ରାବଣର ଜନ୍ମ ରହସ୍ୟ

Share it

==============
ଅନେକଦିନ ତଳେ କେକେୟଦେଶରେ ସତ୍ୟକେତୁ ନାମରେ ଜଣେ ଧାର୍ମିକ ଓ ଖୁବ୍ ପ୍ରତାପଶାଳୀ ରାଜା ରାଜପଣ କରୁଥିଲେ । ତାଙ୍କର ପ୍ରତାପଭାନୁ ଓ ଅରି ମର୍ଦ୍ଦନ ନାମରେ ଦୁଇ ଗୁଣବାନ୍ ପୁତ୍ର ଥିଲେ । ରାଜା ସତ୍ୟକେତୁ କିଛି କାଳ ପରେ, ଜ୍ୟେଷ୍ଠ ପୁତ୍ର ପ୍ରତାପ ଭାନୁକୁ ରାଜ୍ୟ ଭାର ଅର୍ପଣ କରି ସନ୍ନ୍ୟାସ ବ୍ରତରେ ବନକୁ ବାହାରି ଗଲେ । ପିତାଙ୍କ ପ୍ରାୟ ପ୍ରତାପଭାନୁ ଧର୍ମରେ ପ୍ରଜା ପାଳନ କଲେ ।

ରାଜା ପ୍ରତାପଭାନୁଙ୍କର ବିଜ୍ଞ ମନ୍ତ୍ରୀ ଥିଲେ ଧନରୁଚି । ଧନରୁଚିଙ୍କ ସୁମନ୍ତ୍ରଣାରେ ପ୍ରତାପ ଭାନୁଙ୍କ ସୁଶାସନ ଚାଲିଥିଲା । ତାଙ୍କ ରାଜ୍ୟରେ କୌଣସି ଦୁଃଖଦୈନ୍ୟ ନଥିଲା । ସମସ୍ତେ ସୁଖରେ କାଳ କାଟୁଥିଲେ ।
ଦିନେ ରାଜା ବିନ୍ଧ୍ୟାଚଳର ଘଞ୍ଚ ଅରଣ୍ୟରେ ପାରିଧି କରୁଥିବାବେଳେ ଏକ ବରାହକୁ ଦେଖି ତା ପଛରେ ଧନୁର୍ବାଣ ଧରି ଧାବିତ ହେଲେ । ବରାହଟି ଦୋଉଡ଼ି ଦୋଉଡ଼ି ଯାଇ ଗୋଟିଏ ଗୁମ୍ଫା ଭିତରେ ପଶିଗଲା । ରାଜା ବରାହ ପଛରେ ଗୋଡ଼ାଇ ଗୋଡ଼ାଇ ତୃଷିତ ହୋଇ ପଡ଼ିଲେ ଓ ଜଳ ଖୋଜି ଖୋଜି ଯାଇ ଏକ ଆଶ୍ରମ ନିକଟରେ ପହଁଚିଲେ ।

ସେହି ଆଶ୍ରମରେ ଜଣେ ମୁନି ବାସକରୁଥିଲେ । ସେ ଆଗରୁ ଜଣେ ରାଜା ଥିଲେ ଓ ପ୍ରତାପଭାନୁଙ୍କ ଠାରୁ ପରାଜିତହୋଇ ବନକୁ ପଳାଇଯାଇ କପଟ ତପସ୍ୱୀ ବେଶରେ ସେହି ଆଶ୍ରମରେ ରହୁଥିଲେ । ସେ ରାଜା ପ୍ରତାପଭାନୁଙ୍କୁ ଦେଖିବା ମାତ୍ରେ ଚିହ୍ନିନେଲେ । ରାଜା ତାଙ୍କୁ ନମସ୍କାର କଲେ । ତୃଷାର୍ତ୍ତ ରାଜାଙ୍କୁ ସେ ଏକ ଜଳାଶୟ ନିକଟକୁ ନେଇଗଲେ । ସେଠାରେ ରାଜା ତୃଷା ନିବାରଣ କରି ଓ ସ୍ନାନସାରି ଆଶ୍ରମକୁ ଫେରି ଆସିଲେ । ତପସ୍ୱୀ ତାଙ୍କୁ ପଚାରିଲେ, ମୁଁ ଆପଣଙ୍କ ଠାରେ ଜଣେ ଚକ୍ରବର୍ତ୍ତୀରାଜାର ସବୁ ଲକ୍ଷଣ ଦେଖି ପାରୁଛି । ଆପଣ ଏ ବନରେ କାହିଁକି ବୁଲୁଛନ୍ତି ।

ରାଜା ତାଙ୍କୁ ପରିଚୟ ଦେଇ ମୃଗୟା ଉଦ୍ଧେଶ୍ୟରେ ବନକୁ ଆସିଥିଲେ ବୋଲି କହିଲେ । ସନ୍ଧ୍ୟା ହୋଇ ଆସୁଥାଏ ଏଣୁ ମୁନି ତାଙ୍କୁ ଆଶ୍ରମରେ ରାତ୍ରିଯାପନ କରିବାକୁ କହିଲେ । ରାଜା ତାଙ୍କର ଆତିଥ୍ୟ ଗ୍ରହଣ କଲେ। କିନ୍ତୁ ଛଦ୍ମ ତପସ୍ୱୀ ତାଙ୍କ ପୂର୍ବ କଥା ସ୍ମରଣ କରି ମନେ ମନେ କ୍ରୁଦ୍ଧ ହେଉଥିଲେ ।

ରାଜା ମୁନିଙ୍କ ଆତିଥେୟତାରେ ଅତ୍ୟନ୍ତ ମୁଗ୍ଧହୋଇ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ । ତପସ୍ୱୀ ନିଜ ପରିଚୟ ଦେଇ କହିଲେ, ହେ ରାଜା ! ମୋର ନାମ ଏକତନୁ । ସୃଷ୍ଟି ଆରମ୍ଭରେ ମୋର ଜନ୍ମ । ମୁଁ ସେହି ଦିନରୁ ଆଉ ଅନ୍ୟ ତନୁ ଧାରଣ କରିନଥିବାରୁ ମୋ ନାମ ଏକତନୁ ହୋଇଛି । ମୋ ତପୋବଳରେ ଏହା ସମ୍ଭବ ହୋଇଛି । ମୋର ଅଜ୍ଞାତ ବୋଲି କଛିନାହିଁ । ମୁଁ ଆପଣଙ୍କୁ ମଧ୍ୟ ଚିହ୍ନିଛି । ଆପଣ ଧର୍ମ ପ୍ରାଣ ରାଜା ସତ୍ୟକେତୁଙ୍କ ପୁତ୍ର ପ୍ରତାପଭାନୁ । ଏପରି କଥାସବୁ ଶୁଣି ରାଜା ମୁନିଙ୍କୁ ପ୍ରଣାମକରି କହିଲେ, ହେ ମୁନି ! ଯଦି ଆପଣ ପ୍ରସନ୍ନ ହୋଇଛନ୍ତି, ତାହାଲେ ମୋତେ ଏହି ବର ଦିଅନ୍ତୃ, ନିଷ୍କଣ୍ଟକ ହୋଇ ମୁଁ ଯେପରି ଶତ କଳ୍ପ ପର୍ଯ୍ୟନ୍ତ ପ୍ରଜାପାଳନକରେ । ତପସ୍ୱୀ କହିଲେ, ତୁମର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ । ବ୍ରାହ୍ମଣଙ୍କ ଅଭିଶାପବିନା ତୁମର କଛିକ୍ଷତି ହେବନାହିଁ ।

ରାଜା କହିଲେ, ତାହେଲେ କୃପାକରି ବ୍ରାହ୍ମଣମାନଙ୍କୁ ବଶ କରିବାର ଉପାୟ ଆପଣ ମୋତେ ବତାଇ ଦିଅନ୍ତୁ । ତପସ୍ୱୀ କହିଲେ, ଉପାୟ ଅଛି । ମୁଁ ତୁମ ନଗରକୁ ଗଲେ ଯାଇ ତାହା ସମ୍ଭବ ହେବ । ତୁମ ଭବନରେ ମୁଁ ରହି ଅନ୍ନ ପାକକରିବି । ତୁମେ ସେହି ପାକାନ୍ନକୁ ବ୍ରାହ୍ମଣ ମାନଙ୍କୁ ପରିବେଷଣ କରିବ ।

କ୍ଳାନ୍ତ ରାଜା ତପସ୍ୱୀଙ୍କ ଆଶ୍ରମରେ ଶୋଇପଡ଼ିଲେ । ଯେଉଁ ବରାହକୁ ରାଜା ଛାଡ଼ି ଦେଇଥିଲେ ସେ ଥିଲା କାଳକେତୁ ନାମା ଏକ ରାକ୍ଷସ । ପ୍ରତାପଭାନୁ ତାକୁ ପୂର୍ବେ ପରାସ୍ତ କରିଥିଲେ । କାଳକେତୁ ଏବଂ ମାୟା ତପସ୍ୱୀ ଦୁହେଁ ମିଶି ଏହିସବୁ ଯୋଜନା କରିଥିଲେ । ମାୟାବୀ ରାକ୍ଷସ ରାଜାଙ୍କୁ ନିଦ୍ରିତ ଅବସ୍ଥାରେ ନେଇ ତାଙ୍କ ରାଜପ୍ରାସାଦରେ ପହଞ୍ଚାଇ ଦେଲା । ସେ ପୁଣି ତପସ୍ୱୀଙ୍କୁ ପୁରୋହିତ ରୂପେ ନେଇ ସେଠାରେ ଏକ ଗୁମ୍ଫାରେ ରଖିଦେଲା ।

ରାଜା ସକାଳୁ ଉଠି ଦେଖିଲେ ସେ ନିଜ ଭବନରେ ଅଛନ୍ତି । ସେ ମାୟା ପୁରୋହିତଙ୍କୁ ଡାକି ତାଙ୍କ ସହ ବ୍ରାହ୍ମଣ ମାନଙ୍କୁ ଆପ୍ୟାୟିତକରିବା ବ୍ୟବସ୍ଥାକଲେ । ଏକଲକ୍ଷ ବ୍ରାହ୍ମଣ କୁଟୁମ୍ବଙ୍କ ସହିତ ନିମନ୍ତ୍ରିତ ହୋଇ ଆସିଲେ । ଏପଟେ ମାୟା ପୁରୋହିତ ବ୍ରାହ୍ମଣମାଂସ ଓ ପଶୁମାଂସରେ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ପଂକ୍ତି ଭୋଜନରେ ନିମନ୍ତ୍ରିତ ସବୁ ବ୍ରାହ୍ମଣମାନଙ୍କୁ ଭୋଜନ ରାଜା ପରସି ଦେଲେ ।

ଏତିକିବେଳେ କାଳକେତୁ ରାକ୍ଷସର ମାୟା ବଳରେ ଆକାଶ ବାଣୀ ଶୁଭିଲା, ହେ ବ୍ରାହ୍ମଣମାନେ ! ରାଜା ପରିବେଷଣ କରୁଥିବା ବ୍ୟଞ୍ଜନରେ ପଶୁ ଓ ବ୍ରାହ୍ମଣ ମାଂସ ମିଶିଛି । ଆକାଶ ବାଣୀ ଶୁଣି ବ୍ରାହ୍ମଣ ମାନେ ଆସନରୁ ଉଠି ପଡ଼ି କୃଦ୍ଧହୋଇ କହିଲେ, ରେ ମୂର୍ଖ ରାଜା ! ତୁ ଆମମାନଙ୍କୁ ଭ୍ରଷ୍ଟ କରିବାକୁ ଇଚ୍ଛାକଲୁ । ତୁ ପରିବାର ସହ ଭ୍ରଷ୍ଟ ହୋଇଯାଆ । ତୋ କୂଳରେ ପାଣି ଦେବା ପାଇଁ କେହି ନ ରହନ୍ତୁ ।

ରାଜା କାତର ହୋଇ ବ୍ରାହ୍ମଣମାନଙ୍କୁ ଯୋଡ଼ହସ୍ତରେ ପ୍ରାର୍ଥନା କରୁଛନ୍ତି ଏହି ସମୟରେ ପୁଣି ଶୂନ୍ୟବାଣୀ ହେଲା, ହେ ବ୍ରାହ୍ମଣମାନେ ! ରାଜାଙ୍କର କିଚ୍ଛି ଦୋଷ ନାହିଁ । ତୁମେ ବିନାଦୋଷରେ ତାଙ୍କୁ ଶାପ ଦେଇଛ । ରାଜା ଆଶ୍ଚର୍ଯ୍ୟହୋଇ ଯାଇ ପାକ ଶାଳାରେ ପହଞ୍ଚି ଦେଖନ୍ତି ତ, ସେଠାରେ ବ୍ୟଞ୍ଜନ ନାହିଁ, କି ବ୍ୟଞ୍ଜନ ପ୍ରସ୍ତୁତ କାରୀ ପୁରୋହିତ ନାହାଁନ୍ତି । ବ୍ରାହ୍ମଣ ମାନଙ୍କୁ ରାଜା ସମସ୍ତଘଟଣା କହିଲେ । ବ୍ରାହ୍ମଣଙ୍କ ଅଭିଶାପ କିନ୍ତୁ ଆଉ ଅନ୍ୟଥା ଯିବାର ନଥିଲା ।

ଏହି ସମୟରେ କାଳକେତୁ ଓ ଛଦ୍ମ ତପସ୍ୱୀ ବେଶ ଧାରୀ ରାଜା ପ୍ରତାପଭାନୁଙ୍କ ନଗରଉପରେ ଭୀଷଣ ଆକ୍ରମଣ ଆରମ୍ଭ କରିଦେଲେ । ତୁମୁଳ ଯୁଦ୍ଧହେଲା ଓ ଯୁଦ୍ଧରେ ରାଜା, ପ୍ରତାପଭାନୁ ସକୁଟୁମ୍ବେ ନିପାତ ହେଲେ । କୂଳରେ ଆଉ କେହି ରହିଲେନାହିଁ ।

ପରେ ସେହି ରାଜା ପ୍ରତାପଭାନୁ ରାବଣରୂପେ ଜନ୍ମ ହେଲେ, ଭାଇ ଅରିମର୍ଦ୍ଦନ ହେଲେ କୁମ୍ଭକର୍ଣ୍ଣ । ତାଙ୍କ ପରିବାରର ସମସ୍ତେ ଦଶାନନର ପରିବାରରେ ଜନ୍ମ ହେଲେ । ମନ୍ତ୍ରୀ ଧର୍ମରୁଚି ହେଲେ ବିଭୀଷଣ ।

ଶ୍ରୀରାମଚରିତ ମାନସରେ ରାବଣର ଏହି କାହାଣୀ ମହର୍ଷି ଯାଜ୍ଞବଲକ୍ୟ ଭରଦ୍ୱାଜଙ୍କୁ ଶୁଣାଇ କହିଲେ, ବିଧାତା ଯାହାକୁ ବାମହୁଏ ତାପାଇଁ ଧୂଳିମଧ୍ୟ ମେରୁ ସମାନ ହୋଇଯାଏ । ପିତା ଯମ ସମାନ ଭୟଙ୍କର ହୋଇ ଯାଆନ୍ତି ଓ ଦଉଡ଼ି ମଧ୍ୟ ସର୍ପସମାନ ହୋଇ ଯାଏ । ସନ୍ଥ ତୁଳସୀ ଦାସଙ୍କ ଭାଷାରେ:-
ଭରଦ୍ୱାଜ ସୁନୁ ଜାହି ଜବ ହୋଇ ବିଧାତା ବାମ
ଧୂରି ମେରୁ ସମ ଜନକ ଯମ ବ୍ୟାଲସମ ଦାମ ।।

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights