ଯାହାର ତାଟକ ସିନା ଚିହ୍ନିବ ସେ ବାଳୀ
ମାଗିଲେ ନିଶ୍ଚେ ଜାଣିବା ସେହି ସେ ସୁନ୍ଦରୀ
(ଦୋଳପୂର୍ଣ୍ଣିମା ବା ବସନ୍ତ ଉତ୍ସବ ଅବସରରେ ପ୍ରକୃତିପ୍ରେମୀ ଗୋପାଳମାନେ ଅତିଆନନ୍ଦ ଓ ଉଲ୍ଲାସରେ ଗାଉଥିବା ଓଗାଳ । ଗୋଟିଏ ଦଳ ପ୍ରଶ୍ନ ପଚାରନ୍ତି, ଆଉ ଗୋଟିଏ ଦଳ ଉତ୍ତର ରଖନ୍ତି । ଏପରିକି ଆଦୌ ପାଠ ପଢି ନଥିବା ଗୋପାଳମାନେ ବି ପିଢି ପରେ ପିଢି କେବଳ ଶୁଣି ଶୁଣି ବେଦ, ପୁରାଣ, ଇତିହାସ, ଯାଦବ ବଂଶାବଳୀ, ଶରୀର ତତ୍ତ୍ୱ, ଜୀବନ ଚର୍ଯ୍ଯା, ଆଧ୍ଯାତ୍ମିକତା ଇତ୍ଯାଦିକୁ ଅତି ସରଳ ସୁନ୍ଦର ଭାବରେ ଗାଆନ୍ତି ।)
୫. ରାଧାକୃଷ୍ଣ ଦୋଳବିମାନରେ ବସିଲେ କାହିଁକି
ପ୍ରଶ୍ନ
ଶୁଣ ହେ ଗୋପାଳଭାଇ ପଚାରୁଛି ମୁହିଁ
ଗୋଟି ଗୋଟି କରି ମୋତେ ଦେବ ଯେ ବୁଝାଇ ।
ରାଧାକୃଷ୍ଣ ରୂପକୁ ଯେ ବିମାନେ ବସାଇ
ଦୋଳ ଯାତ୍ରା କରିବାକୁ ଆସିଅଛ ଧାଇଁ ।
କେମନ୍ତେ ସେ ଦୁହେଁ ବାବୁ ମିଳନ ହୋଇଲେ
ବିମାନେ ବସିଣ ଗୋପ ନଗର ବୁଲିଲେ ।
ଦୋଳଯାତ୍ରା କରୁଅଛ ଆନନ୍ଦିତ ହୋଇ
ଏହାର ଚରିତ ମୋତେ କହିବ ବୁଝାଇ ।
କହିଲା କଥାକୁ ମୋର ଦୋଷ ନଧରିବ
ଅଚ୍ଯୁତ ବୋଲନ୍ତି ମୋତେ କହିବ ଏ ଭାବ ।
ଉତ୍ତର
ଯାହା ପଚାରିଲ ଭାଇ ସୁବାହୁ ଗୋପାଳ
ଶୁଣିକରି ମନ ମୋର ହୋଇଲା ଚଞ୍ଚଳ ।
ମନେ ତ ନଥିଲା ମୋର ଦେଲ ଯେ ହେଜାଇ
ଦମ୍ଭ ହୋଇ ବସ ଭାଇ କହୁଛି ବୁଝାଇ ।
ଏକ ଦିନେ ରାଧିକା ଯେ ସଖୀଙ୍କ ମେଳରେ
ସ୍ନାନ କରିବାକୁ ଗଲେ ଯମୁନାର ତୀରେ ।
ଅଳଙ୍କାର କାଢି ଥୋଇ ସର୍ବ ଗୋପ ଗୋଇ
ଜଳେ ସ୍ନାନ କଲେ ସେ ଯେ ଆନନ୍ଦିତ ହୋଇ ।
ସ୍ନାନ ସାରି ସଜ ହୋଇ ଆସିଲେ ବାହୁଡି
ରାଧିକା କର୍ଣ୍ଣ ତାଟକ ଅଇଲେକ ଛାଡି ।
ଆକାଶ ମାର୍ଗରେ ଶଂଖ ଚିଲ ଉଡୁଥିଲା
ଖାଦ୍ଯବୋଲି ଝାମ୍ପ ଦେଇ ତାଟକ ଟି ନେଲା ।
ବୃନ୍ଦାବନେ ବୃକ୍ଷ ଅଗ୍ରେ ବସି ଶଂଖଚିଲ
ଖାଦ୍ଯ ଦ୍ରବ୍ଯ ନୁହେଁ ଜାଣି ଫିଙ୍ଗିଲା ଭୂମିର ।
ଖେଳି ଖେଳି ଯାଉଥିଲେ ସୁଦାମ ଗୋପାଳ
ଦେଖିଲେ କର୍ଣ୍ଣ ତାଟକ ପଡିଛି ଭୂମିର ।
ଉଜ୍ଜଳ ଦେଖିଣ ନିଜ ହସ୍ତରେ ଧରିଲେ
କର୍ଣ୍ଣ କୁଣ୍ଡଳକୁ ନେଇ କୃଷ୍ଣଙ୍କୁ ଭେଟିଲେ ।
ନିଅ ସଖା ଦେଖ ଏହା କିପରି ଶୋଭିତ
ତାଟକ ଦେଖିଣ କୃଷ୍ଣ ହେଲେ ବିହ୍ୱଳିତ ।
ମନରେ ଚିନ୍ତିଲେ କ୍ଷଣେ ନନ୍ଦର କୁମର
ଯେହୁ ପିନ୍ଧିଥିବ ୟାକୁ କେମନ୍ତ ସୁନ୍ଦର ।
କି ସୁନ୍ଦର ଦିଶୁଥିବ ତାର ତନୁ କାନ୍ତି
ମଦନ ଶର ଦହିଲା ଏହା ଯେବେ ଚିନ୍ତି ।
ୟେକେ ତ ବସନ୍ତ କାଳ ବିମୋହିତ ମନ
ଦିଶଇ ପ୍ରକୃତି ରାଣି ବଡ ଶୋଭାବନ ।
ଧିରେ ଧିରେ ବହୁ ଥାଏ ଶୀତଳ ସମୀର
କୁହୁ କୁହୁ ଗାଉଥାଏ କୁଞ୍ଜରେ କୋକିଳ ।
ଫୁଲେ ଫୁଲେ ଭରି ଅଛି ଗୋପ ବୃନ୍ଦାବନ
ଫଗୁଣ ମୋହୁଛି ମନ ଦହୁଛି ମଦନ ।
କେମନ୍ତେ ଦେଖିବି ବୋଲି ମନେ ବିଚାରିଲେ
ସଖାଙ୍କୁ ଡାକି କୃଷ୍ଣ ଯେ ସକଳ ବୋଇଲେ ।
ସର୍ବ ସଖା ମିଳିଣ ଯେ ମନେ ସ୍ଥିର କଲେ
ବିମାନ ଏକ କରିବା ମନରେ ପାଞ୍ଚିଲେ ।
ବିମାନେ କୃଷ୍ଣ ପିତୁଳା ଯତନେ ସଜାଇ
ବିମାନ ମଧ୍ଯରେ ଏହି କୁଣ୍ଡଳ ଝୁଲାଇ ।
ନଗ୍ରେ ନଗ୍ରେ ବୁଲାଇବା ଦେଖାଇ ଦେଖାଇ
ଶଙ୍ଖ ହୁଳହୁଳି ନାଦ ଉଚ୍ଚ ସ୍ବରେ ଦେଇ ।
ଦ୍ୱାରେ ଦ୍ୱାରେ ମେଳି ହୋଇ ବୁଲିଣ ଡାକିବା
ଭୋଗ ଦିଅ ଠାକୁରଙ୍କୁ ବୋଲିଣ କହିବା ।
ଯେତେବେଳେ ଭୋଗଦେବେ ନଗ୍ରବାଳୀମାନେ
ତାଟକ ଝୁଲୁଛି ବୋଲି ଦେଖିବେ ନୟନେ ।
ଯାହାର ତାଟକ ସିନା ଚିହ୍ନିବ ସେ ବାଳୀ
ମାଗିଲେ ନିଶ୍ଚେ ଜାଣିବା ସେହି ସେ ସୁନ୍ଦରୀ ।
ଏହା ଶୁଣି ସର୍ବ ସଖା ଆନନ୍ଦ ହୋଇଲେ
ବିମାନ ସଜାଡି ରଙ୍ଗ ମାଟି ବୋଳି ହେଲେ ।
ରଙ୍ଗପାଣି ନେଇ ହେଲେ ପକାପକି ତହିଁ
ଯେମନ୍ତେ କି ନଗ୍ର ଜନେ ନଚିହ୍ନିବେ କେହି ।
ବିମାନକୁ କନ୍ଧରେ ରଖିଣ ଗୋପବାଳ
ବାହାର ହୋଇଲେ ସର୍ବେ ହୋଇ ଏକ ମେଳ ।
ସେ ଦିନ ଫଗୁ ଦଶମୀ ଥିଲା ଗୁରୁବାର
ସଖୀ ସଖା ଗଣ ମିଶି ବୁଲିଲେ ଗ୍ରାମର ।
ପ୍ରଥମରେ ନନ୍ଦ ସିଂହଦ୍ୱାରେ ଯାଇ ହେଲେ
ଭୋଗ ଦିଅ ଠାକୁରଙ୍କୁ ବୋଲିଣ ଡାକିଲେ ।
ଘଣ୍ଟି ଘଣ୍ଟା ଶଙ୍ଖ ଭେରୀ ତୁରୀ ନାଦ ଶୁଣି
ଯଶୋମତୀ ବାହାରିଲେ ଦେଇ ହୁଳହୁଳି ।
ବିମାନ ମଧ୍ଯକୁ ଚାହିଁ ଦେଲେ ନନ୍ଦ ରାଣୀ
ଦେଖିଲେ ଲାବଣ୍ଯ ମୂର୍ତ୍ତୀ କୃଷ୍ଣ ବେଣୁପାଣି ।
ମନେ ମନେ ହସି ସର ଲବଣୀ ଅଣାଇ
ଗୋପାଳ ପିଲାଙ୍କୁ ଦ୍ଯନ୍ତି ଆନନ୍ଦିତ ହୋଇ ।
ନିଅ ବାବୁ ଠାକୁରଙ୍କୁ ଭୁଞ୍ଜାଅ ତୁମ୍ଭର
ଭୋକ କରୁଥିବ ବେଳ ହେଲାଣି ଉଛୁର ।
ସଖାଏ ବିମାନ ମଧ୍ଯୁ ଭୋଗକୁ ଆଣିଣ
ଭୁଞ୍ଜନ୍ତି ହରଷେ ହୋଇ ଆନନ୍ଦିତ ମନ ।
ଭୁଞ୍ଜିସାରି ବିମାନକୁ କାନ୍ଧରେ ବସାଇ
ପୁଣି ଅନ୍ଯ ଦ୍ୱାରେ ଯାନ୍ତି ନାନା ଗୀତ ଗାଇ ।
କେ ଖେଳନ୍ତି କେ ନାଚନ୍ତି କେ ବଜାଏ ତୁରୀ
କେ ନାଟ ଲଉଡି କରେ କେ ବଜାଏ ଭେରୀ ।
ଏହିପରି ସମସ୍ତଙ୍କ ଦ୍ୱାର ବୁଲିଗଲେ
ଚଦ୍ରସେଣ ଦ୍ୱାରେ ଯାଇ ପ୍ରବେଶ ହୋଇଲେ ।
ତେଣେ ରାଧିକା ସୁନ୍ଦରୀ ତାଟକ ହଜାଇ
ସଖୀମାନଙ୍କୁ ବିକଳେ କହୁଛନ୍ତି ରାଈ ।
ଏ ସମୟେ ଗୋପବାଳେ ଭେରୀ ତୁରୀ ବାଇ
ନାଟ ଲଉଡି କରିଲେ ବଂଶୀକୁ ବଜାଇ ।
ଶବ୍ଦ ଶୁଣି ନଗ୍ରବାଳୀ ଅଇଲେକ ଚଳି
ବାରୁଣୀ ବନ୍ଧ ପଛରେ ରହି ରାଧାରାଣୀ ।
ଦେଖିଲେ ଲାବଣ୍ଯ ରୂପ କୃଷ୍ଣଚନ୍ଦ୍ର ମୂର୍ତ୍ତୀ
ସଖିଏ ଦେଖିଣ ସର୍ବେ ଠରାଠରି ହ୍ୱନ୍ତି ।
ରାଧାକୁ ହକାରୀ ଆଣି ବୋଲନ୍ତି ଗୋ ରାଈ
ବିମାନ ମଧ୍ଯକୁ ଚାହଁ ଅଛନ୍ତି କହ୍ନାଇ ।
ଶୁଣି ରାଧା ବିମାନ ଆଗକୁ ଦେଲେ ଚାହିଁ
ଦେଖିଲେ କର୍ଣ୍ଣ ତାଟକ ଝୁଲୁଅଛି ତହିଁ ।
ଶ୍ରୀକୃଷ୍ଣଙ୍କ ରୂପ ଦେଖି ରାଧା ମୂର୍ଚ୍ଛା ଗଲେ
ଆଉ ପ୍ରାଣ ନ ରଖିବି ବୋଲିଣ ବୋଇଲେ ।
ସଖୀମାନେ ସର୍ବେମିଳି ଭୋଗ ଆଣି ଦେଲେ
ଭୋଗ ଖାଇଣ ଗୋପାଳେ ବାହୁଡି ଅଇଲେ ।
ନନ୍ଦ ଘରେ ବିମାନକୁ ନେଇଣ ରଖାଇ
ଯେ ଯାହାର ଗୃହେ ଗଲେ ମୁହଁକୁ ଶୁଖାଇ ।
ତାଟକ କାହାର ଯହୁଁ ଜଣା ନପଡିଲା
ଗୋପବାଳେ ନିଦ୍ରା ଗଲେ ମନ କରି ଊଣା ।
ରାତ୍ରକାଳ ଆସି ଯେବେ ପ୍ରବେଶ ହୋଇଲା
ତାଟକ କଥାକୁ ରାଧା ମନେ ସୁମରିଲା ।
କି ଲଜ୍ଯା ନଦେଲା ସେହି ନନ୍ଦର କହ୍ନାଇ
ନଗ୍ରେ ନଗ୍ରେ ବୁଲୁଛି ମୋ ତାଟକ ଦେଖାଇ ।
ଯେ ଦିନ ଜାଣିବେ ଏହି କଥା ଗୃହ ଜନ
କେମନ୍ତେ ସହିବି ସେହି ବୃଥା ଅପମାନ ।
ମିଥ୍ଯା ଅପବାଦ ମୁହିଁ ନ ସହିବି ତିଳେ
ଯାଉଛି ମୁଁ ଝାସ ଦେବି ଯମୁନାର ଜଳେ ।
ରାଧାଙ୍କ ଅଥୟ ଦେଖି ଲଳିତା ସୁନ୍ଦରୀ
ଆଗ ହୋଇ ଗଲା ଯହିଁ ଛନ୍ତି ବଂଶୀଧାରୀ ।
ଏବେ କଥା ଶୁଣ ଆହେ ନନ୍ଦର କହ୍ନାଇ
ନିଶ୍ଚେ ପ୍ରାଣ ଦେବେ ରାଧା ଯମୁନାକୁ ଯାଇ ।
ବେଗ ହୋଇ ଯାଅ ତୁମ୍ଭେ ଯମୁନା ନିକଟ
ରାଧା ପ୍ରାଣ ରହିବ ଯେ ପାଇ ତୁମ୍ଭ ଭେଟ ।
ଏହା ଶୁଣି ଶ୍ରୀକୃଷ୍ଣ ଯେ ବେଗେ ଚଳିଗଲେ
ଯମୁନାର ତୀରେ ଯାଇ ଆଗହୁଁ ବସିଲେ ।
ଏତେ କହି ଲଳିତା ଯେ ରାଧାପୁରେ ଗଲେ
ରାଧାରାଣୀ ଆସୁଛନ୍ତି ବାଟରେ ଦେଖିଲେ ।
ଡାକନ୍ତି ଲଳିତା ସଖୀ ଶୁଣ ଆଗୋ ରାଈ
କାହିଁକି ପ୍ରାଣ ଦେବାକୁ ଯାଉଅଛ ଧାଇଁ ।
ଯମୁନା ନିକଟେ ଯାଇ ରାଈ ପ୍ରବେଶିଲେ
ଯମୁନା କୁଳରେ କଳା କାହ୍ନୁକୁ ଭେଟିଲେ ।
ଆଡରୂଷା ଦେଇ ରାଈ ହୋଇଲେ ମଉନ
କୃଷ୍ଣ ପଚାରିଲେ କିମ୍ପା ଏଥକୁ ଗମନ ।
ରାଧିକା ବୋଇଲେ ଆଉ ନକହ କହ୍ନାଇ
ତାଟକ ଝୁଲାଇ ଲଜ୍ଯା ଦେଲ ହେ ମାଧୋଇ ।
ଯୁଗଳ ଅଙ୍ଗ ବୋଲିଣ କୁହ ନଟବର
କେମନ୍ତ ଏକା ହୋଇଣ ବୁଲିଲ ନଗର ।
ରାଧାକୃଷ୍ଣ ଆଦିଶକ୍ତି ଲୋକେ ନଜାଣିବେ
ଚନ୍ଦ୍ର ସେଣ ନାରୀ ବୋଲି ହେ ଜ୍ଞାନ କରିବେ ।
ଗୋଲୋକ ନିବାସୀ ଆମ୍ଭେ କିଶୋର କିଶୋରୀ
ଯୁଗେ ଯୁଗେ ଅବତରୀ ଲୀଳାକୁ ବିସ୍ତାରୀ ।
ଅନନ୍ତ କୋଟି ବ୍ରହ୍ମାଣ୍ଡ ସର୍ଜନା ଆମ୍ଭର
ପ୍ରେମ ଶକ୍ତି ବଳେ ବନ୍ଧା ଅଟଇ ସକଳ ।
ପ୍ରେମବୀଜ ସୃଷ୍ଟି ତତ୍ତ୍ବ ଜନେ ନ ହେଜିବେ
କାମ ମତ୍ତ ହୋଇ ସର୍ବେ ସଂସାରେ ଚଳିବେ ।
ରାଧାକୃଷ୍ଣ ଏକ ନୋହି ବେନି ଯଦି ହେବେ
ଅପ୍ରାକୃତ ପ୍ରେମମୂର୍ତ୍ତୀ କେ କେମନ୍ତେ ବୁଝିବେ ।
ବିମାନ ଦେଖି ସଖୀଏ ବୋଲନ୍ତି ଟାହି କରି
ରାଧାକୁ ଛାଡିଲେ ଆଜିଠାରୁ ବଂଶୀଧାରୀ ।
ସଖୀଙ୍କ ବୋଲଣା ଶୁଣି ଲଜ୍ଜିତ ହୋଇଲି
ଯମୁନା ନଦୀରେ ପ୍ରାଣ ଦେବି ମୁଁ ବୋଇଲି ।
ଶ୍ରୀକୃଷ୍ଣ ବୋଇଲେ ରାଈ ଯାହା ଇଚ୍ଛା ତୋର
କହିଲେ ପାଳିବି ନିଶ୍ଚେ କହୁଛି ସତ୍ୱର ।
ଶୁଣି ରାଧିକା ବୋଲନ୍ତି ଶୁଣ ପ୍ରାଣେଶ୍ୱର
ବିମାନେ ଯୁଗଳ ଅଙ୍ଗ ଦେଖିବ ସଂସାର ।
ଗ୍ରାମେ ଗ୍ରାମେ ଜନପଦେ ନଗରେ ନଗରେ
ଭୋଗ ଖାଇଣ ବୁଲିବେ ସମସ୍ତଙ୍କ ଦ୍ୱାରେ ।
ସମସ୍ତେ ମିଳିଣ ଦୋଳ ଉତ୍ସବ କରିବେ
ଏ ମେଳନ ମହାରାସେ ଆନନ୍ଦ ହୋଇବେ ।
ଏହା ଶୁଣି ଶ୍ରୀକୃଷ୍ଣ ଯେ ସନମତ କଲେ
ଯୁଗଳ ଅଙ୍ଗ କାଲିଠୁ ଦେଖିବ ବୋଇଲେ ।
ଯାହା କହିଲ ମୁଁ ନିଶ୍ଚେ ପାଳିବି ରେ ସହୀ
ଏହା ଶୁଣି ଆନନ୍ଦେ ଫେରିଲେ ଗୃହେ ରାଈ ।
କୃଷ୍ଣଚନ୍ଦ୍ର ବାହୁଡିଲେ ନିଜ ଭୁବନକୁ
ଅତି ଆକୁଳରେ ଯାଇ କହନ୍ତି ପିତାଙ୍କୁ ।
ଆହେ ପିତା କାଲିଠାରୁ ଗୋପ ନଗ୍ର ଜନ
ସମସ୍ତେ ବୁଲିବେ ଆମ୍ଭ ବିମାନ ସଙ୍ଗେଣ ।
ଏହା ଶୁଣି ନନ୍ଦ ରାଜା ଆନନ୍ଦ ହୋଇଲେ
ପ୍ରଭାତ ହୁଅନ୍ତେ ଡଗରକୁ ଡକାଇଲେ ।
ନଗ୍ରେ ନଗ୍ରେ ଘୋଷଣା ଦିଅ ହେ ତୁମ୍ଭେ ଯାଇ
ସମସ୍ତେ ବୁଲିବେ କାଲି ବିମାନକୁ ନେଇ ।
ଆଜ୍ଞା ପାଇ ଡଗରେ ଯେ ଶିଘ୍ର ଚଳିଗଲେ
ସମସ୍ତେ ଶୁଣି ଆନନ୍ଦେ ବାହାର ହୋଇଲେ ।
ଘଣ୍ଟି ଘାଗୁଡି ବଜାଇ ଆନନ୍ଦିତ ହୋଇ
ପ୍ରବେଶ ହୋଇଲେ ନନ୍ଦ ସିଂହଦ୍ୱାରେ ଯାଇ ।
ନନ୍ଦରାଜା ଏହା ଦେଖି ବହୁ ପ୍ରଶଂସିଲେ
କୃଷ୍ଣଙ୍କୁ ଡାକିଣ ନନ୍ଦରାଜା ଆଜ୍ଞା ଦେଲେ ।
ଯାଅ ବାବୁ ବେଗ ହୋଇ ବିମାନ ଘେନିଣ
ତୁମ ଇଚ୍ଛା ପୂର୍ଣ୍ଣ ହେଉ ସରବ କଲ୍ଯାଣ ।
ଶୁଣି କୃଷ୍ଣ ମନେ କଲେ ରାଈ ଅପମାନ
ଯୁଗଳ ମୂରତି ଗଢାଇଲେ ଭଗବାନ ।
ମାୟା ରାଧା କୃଷ୍ଣ ରୂପ ବିମାନେ ବସାଇ
ନିଜେ ନାଟ କରନ୍ତି ଯେ ବାଳୁତ କହ୍ନାଇ ।
ବାଳବୃଦ୍ଧ ମିଶି ସର୍ବେ ଆନନ୍ଦ ହୋଇଲେ
ବିମାନକୁ ନେଇ ଦ୍ୱାରେ ଦ୍ୱାରେ ବୁଲିଗଲେ ।
ସମସ୍ତେ ଖୁଆନ୍ତି ଭୋଗ ସ୍ଵହସ୍ତରେ ନେଇ
ସରବେ ବ୍ରହ୍ମ ସ୍ବରୂପ ବାରଣ ନଥାଇ ।
ସର୍ବ ପୁର ବୁଲି ଚନ୍ଦ୍ରସେଣ ଦ୍ୱାରେ ଗଲେ
ଯୁଗଳ ରୂପକୁ ଦେଖି ରାଧିକା ହସିଲେ ।
ସଖୀଙ୍କୁ ଦେଖାଇ ଦ୍ଯନ୍ତି ବୃଷଭାନୁ ଜେମା
ଦେଖ କେମନ୍ତେ ଦିଶନ୍ତି ଲାବଣ୍ଯ ପ୍ରତିମା ।
ଦେଖିକରି ସଖୀମାନେ ଆନନ୍ଦିତ ହେଲେ
ଧନ୍ଯ ଧନ୍ଯ ରାଧାକୃଷ୍ଣ ବୋଲିଣ ବୋଇଲେ ।
ଯେଉଁ କର୍ଣ୍ଣ କୁଣ୍ଡଳ ଯେ ରାଧାରାଣୀଙ୍କର
ବିମାନେ ଝୁଲାଇ ଥିଲେ ନନ୍ଦର କୁମର ।
ତହିଁର ପ୍ରତୀକ ଆମ୍ୱ ପେନ୍ଥା ଦେଖ ଏହି
ବୁଲୁ ଆମ୍ଭେ ଗୋପପୋଏ ବିମାନେ ଝୁଲାଇ ।
ଦୋଳ ଗୋବିନ୍ଦ ଚରିତ କହିଲି ବୁଝାଇ
ଅଚ୍ଯୁତ ବୋଲନ୍ତି ଦୋଷ ନଧରିବ ଭାଇ ।