ରାଜନୀତିରେ କଣିକ ମନ୍ତ୍ରଣା ….

Share it

ଚିନ୍ତିତ ଧୃତରାଷ୍ଟ୍ର
============

ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଅଧୀନରେ ସମସ୍ତ କୌରବ ଏବଂ ପଣ୍ଡୁ ରାଜପୁତ୍ର ମାନଙ୍କର ଅସ୍ତ୍ର ଶିକ୍ଷା ସମାପ୍ତ ହେଲା ଓ ଅସ୍ତ୍ର ପରୀକ୍ଷାରେ ସମସ୍ତେ କୃତିତ୍ଵର ସହ ନିଜ ନିଜ ପାରଦର୍ଶିତା ପ୍ରତିପାଦନ କଲେ । ଏହାର ବର୍ଷକ ପରେ ଧୃତରାଷ୍ଟ୍ର ଜ୍ୟେଷ୍ଟକୁମାର ଯୁଧିଷ୍ଠିରଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କଲେ ଯୁଧିଷ୍ଠିର ଅଳ୍ପ ଦିନ ମଧ୍ୟରେ ନିଜ ସ୍ଵଭାବ ଚରିତ୍ର ସଦଗୁଣ ଯୋଗୁଁ ପ୍ରଜାମାନଙ୍କର ଅତିଶୟ ପ୍ରିୟପାତ୍ର ହୋଇପଡ଼ିଲେ । ଭୀମ, ଅର୍ଜୁନ, ନକୁଳ, ସହଦେଵ କେହି କାହାରିକୁ କମ୍ ନଥିଲେ ।

ପାଣ୍ତବ ମାନେ ବହୁରାଜ୍ୟ ଜୟକରି କୁରୁରାଜ୍ୟର ସୀମା, ଯଶ ଓ ଐଶ୍ୱର୍ଯ୍ୟ ବଢ଼ାଇବାକୁ ଲାଗିଲେ । ଚାରି ଆଡ଼େ ପାଣ୍ତବ ମାନଙ୍କର ଭୂୟସୀ ପ୍ରଶଂସା ହେବାକୁ ଲାଗିଲା । ପାଣ୍ତବମାନଙ୍କ ସବୁରି ମୁଖରେ ପ୍ରଶଂସା ଶୁଣି ଶୁଣି ଓ ନିଜ ପୁତ୍ରମାନଙ୍କର କୌଣସି ପ୍ରଶଂସା ନ ଶୁଣି, ଧୃତରାଷ୍ଟ୍ର ବଡ଼ ଦୁଃଖିତ ହୋଇ ପଡ଼ିଲେ । ଦୁଶ୍ଚିନ୍ତାରେ ତାଙ୍କୁ ଆଉ ରାତ୍ରୀରେ ନିଦ ଲାଗିଲା ନାହିଁ ।

ଧୃତରାଷ୍ଟ୍ରଙ୍କର ବହୁ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ମନ୍ତ୍ରଣା ଦାତା ଥିଲେ, କଣିକ । ଦିନେ ତାଙ୍କୁ ଧୃତରାଷ୍ଟ୍ର ଡାକି କହିଲେ, କଣିକ ! ପାଣ୍ଡୁପୁତ୍ର ମାନଙ୍କ ଖ୍ୟାତି ଦିନକୁ ଦିନ ବଢ଼ିଚାଲିଛି । ଏହାଶୁଣି ମୁଁ ବଡ଼ ଚିନ୍ତାରେ ପଡ଼ି ଯାଇଛି । କଅଣ କରିବି କିଛି ସ୍ଥିର କରି ପାରୁନାହିଁ । ତୁମେ ମୋତେ କିଛି ପରାମର୍ଶ ଦିଅ ଯଦ୍ୱାରା ମୋର ଏ ଚିନ୍ତା ଦୂର ହୋଇପାରିବ ।

ମନ୍ତ୍ରୀକଣିକ କହିଲେ, ହେ ରାଜା ! ଆପଣ ଜାଣି ରଖନ୍ତୁ, ସବୁବେଳେ ନିଜ ଦୋଷ ଓ ଛିଦ୍ରକୁ ଲୁଚାଇ ରଖି ଶାସନ କାରାଯାଏ । ଶାସନଦଣ୍ଡ ଦ୍ୱାରା ଲୋକଙ୍କ ମନରେ ଭୟ ସଂଚାର କରି, ରାଜ୍ୟ ଶାସନ କରିବାକୁ ହେବ । ବିଷ ବୃକ୍ଷକୁ ଯେପରି ସମୁଳେ ନଷ୍ଟ କରାଯାଏ ସେପରି କୌଣସି ଶତ୍ରୁର ଶେଷରଖିବା ଉଚିତ୍ ନୁହେଁ । ରାଜାର ଉଚିତ୍ ହେଉଛି, ଯଦି ନିଜ ପୁତ୍ର, ମିତ୍ର, ପିତା, ଭାଇ, କୁଟୁମ୍ବ ଏପରିକି ନିଜ ଗୁରୁ ମଧ୍ୟ ଯଦି ଶତ୍ରୁତା କରନ୍ତି ତାଙ୍କୁ ନିର୍ମମଭାବେ ହତ୍ୟାକରିବା ଉଚିତ୍ । ସ୍ନେହବିବର୍ଜିତ ହୋଇ ନିଷ୍ଠୁରକର୍ମ ଦ୍ଵାରା ନିଜ ଲକ୍ଷ୍ୟସାଧନ କରିବା ହେଇଛି ରାଜାର ଧର୍ମ ।

ପାଣ୍ଡୁ ପୁତ୍ରମାନେ ଆପଣଙ୍କ ନିକଟ ସ୍ୱଜନ ହେଲେ ମଧ୍ୟ ତାଙ୍କଦ୍ଵାରା ଆପଣଙ୍କର କୌଣସି ଉନ୍ନତି ହେବ ନାହିଁ । ତେଣୁ ଆପଣ ଏପରି ଗୋଟିଏ ଉପାୟ କରନ୍ତୁ ଯହାଦ୍ୱାରା ଆପଣଙ୍କୁ ଆଉ ଭବିଷ୍ୟତରେ କୌଣସି ପଶ୍ଚାତାପ କରିବାକୁ ପଡ଼ିବ ନାହିଁ । ଧୃତରାଷ୍ଟ୍ରଙ୍କ ମନକୁ ଏକଥା ପାଇଲା ।

ଏପଟେ ଦୁର୍ଯ୍ୟୋଧନ ମାତୁଳ ଶକୁନି, କର୍ଣ୍ଣ ଓ ଭାଇ ଦୁଃଶାସନଙ୍କ ସହ ମନ୍ତ୍ରଣାରେ ଲାଗିପଡ଼ିଥାଏ ରାଜା ଧୃତରାଷ୍ଟ୍ରଙ୍କୁ ପ୍ରଭାବିତ କରି, ପାଣ୍ଡବ ମାନଙ୍କୁ କିପରି ହସ୍ତୀନା ବାହାରକୁ ପଠାଇ ଦେଇ, ସେଇଠି ନିପାତ କରିଦିଆ ଯିବ । ଏପରି ମନ୍ତ୍ରଣା ପରେ ଦୁର୍ଯ୍ୟୋଧନ ଆସି ଧୃତରାଷ୍ଟ୍ରଙ୍କୁ କହିଲା, ଆପଣ ଜନ୍ମାନ୍ଧ । ତେଣୁ ରାଜା ହୋଇ ପାରିଲେ ନାହିଁ । ପାଣ୍ଡୁ କନିଷ୍ଠ ହୋଇ ମଧ୍ୟ୍ୟ ରାଜାହେଲେ । ଏବେ ତାଙ୍କ ପୁତ୍ର ଯୁବରାଜ। ଥରେ ଚିନ୍ତାକରନ୍ତୁ ସେ ରାଜା ହେଲେ ଆମମାନଙ୍କ ଅବସ୍ଥା କଅଣ ହେବ ? ଏଣୁ ଆପଣ ପାଣ୍ଡବମାନଙ୍କୁ ଯଥା ଶୀଘ୍ର ହସ୍ତିନାରୁ ନିର୍ବାସିତ କରନ୍ତୁ ।

ଧୃତରାଷ୍ଟ୍ର କହିଲେ,ପୁତ୍ର ! ତୁମେ ଠିକକଥା କହିଲ । ପରନ୍ତୁ ଭୀଷ୍ମ, ଦ୍ରୋଣ, ବିଦୁର ଓ କୃପାଚାର୍ଯ୍ୟ ଏହା ଗ୍ରହଣ କରିବେ ତ? ପୁଣି ପାଣ୍ଡୁଙ୍କ ଦ୍ଵାରା ଏ ବିରାଟ କୌରବ ସେନା ଗଢ଼ା ହୋଇଥିଲା । ପାଣ୍ଡବ ମାନେ ନିର୍ବାସିତ ହେଲେ ସେମାନେ ଆମକୁ କେବେ କ୍ଷମା ଦେବେ ନାହିଁ ।

ଦୁର୍ଯ୍ୟୋଧନ କହିଲେ, ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ପ୍ରଚୁର ଧନ ଦାନ ଦ୍ଵାରା କୌରବ ସେନାଙ୍କୁ ବଶ କରି ନେଇଛି । ପିତାମହ ଭୀଷ୍ମଙ୍କର ତ କୌଣସି ପକ୍ଷପାତ ନାହିଁ । ପୁତ୍ର ଅଶ୍ଵତ୍ଥାମା ଆମ ପକ୍ଷରେ ଥିବା ହେତୁ ଦ୍ରୋଣ ମଧ୍ୟ୍ୟ ଆମ ପକ୍ଷ ଛାଡ଼ି ପାରିବେନାହିଁ । ବିଦୁର ହୁଏତ ଗୋପନରେ ପାଣ୍ଡବ ମାନଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ବିଦୁର ଏକୁଟିଆ କଅଣ କରିପାରିବେ । ଆପଣ ଆଦୌ ଭୟ ନକରି ପାଣ୍ଡବ ମାନଙ୍କୁ ତାଙ୍କ ମାତାଙ୍କ ସହିତ ବାରଣାବତ ନଗରୀକୁ ପଠାଇ ଦିଅନ୍ତୁ ।

ପୁତ୍ର କଥାରେ ପ୍ରଭାବିତ ହୋଇ ଧୃତରାଷ୍ଟ୍ର ଅମାତ୍ୟ ମାନଙ୍କୁ ନିର୍ଦ୍ଦେଶ ଦେବାରୁ ସେମାନେ ଯାଇ ପାଣ୍ତବ ମାନଙ୍କ ପାଖରେ ପହଞ୍ଚି ବାରଣାବତର ସୋନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ମହତ୍ତ୍ଵ ଆଦି ବିଷୟ ବର୍ଣ୍ଣନା କରିବାକୁ ଲାଗିଲେ । ଅମାତ୍ୟମାନେ ପୁଣି କହିଲେ, ପଶୁପତି ଶିବଙ୍କର ସେଠାରେ ଏକ ବଡ଼ ଉତ୍ସବ ହେବ । ବହୁ ଲୋକଙ୍କ ସମାଗମ ହେବ। ସମସ୍ତେ ସେଠିକି ଯିବା ଉଚିତ୍ । ଏପରି ଶୁଣି ପାଣ୍ତବମାନଙ୍କର ବାରଣାବତ ଯିବାପାଇଁ ଇଚ୍ଛା ହେଲା । ଧୃତରାଷ୍ଟ୍ର ଏହି ସମୟରେ ସେମାନଙ୍କୁ ଡାକି କହିଲେ, ପୁତ୍ରମାନେ ! ତୁମେ ସବୁ ପଶୁପତିଙ୍କ ଏ ଉତ୍ସବ ଦେଖିବାକୁ ଯାଅ । ସେଠାରେ ପ୍ରଜାମାନେ ତୁମକୁ ସ୍ବାଗତ କରିବେ ।

ଯୁଧିଷ୍ଠିର ମାତା କୁନ୍ତୀଙ୍କ ସହିତ ଚାରିଭାଇଙ୍କୁ ଘେନି ବାରଣାବତକୁ ଚାଲିଲେ । ଦୁର୍ଯ୍ୟୋଧନଙ୍କ ଆନନ୍ଦର ସୀମା ରହିଲା ନାହିଁ । ସେ ପୁରୋଚନ ନାମକ ଏକ ବିଶ୍ଵସ୍ତ ମନ୍ତ୍ରୀଙ୍କୁ କହିଲେ, ତୁମେ ସେଠାରେ ପାଣ୍ତବ ମାନଙ୍କ ରହିବା ପାଇଁ, ଖୁବ୍ ଶୀଘ୍ର ଗୋଟିଏ ସୁରମ୍ୟ ପ୍ରସାଦ ନିର୍ମାଣ କର । ସେହି ପ୍ରସାଦକୁ ତୁମେ ଘିଅ ତେଲ,ଝୋଟ,କାଠ, ଘାସ ଏବଂ ଲାଖ ଆଦି ଦାହ୍ୟ ବସ୍ତୁରେ ନିର୍ମାଣ କର, ଯେପରି ତାହା ନିଆଁ ଧରିବା ମାତ୍ରେ ପୋଡ଼ି ଭସ୍ମ ହୋଇଯିବ । ଆଉ ମନେରଖ ! ପାଣ୍ତବମାନେ ଯେପରି ଏହା ଏକ ଜତୁଗୃହ ବୋଲି ଜାଣି ପାରିବେ ନାହିଁ। ପାଣ୍ତବ ମାନେ ଜତୁ ଗୃହରେ କିଛିଦିନ ବାସକରିବା ପରେ ତୁମେ ଦିନେ ସୁଯୋଗ ଦେଖି ରାତିରେ ସେମାନେ ନିଦ୍ରିତ ଥିବା ଅବସ୍ଥାରେ ସେହି ଗୃହରେ ଅଗ୍ନି ସଂଯୋଗ କରିଦେବ । ଏକଥା ତୁମଛଡ଼ା ଯେପରି ଅନ୍ୟ କେହି ନଜାଣେ । ସେପରି କରିବେ ବୋଲି କହି ପୁରୋଚନ ଯାଇ ବାରଣାବତ ନଗରୀରେ ହାଜର ହେଲେ ।

ଦିନେ କୁନ୍ତୀ ସେଠାରେ ବ୍ରାହ୍ମଣ ଭୋଜନ ଦେଲେ । ଖାଦ୍ୟ ଓ ପାନୀୟରେ ତୃପ୍ତ ହୋଇ ରାତିରେ ଜଣେ ନିଷାଦ ସ୍ତ୍ରୀ ତାର ପାଞ୍ଚ ପୂତ୍ରକୁ ଧରି ସେଇଠି ଶୋଇ ଥାଏ । ପୁରୋଚନ ମଧ୍ୟ, ନିଦ୍ରିତ । ଯୁଧିଷ୍ଠିର ଭୀମଙ୍କୁ ଏହି ସମୟରେ ନିର୍ଦ୍ଦେଶ ଦେଲେ ଜତୁଗୃହରେ ଅଗ୍ନି ଲଗାଇଦେବାକୁ । ଭୀମ ଅଗ୍ନି ଲଗାଇଦେବାରୁ ହୁତ ହୁତ ହୋଇ ଜଉଘର ଜଳିଗଲା । ପୁର୍ବରୁ ବିଦୂରଙ୍କ ଦ୍ବାରା ପ୍ରସ୍ତୁତ ଏକ ଗୁପ୍ତସୁଢ଼ଙ୍କ ଦେଇ ପାଣ୍ତବମାନେ ସେଠାରୁ ଖସି ପଳାଇଲେ । ହସ୍ତୀନାରେ ପାଞ୍ଚୋଟି ଦଗ୍ଧ ଶରୀରର ଖବର ପହଞ୍ଚିବା କ୍ଷଣି ସମସ୍ତେ ଧରି ନେଲେ କୁନ୍ତୀଙ୍କ ସହ ତାଙ୍କ ପାଞ୍ଚପୁତ୍ର ଏହି ଅଗ୍ନିରେ ଦଗ୍ଧ ହୋଇଯାଇଛନ୍ତି । ଧୃତରାଷ୍ଟ୍ର ଉପରେ ଉପରେ ଶୋକ ପ୍ରକାଶ କରୁ ଥିଲେ ମଧ୍ୟ ଭିତରେ ଆନନ୍ଦିତ ହେଉଥିଲେ । ଭୀଷ୍ମ ଏବଂ ଅନ୍ୟ କୁରୁବଂଶୀ ମାନେ ପାଣ୍ଡବମାନଙ୍କ ଉଦ୍ଦେଶ୍ୟରେ ତର୍ପଣାଦି ଶେଷକୃତ୍ୟ ସମ୍ପନ୍ନକଲେ । କିନ୍ତୁ ବିଦୁର ଏଥିରେ ଯୋଗଦେଲେ ନାହିଁ କି କୌଣସି ଶୋକ କଲେନାହିଁ ।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights