ଏହି ସୁନ୍ଦର୍ ଭକ୍ତି କଥା, ଶ୍ରୀମଦ୍ଭାଗବତର ନବମ ସ୍କନ୍ଧ ଚତୁର୍ଥ/ପଞ୍ଚମ ଅଧ୍ୟାୟରେ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି l
=============
ବୈବସ୍ୱତ ମନୁଙ୍କର ପୁତ୍ର ଥିଲେ ନଭଗ l ତାଙ୍କର ଏକ ପୁତ୍ର ହେଲା l ପିତାଙ୍କ ନାମ ଅନୁସାରେ ତାର ନାମ ହେଲା ନାଭାଗ l ସେ ନଭଗଙ୍କର ସାନ ପୁଅ ଥିଲା l ତାଙ୍କର ପାଠପଢ଼ିବା ବୟସ ହେବାରୁ ସେ ଗୁରୁଗୃହରେ ରହି ପାଠ ପଢ଼ିଲେ l ଦୀର୍ଘକାଳ ଗୁରୁ ଗୃହରେ ରହି ସେ ବ୍ରହ୍ମଚର୍ଯ୍ୟବ୍ରତ ପାଳନକରି ବ୍ରହ୍ମ ବିଦ୍ୟା ହାସଲ କରି ଘରକୁ ଫେରିଲେ l
ଇତ୍ୟବସରେ ତାଙ୍କର ଅନ୍ୟ ଭାଇମାନେ ପିତାଙ୍କ ସମ୍ପତ୍ତି ବାଣ୍ଟ କରିନେଲେ l ବିଦ୍ୱାନ ନାଭାଗ ଆସି ପହଞ୍ଚିବାରୁ ସେମାନେ ତାଙ୍କର ଭାଗ ସ୍ଵରୂପ ତାଙ୍କୁ କୌଣସି ସମ୍ପତ୍ତି ନ ଦେଇ ପିତାଙ୍କୁ ଦେଲେ l ଏହା ଜାଣି ସେ ଯାଇ ପିତା ନଭଗଙ୍କୁ କହିଲେ, ମୋତେ ବଡ଼ ଭାଇମାନେ ସମ୍ପତ୍ତିର ଭାଗ ସ୍ଵରୂପ ଆପଣଙ୍କୁ ଦେଇଛନ୍ତି l
ଏକଥା ଶୁଣି ନଭଗ କହିଲେ, ହେଉ ! ବାବୁରେ ସଂପତ୍ତି ପାଇଁ ଆଉ ମନ ଦୁଃଖ କରନାଁ l ମୁଁ ଯାହା କହୁଛି, ତାହା କର ବହୁତ ଧନ ପାଇବୁ l ନିକଟରେ ଅଙ୍ଗୀରସ ଗୋତ୍ରୀ ବ୍ରାହ୍ମଣ ମାନେ ଏକ ବିରାଟ ଯଜ୍ଞ କରୁଛନ୍ତି l ଯଜ୍ଞର ପ୍ରତି ଛଅଦିନରେ ଗୋଟିଏ ବୈଶ୍ୱଦେବ କର୍ମ କରାଯାଏ l ସେମାନେ ସେ କର୍ମ କଲାବେଳେ ଏକ ଭୁଲ୍ କରି ଦେଉଛନ୍ତି ଯାହା ଫଳରେ ସେମାନଙ୍କର ଯଜ୍ଞ ସମାପ୍ତ ହୋଇ ପାରୁ ନାହିଁ କି ସେମାନେ ସ୍ବର୍ଗକୁ ଯାତ୍ରାକରି ପାରୁ ନାହାଁନ୍ତି l ତୁ ତ ବିଦ୍ୱାନ l ତୁ ସେମାନଙ୍କ ନିକଟକୁ ଯାଇ ବୈଶ୍ୱଦେବ ସମ୍ବନ୍ଧୀୟ ଦୁଇଟି ସୂକ୍ତ କହିବୁ l ସେଥିରେ ତାଙ୍କ ଯଜ୍ଞ ଶେଷ ହେବ l ତୋ ଉପରେ ସେମାନେ ବହୁତ ପ୍ରସନ୍ନହେବେ l ଯଜ୍ଞ ଶେଷରେ ଯେତେବେଳେ ସେମାନେ ସ୍ୱର୍ଗକୁ ଯିବେ ତୋତେ ଯଜ୍ଞରୁ ବଳିଥିବା ସମସ୍ତ ଧନ ଦେଇଯିବେ l
ପିତାଙ୍କ କଥା ଅନୁସାରେ, ନାଭାଗ ତାହା କଲେ l ସତକୁ ସତ ଅଙ୍ଗିରସ ବ୍ରାହ୍ମଣମାନେ ତାଙ୍କୁ ଯଜ୍ଞରୁ ବଳି ପଡ଼ିଥିବା ସବୁ ଧନ ଦେଇ ଚାଲିଗଲେ l କିନ୍ତୁ ନାଭାଗ ଯେତେବେଳେ ସେହିସବୁ ଧନ ନେବାକୁ ଗଲେ, ଗୋଟିଏ ବିଚିତ୍ର ଘଟଣା ଘଟିଲା l ଉତ୍ତର ଦିଗରୁ ଜଣେ କୃଷ୍ଣକାୟ ପୁରୁଷ ପହଂଚି କହିଲେ, ଏହି ଯଜ୍ଞ ଭୂମିରେ ଯାହା ଯାହା ବଳିଛି, ସେ ସବୁ ମୋର l ନାଭାଗ କହିଲେ, ନାଁ,ଏ ସବୁ ଯାକ ଧନ ମୋର l ମୋତେ ଏଠାରେ ଯଜ୍ଞ କରୁଥିବା ବ୍ରାହ୍ମଣ ମାନେ ଏହା ଦେଇ ଯାଇଛନ୍ତି l
ଦୁହିଁଙ୍କ ମଧ୍ୟରେ ଏପରି ବିବାଦ ଲାଗି ଥାଏ l ଏହି ସମୟରେ କୃଷ୍ଣକାୟବ୍ୟକ୍ତି ଜଣକ କହିଲେ, ମୋ ସହିତ ତୁମେ ବିବାଦ ନ କରି,ଯାଇ ତୁମ ପିତାଙ୍କୁ ପଚାର, ସେ ଜାଣନ୍ତି ଏଧନ କହାର l
ତାଙ୍କ କଥା ଶୁଣି ନାଭାଗ ପିତାଙ୍କୁ ଯାଇ ଏକଥା ପଚାରିଲେ l ପୁତ୍ରଙ୍କର ପ୍ରଶ୍ନ ଶୁଣି ନଭଗ କହିଲେ, ପୂର୍ବେ ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ସମୟରେ ୠଷି ମାନେ ନିର୍ଣ୍ଣୟ କରି ଯାଇଛନ୍ତି ଯେ, ଯଜ୍ଞ ଭୂମିରେ ଯାହା ବଳିବ, ତାହା ରୁଦ୍ରଙ୍କୁ ପ୍ରାପ୍ତ ହେବ l
ନାଭାଗ ଜାଣି ପାରିଲେ, ସେହି କୃଷ୍ଣକାୟ ପୁରୁଷ ଜଣକ ହେଉଛନ୍ତି ସ୍ଵୟଂ ଭଗବାନ୍, ରୁଦ୍ର l ଫେରି ଆସି ସେ ଋଦ୍ରଙ୍କୁ ନମସ୍କାର କରି କହିଲେ, ପ୍ରଭୁ ! ମୋ ଭୁଲ୍ ପାଇଁ ମୋତେ କ୍ଷମା କରିବେ l ଯଜ୍ଞରୁ ବଳିଥିବା ସମସ୍ତ ବସ୍ତୁ ଆପଣଙ୍କର l ଏଣୁ ଆପଣ ତାହା ନିଅନ୍ତୁ l
ଏହାଶୁଣି ଭଗବାନ୍ ରୁଦ୍ର କହିଲେ, ତୁମ ପିତା ଧର୍ମାନୁକୂଳ ନିର୍ଣ୍ଣୟ ନେଇଛନ୍ତି l ତୁମେ ମଧ୍ୟ ମୋତେ ସତ୍ୟ କହିଛ l ଏଥିରେ ମୁଁ ସନ୍ତୁଷ୍ଟ l ତୁମେ ବେଦର ଅର୍ଥ ଜାଣିଛ, ବର୍ତ୍ତମାନ ତୁମକୁ ମୁଁ ସନାତନ ବ୍ରହ୍ମଜ୍ଞାନ ପ୍ରଦାନ କରୁଛି ଓ ମୋ ପାଇଁ ଉଦ୍ଦିଷ୍ଟ ଏହିସବୁ ଧନ ପ୍ରଦାନକରୁଛି l ତୁମେ ଏହା ଗ୍ରହଣ କର l ଏହା କହି ଭଗବାନ୍ ରୁଦ୍ର ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ l
ନାଭାଗ ଭଗବାନ ରୁଦ୍ରଙ୍କ ପ୍ରଦତ୍ତ ବ୍ରହ୍ମଜ୍ଞାନ ଏବଂ ସମସ୍ତ ଧନନେଇ ରାଜ୍ୟକୁ ଫେରିଆସିଲେ l ସେ ଅନେକ କାଳ ଯାଏ ସୁଖରେ ପ୍ରଜାପାଳି ଶେଷକୁ ଗୋବିନ୍ଦଙ୍କଠାରେ ଲୀନହେଲେ l ତାଙ୍କ ବ୍ରହ୍ମଜ୍ଞାନ ପ୍ରାପ୍ତି ତଥା ବ୍ରହ୍ମଲୀନ ଗାଥାକୁ ଶ୍ରୀମଦ୍ ଭାଗବତ ବର୍ଣ୍ଣନା କଲେ:-
ଏମନ୍ତେ ସେ ନାଭାଗ ରାଜା l
ସୁଖେ ପାଳିଲା ଜନ ପ୍ରଜା ll
ଅନେକ କାଳ ରାଜ୍ୟ କଲା l
ଅନ୍ତେ ସେ ଗୋବିନ୍ଦେ ପଶିଲା ll
ନଭଗ ପୁତ୍ର ନାଭାଗଙ୍କ ପୁତ୍ର, ଥିଲେ ମହାନ୍ ବିଷ୍ଣୁ ଭକ୍ତ, ରାଜା ଅମ୍ବରୀଷ l ଦିନେ ଅମ୍ବରୀଷଙ୍କ ଭକ୍ତି ପାଖରେ ମହାମୁନି ଦୁର୍ବାସା ପରାସ୍ତ ହୋଇଥିଲେ l ଏହି ସୁନ୍ଦର୍ ଭକ୍ତି କଥା, ଶ୍ରୀମଦ୍ଭାଗବତର ନବମ ସ୍କନ୍ଧ ଚତୁର୍ଥ/ପଞ୍ଚମ ଅଧ୍ୟାୟରେ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି l
! ଓଁ ନମଃ ଭଗବତେ ବାସୁଦେବାୟ !
🙏🙏🙏
ଅର୍ଜୁନୀ
———–
ମୋ -7693091971