ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଗପଟିଏ

Share it

Mo Lekha
My Facebook Post: 24th August 2018

ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଗପଟିଏ

ମୋ ରାକ୍ଷୀ ଉପରେ ବିଲେଇ ଛିଙ୍କିଦେବା ପରଠୁ ଆଜିଯାଏ –

ଏ ଫଟୋ ଟି ମୋର ।
ମୁଁ ସେତେବେଳେ ଏକାଦଶ ଶ୍ରେଣୀରେ ପଢୁଥିଲି । ଆମ ଶ୍ରେଣୀରେ ଜଣେ ମାତ୍ର ଝିଅ ପଢୁଥିଲା । ସେ ମୋ ହାତରେ ରାକ୍ଷୀ ବାନ୍ଧିବାକୁ ଚାହୁଁ ନଥିଲା, କିନ୍ତୁ ଅନ୍ୟମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ତା’ର ସମାନ୍ଯତମ କୁଣ୍ଠା ବି ନଥିଲା, ମୋ ମନ ବହୁତ ଦୁଃଖ ହେଉଥିଲା । ମୋ ହାତ ତାକୁ ଅସୁନ୍ଦର ଲାଗୁଛି ଭାବି ମୋତେ କାନ୍ଦ ମାଡୁଥିଲା । ସମସ୍ତେ କୃତ୍ଯ କୃତ୍ଯ ହୋଇ ମୋର ଅସହାୟତାକୁ କଣେଇ କଣେଇ ଚାହିଁ ମୁରୁକି ହସୁଥିଲେ ।

ମୁଁ ମୋ ସାଙ୍ଗମାନଙ୍କ ପରି ସୁନ୍ଦର ନୁହେଁ – ଏଇ ଭାବନା ସେଇ ଗୋଟାଏ ଦିନ ମୋ ଉପରେ ଦୁଃଖର ପାହାଡ ହୋଇ ଭାଙ୍ଗି ପଡୁଥିଲା। ସେଇ କଅଁଳ ବୟସରେ ମୋ ନୀରିହ ମନ, ସେଇ ଦିନଟି ମୋ ପାଇଁ ସବୁଠୁ ବଡ ଦୁଃଖ ଓ ଅପମାନର ଦିନ ବୋଲି ଭାବି, ମୁହଁ ତଳକୁ କରି ସ୍କୁଲ୍ ଛୁଟିଘଣ୍ଟା ବାଜିବା ପର୍ଯ୍ଯନ୍ତ ଅନ୍ଯ କିଛି ଭାବି ପାରୁ ନଥିଲା।

ଅନ୍ଯ ପିଲାମାନେ ଘରୁ ତାଙ୍କ ଭଉଣୀମାନଙ୍କଠାରୁ ଗୋଟାଏ ଲେଖା ରାକ୍ଷୀ ବାନ୍ଧିକରି ଆସୁଥିଲେ, ତା ଉପରେ ସେ ଆଉ ଗୋଟାଏ ଲେଖା ରାକ୍ଷୀ ବାନ୍ଧି ଦେଉଥିଲା । ମୋ ପାଇଁ ସେତେକ ସୁବିଧା ମଧ୍ଯ ନ ଥିଲା, କାରଣ ମୋ ବୋଉର ଝିଅ ନଥିଲେ ।

ଦୁଃଖ ଅପମାନରେ ଜର୍ଜରିତ ମୋର ମୁହଁକୁ ଯିଏ ଦେଖୁଥିଲା ସିଏ ଅନାୟାସରେ ବୁଝିପାରୁଥିଲା ମୋ ମନ ଦୁଃଖର କାରଣ । ଅନ୍ଯ କ୍ଲାସ୍ ଝିଅମାନେ କେହି କେହି ମଧ୍ଯ ତାକୁ ଅନୁରୋଧ କରୁଥିଲେ ମୋ ହାତରେ ରାକ୍ଷୀଟିଏ ବାନ୍ଧି ଦେବାକୁ, ସିଏ ନ ଶୁଣିଲା ପରିକା ବାଟ ଆଡେଇ ଚାଲିଯାଉଥିଲା, ସେମାନଙ୍କ ଉପରେ ରାଗି ଯାଉଥିଲା ବି । ମୁହଁ ଛିଞ୍ଚାଡି କହୁଥିଲା, ତୁ ବାନ୍ଧି ଦେଉନୁ ।

କଥାରେ ଅଛି ଅନ୍ଯକୁ ବୁଦ୍ଧି କହିଦେବା ସହଜ, ନିଜ ଉପରେ ପଡିଲେ ସେମାନେ ମଧ୍ଯ ପଛ ଘୁଞ୍ଚା ଦେଉଥିଲେ ।

ସେ ଅପମାନ ସହିବା ମୋ ପାଇଁ ସବୁଠୁ କଷ୍ଟଦାୟକ ହେଉଥିଲା, କାରଣ ସେ କଥା ମୁଁ ଶୁଣିବାକୁ ନ ଚାହିଁଲେ ବି ମୋ ଶ୍ରେଣୀ ସାଂଗମାନେ ଜାଣିଶୁଣି ସେ କଥା ମୋ କାନରେ ପକେଇ ଦେଉଥିଲେ ଯେ, କେହି ଝିଅ ମୋ ହାତରେ ରାକ୍ଷୀ ବାନ୍ଧିଦେବାକୁ ରାଜି ହେଉ ନାହାନ୍ତି, ସେମାନେ ଏପରି କରୁଥିଲେ ମୋ ଉପରେ କିଛି ଗୋଟାଏ ପ୍ରତିଶୋଧ ନେବାପାଇଁ କି କ’ଣ !

ମୁଁ ସ୍କୁଲ୍ ରେ କେବେ ମାଡ ଖାଉ ନଥିଲି, ସବୁ ଶିକ୍ଷକ ମୋତେ ଭଲ ପାଉଥିଲେ, ସବୁଠୁ ଭଲ ପଢୁଛି ବୋଲି କହୁଥିଲେ, ଯଦିଓ ମୁଁ ଜାଣିଥିଲି ମୋର ଜ୍ଞାନ ଗାରିମା କିଛି ନଥିଲା । ବୋଧହୁଏ ସେଇ ରାଗର ପ୍ରତିଶୋଧ ନେଉଥିଲେ ସେମାନେ, ସେଇ ଗୋଟାଏ ଦିନ ।

ସତରେ ମୁଁ ଦୁଃଖ ଅପମାନରେ ଭାଙ୍ଗି ପଡୁଥିଲି, ସବୁଠୁ ଆଶ୍ଚର୍ଯ୍ଯର କଥା ସିଏ ବି ହସୁ ନଥିଲା, ଦିନ ସାରା ଗୁମ୍ ସୁମ୍ ରହୁଥିଲା । ମୁଁ ଜାଣେ ସେ ମୋଠାରୁ ଢେର ଚାଲାକ ଚତୁର ଥିଲା, ମୋ ଠାରୁ ସେ ଢେର୍ ଅଧିକ କଥା ଜାଣିଥିଲା, ବିଭିନ୍ନ ବିଦ୍ଯାଳୟ କାର୍ଯ୍ଯକ୍ରମରେ ବିଦଗ୍ଧ କବି ଅଭିମନ୍ଯୁ ସାମନ୍ତସିଂହାରଙ୍କ ଛାନ୍ଦ – “ଧୀରେ ରାଧା କର ଧରି କହୁଛନ୍ତି ଦୂତୀ କି, ଦୂତୀ ଗୋ ପ୍ରାଣ ବନ୍ଧୁଙ୍କୁ କହିବୁ ଟି ଏତିକି…….. “, “ସହଜେ ଗୋପାଳ ଜାତି, କାହୁଁ ଜାଣିବେ ପୀରତି ….. “ , ଇତ୍ଯାଦି ଖୁବ୍ ସୁନ୍ଦର ଗାଉଥିଲା, ଖୁବ୍ ଭଲ ପଢୁଥିଲା, ଅବଶ୍ଯ ସ୍କୁଲ୍ ରେ ଦ୍ୱୀତିୟ ହେଉଥିଲା ; ସେଇ ରାଗରେ ରାକ୍ଷୀ ବାନ୍ଧୁ ନଥିଲା କିମ୍ୱା ମୋର ଚେହେରା ତା’ର ପସନ୍ଦ ହେଉ ନଥିଲା ।

ମୋ ପୁଅ ସବୁଠୁ ସୁନ୍ଦର ବୋଲି ମୋ ବୋଉ କହୁଥିବା ସତ୍ୱେ ମୁଁ ସ୍କୁଲ୍ ରେ ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଅପମାନ ପାଇ ଫେରୁଥିଲି ।

ସେ ବିଲେଇ ଆରମ୍ଭରୁ ମୋ ରାକ୍ଷୀ ଉପରେ ଏମିତି ଛିଙ୍କିଦେଇ ଯାଇଛି ଯେ, ତା ପରେ ଆଜିଯାଏ ମୁଁ ଯେତେ ଝିଅଙ୍କ ସଂସ୍ପର୍ଶରେ ଆସିଛି, କେହି ମୋ ହାତରେ ରାକ୍ଷୀ ବାନ୍ଧିଦେବାକୁ କେବେ ବି ଇଚ୍ଛା ପ୍ରକାଶ କରି ନାହାନ୍ତି ।

ଏ ଫଟୋଟି ମୁଁ ଉଠାଇ ଥିଲି, ଏକାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡମିଟ୍ କାର୍ଡରେ ମାରିବା ପାଇଁ । ଆପଣ ଏ ଫଟୋଟି ଦେଖନ୍ତୁ, ଆଉ କୁହନ୍ତୁ ସତରେ କ’ଣ ମୁଁ ଏତେ ଅସୁନ୍ଦର ? ରୂପରେ ବି, ଗୁଣରେ ବି ??

ସବୁ ବର୍ଷପରି ଏ ବର୍ଷ ମଧ୍ଯ ରାକ୍ଷୀ ପୂର୍ଣ୍ଣିମାରେ ଓଡିଶାରେ କମ୍ ସେ କମ୍ କୋଟିଏ ଟଙ୍କାର ରାକ୍ଷୀ ବିକ୍ରୀ ହେବ, କିନ୍ତୁ ମୋ ହାତରେ ହୁଏତ କେହି ଗୋଟିଏ ବି ବାନ୍ଧିବେନି । ସତେ ଯେମିତି ସେ ବିଲେଇ ଛିଙ୍କି ଦେବା ପରଠୁ ମୋ ରାକ୍ଷୀ ମାରା ହୋଇଯାଇଛି !

( ଏହା ଗପଟିଏ ମାତ୍ର, ଏମିତି ଗପ ଲେଖିବାକୁ କଣ ମନା ? )

Laxmidhar Nayak
My Facebook Post: 24th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights