ରାଜା ନହୁଷଙ୍କ ଶାପମୁକ୍ତି

Share it

PURAN KATHA
13th August 2024

ରାଜା ନହୁଷଙ୍କ ଶାପମୁକ୍ତି
==============

ମହାଭାରତ କଥା l ପାଣ୍ଡଵ ମାନଙ୍କ ବନ ବାସର ଏହା ପଞ୍ଚମ ବର୍ଷ l ଅର୍ଜୁନ ଦିବ୍ୟାସ୍ତ୍ୱ ସନ୍ଧାନ ପାଇଁ ଇନ୍ଦ୍ରଲୋକ ଯାତ୍ରାକରିଥାନ୍ତି, ଯୁଧିଷ୍ଟିରଙ୍କୁ ଅର୍ଜୁନଙ୍କ ବିନା କିଛି ଭଲ ଲାଗୁନଥାଏ l ହିମାଳୟ ପାର୍ବତ୍ୟ ପ୍ରଦେଶରେ ସେମାନେ ଇତସ୍ତତ ଘୁରି ବୁଲୁଥାନ୍ତି l ଏହିପରି ଭ୍ରମଣ କରୁକରୁ ଦିନେ ସେମାନେ ଯାଇ ପହଞ୍ଚିଲେ ଅତୀବ ରମଣୀୟ ରାଜର୍ଷି ବୃଷପର୍ବାଙ୍କ ଆଶ୍ରମରେ l ହତଶ୍ରୀ ପାଣ୍ଡଵ ମାନଙ୍କୁ ପୁତ୍ର ତୁଲ୍ୟ ସତ୍କାର କରି, ବୃଷପର୍ବା ତାଙ୍କ ଆଶ୍ରମରେ ଆଶ୍ରୟ ଦେଲେ l ସେହିଠାରେ ଆନନ୍ଦରେ ପାଣ୍ଡଵ ମାନେ ଆଠଦିନ ଅବସ୍ଥାନ କଲେ l ପ୍ରତି ଦିନ ମହାବଳୀ ଭୀମ ଯାଇ ଅରଣ୍ୟରୁ ଫଳମୂଳ ସଂଗ୍ରହ ଓ ପଶୁ ଶିକାର କରି ଆଣୁଥିଲେ l

ଦିନକର ଘଟଣା l ଫଳମୂଳ ସଂଗ୍ରହ ପାଇଁ ଭୀମ ଜଙ୍ଗଲମଧ୍ୟରେ ଭୟଙ୍କର ଗର୍ଜନକରି ଚାଲିଥାନ୍ତି l ତାଙ୍କ ସିଂହ ରଡ଼ି ଶୁଣି ପଶୁପକ୍ଷୀ ମାନେ ଭୟରେ ଇତସ୍ତତଃ ପଳାୟନ କରୁଥାନ୍ତି, ହଠାତ୍ ସେ ଏକ ବିଶାଳ ଅଜଗରସର୍ପକୁ ଦେଖି ଅଟକିଗଲେ l ସେ ସର୍ପଟି ଏକ ଗିରିଗହ୍ଵର ମଧ୍ୟରେ ବାସ କରୁଥାଏ l ଗିରି ଗହ୍ୱରର ଦ୍ୱାରକୁ ସେ ତାର ଫଣାକୁ ବିସ୍ତାର କରି ଆବୃତ୍ତ କରି ରଖି ଥାଏ l ଭୀମ ସ୍ତବ୍ଧ ହୋଇ ଦେଖୁଛନ୍ତି,ହଠାତ୍ ସେ ଅଜଗରଟି ଆସି ଭୀମଙ୍କୁ ତାର କୁଣ୍ଡଳୀରେ ବନ୍ଧନକଲା l ଭୀମ ବହୁଚେଷ୍ଟା କରି ମଧ୍ୟ ସର୍ପର ଶକ୍ତ ବନ୍ଧନରୁ ନିଜକୁ ମୁକୁଳାଇ ନେବାକୁ ଅସମର୍ଥ ହେଲେ l

ସର୍ପକୁ ଭୀମ ପଚାରିଲେ,”ହେ ସର୍ପରାଜ! ମୁଁ ଅତି ଆଶ୍ଚର୍ଯ୍ୟ l ଶତସିଂହ ପରାକ୍ରମୀ ବୃକୋଦର ଆଜି ମୁଁ, ଆପଣଙ୍କ ନିକଟରେ ନିଜକୁ ହୀନ ବଳ ମନେ କରୁଛି l ଆପଣ କିଏ,ସର୍ପ ରୂପରେ କ’ଣ ଆପଣ କେହି ଦେବତା କି? ଦୟାକରି ମୋତେ ଆପଣଙ୍କ ପରିଚୟ ଦିଅନ୍ତୁ”l ଆହୁରି ଦୃଢ଼ଭାବେ ବନ୍ଧନକରି ସର୍ପ ଭୀମଙ୍କୁ କହିଲା,”ହେ ବୀର ! ବର୍ତ୍ତମାନ ମୁଁ ଅତ୍ୟନ୍ତ କ୍ଷୁଧିତ l ବହୁ ଦିନ ହେଲା, କିଛି ଆହାର କରି ନାହିଁ l ସୌଭାଗ୍ୟକୁ ତୁମେ ଆସି ପହଞ୍ଚିଲ l ତୁମ ପ୍ରଶ୍ନର ଉତ୍ତର ମୁଁ ଦେବି,କିନ୍ତୁ ତା ପୂର୍ବରୁ ମୁଁ ନିଶ୍ଚିନ୍ତ ହେବାକୁ ଚାହେଁ ଯେ ତୁମେ ଯେପରି ମୋ ବନ୍ଧନରୁ ଖସି ନଯାଅ l” ସେ ସର୍ପ ଥିଲେ ପୂର୍ବେ ପୁରୁ ବଂଶର ଯଶସ୍ବୀ ରାଜା, ମହାରାଜ ନହୁଷ l ଭୀମଙ୍କଠାରୁ ଆଶ୍ୱାସନା ପାଇ ସେ ତାଙ୍କ ପ୍ରଶ୍ନର ଉତ୍ତର ଦେଲେ l

ମୁଁ ପୂରୁବଂଶର ଶ୍ରେଷ୍ଠ ରାଜା ନହୁଷ l ଦାନ, ତପ, ଯଜ୍ଞ ଓ ଶ୍ରେଷ୍ଠ ରାଜଧର୍ମ ପାଳନ ଯୋଗୁଁ ଅନେକ ଖ୍ୟାତି ଲାଭ କରିଥିଲି l ମୋ ଆସନ ଦେବରାଜ ଇନ୍ଦ୍ରଙ୍କ ଆସନତୁଲ୍ୟ ଥିଲା l ଶାପଗ୍ରସ୍ତ ହୋଇ ଇନ୍ଦ୍ର ନିଜ ପଦ ଛାଡ଼ିଦେବାରୁ ସେହି ପଦରେ ଯାଇ ମୁଁ ଅଧିଷ୍ଠିତହେଲି l ଇନ୍ଦ୍ରପଦ ଲାଭପରେ ମୋ ଗର୍ବର ସୀମା ରହିଲା ନାହିଁ l ଥରେ ମୋ ମୁଣ୍ଡକୁ ଗୋଟିଏ ଅଜବ ଖିଆଲ ଆସିଲା l ଋଷି ମାନଙ୍କୁ ମୁଁ ମୋ ଶିବିକା ବହନ କାର୍ଯ୍ୟରେ ଲଗାଇ ଦେଲି l ଋଷି ମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ପାରିଲେ ନାହିଁ l ଏକଦା ଋଷି ମାନେ ଶିବିକା ବହନ କରି ଚାଲିଥାନ୍ତି, ତାଙ୍କ ଭିତରେ ଥିଲେ ଋଷି ଅଗସ୍ତ୍ୟ l ଋଷି ମାନେ ଏହି କାର୍ଯ୍ୟରେ ଅଭ୍ୟସ୍ତ ନ ଥିବାରୁ ଧୀରେ ଧୀରେ ଚାଲୁଥାନ୍ତି l ଶିବିକାଟି ହଲୁଥାଏ l ମୋତେ ଏ ଧୀର ଗତି ଭଲ ଲାଗିଲା ନାହିଁ l ମୁଁ ସବୁ ଠାରୁ ଅଧିକ ଧୀରେ ଚାଲୁଥିବା ପରମ ପୂଜ୍ୟ ଋଷି ଅଗସ୍ତ୍ୟଙ୍କୁ ରାଗରେ ପଦାଘାତ କରି କହିଲି, “ଶୀଘ୍ରମ୍ ସର୍ପ, ଶୀଘ୍ରମ୍ ସର୍ପ” l ଅର୍ଥାତ୍ ଶୀଘ୍ର ଚାଲ, ଶୀଘ୍ର ଚାଲ l

ଋଷି ଅଗସ୍ତ୍ୟ ରାଗରେ ଜଳିଉଠି ଅଭିଶାପ ଦେଇ କହିଲେ,”ହେ ରାଜା,ତୁମେ ଐଶ୍ୱର୍ଯ୍ୟରେ ମଦମତ୍ତ ହୋଇ ଏ ତ୍ରୈଲୋକ୍ୟ ପୂଜ୍ୟ ଋଷି ମାନଙ୍କୁ ଶିବିକା ବୁହାଇଲ l ମୋତେ ତୁମେ ପଦାଘାତ କରି ଯେଇଁ ସର୍ପ ବୋଲି କହିଛ, ମୁଁ ଅଭିଶାପ ଦେଉଛି ସେହି ସର୍ପ ହୋଇ ତୁମେ ଭୂପତିତ ହୁଅ ଓ ବନ୍ୟ ହିଂସ୍ର ଜନ୍ତୁଙ୍କ ସହ କାଳାତିପାତ କର l” ଋଷି ଅଭିଶାପ ତୁରନ୍ତ ଫଳବତୀ ହେଲା l ସର୍ପ ହୋଇ ଖସି ପଡୁ ଥିବା ବେଳେ, ଶାପମୁକ୍ତି ନିମନ୍ତେ ଋଷିଙ୍କୁ ପ୍ରାର୍ଥନା କରିବାରୁ ଋଷି କହିଲେ,”ତୁମେ ସର୍ପ ରୂପେ ଘନ ଅରଣ୍ୟରେ ଦୀର୍ଘକାଳ ବାସକରିବ l ଦିନର ଷଷ୍ଠ ଘଡ଼ିରେ ତୁମ କବଳରେ ଯିଏ ପଡ଼ିବ, ସିଏ ଖସି ଯାଇ ପାରିବ ନାହିଁ, ସେ ଯେତେ ବଳବାନ ହେଉ ପଛେ l ଏହିପରି ଭାବରେ ବହୁ ଯୁଗ ବିତି ଯିବ l ତାପରେ କେବଳ ଏକମାତ୍ର ବ୍ୟକ୍ତି ତୁମର ପ୍ରଶ୍ନର ଉତ୍ତରଦେଇ ଏହି ଶାପରୁ ମୁକ୍ତ କରିବେ l ସେହି ଦିନ ଠାରୁ ମୁଁ ଏ ଅରଣ୍ୟରେ ବାସ କରୁଛି l ଆଜି ମୋର ପରମ ସୌଭାଗ୍ୟ, ମୁଁ ତୁମକୁ ନିକଟରେ ପାଇଛି l ମୋର ଶାପମୁକ୍ତିର ସମୟ ବୋଧହୁଏ ନିକଟ ହୋଇ ଆସିଲା l”

ଭୀମ, ଅଜଗର ଠାରୁ ଏହା ଶୁଣି ପ୍ରଶ୍ନର ଉତ୍ତର ଦେବେ କଅଣ, ମୋର ଏ ସର୍ପ କବଳରେ ମୃତ୍ୟୁ ସୁନିଶ୍ଚିନ୍ତ ଭାବି,ଅତି ବ୍ୟଥିତ ହେବାକୁ ଲାଗିଲେ l ଏଣେ ଭୀମଙ୍କ ଅହେତୁକ ବିଳମ୍ବ ଦେଖି ଯୁଧିଷ୍ଠିର ବ୍ୟସ୍ତ ହୋଇପଡ଼ି ତାଙ୍କୁ ଖୋଜି ବାହାରିଲେ l ସେ ଅରଣ୍ୟ ମଧ୍ୟରେ ଖୁବ୍ ଜୋରରେ ଭୀମଙ୍କୁ ଡାକି ଡାକି ଚାଲିଲେ l ମୃତ ବନ୍ୟ ପଶୁମାନଙ୍କୁ ଦେଖି ସେ ଭାବୁଥାନ୍ତି ବୋଧହୁଏ ଭୀମ ଏମାନଙ୍କୁ ମାରି ମାରି ଯାଇଛନ୍ତି l ଏହାକୁ ଅନୁସରଣ କରି କିଛି ଦୂର ଯାଇ ସେ ଦେଖିଲେ, ଭୀମ ଏକ ଭୟଙ୍କର ଅଜଗର କୁଣ୍ଡଳୀ ମଧ୍ୟରେ ପଡ଼ି ମୁକୁଳିବା ପାଇଁ ଭୀଷଣ ସଂଗ୍ରାମ କରୁଛନ୍ତି l ସେ ବ୍ୟଥିତ ହୋଇ ସର୍ପକୁ ଭୀମଙ୍କୁ ଛାଡ଼ି ଦେବାକୁ ପ୍ରାର୍ଥନା କଲେ l ସର୍ପ କିଛି ନ ଶୁଣିବାରୁ, ଯୁଧିଷ୍ଠିର କହିଲେ,”ହେ ସର୍ପରାଜ ତୁମେ ତୁମର ଆହାର ନିମନ୍ତେ ଯାହା ଚାହିଁବ ମୁଁ ଦେବାକୁ ପ୍ରସ୍ତୁତଅଛି,ତୁମେ ଦୟାକରି ମୋର ଏହି ଭାଇକୁ ଛାଡ଼ି ଦିଅ l”

ଏହାଶୁଣି ଅଜଗର ନିଜ ପରିଚୟ ଦେଇ କହିଲା, “ତୁମେ ଯଦି ମୋର କେତେଗୋଟି ପ୍ରଶ୍ନର ଉତ୍ତର ଦେଇ ପାରିବ ତାହେଲେ ମୁଁ ତୁମର ଭାଇକୁ ଛାଡ଼ି ଦେବି l”ଯୁଧିଷ୍ଠିର ସର୍ପ କଥାରେ ସମ୍ମତ ହେବାରୁ ସର୍ପ କେତେ ଗୁଡ଼ିଏ ପ୍ରଶ୍ନ ପଚାରିଲା ଓ ଯୁଧିଷ୍ଟିର ତାହାର ଉତ୍ତର ଦେଲେ l

ସେହି ପ୍ରଶ୍ନୋତ୍ତର ନିମ୍ନ ମତେ ଥିଲା:-
ପ୍ର – ପ୍ରକୃତ ବ୍ରାହ୍ମଣ କିଏ ?
ଉ – ସତ୍ୟ,ଦାନ,କ୍ଷମାଶୀଳତା, ଅକ୍ରୂରତା ଏବଂ ତପସ୍ୟା ଯାହାଙ୍କଠାରେ ଦୃଶ୍ୟମାନ ହୁଏ, ସେ ହିଁ ପ୍ରକୃତ ବ୍ରାହ୍ମଣ l
ପ୍ର – ତାଙ୍କର କଣ ଜାଣିବା ଉଚିତ ?
ଉ – ସୁଖ ଦୁଃଖ ରହିତହୋଇ ଯାହାଙ୍କୁ ଜାଣିଲେ ମନୁଷ୍ୟ ଶୋକ ପ୍ରାପ୍ତ ହୁଏନାହିଁ ସେହି ପରଂବ୍ରହ୍ମ ପରମ ପୁରୁଷଙ୍କୁ ଜାଣିବା ଉଚିତ l
ପ୍ର – ଜନ୍ମ ଦ୍ୱାରା ଜାତି ନିର୍ଣ୍ଣୟ ହୁଏ କି?
ଉ – ଜନ୍ମ ଦ୍ୱାରା ଜାତି ନିର୍ଣ୍ଣୟ ହୁଏ ନାହିଁ l କର୍ମ ଦ୍ୱାରା ହିଁ ଜାତି ନିର୍ଣ୍ଣୟ ହୋଇ ଥାଏ l ନିଜ କର୍ମ ଦ୍ୱାରା ଶୁଦ୍ର ବ୍ରାହ୍ମଣ ଏବଂ ବ୍ରାହ୍ମଣ ଶୁଦ୍ର ଆସନରେ ଆସୀନ ହୋଇପାରେ l

ଯୁଧିଷ୍ଠିରଙ୍କ ଯଥାଯଥ ଉତ୍ତର ଶୁଣି ସର୍ପ ଅଜଗର ଭୀମଙ୍କୁ ବନ୍ଧନମୁକ୍ତ କଲା ଏବଂ ନିଜେ ଶାପମୁକ୍ତ ହୋଇ ଦିବ୍ୟଧାମ ଯାତ୍ରାକଲେ l ଯୁଧିଷ୍ଠିର ଅନୁଜ ଭୀମଙ୍କୁ ସାଥିରେ ଧରି ଆଶ୍ରମ ଫେରି ଆସିଲେ l ଅର୍ଜୁନ ଇତ୍ୟବସରରେ ସ୍ୱର୍ଲୋକରୁ ଦିବ୍ୟାସ୍ତ୍ରମାନ ଲାଭ କରି ଫେରି ଆସିଥାନ୍ତି l ସମ୍ବାଦ ଆସିଥାଏ ଗନ୍ଧର୍ବମାନଙ୍କ ରହଣୀସ୍ଥାନ ଶ୍ୱେତଗିରି ନିକଟରେ ତାଙ୍କର ଭାଇ ମାନଙ୍କ ସହ ସାକ୍ଷାତ ହେବ l ଏଣୁ ଯୁଧିଷ୍ଠିର ଦ୍ରୌପଦୀ ଓ ଭାଇ ମାନଙ୍କୁ ଧରି ରାଜର୍ଷି ବୃଷପର୍ବାଙ୍କୁ କୃତଜ୍ଞତା ଜଣାଇଲେ ଓ ତାଙ୍କ ଠାରୁ ବିଦାୟ ନେଇ ଶ୍ୱେତଗିରି ଅଭିମୁଖେ ଉତ୍ସୁକତାର ସହିତ ଯାତ୍ରା ଆରମ୍ଭ କଲେ l

ନହୁଷଙ୍କ ଶାପ ମୁକ୍ତି ପ୍ରସଙ୍ଗ ଶ୍ରୀମଦ୍ ଭାଗବତର ନବମ ସ୍କନ୍ଧ, ଅଷ୍ଟାଦଶ ଅଧ୍ୟାୟରେ ସଂକ୍ଷେପରେ ବର୍ଣ୍ଣିତ ହୋଇଛି:-
ଭୀମକୁ ବାନ୍ଧିଥିବୁ ତୁହି l
ସେ ପୁଣି ତୋର ପାଶେ ଯାଇ ll
ଧର୍ମ କହିବେ ତୋତେ ଯେବେ l
ନିସ୍ତାର ତୋର ହେବ ତେବେ ll
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights