ଯଶୋବନ୍ତୀ ମାଆ ଯଶୋଦା

Share it

ଯଶୋବନ୍ତୀ ମାଆ ଯଶୋଦା
===============

ମଞ୍ଚାରୁ ପଡ଼ି ମାମୁଁ ମଲା l ଉଗ୍ରସେନ ମଥୁରାରେ ରାଜା ହେଲେ l ଏଇଠୁ କୃଷ୍ଣ, ବଳରାମଙ୍କ ବାଲ୍ୟ ଲୀଳା ସରି ଗଲା l କଂସ ନିଧନରେ ବିଧବା ଝିଅ, ହେତି ଓ ପ୍ରହେତିଙ୍କ ଦୁଃଖ ଦେଖି କଂସର ଶ୍ଵଶୁର ଜରାସନ୍ଧ ମଥୁରାରେ ଆଉ ଯାଦବମାନଙ୍କୁ ରଖାଇ ଦେଲାନାହିଁ l ବାଧ୍ୟହୋଇ ଶ୍ରୀକୃଷ୍ଣ ଯାଦବ ମାନଙ୍କୁ ଘେନି ଯାଇ ସମୁଦ୍ର ବେଷ୍ଠିତ ଦ୍ୱାରକାପୁରୀ ନିର୍ମାଣ କରି ରହିଲେ l କ୍ରମେ ତାଙ୍କର ଅଷ୍ଟ ପାଟ ବଂଶୀଙ୍କ ସହ ଷୋଳ ହଜାର ଏକଶହ ଆଠ ରାଣୀ ଓ ବହୁ ପୁତ୍ର ପୌତ୍ରାଦି ହେଲେ l ଏପରି ଭଗବାନ ଶ୍ରୀକୃଷ୍ଣ ମହା ଆନନ୍ଦରେ ଐଶ୍ୱର୍ଯ୍ୟମୟୀ ନଗର ଦ୍ବାରିକାରେ ବାସ କରିବାକୁ ଲାଗିଲେ l

ଏହି ଅବସରରେ ଦିନେ ଦେବର୍ଷି ନାରଦଙ୍କ ମନେ ପଡ଼ିଲା, ଆରେ କେତେଦିନ ହେବ ଭଗବାନଙ୍କୁ ତ ମୁଁ ଦର୍ଶନ କରିନାହିଁ ଯାଉଛି ଟିକେ ଦ୍ଵାରକାରୁ ବୁଲି ଆସେ l ଏମିତି ଭାବି ଦିନେ ହରିଧ୍ଵନୀ କରି ବୀଣା ବାଦନ ପୂର୍ବକ ଦେବର୍ଷି ଦ୍ଵାରକାରେ ପହଞ୍ଚି ଗଲେ l ନାରଦଙ୍କ ଆଗମନରେ ସମଗ୍ର ଯଦୁପୁରୀ ଉଲ୍ଲସିତ ହୋଇଉଠିଲା l ସମସ୍ତଙ୍କଠାରୁ ଅଭିବାଦନ ଗ୍ରହଣ କରି, ନାରଦ ଯାଇ ପହଞ୍ଚିଲେ କୃଷ୍ଣଙ୍କ ଭବନରେ l

କିନ୍ତୁ ଏ କଅଣ ସେ ଦେଖୁଛନ୍ତି ! ଶ୍ରୀକୃଷ୍ଣ ଗୋଟିଏ ଛୋଟ ବାଳକ ହୋଇ ଭୂମିରେ ଗୁରୁଣ୍ଡୁଛନ୍ତି l ତାଙ୍କ ଶିରରେ ଶୋଭାପାଉଛି ମୟୂର ଚନ୍ଦ୍ରିକା l ପାଦରେ ରୁଣୁଝୁଣୁ ହୋଇ ନୁପୁର ବାଜୁଛି l ହାତରେ ଶୋଭା ପାଉଛି ରୂପା ବଇଁଶୀ l କଟିରେ ମେଖଳା l ଆଃ ! କି ମନୋହର ସେହି ରୂପ l ପ୍ରଭୁଙ୍କ ବାଳଗୋପାଳ ରୂପ ଦର୍ଶନ କରି ନାରଦ ଅତିଶୟ ଆତ୍ମ ବିଭୋର ହୋଇ ପଡ଼ିଲେ l ଆଶ୍ଚର୍ଯ୍ୟ ହୋଇ ସେ ପଚାରିଲେ ପ୍ରଭୁ ଇଏ କି ଲୀଳା ମୋତେ ଦେଖାଉଛନ୍ତି !

ଶ୍ରୀକୃଷ୍ଣ କହିଲେ ହଁ ଦେବର୍ଷି ! ଆଜି କାହିଁକି ମାଆ ଯଶୋଦାଙ୍କ କଥା ମନେ ପଡ଼ୁଛି l ଆଃ ! କି ସୁନ୍ଦର କରି ମାଆ ମୋତେ ବେଶ କରିଦିଅନ୍ତି l ତାଙ୍କ ହାତ ଦିଆ ସର ଲବଣୀରେ କି ସ୍ଵାଦ l ମୋର ସବୁଠାରୁ ବେଶି ମନେପଡୁଛି ସେଦିନ ମାଆ କିମିତି ମୋତେ ଉଦୁଖଳରେ ବାନ୍ଧି ଦେଇଥିଲେ l ଆଉ ପୁଣି ଥରେ ମାଟି ଖାଇଦେଇଥିଲି ବୋଲି ମୋତେ କିପରି ଛାଟ ମାରି ଥିଲେ l କେତେ ଦିନ ବିତି ଗଲାଣି l ମୋତେ ଲାଗୁଛି ଯେପରି କାହିଁ କେତେ ଯୁଗ ବିତି ଗଲାଣି l କେତେ ଦିନରୁ ମୁଁ ମୋ ସ୍ନେହମୟୀ ମାଆଙ୍କ ମୁଖ ଦେଖିନାହିଁ l ମୋ ଭାଗ୍ୟ ଦେଖ l ମଥୁରା ଆସିଲା ବେଳେ ମାଆଙ୍କୁ କହି ଆସିଥିଲି, ମୁଁ ସାତ ଦିନରେ ଫେରି ଆସିବି ବୋଲି l ସେତକ ବି ହେଲା ନାହିଁ l ତୁମେ ଟିକିଏ ଗୋପପୁରକୁ ଯାଅନା l ମାଆ କିପରି ଅଛନ୍ତି, କଅଣ କରୁଛନ୍ତି, ଦେଖି ଆସିବ l

ପ୍ରଭୁଙ୍କ ଆଜ୍ଞା ଘେନି ନାରଦ ଚାଲିଲେ ଗୋକୁଳକୁ l ଗୋପ ପୁରରେ ପହଞ୍ଚି ସେ ଯାହା ଦେଖିଲେ ତାହା ଅବର୍ଣ୍ଣନୀୟ l କୃଷ୍ଣ ବିନା, ପୂଣ୍ୟ ଗୋପ ପୁର ସତେ ଯେପରି ରସଶୂନ୍ୟ ହୋଇ ପଡ଼ିଛି l ନୀରବ ନିଷ୍ପ୍ରଭ ହୋଇ ପଡ଼ିଛନ୍ତି ଗୋପ ଗୋପଳୁଣୀ ମାନେ l ଆଉ ସେ ଧୈର୍ଯ୍ୟ ଧରି ପାରିଲେ ନାହିଁ l ସିଧା ଯାଇ ନନ୍ଦ ମନ୍ଦିରରେ ପ୍ରବେଶକଲେ l ଯଶୋଦାଙ୍କ ଭବନରେ ପ୍ରବେଶକରି ନାରଦ ଯାହା ଦେଖିଲେ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ l ସେ ଦେଖିଲେ ମାଆ ଯଶୋଦା ପଲ୍ୟଙ୍କ ଉପରେ ବସି ରାମ କୃଷ୍ଣ ବେନି ଭାଇଙ୍କୁ ଗୋଟିକା ଅଧାମ ଆଦି ନାନା ସୁମିଷ୍ଟ ଦ୍ରବ୍ୟ ମାନ ଭୁଞ୍ଜାଇ ଦେଉଛନ୍ତି l ମହା ଆନନ୍ଦରେ ସେହି ଦ୍ରବ୍ୟ ସବୁ ଦୁଇ ଭାଇ ଖାଉଛନ୍ତି l

ନାରଦ ଫେରିଆସିଲେ ଦ୍ୱାରକା l କହିବେ କଅଣ l ପ୍ରଭୁଙ୍କୁ କୃତଜ୍ଞତାଜଣାଇ କହିଲେ, ଧନ୍ୟ ପ୍ରଭୁ ତୁମ ଲୀଳା l ଧନ୍ୟ ତୁମର ବାତ୍ସଲ୍ୟମୟୀ ଜନନୀ ମାଆ ଯଶୋଦା l ନାରାୟଣ ନାରାୟଣ ଧ୍ଵନୀକରି ନାରଦ ବ୍ରହ୍ମଲୋକ ଅଭିମୁଖେ ପ୍ରସ୍ଥାନକଲେ l

ପ୍ରଭୁ ଦ୍ୱାପର ଯୁଗର ସେହି ବାତ୍ସଲ୍ୟ ଲୀଳା ଭୁଲି ନାହାଁନ୍ତି l ଆଜି ନୀଳାଚଳ ଧାମରେ ଧନୁ ମାସରେ ମମତାମୟୀ ମା’ ଯଶୋଦାଙ୍କ ସ୍ମୃତିରେ ଅନୁଷ୍ଠିତ ହୁଏ ପହିଲି ଭୋଗ ନୀତି l ରାତି ନପାହୁଣୁ ମାଆ ସାଦରେ ମହାପ୍ରଭୁଙ୍କୁ ହୁଞ୍ଜାଇ ଦିଅନ୍ତି ନାନା ସୁମିଷ୍ଟ ବ୍ୟଞ୍ଜନ l

ଏହି ଥିଲେ, ମାଆ ଯଶୋଦା l ବାତ୍ସଲ୍ୟ ମମତାର ମୂର୍ତ୍ତିମନ୍ତ ଦେବୀ ରୂପେ, ଚିର ନମସ୍ୟା l ମହାମୁନି ଶୁକ ଦଶମ ସ୍କନ୍ଧ ଭାଗବତରେ ଶ୍ରୀକୃଷ୍ଣଙ୍କ ମୃତ୍ତିକା ଭକ୍ଷଣ ଲୀଳା ବର୍ଣ୍ଣନା କରୁଥିଲା ବେଳେ ମହାରାଜ ପରୀକ୍ଷିତଙ୍କ ମନରେ ପ୍ରଶ୍ନଟିଏ ଉଙ୍କି ମାରିଲା l ସେ ଶୁକଙ୍କୁ ପଚାରିଲେ,ମହାତ୍ମନ୍ ! ଯୋଗୀଜନ ଦୁର୍ଲଭ ଭଗବାନଙ୍କୁ ନନ୍ଦ ଓ ଭାଗ୍ୟବନ୍ତୀ ଯଶୋଦା କି ତପ କରିଥିଲେ ଯେ ତାଙ୍କୁ ପୁତ୍ର ରୂପେ ସ୍ନେହ ଡୋରରେ ବାନ୍ଧିଥିଲେ l

ଶୁକମୁନି କହିଲେ, ପରୀକ୍ଷିତ ! ଥରେ ବ୍ରହ୍ମା, ବସୁଶ୍ରେଷ୍ଠ ଦ୍ରୋଣ ଓ ତାଙ୍କ ପତ୍ନୀ ଧରାଙ୍କୁ ଏ ଧରା ପୃଷ୍ଠରେ ଜନ୍ମ ନେବାପାଇଁ ଆଦେଶ ଦେଲେ l ସେତେବେଳେ ସେମାନେ ପ୍ରାର୍ଥନା କଲେ, ଯେବେ ଆମେ ମନୁଷ୍ୟ ହୋଇ, ଧରା ପୃଷ୍ଠରେ ଜନ୍ମ ନେବୁ, ତେବେ ଏହି ଅନୁଗ୍ରହ କରନ୍ତୁ, ‘ଆମର ଶ୍ରୀକୃଷ୍ଣଙ୍କ ଠାରେ ଅନନ୍ୟପ୍ରେମ ଓ ଭକ୍ତି ରହିବ’ l ବ୍ରହ୍ମଦେବ କହିଲେ, ତାହାହିଁ ହେବ l ବ୍ରହ୍ମାଙ୍କ ବଚନକୁ ସତ୍ୟ କରି ଭଗବାନ ଗୋପ ପୁରରେ ଭାଇ ବଳରାମଙ୍କ ସହ ଅବତୀର୍ଣ୍ଣ ହୋଇ ବ୍ରଜବାସୀଙ୍କ ଆନନ୍ଦବର୍ଦ୍ଧନ କରୁଥିଲେ l ଶ୍ରୀମଦ୍ ଭାଗବତ ଦଶମସ୍କନ୍ଧ ନବମ ଅଧ୍ୟାୟର ବର୍ଣ୍ଣନା ଅନୁଯାୟୀ :-

ବ୍ରହ୍ମା ଆଦେଶ ଶିରେ ଘେନି l
ଗୋପେ ଜନ୍ମିଲେ ପତି ପତ୍ନୀ ll
କୃଷ୍ଣଙ୍କୁ ତପ ବଳେ ପାଇ l
ପାଳନ୍ତି ପିତା ମାତା ହୋଇ ll

!!! ଓଁ କୃଷ୍ଣାୟ ଗୋବିନ୍ଦାୟ ନମଃ !!!
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights