ଯୁଧିଷ୍ଠିରଙ୍କ ସ୍ୱର୍ଗାରୋହଣ

Share it

ସେ ସୁଭଦ୍ରାଙ୍କୁ କହିଲେ,ଏବେ ପରୀକ୍ଷିତ ହସ୍ତିନାର ରାଜା । ଆଗରୁ ମୁଁ କୃଷ୍ଣଙ୍କ ନାତି ବଜ୍ରକୁ ଇନ୍ଦ୍ରପ୍ରସ୍ଥରେ ରାଜା କରିଛି । ଏ ଦୁହେଁ ତୁମକୁ ଲାଗିଲେ ।

ଭଗବାନ ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ପରେ ଅର୍ଜ୍ଜୁନ ଅତି ଖିନ୍ନ ମନା ହୋଇ ଦ୍ୱାରକାରୁ ଫେରିଆସି ନିଜ ଭାଇମାନଙ୍କୁ, ଶ୍ରୀକୃଷ୍ଣ ବଳରାମଙ୍କ ଦେହ ତ୍ୟାଗ ଓ ଦ୍ଵାରକା ଜଳମଗ୍ନ ହେବାର ସମ୍ବାଦ ଜଣାଇଲେ । ଦ୍ଵାରକାରୁ ଫେରିଲା ବେଳେ ପଥରେ ତାଙ୍କ ସାକ୍ଷାତ ହୋଇ ଥିଲା ବ୍ୟାସଦେବଙ୍କ ସହିତ । ମହର୍ଷି ତାଙ୍କୁ କହିଥିଲେ, ଦ୍ଵାରକାକୁ ସମୁଦ୍ରଗ୍ରାସରୁ ରକ୍ଷାକରିବାର ସାମର୍ଥ୍ୟ ଶ୍ରୀକୃଷ୍ଣଙ୍କର ଥିଲା । ମାତ୍ର, ସେ ତାହା କଲେ ନାହିଁ । କାରଣ କାଳର ଗତି ଆଲଂଘନୀୟ । ବର୍ତ୍ତମାନ ତୁମ ମାନଙ୍କ କାର୍ଯ୍ଯ ମଧ୍ୟ ସମାପ୍ତ ହୋଇଛି । ତୁମେମାନେ ଅବିଳମ୍ବେ ମହା ପ୍ରସ୍ଥାନ ପାଇଁ ପ୍ରସ୍ତୁତ ହୁଅ । ଏକଥା ମଧ୍ୟ ଅର୍ଜ୍ଜୁନ ଯୁଧିଷ୍ଠିରଙ୍କୁ ଜଣାଇ ଦେଲେ ।

ଏସବୁ କଥା ଶୁଣିଲାପରେ ଧର୍ମରାଜ ଯୁଧିଷ୍ଠିର ଆଉ କ୍ଷଣେମାତ୍ର ରାଜପଣ କରିବାକୁ ଇଚ୍ଛା କଲେ ନାହିଁ । ସେ ପୌତ୍ର ପରୀକ୍ଷିତଙ୍କୁ ରାଜ ମୁକୁଟ ଅର୍ପଣ କଲେ ଓ ତାଙ୍କ ଭାର ଧୃତରାଷ୍ଟ୍ରଙ୍କ ପୁତ୍ର ଯୁଯୁତ୍ସୁ ଏବଂ ଗୁରୁ କୃପାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତକଲେ ।

ସେ ସୁଭଦ୍ରାଙ୍କୁ କହିଲେ,ଏବେ ପରୀକ୍ଷିତ ହସ୍ତିନାର ରାଜା । ଆଗରୁ ମୁଁ କୃଷ୍ଣଙ୍କ ନାତି ବଜ୍ରକୁ ଇନ୍ଦ୍ରପ୍ରସ୍ଥରେ ରାଜା କରିଛି । ଏ ଦୁହେଁ ତୁମକୁ ଲାଗିଲେ ।

ଯୁଧିଷ୍ଠିର ଦ୍ରୌପଦୀ ଓ ଚାରିଭାଇଙ୍କ ସହିତ ବଳ୍କଳ ପରିଧାନ ପୂର୍ବକ ଆରଣ୍ୟକ ବ୍ରତରେ ବାହାରିଲେ । ସେ ସାଥିରେ ଆଉ କାହାକୁ ଯିବାକୁ ଦେଲେନାହିଁ । ଅର୍ଜୁନଙ୍କ ନାଗପତ୍ନୀ ଉଲ୍ଲୁପି ଗଙ୍ଗାରେ ପ୍ରବେଶକରି ପାତାଳ ଚାଲିଗଲେ । ତାଙ୍କ ଅନ୍ୟ ପତ୍ନୀ ଚିତ୍ରାଙ୍ଗଦା ମଣିପୁରକୁ ଫେରି ଗଲେ ।

ତାଙ୍କ ସହିତ ସହଯାତ୍ରୀ ହେଲା ଗୋଟିଏ କୁକୁର । ସେମାନେ ବହୁ ଜନପଦ ନଗର, ନଦୀ,ପର୍ବତ, ଅରଣ୍ୟ ଅତିକ୍ରମ କରି ଯାଇ ପୂର୍ବ ଅମ୍ବୁଧି କୂଳରେ ପହଁଚିଲେ । ସେଠାରେ ତାଙ୍କ ସାକ୍ଷାତ ହେଲା ଅଗ୍ନିଦେବଙ୍କ ସହ । ଅର୍ଜୁନଙ୍କୁ ଅଗ୍ନି କହିଲେ, ହେ ଅର୍ଜୁନ, ଏ ସଂସାରରେ ତୁମର କାର୍ଯ୍ୟ ଶେଷ ହୋଇଯାଇଛି । ମୁଁ ଖାଣ୍ଡବଦହନ ସମୟରେ ତୁମକୁ ଯେଉଁ ଗାଣ୍ଡିବ ଧନୁ ଦେଇଥିଲି ତାହା ତୁମେ ମୋତେ ଫରାଇ ଦିଅ । ତାହା ବରୁଣଙ୍କ ଧନୁ । ସେ ଅପେକ୍ଷା କରି ରହିଛନ୍ତି। ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ମଧ୍ୟ ଆଉ ନାହିଁ । ତାହା ବୈକୁଣ୍ଠକୁ ଫେରିଯାଇଛି । ଅର୍ଜୁନ ଅଗ୍ନିଦେବତାଙ୍କୁ ପ୍ରଣାମ କରି ତାଙ୍କ ଗାଣ୍ଡୀବ ଧନୁ ଏବଂ ଅକ୍ଷୟ ତୁଣୀରକୁ ପୂର୍ବ ବାରିଧିର ଅତଳ ଜଳ ରାଶିକୁ ନିକ୍ଷେପ କଲେ ।

ଏହାପରେ ପାଣ୍ଡବ ମାନେ ପଶ୍ଚିମ ବାରିଧି ପର୍ଯ୍ୟନ୍ତ ଯାତ୍ରାକରି ସେଇଠୁ ଯାଇ ନଗାଧିରାଜ ହିମାଳୟର ଉତ୍ତୁଙ୍ଗ ଶିଖରକୁ ଆରୋହଣ କରିବାକୁ ଲାଗିଲେ । ସେମାନେ ଦ୍ରୁତ ବେଗରେ ଚାଲିଥାନ୍ତି କ୍ଳାନ୍ତ ବିବଶା ଦ୍ରୌପଦୀଙ୍କ ଗୋଡ଼ଖସି ସେ ପର୍ବତର ତଳକୁ ଖସି ପଡ଼ିଲେ । ମାତ୍ର ଯୁଧିଷ୍ଠିର ପଛକୁ ନ ଚାହିଁ ଆଗେଇ ଚାଲିଲେ । ପରେପରେ ନକୁଳ, ସହଦେଵ, ଅର୍ଜୁନ ଓ ଭୀମଙ୍କର ମଧ୍ୟ ପତନ ହେଲା । ମାତ୍ର ଯୁଧିଷ୍ଠିର କାହା ପ୍ରତି ଦୃଷ୍ଟିପାତ ନ କରି ଆଗେ଼ଇ ଚାଲିଲେ । ତାଙ୍କ ପଛରେ ଚାଲିଥାଏ ସେହି କୁକୁରଟି ।

ଯୁଧିଷ୍ଠିର ବହୁ ଉପରକୁ ଚଢ଼ି ଯାଇଛନ୍ତି ଦେବରାଜ ଇନ୍ଦ୍ର ଆସି ପହଁଚିଲେ ଓ ତାଙ୍କୁ ରଥରେବସ ବୋଲି କହିଲେ । ଯୁଧିଷ୍ଠିର କହିଲେ,ଦେବରାଜ, ମୋ ସହ ଦ୍ରୌପଦୀ ଓ ମୋ ଭାଇ ମାନେ ଯାତ୍ରା କରୁଥିଲେ । ସେମାନେ ସମସ୍ତେ ଜଣକୁ ଜଣ ଟଳି ପଡ଼ିଲେ । ମୁଁ ଏକାକୀ ରଥରେ ଯିବାକୁ ମନ ହେଉନାହିଁ ।

ଇନ୍ଦ୍ର କହିଲେ, ଯୁଧିଷ୍ଠିର ! ତୁମେ କେବଳ ଏହି ମର ଶରୀରର ଭାରଯୋଗୁଁ ଆଗକୁ ଯାଇ ପାରିଲନାହିଁ । ତୁମ ଆଗରୁ ଦ୍ରୌପଦୀ ଓ ତୁମ ଭାଇମାନେ ମନୁଷ୍ୟ ଶରୀରରୁ ମୁକ୍ତ ହୋଇ ସ୍ବର୍ଗରେ ପହଞ୍ଚି ସାରିଲେଣି । ଆସ, ଶୀଘ୍ର ଯାଇ ସେମାନଙ୍କ ସହିତ ମିଳିତ ହୁଅ । ଯୁଧିଷ୍ଠିର ରଥ ଆରୋହଣ କଲେ । କୁକୁରଟି ସଙ୍ଗେ ସଙ୍ଗେ ଡେଇଁପଡ଼ି ରଥରେ ବସିଗଲା । କୁକୁରଟାକୁ ଇନ୍ଦ୍ର ରଥରେ ବସାଇ ନେବାକୁ ମନା କରିଦେଲେ ।

ଯୁଧିଷ୍ଠିର କହିଲେ, ଏହି କୁକୁରଟି ମୂଳରୁ ମୋ ସହ ଆସୁଛି । ମୁଁ କ’ଣ ଏତେ ସ୍ବାର୍ଥପର ଯେ ତାକୁ ଛାଡ଼ି ଚାଲି ଯିବି । ଏହା କହି ସେ ଓହ୍ଲାଇ ପଡ଼ିଲେ ।

ସଙ୍ଗେ ସଙ୍ଗେ ସେ କୁକୁରଟି କେଉଁ ଆଡ଼େ ଅନ୍ତର୍ହିତ ହୋଇ ସେଠାରେ ଛିଡ଼ାହେଲେ ଜଣେ ଜ୍ୟୋତିଷ୍ମାନ୍ ପୁରୁଷ । ସେ ଥିଲେ, ଧର୍ମ । ଧର୍ମ ଦେବତା କହିଲେ, ବତ୍ସ ! ମୁଁ ତୁମର ପରୀକ୍ଷା ନେଉଥିଲି । ଏହା ତୁମର ଦ୍ୱିତୀୟ ପରୀକ୍ଷା । ଆଶ୍ରିତ ପ୍ରାଣୀକୁ କେବେହେଲେ ତ୍ୟାଗ ନକରିବା କେବଳ ତୁମରି ପରି ମହତ ବ୍ୟକ୍ତି ପକ୍ଷରେ ସମ୍ଭବ । ତୁମକୁ ପ୍ରଥମଥର ପାଇଁ ପରୀକ୍ଷା କରିଥିଲି ମୁଁ ଦ୍ବୈତବନ ଯକ୍ଷ ସରୋବର କୂଳରେ । ସେତେବେଳେ ମୁଁ ତୁମର ମୃତ ଚାରିଭାଇଙ୍କ ମଧ୍ୟରୁ ଜଣକୁ ବଞ୍ଚାଇଦେବି ବୋଲି କହିବାରୁ ତୁମେ କୁନ୍ତୀ ପୁତ୍ର ଭୀମ ଅର୍ଜ୍ଜୁନଙ୍କୁ ନ ଚାହିଁ ଚାହିଁଥିଲ, ମାଦ୍ରୀପୁତ୍ର ସହଦେଵଙ୍କୁ । ଏବେ ତୁମେ ଗୋଟିଏ କୁକୁର ପାଇଁ ସ୍ୱର୍ଗଯାନ ତ୍ୟାଗ କଲ । ଏହା ହିଁ ତୁମର ଧର୍ମନିଷ୍ଠା । ଏଥିପାଇଁ ତୁମେ ସଶରୀରେ ସ୍ୱର୍ଗପ୍ରାପ୍ତ ହେବ ଯାହା କୌଣସି ମନୁଷ୍ୟକୁ ମିଳିନାହିଁ ।

ଯୁଧିଷ୍ଠିର ଇନ୍ଦ୍ର ଯାନରେ ବସି, ସଶରୀରେ ସ୍ବର୍ଗରେ ପ୍ରବେଶ କଲେ । ମରଣଶୀଳ ସବୁ ମନୁଷ୍ୟକୁ ନର୍କ ଦର୍ଶନ କରିବାକୁ ପଡ଼ିଥାଏ । ଏଣୁ ସେଠାରେ ତାଙ୍କୁ ଇନ୍ଦ୍ରଙ୍କ ମାୟାରୁ ପୁଣି ନର୍କଦର୍ଶନ କରିବାକୁ ହେଲା । ଏହାପରେ ଯୁଧିଷ୍ଠିର ମରଶରୀର ତ୍ୟାଗକରି ଦିବ୍ୟ ବପୁରେ ଚିରନ୍ତନ ସ୍ୱର୍ଗସୁଖ ଭୋଗ କଲେ ।

ମହାଭାରତର ଯୁଧିଷ୍ଠିରଙ୍କ ସଶରୀରେ ସ୍ୱର୍ଗ ଗମନ ଉପାଖ୍ୟାନକୁ ସଂକ୍ଷେପରେ ବର୍ଣ୍ଣନା କରି ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚଦଶ ଅଧ୍ୟାୟରେ କହିଲେ :-
ପଞ୍ଚ ଦଶରେ ଯୁଧିଷ୍ଠିର
ଆଗମ ଦେଖିଣ କଳିର ।
ପରୀକ୍ଷେ ଦେଇ ରାଜ୍ୟଭାର
ସ୍ୱର୍ଗେ ଚଳିଲେ ନୃପବର ।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights