ଅଗ୍ରପୂଜ୍ୟ ଗଣେଶ ହେଉଛନ୍ତି ହିମାଳୟ ପୁତ୍ରୀ ପାର୍ବତୀଙ୍କ ପୁତ୍ର । ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ଦକ୍ଷଙ୍କ ଯଜ୍ଞାନୁଷ୍ଠାନରେ ଉପସ୍ଥିତହୋଇ ନିଜ ପିତାଙ୍କଠାରୁ ପତିନିନ୍ଦା ସହ୍ୟ କରି ନ ପାରି ଶରୀର ତ୍ୟାଗ କଲେ ।ପରଜନ୍ମରେ ହିମାଳୟଙ୍କ ଗୃହରେ ମେନକାଙ୍କ ଗର୍ଭରୁ ଜନ୍ମିଲେ । ମେନକାଙ୍କ କନ୍ୟାରୂପେ ଦେହଧାରୀ ହେବାରୁ ସେ ପାର୍ବତୀ ନାମରେ ଅଭିହିତ ହେଲେ।
ମହାଦେବଙ୍କୁ ବରରୂପେ ପ୍ରାପ୍ତିଲାଗି ପାର୍ବତୀ କଠୋର ତପସ୍ୟା କଲେ। ମହାଦେବଙ୍କ ସହ ତାଙ୍କର ପରିଣୟ ହେଲା । ବିବାହ ପରେ ବହୁବର୍ଷ ବିତିଗଲା । ମହାଦେବ ଓ ପାର୍ବତୀଙ୍କର ସହବାସ କ୍ରିୟା ସଂପାଦିତ ହୋଇଥିଲେ ମଧ୍ୟ ଏହାଙ୍କର କୌଣସି ସନ୍ତାନ ସନ୍ତତି ହେଲେ ନାହିଁ।ତେଣୁ ପାର୍ବତୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି ହେଲା।
ମହାଦେବ ସହଧର୍ମିଣୀଙ୍କ ମନକଥା ଜାଣି ଗଭୀର ଦୁଃଖ ପ୍ରତିହତଲାଗି ଶ୍ରୀବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ “ପୁଣ୍ୟକବ୍ରତ” କରିବାପାଇଁ ପାର୍ବତୀଙ୍କୁ ପରାମର୍ଶ ଦେଲେ । ଏହି ପୁଣ୍ୟକବ୍ରତ ସର୍ବପ୍ରକାର କାର୍ଯ୍ୟ ସିଦ୍ଧିର ସ୍ଵରୂପ । ନିୟମ ଅନୁସାରେ ଏହି ବ୍ରତ ଏକବର୍ଷ କରିବାକୁ ପଡ଼ିଥାଏ ।“ ଏହି ବ୍ରତ ସୁଖଦ, ପୁଣ୍ୟ ଜନକ ଓ ସକଳ ସଂପଦ ବିଧାୟକ।
ଯେଉଁ ଶ୍ରୀକୃଷ୍ଣଙ୍କ ଆରାଧନାରେ ମନୁଷ୍ୟ ପିତୃପୁରୁଷ ମାନଙ୍କ ସହିତ ମୁକ୍ତିଲାଭ କରେ, ସେ ଏହି ବ୍ରତର ଏକ ମାତ୍ର ଆରାଧ୍ୟ । ଯେ ହରିମନ୍ତ୍ର ଗ୍ରହଣ କରି ହରିସେବା କରେ ସେ ପୂର୍ବପୁରୁଷ ମାନଙ୍କୁ ଉଦ୍ଧାର କରି ନିଜେ ବୈକୁଣ୍ଠ ଗମନପୂର୍ବକ ଶ୍ରୀକୃଷ୍ଣଙ୍କର ପାର୍ଶ୍ଵଚର ହୁଏ । ଅତଏବ ତୁମେ ଦୁର୍ଲ୍ଲଭ ହରିମନ୍ତ୍ର ଗ୍ରହଣ କରି ପୁଣ୍ୟକବ୍ରତ ଅନୁଷ୍ଠାନ କର ।
ଏକ ବର୍ଷଯାଏ ପାର୍ବତୀ ଏହି ପୁଣ୍ୟକବ୍ରତ ଅନୁଷ୍ଠାନ କରି ଶ୍ରୀବିଷ୍ଣୁଙ୍କଠାରୁ ବର ପ୍ରାପ୍ତ ହୋଇଥିଲେ । ଫଳରେ ସେ ଏକ ପୁତ୍ରସନ୍ତାନ ପାଇବାର ସୁଯୋଗ ଲାଭ କଲେ ।ପାର୍ବତୀ ପୁତ୍ର ପ୍ରାପ୍ତ ହେବାରୁ କୈଳାସରେ ଆନନ୍ଦ ଉତ୍ସବ ଲାଗିଲା । ସମସ୍ତ ଦେବଦେବୀ ନବଜାତ ଶିଶୁଟିକୁ ଦେଖିବାକୁ ଆସିଲେ ।
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ଶିବଙ୍କ ପ୍ରତି କଶ୍ୟପଙ୍କ ଅଭିଶାପ ଯୋଗୁ ଗଣେଶଙ୍କ ମସ୍ତକ ଛିନ୍ନ ହୋଇଥିଲା । ଥରେ ସୂର୍ଯ୍ୟ “ମାଳୀ ଓ ସୁମାଳୀ” ନାମଙ୍କ ଦୁଇ ଜଣ ଶିବ ଭକ୍ତଙ୍କୁ ବଧ କରିବାକୁ ଉଦ୍ୟତ ହେବାରୁ ତ୍ରିଲୋଚନ ସୂର୍ଯ୍ୟଦେବଙ୍କୁ ତ୍ରିଶୂଳ ପ୍ରହାର କଲେ । ତ୍ରିଶୂଳାଘାତରେ ସୂର୍ଯ୍ୟଦେବ ସଂଜ୍ଞା ହରାଇବାରୁ ସାରା ସଂସାର ଅନ୍ଧକାରାଚ୍ଛନ୍ନ ହେଲା । ସୂର୍ଯ୍ୟଙ୍କ ପିତା କଶ୍ୟପ ସ୍ତ୍ରୀୟ ସନ୍ତାନର ସଂଜ୍ଞାହୀନତା ସହ୍ୟ କରି ନ ପାରି ଶିବଙ୍କୁ ଶାପ ପ୍ରଦାନ କରି କହିଲେ – “ତୁମେ ଯେପରି ତ୍ରିଶୂଳ ପ୍ରହାରରେ ମୋ’ ପୁତ୍ରର ବକ୍ଷସ୍ଥଳ ଭେଦ କରିଛ, ସେଥିଲାଗି ତୁମ ପୁତ୍ରର ମସ୍ତକ ଛିନ୍ନ ହେବ ।”
ମହାଦେବ ଏକ ଅସୁରକୁ ବଧ କରିବାକୁ ଯାଇଥିବା ସମୟରେ ଏ ପାର୍ବତୀଙ୍କଠାରୁ ଜାତ ହେଲେ ଓ ପାର୍ବତୀ ଏହାଙ୍କୁ ଦ୍ଵାର ଜଗାଇଥିଲେ । ମହାଦେବ ଗୃହକୁ ଫେରି ଆସିବା ବେଳେ ଏ ତାଙ୍କୁ ଆପଣା ପିତା ବୋଲି ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ ଓ ମହାଦେବ ଏହାଙ୍କ ଶିର ଛେଦନ କରି ଭିତରକୁ ଯାଇ ପାର୍ବତୀଙ୍କଠାରୁ ଏହାଙ୍କର ପରିଚୟ ପାଇ ଫେରିଆସି ଦେଖିବା ବେଳକୁ ମୁଣ୍ଡଟି ନାହିଁ, ଗଣ୍ଡିଟି ପଡ଼ିଅଛି ।
ପାର୍ବତୀଙ୍କ ଏ ଦୁଃଖଦ କାହାଣୀ ଶ୍ରୀବିଷ୍ଣୁ ଜାଣିଲେ । ସେ କୈଳାସକୁ ଆସୁଥିବା ଅବସ୍ଥାରେ ଗୋଟିଏ ହାତୀ ଉତ୍ତରକୁ ମୁଣ୍ଡ କରି ଶୟନ କରିଥିବାର ଦେଖିଲେ । ସେହି ହସ୍ତୀର ମସ୍ତକ ଛେଦନ କରି ଆଣି ପାର୍ବତୀ ପୁତ୍ରଙ୍କ ଗଣ୍ଡିରେ ସଂଲଗ୍ନ କଲେ କାଟିଆଣି ଏହାଙ୍କ ଗଣ୍ଡିରେ ଯୋଡ଼ିଦେଇ ବଞ୍ଚାଇଲେ ଓ ତଦନୁସାରେ ଏହାଙ୍କର ହାତିମୁଣ୍ଡ ହେଲା । ସେଠାରେ ସମସ୍ତ ଦେବଦେବୀ ଏକତ୍ରିତହୋଇ ପୁତ୍ରଟିର ନାମ ଦେଲେ “ଗଣେଶ” । ତାଙ୍କୁ ବର ଦିଆଗଲା ଯେ, ସେ ଅଗ୍ରପୂଜ୍ୟ ହେବେ । ତାଙ୍କୁ ପ୍ରଥମେ ପୂଜା ନ କରି କୌଣସି ଦେବଦେବୀଙ୍କୁ ପୂଜା କଲେ ତାହା କେହି ଗ୍ରହଣ କରନ୍ତି ନାହିଁ ।
ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି । କଥିତ ଅଛି ଯେ ବ୍ରହ୍ମା ଏହାଙ୍କୁ ବ୍ୟାସୋକ୍ତ ମହାଭାରତରେ ଲେଖକ ରୂପେ ନିଯୁକ୍ତ କରିଥିଲେ । ରକ୍ତଚନ୍ଦନ, ରକ୍ତପୁଷ୍ପରେ ଏହାଙ୍କୁ ପୂଜା କରାଯାଏ ।
ଥରେ ଭଗବାନ ପର୍ଶୁରାମ ଶିବଙ୍କ ଦର୍ଶନଲାଗି କୈଳାସ ଗଲେ । ସେତେବେଳକୁ ମହାଦେବ ଗଣେଶଙ୍କୁ ଦ୍ଵାର ଜଗାଇଦେଇ ପାର୍ବତୀଙ୍କ ସହ ଅନ୍ତଃପୁରରେ ଶୟନ ରତ । ପର୍ଶୁରାମ ଶିବଙ୍କ ନିକଟକୁ ଯିବାପାଇଁ ଚାହିଁବାରୁ ଗଣେଶ ତାଙ୍କୁ ଅନ୍ତଃପୁରକୁ ଯିବାଲାଗି ଅନୁମତି ଦେଲେ ନାହିଁ । ଫଳରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେଲା । ପର୍ଶୁରାମଙ୍କ ପରଶୁ ପ୍ରହାରରେ ଗଣେଶଙ୍କର ଗୋଟିଏ ଦନ୍ତ ଭାଙ୍ଗିଗଲା | ସେହିଦିନଠାରୁ ଗଣେଶ ଗୋଟିଏ ଦନ୍ତ ବହନ କରି ଏକଦନ୍ତ ନାମରେ ବିଦିତ । ବ୍ୟାସଙ୍କ କୃତ ମହାଭାରତକୁ ଗଣେଶ ନିଜେ ଲେଖିଥିଲେ ବୋଲି ପୁରାଣରେ ଉଲ୍ଲେଖ ଅଛି । ତେଣୁ ସେ ଜଣେ ପ୍ରସିଦ୍ଧ ଲେଖନୀ ଚାଳକ ବା ଲେଖକ ।
ଏ ବିଦ୍ୟାର ଅଧିଷ୍ଠାତା ଦେବ ଓ ସମସ୍ତ ବିଘ୍ନ ବିନାଶକ ଅଟନ୍ତି । ଏଥିପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ଏହାଙ୍କୁ ପ୍ରଥମେ ଆବାହନ ପୂର୍ବକ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା । ଏ ହାତରେ ଗୋଟିଏ ଲଡ଼ୁ ଧରି ଥାଆନ୍ତି । ପର୍ଶୁରାମଙ୍କ ସହ ଯୁଦ୍ଧ କରି ଏହାଙ୍କର ଗୋଟିଏ ହାତିଦାନ୍ତ ଭାଙ୍ଗି ଯାଇଥିଲା ।
ଏହାଙ୍କର ବିଭିନ୍ନ ନାମ ହେଲା- ଗଣନାଥ, ଗଣପତି, ଗଣାଗ୍ରଣୀ, ଗଣାଧିପ, ଗଣାଧିପତି, ଗଣେଶ୍ଵର, ଗଣେଶାନ୍ତ, ଗଣନାୟକ, ଏକଦନ୍ତ, ଏକଦଂଷ୍ଟ୍ର, ଗଜାସ୍ୟ, ଗଜବଦନ, ବିନାୟକ,ବିଘ୍ନରାଜ, ହୟଗ୍ରୀବ, ଦ୍ବୈମାତୁର, ଲମ୍ବୋଦର, ହେରମ୍ବ, ଗଜାନନ, ବିଘ୍ନେଶ୍ୱ, ପରଶୁପାଣି, ଆଖୁଗ, ଶୂର୍ପକର୍ଣ୍ଣ ଇତ୍ୟାଦି
ଗଣେଶଙ୍କ ବାହନ ମୂଷା । ଏହି ମୂଷା ହେଉଛନ୍ତି ଜଣେ ଯମରାଜ । ଶ୍ରୀରାମଭକ୍ତ ତଥା କବି ଅନଙ୍ଗ ନରେନ୍ଦ୍ର ତାଙ୍କର ଶ୍ରୀ ରାମଲୀଳା ପୁସ୍ତକର ପ୍ରାରମ୍ଭରେ ଗଣେଶ ବନ୍ଦନାରେ ଲେଖିଛନ୍ତି-
‘‘ବନ୍ଦଇ ଗଉରୀ ନନ୍ଦନ ଯେ ଗଜରାଜ ବଦନ,
ଯମକୁ ମୂଷିକ କରିଣ ଯେ ପାଶେ କଲ ବନ୍ଧନ ।’’
ମାର୍କଣ୍ଡେୟ ପୁରାଣରେ ଉଲ୍ଲେଖ ଅଛି- କୃତକେଶୀ ନାମକ ଏକ ଯମ ଶ୍ରୀ ଗଣେଶଙ୍କ ହସ୍ତିମସ୍ତକକୁ ଦେଖି ତାଙ୍କୁ କାଳପାଶ ନିକ୍ଷେପ ପୂର୍ବକ ବଧ କରିବାକୁ ଚେଷ୍ଟା କରିଥିଲେ; ମାତ୍ର ଗଣେଶ ତାହା ଧ୍ୟାନବଳରେ ଜାଣିପାରି ତା’ ପୂର୍ବରୁ ନିଜ ଅଭିମନ୍ତ୍ରିତ ଉପବୀତ ଦ୍ୱାରା ଏହି ଯମଙ୍କୁ ବାନ୍ଧି ଆଣିଥିଲେ । ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ ଉପାଖ୍ୟାନ ନିମ୍ନରେ ପ୍ରଦତ୍ତ ହେଲା ।
‘‘ତହିଁପୁଣି ଯମରାଜା ହେଲା କୃତକେଶୀ,
କୃତିହା ଋଷିଙ୍କର କନିଷ୍ଠ ବାଳଶିଷି ।”
ଅନେକ ବର୍ଷ ଯମରାଜା ହେବା ପରେ ତାଙ୍କର ବିକୃତ ପୁଣ୍ୟ ସୃଷ୍ଟି ହେଲା । କୃତକେଶୀ ଆଦିତ୍ୟ ନାମକ କଳିଯୁଗରେ ମେଷ ସଂକ୍ରାନ୍ତି ବୈଶାଖ ଶୁକ୍ଳ ଦ୍ଵିତୀୟା ଶନିବାର ଦିନ କୈଳାସ ଭ୍ରମଣରେ ଯାଇ ଗଣେଶ ଧ୍ୟାନରତ ଥିବାର ଦେଖିଲେ ।
‘ଜନ୍ତୁପତି ଗଣେଶଙ୍କୁ ଦେଖିଲା ଆସନେ,
ଯୋଗ ନିସ୍ତବଧ ସେହୁ ଆତ୍ମାତତ୍ତ୍ୱ ଜ୍ଞାନେ ।
ମହାଯୋଗେଶ୍ଵର ସେ ଯେ ନିର୍ଗୁଣ ପୁରୁଷ,
ଅମୃତ ଲଡ଼ୁପାନରେ ସର୍ବଦା ସେ ତୋଷ |
ଈଶ୍ୱର ପିଅର ଯା’ର ପାର୍ବତୀ ଯା ମାତ,
ଯୋଗାଧି ପୁରୁଷ ସେହୁ ପରମ ପୁରୁଷ |
ମନୁଷ୍ୟ ଶରୀର ସବୁ ଏକା ଗଜମୁଖ,
ଦେଖି ଜନ୍ତୁପତି ତାହା ମଣିଲା ଅସୁଖ ।
ବୋଇଲା ଏହୁ ପୁରୁଷ ବିରୂପ ଘଟଣ,
କାହିଁଦେଖିନାହିଁ ମୁହିଁ ଏଡ଼େ ବିଡ଼ମ୍ବନ ।
ମନୁଷ୍ୟ ଶରୀର ପୁଣି ଗଜମୁଣ୍ଡ ଗୋଟି,
ବାମନ ମୂରତି ସ୍ଥଳ ଅଟଇ ପେଟଟି ।
ଦୀର୍ଘ ଦୁଇକର୍ଣ୍ଣ କ୍ଷୁଦ୍ର କ୍ଷୁଦ୍ର ବେନି ଆଖି,
ଡରିବେ ଅପରିଚିତ ଲୋକ ଏହା ଦେଖି ।
ଦେବତା ରୂପକୁ ଏହୁ ନୁହଇ ଘଟଣ,
ମୁହିଁ ତେବେ ହରିନେବି ଏହାର ଯେ ପ୍ରାଣ ।’’
ଏହା ମନସ୍ଥ କରି ଯମରାଜା ଶ୍ରୀ ଗଣେଶଙ୍କ ନିହତାର୍ଥେ କାଳଦଣ୍ଡ ନିକ୍ଷେପ କଲେ; ମାତ୍ର ଗଣେଶ ଧ୍ୟାନରତ ଥିବା ଅବସ୍ଥାରେ ଏହା ଜାଣିପାରି ଯମଙ୍କର ଗର୍ବ ଖର୍ବ କରିବା ଉଦ୍ଦେଶ୍ୟରେ :
‘“ଏତେକ ମନେ ବିସ୍ଫରି ଈଶ୍ୱରଙ୍କ ଶିଷି,
ଗଳାରୁ ପଇତା କାଢ଼ି କଲେ କାଳଫାଶୀ ।
ମନ୍ତ୍ର ପଢ଼ିଣ କହନ୍ତେ ତାକୁ ଗଣପତି,
ସଂଯମନୀ ନାଥକୁ ସେ ବାନ୍ଧିଲା ତଡ଼ତି ।’’
ଗଣେଶ ଯମ କୃତକେଶୀଙ୍କୁ ବାନ୍ଧିନେଇ ନିଜ ଜାନୁତଳେ ମାଡ଼ି ବସିଲେ। କାଳ ବିକାଳ କୃତକେଶୀଙ୍କ ସହିତ ଥିଲେ । ସେ ଯମଙ୍କର ଏପରି ଅବସ୍ଥା ଦେଖି ପଳାଇ ଗଲେ ଓ ବ୍ରହ୍ମଦେବଙ୍କୁ ଏହା ଅବଗତ କରାଇଲେ।
ଶ୍ରୀଗଣେଶଙ୍କ ଧର୍ମପତ୍ନୀ ସିଦ୍ଧି ଓ ବୁଦ୍ଧି । ତାଙ୍କର ମୁଖ୍ୟ ବାରୋଟି ନାମ – ସୁମୁଖ, ଏକଦନ୍ତ, କପିଳ, ଗଜ କର୍ଣ୍ଣ, ଲମ୍ବୋଦର, ବିକଟ, ବିଘ୍ନନାଶକ, ବିନାୟକ, ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର ଓ ଗଜାନନ।
ପ୍ରଭୁ ଗଣେଶ ମତ୍ସର, ମଦାସୁର, ମମତା, ଲୋଭାସୁର, ଅହଙ୍କାରସୁର, କ୍ରୋଧାସୁର ଓ କାମାସୁର ପ୍ରଭୃତି ରାକ୍ଷସମାନଙ୍କୁ ଦେବତାମାନଙ୍କ ପ୍ରାର୍ଥନାରେ ଆକ୍ରମଣ କରି ଗର୍ବ ଗଞ୍ଜନ କରିଥିଲେ । ଫଳରେ ଏହି ରାକ୍ଷସମାନେ ଶ୍ରୀଗଣଦେବଙ୍କ ଶରଣାପନ୍ନ ହୋଇଥିବା ପୁରାଣରେ ବର୍ଣ୍ଣନା କରାଯାଇଛି ।
ଦିଲ୍ଲୀପ କୁମାର ସାହୁ
କନ୍ଧମାଳ