍ର ବଞ୍ଚି ପାରିବିନାହିଁ l ଆପଣ ସ୍ୱଧର୍ମରକ୍ଷା ପୂର୍ବକ ଅଯୋଧ୍ୟା ଫେରି ଯାଇ, ରାଜପଣ କରନ୍ତୁ l ଆପଣ ଏ ଅଧମ ପ୍ରତି ଓ ସମସ୍ତ ପ୍ରଜାଙ୍କ ପ୍ରତି ସଦୟ ହୁଅନ୍ତୁ l
ଭରତ ଯେତେ ବିନୟହେଲେ ମଧ୍ୟ, ପ୍ରଭୁଙ୍କ ନିଷ୍ପତ୍ତି ବଦଳିଲା ନାହିଁ l ସେ କହିଲେ, ପିତୃ ସତ୍ୟ ପାଳନ କରି ତୁମେ ରାଜପଣ କର l ମୁଁ ବନବାସ କରୁଛି l ଏହା ହିଁ ପ୍ରକୃଷ୍ଠ ପନ୍ଥା l ଭରତ ଓ ରାମଙ୍କ ମଧ୍ୟରେ କଥୋପକଥନ ଚାଲିଥିଲା ବେଳେ ମନ୍ତ୍ରୀ ଜାବାଳୀ କହିଲେ, “ଏହି ଜଗତ ମାୟାରେ ବଶ l ଏ ମୋର ପିତା, ଇଏ ମୋ ମାତା, ଏ ସବୁ ମାୟାର ପ୍ରଭାବ l ପରଲୋକ ଗତ ପିତୃ ସତ୍ୟ ରକ୍ଷା କରିବାକୁ ଯାଇ ଆପଣ ରାଜଧର୍ମ ପରିତ୍ୟାଗ କରନ୍ତୁ ନାହିଁ” l କୂଳ ଗୁରୁ ବଶିଷ୍ଠ କହିଲେ, “ଈକ୍ଷାକୁ ବଂଶର ପରମ୍ପରା ଜ୍ୟେଷ୍ଠ ହିଁ ରାଜା ହେବ l ଏଣୁ ଈକ୍ଷାକୁ ତଥା ରଘୁ ବଂଶର ଏହି ଚିରନ୍ତନ କୂଳ ଧର୍ମକୁ ତୁମେ ବିନାଶ ହେବାକୁ ଦିଅନାହିଁ ” l
କିନ୍ତୁ ରାମ ତାଙ୍କ ପ୍ରତିଜ୍ଞାରେ ଅଟଳ ରହି କହିଲେ, ମୋର ପିତୃସତ୍ୟ ପାଳନ କରିବା ହିଁ କର୍ତ୍ତବ୍ୟ, ମୁଁ ଏହାକୁ କେବେ ଅବଜ୍ଞା କରି ପାରିବି ନାହିଁ l ଏହା ଶୁଣି ଭରତ ଶ୍ରୀରାମଙ୍କ ସାମ୍ନାରେ କୁଶାସନ ପାରି ବସି ପଡ଼ି କହିଲେ, ‘ ମୁଁ ଏହିଠାରେ ବସି ରହିଲି l ପୂଜ୍ୟ ଜ୍ୟେଷ୍ଠଭ୍ରାତା ମୋ ସହ ଯେ ପର୍ଯ୍ୟନ୍ତ ଫେରି ଯାଇ ନାହାଁନ୍ତି, ସେ ପର୍ଯ୍ୟନ୍ତ, ମୁଁ ଅନଶନରେ ବସି ରହିଲି’ l ସମବେତ ପ୍ରଜାମାନେ କହିଲେ, ଆପଣ ପ୍ରଭୁଙ୍କୁ ଯାହା କହିଲେ, ତାହା ଯଥାର୍ଥ l ପିତୃସତ୍ୟ ପାଳନ ନିମିତ୍ତ ସେ ମଧ୍ୟ ଦୃଢ଼ବ୍ରତୀ l ଆମେ କଅଣ କହିବୁ କିଛି ଭାବିପାରୁ ନାହୁଁ l ରାମ ପ୍ରଜା ମାନଙ୍କ କଥା ଶୁଣି କହିଲେ, ‘ ଭରତ ! ପ୍ରଜାମାନଙ୍କ କଥା ଶୁଣିଲ ତ, ଏବେ ଯାଇ ରାଜ୍ୟଶାସନ କର’ l
ଭରତ ଅଗ୍ରଜଙ୍କ ପାଦତଳେ ପଡ଼ି କ୍ରନ୍ଦନକରି କରି କହିଲେ, ରାମଙ୍କ ବିନା ଅଯୋଧ୍ୟାକୁ କେହି ଶାସନ କରି ପାରିବେ ନାହିଁ l ଆପଣ ଦୟା ପୂର୍ବକ ଫେରି ଚାଲନ୍ତୁ l ପ୍ରଭୁ କହିଲେ, ଭରତ ! ତୁମେ ଏ ସମଗ୍ର ପୃଥିବୀକୁ ଶାସନ କରିପାରିବ l ତୁମେ ଫେରିଯାଇ ରାଜ୍ୟ ଶାସନକର l ସୂର୍ଯ୍ୟଚନ୍ଦ୍ର ପଶ୍ଚିମରେ ଉଦୟ ହୋଇପାରନ୍ତି, ମାତ୍ର ମୁଁ ମୋ କର୍ତ୍ତବ୍ୟପଥରୁ ଚ୍ୟୁତ ହୋଇ ପାରିବି ନାହିଁ l
ଭରତଙ୍କ ନିକଟରେ ପ୍ରଭୁଙ୍କ ପାଇଁ ଆଉ କୌଣସି ବାକ୍ୟ ନ ଥିଲା l ଶେଷରେ ସେ କହିଲେ, ଆପଣ ଏହି ପାଦୁକା ଦ୍ୱୟରେ ପାଦ ରଖନ୍ତୁ l ଏହାକୁହିଁ ମୁଁ ନେଇ ସିଂହାସନରେ ସ୍ଥାପନ କରି, ନଗ୍ର ବାହାରେ ରହି ପୂଜାକରିବି l ଏହି ପାଦୁକାକୁ ନିବେଦନ କରି ଜଟା ବଳ୍କଳ ଧାରଣ କରି ରାଜ୍ୟ ଶାସନ କରିବି l ଯେଉଁଦିନ ଚୋଉଦ ବର୍ଷ ପୂର୍ଣ୍ଣ ହେବ ସେ ଦିନ ମୁଁ ଯଦି ଆପଣଙ୍କୁ ନ ଦେଖେ ତେବେ ଅଗ୍ନିରେ ଝାସ ଦେଇ ଆତ୍ମ ବିସର୍ଜନ କରିବି l
ପ୍ରଭୁ ଶ୍ରୀରାମ ପାଦୁକା ଦୁଇଟିରେ ପାଦସ୍ପର୍ଶ ଦେଇ କହିଲେ,ତାହାହିଁ ହେବ l ସେ ଭରତ ଓ ଶତ୍ରୁଘ୍ନଙ୍କୁ ସ୍ନେହଭରା ଆଲିଙ୍ଗନ କରି କହିଲେ l ତୁମେ ମାତା କୈକେୟୀଙ୍କୁ ସମ୍ନାନର ସହ ପାଳନକରିବ l ତାଙ୍କ ପ୍ରତି କେବେ ରୁଷ୍ଟ ହେବ ନାହିଁ l
ଭରତ ପାଦୁକା ଦୁଇଟିକୁ ମସ୍ତକରେ ଧାରଣ କରି ହୃଷ୍ଟ ଚିତ୍ତରେ ସଦଳବଳେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ l ତାଙ୍କ ରଥ ଅଯୋଧ୍ୟାରେ ପହଞ୍ଚିଲା ଓ ସେ ମାତା ମାନଙ୍କୁ ରାଜ ପ୍ରାସାଦରେ ଛାଡ଼ି ଦେଇ କୂଳ ଗୁରୁ ବଶିଷ୍ଠ ଓ ମନ୍ତ୍ରୀ ମାନଙ୍କ ଠାରୁ ବିଦାୟ ମାଗି କହିଲେ,ଏବେ ମୁଁ ନନ୍ଦିଗ୍ରାମ ଯାତ୍ରାକରୁଛି l ନଗର ବାହାରେ ମୁଁ ସେଇଠି ରହି ଶ୍ରୀରାମଙ୍କ ଏ ପାଦୁକା ଦ୍ବୟକୁ ସ୍ଥାପନ କରି ରାଜ୍ୟ ଶାସନ କରିବି l
ରାମାୟଣର ଏହି ପୁଣ୍ୟ ଗାଥା ବର୍ଣ୍ଣନ ଅବସରରେ ମନେ ପଡ଼ିଯାଏ, ରାମ ଭରତଙ୍କ ବିଚ୍ଛେଦର ସେହି ସ୍ପର୍ଶକାତର ଦୃଶ୍ୟ, ରାମ ଭରତଙ୍କ ସେହି ଛଳଛଳ ନେତ୍ର l ଆଉ ମନେ ପଡ଼ିଯାଏ ସେହି ଗୀତ:-
ଶିଶ ପର ଖଡାଉ ଆଖିଓଁମେ ପାନି l
ରାମଭକ୍ତ ଲେ ଚଲାରେ ରାମକି ନିଶାନି ll
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971