7th August 2024
ରଣପୁର ମାଟିର ମହକ: ରାଣୀ ବସନ୍ତ ମଞ୍ଜରୀ ଓ ଶ୍ରୀମତୀ ସୁରମା ପାଢୀ
– ବିଜୟ କୁମାର ଜେନା
ରଣପୁର ଗଡ଼ଜାତ ରାଜୁତି କାଳ ମଧ୍ୟରେ ଯେଉଁ ଯେଉଁ ନାରୀ ମାନଙ୍କର ସୁଶାସନ, ସୁକୀର୍ତ୍ତି ଓ ପ୍ରଜା ତଥା ନିଜ ଗଡ଼ଜାତର ସ୍ୱାଭିମାନ ପାଇଁ ପରିଚୟ ଥିଲା, ତନ୍ମଧ୍ୟରୁ ରାଣୀ ବସନ୍ତ ମଞ୍ଜରୀଙ୍କ ନାମ ସର୍ବାଗ୍ରେ ଗଣ୍ୟ ହୁଏ। ରାଣୀ ପ୍ରଭାବତୀ ଯୁଦ୍ଧ ବିଦ୍ୟାରେ ନିପୁଣ ଥିବା ବେଳେ ରାଣୀ ବସନ୍ତ ମଞ୍ଜରୀ ଜଣେଦକ୍ଷ ପ୍ରଶାସିକା ଓ ପ୍ରଜା ହିତୈଷି ରାଣୀ ଭାବେ ଆଦୃତ ଲାଭ କରି ଥିଲେ। ଇତିହାସ ତାଙ୍କୁ ଚିରଦିନ ମନେ ରଖିବ। ତାଙ୍କର ଅବଦାନ ଅବିସ୍ମରଣୀୟ ଅଟେ। ରାଣୀ ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସ ଚାନ୍ଦପୁର ଠାରେ ଯେତିକି ଦିନ ପର୍ଯ୍ୟନ୍ତ ବିରାଜମାନ ହେଉଥିବ ଓ ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଚଳମାନ ହେଉଥିବା ପର୍ଯ୍ୟନ୍ତ ତାଙ୍କର କୀର୍ତ୍ତି ରାଜି ଓ ନାମର ମହକ ସର୍ବତ୍ର ବିଛୁରିତ ହେବ, ଏହା ନିଃସନ୍ଦେହରେ କୁହାଯାଇ ପାରେ।
ନୀଳଗିରିର ରାଜ ଜେମା ରଣପୁର ଗଡକୁ ବୋହୂ ହୋଇ ଆସି ଦୁହିତା ଭାବେ ଦୁଇଟି ରାଜବଂଶର ଐତିହ୍ୟକୁ ସଂରକ୍ଷିତ ରଖି ଯଶ୍ଵସୀ ହୋଇଛନ୍ତି। କିଏ କହେ ନାରୀ ଅବଳା ଦୂର୍ବଳା ବୋଲି। ନାରୀ ଶକ୍ତି ପାଖରେ ସବୁ ବଡ ପଣ ହାର ମାନେ। ନାରୀ ଜଣଙ୍କ ନିଜସ୍ଵ ତ୍ୟାଗ ଓ ତିତିକ୍ଷା ବଳରେ ଉଜୁଡ଼ି ଯାଇଥିବା ସଂସ୍କାର ଓ ଧର୍ମକୁ ନବ ଜୀବନ ଦେଇ ସମାଜ ଗଠନରେ ନିଜକୁ ନିୟୋଜିତ କରେ। ଯାହା ରାଣୀ ବସନ୍ତ ମଞ୍ଜରୀ ଙ୍କ ଜୀବନରେ ଘଟିଥିଲା। ଆସନ୍ତୁ ଜାଣିବା ତାଙ୍କ ଜୀବନ ଆଲେଖ୍ୟରୁ କିଛି କିଛି ସ୍ମରଣୀୟ ଘଟଣା ଓ ଦୁର୍ଘଟଣା।
ନୀଳଗିରି ରାଜଜେମା ରଣପୁର ଗଡର ଯୁବ ରାଜ ବିରଞ୍ଚି ନାରାୟଣଙ୍କୁ ବୈଦିକ ରୀତି ଓ ପଦ୍ଧତିରେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଏକ ସୁଖଦ ଦାମ୍ପତ୍ୟ ଜୀବନରେ ଏକ ଯବନିକା ପଡିଗଲା ବିରଞ୍ଚି ନାରାୟଣ ଙ୍କ ଅକାଳ ମୃତ୍ୟୁରେ। ବାସ୍ତବରେ ଏହି ଦାରୁଣ ଓ ଦୁଃଖଦ ଘଟଣା ରାଣୀ ବସନ୍ତ ମଞ୍ଜରୀ ଙ୍କ ପାଇଁ ଏକ ଅଗ୍ନି ପରୀକ୍ଷା ଥିଲା। ବିରଞ୍ଚି ନାରାୟଣ ଯକ୍ଷ୍ମା ରୋଗ ରେ ପୀଡ଼ିତ ହୋଇ ରାଣୀଙ୍କୁ ଏକା ଛାଡ଼ି ଆର ପାରିକୁ ଚାଲିଗଲେ। ମାତ୍ର ୩୮ବର୍ଷ ବୟସରେ ବସନ୍ତ ମଞ୍ଜରୀ ବିଧବା ହୋଇ ବୈଧବ୍ୟ ଯନ୍ତ୍ରଣାକୁ ସାମନା କରିଥିଲେ। ସେ ବିଧବା ହେବାର ତିନି ଚାରି ବର୍ଷ ପରେ ତାଙ୍କର ଶ୍ୱଶୁର ରାଜା କୃଷ୍ଣ ଚନ୍ଦ୍ର ସିଂହଦେଓ ବୀରବର ନରେନ୍ଦ୍ର ମହାପାତ୍ର ଙ୍କର ମୃତ୍ୟୁ ହେଲା। ଫଳତଃ ବସନ୍ତ ମଞ୍ଜରୀଙ୍କ ଏକ ମାତ୍ର ପୁତ୍ର ବ୍ରଜେନ୍ଦ୍ର ଚନ୍ଦ୍ର ରାଜା ହେଲେ। କିନ୍ତୁ ବ୍ରଜେନ୍ଦ୍ର ଚନ୍ଦ୍ର ନାବାଳକ ଥିବାରୁ ରାଣୀ ବସନ୍ତ ମଞ୍ଜରୀ ଙ୍କୁ ରାଜ୍ୟର ଭାର ସମ୍ଭାଳିବାକୁ ପଡ଼ିଥିଲା। ରାଜ ପ୍ରତିନିଧି ଭାବରେ ରାଣୀକୁ ସମସ୍ତ ଦାୟିତ୍ଵ ନିର୍ବାହ କରିବାକୁ ହେଉଥିଲା।
ରଣପୁର ଗଡ଼ଜାତ ଇତିହାସରେ ୧୯୩୮ମସିହା ଠାରୁ ୧୯୪୫ମସିହା ମଧ୍ୟରେ ଘଟିଥିବା ବିଭିନ୍ନ ଘଟଣାବଳୀ ଇତିହାସ ପୃଷ୍ଠାରେ ଚିର ସ୍ମରଣୀୟ ହୋଇ ରହିଛି। ଏହି ବର୍ଷ ମାନଙ୍କରେ ପ୍ରଜା ଆନ୍ଦୋଳନ ସଂଗଠିତ ହୋଇଛି, ରଣପୁର ର ଉତ୍ୟକ୍ତ ଆନ୍ଦୋଳନ ରତ ପ୍ରଜା ଦୁର୍ଦ୍ଦଶ ମେଜର ବେଜେଲଗେଟ ଙ୍କୁ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ଙ୍କୁ ଫାଶୀ ଖୁଣ୍ଟରେ ଝୁଲି ଶହୀଦ ହୋଇ ଛନ୍ତି। ଏହି ସବୁ ଘଟଣାବଳୀରୁ ରାଣୀ ଅନେକ କଥା ଉପଲବ୍ଧି କରି ଉଚିତ ଶିକ୍ଷା ଲାଭ ବି କରିଛନ୍ତି। ତାଙ୍କର ଅନୁଭୂତିକୁ ଶାଣିତ କରି ପ୍ରଜାଙ୍କ ହିତାର୍ଥେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଦ୍ଧ ବି ହୋଇଛନ୍ତି।ଫଳରେ ରାଜ କାର୍ଯ୍ୟ ପରିଚାଳନାରେ ତାଙ୍କର ଦକ୍ଷତା ପ୍ରତି ଛତ୍ରେ ଛତ୍ରେ ପ୍ରମାଣିତ ହୋଇଛି।
ରଣପୁର ଗଡ଼ଜାତ ତା୧/୧/୧୯୪୮ରିଖ ଦିନ ଉଚ୍ଛେଦ ଘଟି ଓଡ଼ିଶାର ଶାସନରେ ସାମିଲ ହେଲା। ରାଜ ତନ୍ତ୍ରର ବିଲୋପ ଘଟି ଗଣତନ୍ତ୍ର ଶାସନ ପଦ୍ଧତି ସମଗ୍ର ଭାରତ ବର୍ଷରେ ଅନୁସୃତ ହେଲା। ଯେ ହେତୁ ଗଣତନ୍ତ୍ର ହେଉଛି ଲୋକ ମାନଙ୍କର, ଲୋକ ମାନଙ୍କ ଦ୍ଵାରା ଓ ଲୋକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଶାସନ, ସେ ଦୃଷ୍ଟିରୁ ପ୍ରତି ପାଞ୍ଚ ବର୍ଷ ରେ ଥରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ରାଜ୍ୟ ବିଧାନ ସଭା ଓ ପାର୍ଲିଆମେଣ୍ଟ ର ଲୋକସଭାକୁ ପ୍ରତିନିଧି ମାନେ ନିର୍ବାଚିତ ହୁଅନ୍ତି ଓ ସମଗ୍ର ଦେଶର ଶାସନ ପ୍ରକ୍ରିୟା ଓ ଗଣତନ୍ତ୍ର ଏହି ଧରଣର ଚାଲେ। ଏହି ଆଧାରରେ ୧୯୫୧-୫୨ମସିହାରେ ଓଡ଼ିଶା ବିଧାନ ସଭା ପାଇଁ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା।
କମ୍ୟୁନିଷ୍ଟ ଦଳର ସର୍ବସମ୍ମତ ପ୍ରାର୍ଥୀ ହୋଇଥିଲେ ସାରଙ୍ଗଧରପୁର ନିବାସୀ ଗଙ୍ଗାଧର ମିଶ୍ର ଓ କଂଗ୍ରେସ ଦଳର ପ୍ରାର୍ଥୀନୀ ଭାବେ ରଣପୁର ରାଜମାତା ବସନ୍ତ ମଞ୍ଜରୀ ଦେବୀ ନିର୍ବାଚନ ଲଢି ଥିଲେ। ରାଜମାତା ବସନ୍ତ ମଞ୍ଜରୀ ବିପୁଳ ଭୋଟରେ ବିଜୟ ଲାଭ କରି ଓଡ଼ିଶା ବିଧାନ ସଭାରେ ରଣପୁର ତରଫରୁ ଜିତି ଥିଲେ ଓ ନିଜର ପ୍ରତିନିଧିତ୍ଵ ସାବ୍ୟସ୍ତ କରି ଥିଲେ। କେବଳ ସେତିକି ନୁହେଁ ସେ ଉପମନ୍ତ୍ରୀ ଭାବେ ଶପଥ ନେଇ ଥିଲେ ଓ ବହୁ ଜନ ହିତକର କାର୍ଯ୍ୟ ମଧ୍ୟ ସମ୍ପାଦନ କରିଥିଲେ। ଉପମନ୍ତ୍ରୀ ହେବାରେ ସେ ଥିଲେ ଓଡ଼ିଶାର ପ୍ରଥମ ମହିଳା ଏବଂ ଏହି ଦୃଷ୍ଟିରୁ ରଣପୁର ଓଡ଼ିଶାରେ ସୁପରିଚିତ ଥିଲା। ନିର୍ବାଚନ ଜିତିବା ରାଣୀ ବସନ୍ତ ମଞ୍ଜରୀ ଦେବୀଙ୍କୁ ଦୃଢ ଓ ଦକ୍ଷ ପ୍ରଶାସିକା ଭାବେ ପ୍ରତିଷ୍ଠିତ କରି ଥିଲା।
ଏହାପରେ ଦେଶରେ ଦ୍ଵିତୀୟ ସାଧାରଣ ନିର୍ବାଚନ ଆସିଲା ୧୯୫୭ ମସିହାରେ। ଏହି ନିର୍ବାଚନ ରେ ରାଣୀଙ୍କର ଦ୍ଵିତୀୟ ଥର ପାଇଁ ଓଡ଼ିଶା ବିଧାନ ସଭାରେ ପ୍ରତିନିଧିତ୍ଵ ବଜାୟ ରହି ପାରିଥିଲା। ଏହି ପାଳିରେ ସେ ସ୍ୱାସ୍ୟ ବିଭାଗ କ୍ୟାବିନେଟ ମନ୍ତ୍ରୀ ପଡ ଅଳଙ୍କୃତ କରିଥିଲେ। କ୍ୟାବିନେଟ ମନ୍ତ୍ରୀ ହେବାରେ ସେ ଥିଲେ ପ୍ରଥମ ମହିଳା।
ସେ ଅନୁଭବ କରିଥିଲେ ଯେ ତାଙ୍କ ସ୍ଵାମୀ ବିରଞ୍ଚି ନାରାୟଣଙ୍କ ଯକ୍ଷମା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ ତ କରିଛନ୍ତି ଏବଂ ରଣପୁର ତଥା ଆଖ ପାଖ ବହୁ ଅଞ୍ଚଳର ଲୋକେ ଏହି ରୋଗରେ ପୀଡିତ ହୋଇ ମରଣ ସହିତ ଯୁଝୁଛନ୍ତି। ଏହି ଦୃଶ୍ୟକୁ ପାଥେୟ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ମନ କିଣି ନେଇ ଚାନ୍ଦପୁର ଠାରେ ଏକ ଯକ୍ଷ୍ମା ହସ୍ପିଟାଲ ପ୍ରତିଷ୍ଠା କରି ବାରେ ସକ୍ଷମ ହୋଇଥିଲେ। କିନ୍ତୁ ଏହି ଚିକିତ୍ସାଳୟ ପ୍ରତିଷ୍ଠା ପୂର୍ବର ଯେଉଁ ସବୁ ବାଧା ବିଘ୍ନ ରହିଥିଲା, ରାଜମାତା ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ସେସବୁ ଅଚିରେ ଦୂରୀଭୂତ ହୋଇ ପାରିଥିଲା।
ଚାନ୍ଦପୁର ଠାରେ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସ ନ ହେବା ପାଇଁ ପ୍ରକାରାନ୍ତରେ ବହୁ ବିରୋଧ ଓ ପ୍ରତିବାଦ ଆସିଥିଲା। ଏହି ପ୍ରତିବାଦରେ ସ୍ଥାନୀୟ ଚାନ୍ଦପୁର, ଜେମାଦେଇପୁର ଓ କନ୍ଧ ନୟାଗଡ଼ ଗ୍ରାମର ବାସିନ୍ଦା ମାନେ ସାମିଲ ହୋଇ ଥିଲେ।କିନ୍ତୁ ରାଣୀ ବଡ ଦୃଢ ମନା ଥିବାରୁ ଏଠାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ନିଜର ସମସ୍ତ ବଳ ବୁଦ୍ଧି ଓ କୌଶଳ କୁ ପ୍ରୟୋଗ କରି ଥିଲେ। ଏହି ପ୍ରତିବାଦ ହଟାଇବା ପାଇଁ ରାଣୀ ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ନିଜ ଆୟତ୍ତକୁ ଆଣିଥିଲେ। ପରେ ପୋଲିସ ର ସହାୟତା ନେଇ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସ ସ୍ଥାପନ କରିବାରେ ସକ୍ଷମ ହୋଇଥିଲେ।ତା ୨୭/୦୨/୧୯୫୮ମସିହାରେ ଏହି ସ୍ୱାସ୍ଥ୍ୟ ନିବାସ ଉଦଘାଟନ ହୋଇଥିଲା। ସେତେବେଳେ ରାଣୀ ଜନସାଧାରଣଙ୍କୁ ଉଦବୋଧନ ଦେଇ ନିମ୍ନ ଲିଖିତ ପଂକ୍ତି କଥା ଛଳରେ କହିଥିଲେ।
( ମୁଁ ଓଡ଼ିଶାର ଗାଆଁ ଗଣ୍ଡାର ଲୋକ, ବହୁ କାଳ ଧରି ଗାଆଁ ଗହଳରେ ଯକ୍ଷ୍ମା ଓ କର୍କଟ ରୋଗରେ ପୀଡିତ ବହୁ ରୋଗୀଙ୍କର ଯନ୍ତ୍ରଣା ପ୍ରତ୍ୟକ୍ଷ ଅନୁଭବ କରି ଆସିଛି। ମୋ ଭଳି ଯେ ଅନ୍ୟମାନେ ଅନୁଭବ କରି ନ ଥିବେ ତାହା ନୁହେଁ। କିନ୍ତୁ ଏଭଳି ରୋଗରେ ସ୍ଵତନ୍ତ୍ର ଚିକିତ୍ସା ଓ ସେବା ଦରକାର। ଆଜି ମୋର ହୃଦ ବୋଧ ହୋଇଛି ପବିତ୍ର କାର୍ଯ୍ୟରେ ଉଦଯୋଗୀ ହେବା କେବେ ଦୁଃସାହସ ନୁହେଁ।)
ଏହାକୁ ଓଡ଼ିଶାର ସର୍ବ ପ୍ରଥମ ତଥା ବୃହତ୍ତମ ଏବଂ ଭାରତର ଦ୍ଵିତୀୟ ବୃହତ୍ତମ ଚିକିତ୍ସାନୁଷ୍ଠାନରେ ପରିଣତ କରିବାର ପରିକଳ୍ପନା କରାଯାଇଥିଲା, କିନ୍ତୁ ତାହା ରୂପାୟିତ ହୋଇ ପାରିଲା ନାହିଁ। ତଥାପି ଏହି ସ୍ୱାସ୍ଥ୍ୟ ନିବାସ ପ୍ରତିଷ୍ଠା ହେବା ଦିନ ଠାରୁ ହଜାର ହଜାର ରୋଗୀଙ୍କୁ ସେବା ଯୋଗାଇ ଦେଇ କାଳଜୟୀ ଅନୁଷ୍ଠାନ ଭାବେ ପରିଗଣିତ ହେଉଅଛି, ଏ କମ୍ ବଡ ଗର୍ବର କଥା ନୁହେଁ। ଏହାକୁ ଏକ ହଜାର ଶଯ୍ୟା ବିଶିଷ୍ଟ ଯକ୍ଷ୍ମା ଚିକିତ୍ସାଳୟ କରିବାର ଯେଉଁ ସ୍ବପ୍ନ ବସନ୍ତ ମଞ୍ଜରୀ ଦେବୀ ଦେଖିଥିଲେ ତାହା ଆଜି ଧୂଳିସାତ ହେବାକୁ ଯାଉଛି।
ଏହି ମହିୟସୀ ନାରୀ ନେତ୍ରୀଙ୍କର ୧୯୬୧ମସିହା ଜୁନ ମାସ ୭ତାରିଖରେ ଅକାଳ ବିୟୋଗ ହୋଇଥିଲା।
ବସନ୍ତମଞ୍ଜରୀଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ରଣପୁର ବାସୀ ବର୍ତ୍ତମାନର ବିଧାୟିକା ତଥା ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ମାଧ୍ୟମରେ ଚାନ୍ଦପୁରର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସକୁ ଏକ ମେଡ଼ିକାଲ କଲେଜ ତଥା ସ୍ୱାସ୍ଥ୍ୟ ନିବାସରେ ରୂପାନ୍ତରିତ କରି ପାରିଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।
– ବିଜୟ କୁମାର ଜେନା
ଅବସର ପ୍ରାପ୍ତ ପ୍ରାଧ୍ୟାପକ, ଶାମୁକା ସାହି, ରଣପୁର ନୟାଗଡ଼