ରାଧେ ଗୋ ଟିକେ ନିରେଖି ଦେଖ ..

Share it

ମୋ ଲେଖା
My Facebook Post: 9th August 2021

ରାଧେ ଗୋ
ଟିକେ ନିରେଖି ଦେଖ
ସର୍ବାଙ୍ଗ ଶରୀରୁ ବିରହ ଝରୁଛି
ପ୍ରେମ ଜଳେ ଓଦା
ମୋ ଲୋମ କୂପ
ରାଧେ ଗୋ
ଟିକେ ନିରେଖି ଦେଖ

ଛନ୍ଦା ଚରଣକୁ
ବାନ୍ଧିଛି କରମ
ବଂଶୀ ଛାଡି ରାଧେ
ଧରୁଛି ଚକ୍ର
ରାଧେ ଗୋ
ଟିକେ ନିରେଖି ଦେଖ

ସତ ରଜ ତମ
ତ୍ରିଗୁଣ କରମ
ବିଧାତା ବିହିଛି ଏ ତିନି ରେଖ
କର୍ମ ପାଶେ ବନ୍ଧା
ତ୍ରିରଜ୍ଜୁରେ ଛନ୍ଦା
ହୋଇ ମଧ୍ଯ ପୂର୍ଣ୍ଣ ପ୍ରେମ ସ୍ୱରୁପ
ରାଧେ ଗୋ
ଟିକେ ନିରେଖି ଦେଖ

ହୃଦ ଆହ୍ଲାଦିନୀ
ଆଗୋ ରାଧାରାଣୀ
ପ୍ରତିକ୍ଷଣେ ଝୁରେ ପୀରତି ସୁଖ
ପ୍ରେମମୂର୍ତ୍ତି ଛାଡି
ଏ ପ୍ରେମ ସ୍ୱରୂପ
ବାହୁରେ ତୋଳୁଛି ସଂସାର ଦୁଃଖ
ରାଧେ ଗୋ
ଟିକେ ନିରେଖି ଦେଖ

ଲହୁଣି ପିତୁଳା
ମୁଁ ଯେ ନନ୍ଦବଳା
ଲଳିତା ବିଶାଖା ପ୍ରେମ କନ୍ଦୁକ
ନଜାଣିବା ଜନ
କି ଭାବେ ଦେଖନ୍ତା
କେମନ୍ତେ ବହୁଛି ବିରହ ସ୍ରୋତ
ରାଧେ ଗୋ
ଟିକେ ନିରେଖି ଦେଖ

ତୁମେ ରାଧାରାଣୀ
ପ୍ରେମ ତରଙ୍ଗିଣି
ମୋ ହୃଦ କନ୍ଦର ଶକ୍ତି ସରୋଜ
ଏକ ବହ୍ନିଶିଖା
ହୋଇ ଦୁଇ ରେଖା
ସଂସାରେ ଭୋଗନ୍ତି ବିରହ ସୁଖ !!
ରାଧେ ଗୋ
ଟିକେ ନିରେଖି ଦେଖ

ତୁମେ ପ୍ରେମମୟୀ
ଦୟା ନବହିଲେ
କି ବୋଲିବେ ମୋତେ ସଂସାର ଲୋକ
କେତେ ଘନଘଟା ଭାରତ ଯୁଦ୍ଧ
ଆଗ୍ନେୟ ମୁଖର
ତରଳ ଲାଭାରେ
ପହଁରିବା ପରା ମୋ କର୍ମ ଲିଖ
ପ୍ରତିକ୍ଷଣେ ହୃଦ
ଝୁରୁଛି ଗୋ ସଖୀ
ଓଲଟ ଭାରତ ପ୍ରେମ ସମୁଦ୍ର
ସେ ପୀରତି ଢେଉ
କ୍ଷଣେ ଉଦ୍ଭାସିଲେ
ହେଉଛି ମୋ ମନ ହୃଦୟ ଆର୍ଦ୍ର
କେତେ ଘନଘଟା ଭାରତ ଯୁଦ୍ଧ
ରାଧେ ଗୋ
ଟିକେ ନିରେଖି ଦେଖ

ଠିକଣା ବେଳକୁ
ଠିକରେ ଭେଟ
ସଖୀବଟ ମୂଳେ
ହୋଇବ ଗୋ ଦେଖା
ବଚନ ଦେଉଛି ଏ ନନ୍ଦ ଚାଟ
ମୁଁ ଜଡ ପିତୁଳା
ତୁ ଗୋ ପ୍ରାଣ, ସହୀ
ଦେହୀ ଦେହ କି ଗୋ ହୁଏ ଅଭେଟ !!
ରାଧେ ଗୋ
ଟିକେ ନିରେଖି ଦେଖ ……..


ଲକ୍ଷ୍ମୀଧର ନାୟକ
My Facebook Post: 9th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights