ରାମଙ୍କ କୁକ୍କୁଟକୁ ମୁକୁଟ ବରଦାନ

Share it

ତେଣୁ ଏହି ବର ତୋତେ ଦେଉଛି କୁକ୍କୁଟ l
ତୋ ଶରୀରେ ଶୋଭାପାଉ ଉତ୍ତମ ମୁକୁଟ ll

ଆଜି ଠାରୁ ତୋତେ ଯିଏ ବଧ କରିବ ସେ ମହା ପାତକ ଅର୍ଜନ କରିବ l

ପ୍ରଭୁ ଶ୍ରୀରାମ ବାଳି ବଧକରି କିଷ୍କିନ୍ଧ୍ୟାରେ ବାନର ବୀର ସୁଗ୍ରୀବଙ୍କୁ ରାଜା କଲେ l ସୁଗ୍ରୀବ ମିତ୍ରତାର ପ୍ରତିଦାନ ସ୍ବରୂପ ପ୍ରତିଶ୍ରୁତି ଦେଲେ ବାନର ମାନଙ୍କ ସାହାଯ୍ୟରେ ସୀତା ଯେଉଁଠିଥାଆନ୍ତୁ ପଛେ ଖୋଜି ଆଣି ଦେବେ l କଥା ରହିଲା ବର୍ତ୍ତମାନ ବର୍ଷାଋତୁ l ବର୍ଷାଋତୁଅନ୍ତେ ସୀତାଙ୍କୁ ଖୋଜିବା ଆରମ୍ଭ ହେବ l ଏପରି ପ୍ରତିଶ୍ରୁତି ପାଇ ଚାତୁର୍ମାସ୍ୟ କଟାଇବା ପାଇଁ ଶ୍ରୀରାମ ଯାଇ ମାଲ୍ୟବନ୍ତ ପର୍ବତରେ ବାସ କଲେ l

କ୍ରମେ ବର୍ଷା କାଳ ଯାଇ ମାଲ୍ୟବନ୍ତରେ ମନୋହର ଶରତ ଋତୁ ପ୍ରବେଶ କଲା l ସୁଗ୍ରୀବଙ୍କ ଠାରୁ ପ୍ରଭୁ କୌଣସି ଖବର ନ ପାଇ, ଖୁବ ବ୍ୟସ୍ତ ହୋଇ ପଡ଼ି ଭାଇ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ ! ସୁଗ୍ରୀବ କଅଣ ତାଙ୍କ କର୍ତ୍ତବ୍ୟକଥା ଭୁଲିଗଲେ କି? କିଷ୍କିନ୍ଧ୍ୟା ଯାଇ ତୁମେ ଦେଖିଆସ ସେ କଅଣ କରୁଛନ୍ତି l ଅଗ୍ରଜଙ୍କ ନିର୍ଦ୍ଦେଶ ପାଇ ଲକ୍ଷ୍ମଣ ଚାଲିଲେ କିଷ୍କିନ୍ଧ୍ୟା l

ସୀତାଙ୍କ ବିରହଜନିତ ଶ୍ରୀରାମଙ୍କ ଶୋକକୁ ଲକ୍ଷ୍ମଣ ପାଖରେ ରହି ପ୍ରଶମିତ କରୁଥିଲେ, ସେ ଚାଲିଯିବା ପରେ ତାଙ୍କର ଶୋକ ଆହୁରି ବଢ଼ିଗଲା, ଭୋଜନ ଶୟନ ସବୁ ତାଙ୍କୁ ବିଷପରି ଲାଗିଲା l ମାଲ୍ୟବନ୍ତ ଗିରି ପରିତ୍ୟାଗକରି ସେ ବାତୁଳପ୍ରାୟ ବନକୁ ବନ ଘୁରିବାକୁ ଲାଗିଲେ l ଅରଣ୍ୟର ସବୁ ବୃକ୍ଷ ଲତାଙ୍କୁ ସେ ପ୍ରଶ୍ନ କରିଚାଲିଥାନ୍ତି,’ତୁମେ ମୋ ପ୍ରିୟ ପତ୍ନୀଙ୍କୁ ଦେଖିଛ କି’ ? କିନ୍ତୁ ନିର୍ବାକ ବୃକ୍ଷ ଲତା ମାନେ ତାଙ୍କୁ କଅଣ ଉତ୍ତର ଦେବେ l

ଶେଷରେ ରାମ ସେଠାରେ ଥିବା ଉତ୍ତୁଙ୍ଗ ଗିରି ମାନଙ୍କୁ ପଚାରିଲେ, ହେ ପର୍ବତ ମାନେ ତୁମେମାନେ ତ ସବୁବେଳେ ଏଇଠି ରହିଛ, ମୋତେ କୁହ, ତୁମେମାନେ ମୋ ପ୍ରିୟାକୁ ଦେଖିଛ କି ! ରୂପ ଗୁଣରେ ଜଗତରେ ତାପରି କେହିନାହିଁ l ତୁମେମାନେ ସତରେ ଯଦି ଦେଖିଛ ମୋତେ କୁହ l ରାମ ଏହିପରି ପ୍ରଶ୍ନ କରି ଚାଲିଥାନ୍ତି l ନିର୍ଜୀବ ଗିରି ପର୍ବତ ମାନେ କି ଉତ୍ତରଦିଅନ୍ତେ l

ନିରୁତ୍ତର ପର୍ବତ ମାନଙ୍କୁ ରାମ କ୍ରୋଧରେ କହିଲେ, ହେ ସ୍ଥାବର ଗଣ ତୁମେମାନେ ଖୁବ୍ ନିଷ୍ଠୁର l ତୁମ ମାନଙ୍କ ପରି ମୂର୍ଖ ଆଉ କେହି ନାହିଁ l ତୁମେ ମାନେ ପୂର୍ବେ ଚରାଚର ପ୍ରାଣୀଙ୍କୁ ନାଶ କରିବାରୁ, ଦେବରାଜ ଇନ୍ଦ୍ର ତୁମର ପକ୍ଷ ଛେଦନ କରି, ଉପଯୁକ୍ତ ଶାସ୍ତି ଦେଇ ଥିଲେ l ତଥାପି ତୁମମାନଙ୍କର ନିଷ୍ଠୁର ସ୍ଵଭାବ ଗଲା ନାହିଁ l ମୁଁ ଏତେ ବିକଳହେଉଛି ତୁମେମାନେ କିଛି ଉତ୍ତର ନଦେଇ ନୀରବ ରହୁଛ, ଅନ୍ୟ କେହି ହୋଇଥିଲେ ନିଶ୍ଚୟ ମୋତେ କିଛି ଉତ୍ତର ଦେଇଥାନ୍ତା l

ରାମ ଏହିପରି ପ୍ରଶ୍ନପଚାରି ପଚାରି ଯେତେବେଳେ କିଛି ଉତ୍ତର ନପାଇଲେ ବାଧ୍ୟହୋଇ ମୌନ ହୋଇ ରହିଲେ l ଏହିସମୟରେ ବଣରୁ ଏକ କୁକ୍କୁଟ ଆସି ରାମଙ୍କ ସମ୍ମୁଖରେ ଉପସ୍ଥିତ ହେଲା l

ଏତେବୋଲି ରାମ ଯହୁଁ ହୋଇଲେ ମଉନ l
କୁକକୁଟ ପକ୍ଷୀ ଆସିଣ ମିଳିଲା ବହନ ll

ରାମଙ୍କୁ ଦେଖି କୁକ୍କୁଟପକ୍ଷୀ କହିଲା, ହେ ମହାତ୍ମା ! ତୁମେ କିଏ?  କେଉଁଠି ତୁମେ ଘର ? ତୁମେ କିପାଇଁ ଏ ନିର୍ଜନ ଅରଣ୍ୟରେ ଏକା ଏକା ବୁଲୁଛ l କଅଣ ତୁମର ଦୁଃଖ ଯେଉଁଥିପାଇଁ ତୁମେ କାନ୍ଦୁଛ l ତୁମର ଆଉ କିଏସବୁ ଅଛନ୍ତି l ତୁମର ଦଶା ଦେଖି ମୋର ମନ ବଡ଼ ଅସ୍ଥିର ହେଉଛି l ଏ ବନରେ ଭୟଂକର ହିଂସ୍ର ଜୀବ ମାନେ ବିଚରଣ କରୁଛନ୍ତି l କାହାରିକୁ ଭୟ ନକରି ତୁମେ କେଉଁ ଦୁଃଖପାଇଁ ଏପରି ଘୁରି ବୁଲୁଚ୍ଛ, ପୁଣି ଏ ନିଷ୍ଠୁର ପର୍ବତଗୁଡ଼ାଙ୍କୁ କଅଣ ସବୁ ପଚାରି ଚାଲିଛ l ସେମାନେ କଅଣ ତୁମକୁ ଉତ୍ତର ଦେବେ, ତୁମେ ଖୋଲି କରି କୁହ କଅଣ ହୋଇଛି l

କୁକ୍କୁଟ ଠାରୁ ଏପରି କଥା ଶୁଣି ଶ୍ରୀରାମ କହିଲେ, ଧନ୍ୟ ତୁମେ ପକ୍ଷୀବର, ତୁମପରି ଧାର୍ମିକ ଆଉ ଏ ସଂସାରରେ କେହି ନାହାଁନ୍ତି l ମୁଁ ଏତେ ପ୍ରଶ୍ନକଲି l କିନ୍ତୁ ମୋ ଦୁଃଖରେ କେହିବି ଦୁଃଖି ହେଲେନାହିଁ l ପର ଦୁଃଖରେ ଦୁଃଖି, ଏକମାତ୍ର ତୁମେ ହିଁ ପଚାରିଲ l ମୋ ଦୁଃଖ କଥା କଅଣ କହିବି, ପୂର୍ବ ଜନ୍ମରେ ମୁଁ କେତେ ପାପ କରି ଥିଲି, ଯାହା ଫଳରେ ମୁଁ ଆଜି ପତ୍ନୀ ବିଚ୍ଛେଦରେ ଦୁଃଖି ହୋଇ ବୁଲୁଛି l

ଶ୍ରୀରାମ ପୁଣି କହିଲେ:-
ରାଜକୂଳେ ଜନ୍ମ ହୋଇ ସୁଖ ନ ଭୋଗିଲି l

ପିତା ସତ୍ୟ ରକ୍ଷାକରି ବନକୁ ଅଇଲି ll

ତଥାପି ବିଧାତା ବାମ ହୋଇଲା ମୋ ପ୍ରତି l

ଘରଣୀକୁ ହରିନେଲା କେବଣ ଦୁର୍ମତି ll

ରାମ ଏପରି ତାଙ୍କର ଦୁଃଖ ବର୍ଣ୍ଣନାକରି କୁକ୍କୁଟକୁ କହିଲେ, ହେ ପକ୍ଷୀବର, ତୁମେ ଯଦି ମୋ ପ୍ରିୟାର ସନ୍ଧାନ ଜାଣିଛ ଦୟାକରି ମୋତେ କୁହ l

ରାମଙ୍କ କଥା ଶୁଣି କୁକ୍କୁଟପକ୍ଷୀ କହିଲା, ହଁ ହଁ ମୁଁ ଦେଖିଛି, ଏକ ସୁନ୍ଦର ରମଣୀକୁ ରାବଣ ରଥରେ ବସାଇ ଆକାଶ ମାର୍ଗରେ ନେଇ ଯାଉଥିଲା l ସେ ରଥରେ ବସି ହା ରାମ ! ହା ଲକ୍ଷ୍ମଣ ! କହି କରୁଣ ବିଳାପ କରୁଥିଲେ l ସେ ବନର ବୃକ୍ଷ ଲତାଙ୍କୁ କହି ହେଉଥିଲେ, ମୁଁ ଅଯୋଧ୍ୟା ରାଜନ ଦଶରଥଙ୍କର କୁଳବଧୂ l ରାମ ମୋ ସ୍ବାମୀ ଏବଂ ଲକ୍ଷ୍ମଣ ମୋର ଦେବର l ସେମାନେ ମୃଗମାରିବାକୁ ବନକୁ ଯାଇ ଥିଲା ବେଳେ, ଏ ଦୁଷ୍ଟ ରାବଣ ମୋତେ ଚୋରାଇ ଘେନି ଯାଉଛି l ମୁଁ ଦେଖିଛି ଦକ୍ଷିଣଦିଗକୁ ରାବଣ ତା’ ରଥ ଉଡ଼ାଇ ଚାଲିଗଲା l ତୁମେ ଆଉ ବିକଳ ହୋଇ କାହାକୁ ନ ପଚାରି ଶୀଘ୍ର ଲଙ୍କା ଯାତ୍ରାକର ଓ ରାବଣକୁ ସବଂଶେ ନିପାତକରି ତୁମ ପ୍ରିୟତମା ପତ୍ନୀଙ୍କୁ ଉଦ୍ଧାର କର l

କୁକ୍କୁଟର ଏହି କଥା ଶୁଣି ରାମ ତାକୁ ଆନନ୍ଦରେ କୋଳାଗ୍ରତ କରି କହିଲେ, ରେ ପରମ ହିତକାରୀ ପକ୍ଷୀ, ତୁ ମୋ ପ୍ରିୟାର କଥା କହି ମୋ ସନ୍ତାପିତ ପ୍ରାଣକୁ ଶୀତଳ କଲୁ l ମୁଁ ତୋ ଉପରେ ସନ୍ତୁଷ୍ଟ l ତୋତେ ମୁଁ ଏକ ବର ଦେଉଛି l ଆଜି ଠାରୁ ତୋ ଶରୀରରେ ମୁକୁଟ ଶୋଭା ପାଉ :-

“ତେଣୁ ଏହି ବର ତୋତେ ଦେଉଛି କୁକ୍କୁଟ l
ତୋ ଶରୀରେ ଶୋଭାପାଉ ଉତ୍ତମ ମୁକୁଟ ll”

ଶ୍ରୀରାମ ପୁଣି କହିଲେ ଆଜି ଠାରୁ ତୋ ବଂଶରେ ଯେତେ ପକ୍ଷୀ ଜନ୍ମ ହେବେ ସଭିଏଁ ମୁକୁଟ ଧାରଣ କରିବେ l ଆଉ ଏହି ପର୍ବତମାନେ ଅତିଗର୍ବ ବହି ମୋତେ କିଛି କହିଲେ ନାହିଁ l ସେମାନଙ୍କ ଶରୀର ଆଜି ଠାରୁ ବୃକ୍ଷଲତା ଶୂନ୍ୟ ହୋଇ ଯାଉ l ତାଙ୍କ ଶିରରେ ମୁକୁଟ ସଦୃଶ ଶୋଭା ପାଉଥିବା ବିଶାଳ ବୃକ୍ଷମାନେ ସବୁ ଉପୁଡ଼ି ପଡନ୍ତୁ l ଯାଆ, ବସାରେ ଯାଇ ତୁ କୁଟୁମ୍ବଙ୍କ ସହ ସୁଖରେ ବାସକର l ଆଜି ଠାରୁ ତୋତେ ଯିଏ ବଧ କରିବ ସେ ମହା ପାତକ ଅର୍ଜନ କରିବ l

ରାମ ଏତେକ କହି, ସେ ଠାରୁ ଅନ୍ତର୍ହିତ ହେଲେ l କୁକ୍କୁଟ ଦେଖିଲା, ସଙ୍ଗେ ସଙ୍ଗେ ପର୍ବତରୁ ବିଶାଳ ବିଶାଳ ବୃକ୍ଷମାନେ ଉପୁଡ଼ି ପଡ଼ିଗଲେ l ସେ ନିଜ ମୁଣ୍ଡକୁ ଆଉଁଶି ଦେଖିଲା ଗୋଟିଏ ମୁକୁଟ ଗଜୁରି ଉଠିଛି l ଏହା ଦେଖି କୁକ୍କୁଟ ଭାବିଲା ଇଏ କେଉଁ ଦେବତା ଯାହା ଯାହା କହିଗଲେ, ସବୁ ଫଳବତି ହେଲା l ଆଃ ମୋର କି ଦୁର୍ଭାଗ୍ୟ, ଏଡ଼େବଡ଼ ପ୍ରଭୁ ମୋ ପାଖକୁ ନିଜେ ଆସିଥିଲେ l ଜାଣିଥିଲେ ତାଙ୍କୁ ମୁଁ ଅମର ବର ମାଗି ପାରିଥାନ୍ତି l

କୁକ୍କୁଟଠାରୁ ପ୍ରଭୁ ସୀତାଙ୍କ ଖବରପାଇ ଖୁବ୍ ଆନନ୍ଦିତ ହେଲେ ଏବଂ ତାକୁ ଏପରି ବର ଦାନକରି, ପ୍ରଭୁ ମାଲ୍ୟବନ୍ତ ଗିରି ଶିଖରରେ ପୁନଃ ପ୍ରବେଶ କଲେ l କ୍ଷେତ୍ରମୋହନ ରାମାୟଣ କିଷ୍କିନ୍ଧ୍ୟା କାଣ୍ଡରେ କବି ଏହି ପ୍ରସଙ୍ଗର ସମାପ୍ତି କରି ଲେଖିଲେ:-
ତାହାକୁ ବର ପ୍ରଦାନ କରି ରଘୁସାଇଁ l
ମାଲ୍ୟବନ୍ତ ଗିରିଶିଖେ ପ୍ରବେଶିଲେ ଯାଇ ll
ସେ ପ୍ରଭୁ ପାଦପଦ୍ମରେ ରଖି ସଦା ମନ l
ଲେଖିଲା କ୍ଷେତ୍ରମୋହନ ଦୀନହୀନ ଜନ ll

———–
ଅର୍ଜୁନୀ ଚରଣ ବେହେରା
ମୋ-୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights