ଧର୍ମରାଜ ଯୁଧିଷ୍ଠିର ହିମାଳୟର ମେରୁ ପର୍ବତ ପଥ ଦେଇ ସ୍ୱର୍ଗକୁ ଯାତ୍ରା କରୁଥାନ୍ତି । ପଥରେ ଦ୍ରୌପଦୀ ନକୁଳ, ସହଦେବ, ଅର୍ଜୁନ, ଭୀମ ପରକୁ ପର ଟଳି ପଡ଼ିଲେ । ଯୁଧିଷ୍ଠିର ଏକା ଏକା ସ୍ୱଦେହରେ ଇନ୍ଦ୍ରଙ୍କ ରଥରେ ବସି ଯାଇ ସ୍ବର୍ଗରେ ପହଞ୍ଚିଲେ ।
ସ୍ୱର୍ଗରେ ସେ ଯାଇ, ପ୍ରଥମେ ଦୁର୍ଯ୍ୟୋଧନ ଦେବତା ମାନଙ୍କ ସହ ଦିବ୍ୟ ଭୂଷଣ ପରିହିତ ହୋଇ ଇନ୍ଦ୍ରଙ୍କ ପରି ଆସନରେ ବସି ଥିବାର ଦେଖିଲେ । ଧର୍ମରାଜ ତାଙ୍କୁ ଦେଖି ଚିତ୍କାରକରି କହିଲେ, ହେ ଦେବଗଣ ! ଯେଉଁ ବ୍ୟକ୍ତି ପାଇଁ ଆମେ ଅସହ୍ୟ ଯାତନା ସହିଲୁ, ଯାହା ପାଇଁ ମହାଭାରତ ମହାଯୁଦ୍ଧରେ ଆମେ ଜ୍ଞାତି କୁଟୁମ୍ଭ ମାନଙ୍କୁ ହତ୍ୟାକଲୁ । ମୁଁ ସେହି ପାପୀ ସହିତ ରହି ପାରିବିନାହିଁ । କେଉଁଠି ଅଛନ୍ତି ଦ୍ରୁପଦ ନନ୍ଦିନୀ? କେଉଁଠି ଅଛନ୍ତି ମୋର ଭାଇମାନେ?
ଏହି ସମୟରେ ଦେବର୍ଷି ନାରଦ ସେଠାରେ ପହଞ୍ଚି କହିଲେ, ହେ ରାଜନ୍ ! ଯୁଦ୍ଧରେ କ୍ଷାତ୍ର ଧର୍ମ ପାଳନ କରି ଦୁର୍ଯ୍ୟୋଧନଙ୍କ ସହ ସମସ୍ତ ମୃତ ଯୋଦ୍ଧା ସ୍ବର୍ଗ ଲୋକ ପ୍ରାପ୍ତ ହୋଇଛନ୍ତି । ଆପଣଙ୍କ ପ୍ରତି ଆଚରଣ କରିଥିବା ତାର ସମସ୍ତ ଦ୍ୱେଷକୁ ଆପଣ ଭୁଲି ଯାନ୍ତୁ । ଆଉ ଭୁଲି ଯାଆନ୍ତୁ ଆପଣଙ୍କ ଶୋକ । କାରଣ ଏହା ସ୍ବର୍ଗ । ମର୍ତ୍ତ୍ୟର ଶତ୍ରୁତା ଏଠାରେ ନାହିଁ ।
ଯୁଧିଷ୍ଠିର କହିଲେ, ହେ ମୁନିବର, ମୁଁ ଆପଣଙ୍କ କଥା ବୁଝି ପାରିଲି । ତା’ ହେଲେ କୁହନ୍ତୁ ଯଦି ଏହି ପାପୀ ଏଭଳି ଉଚ୍ଚ ଆସନ ପ୍ରାପ୍ତ ହୋଇ ପାରିଲା, ତେବେ ଧର୍ମଶୀଳା ଦ୍ରୌପଦୀ ଓ ମୋର ଭାଇମାନେ ନିଶ୍ଚୟ ଏହା ଠାରୁ କୌଣସି ଉଚ୍ଚତର ଆସନ ପ୍ରାପ୍ତ ହୋଇ ଥିବେ । ଆପଣ କୁହନ୍ତୁ କେଉଁଠି ଅଛନ୍ତି ସେମାନେ । କୁହନ୍ତୁ କେଉଁଠି ଅଛନ୍ତି କର୍ଣ୍ଣ, ସାତ୍ୟକି, ଧୃଷ୍ଟଦ୍ୟୁମ୍ନ, ଦ୍ରୁପଦ, ଶିଖଣ୍ଡୀ ଆଦି ଯୁଦ୍ଧରେ ନିହତ ବୀର ଗଣ । ତାଙ୍କୁ ମୋର ଦେଖିବାକୁ ଇଚ୍ଛା ହେଉଛି ।
ଦେଵତାମାନେ ଦୂତଗଣଙ୍କୁ ଆଦେଶଦେଲେ ତୁମେ ଶୀଘ୍ର ଯୁଧିଷ୍ଠିରଙ୍କୁ ସେମାନଙ୍କ ପାଖକୁ ଘେନି ଯାଅ । ଦେବଦୂତଙ୍କ ପଛେପଛେ ଯୁଧିଷ୍ଠିର ଏକ ଜାଗାରେ ଯାଇ ପହଞ୍ଚିଲେ, ଯେଉଁଠି କିଟିମିଟିଆ ଅନ୍ଧାରରେ କିଛି ଦେଖା ଯାଉ ନଥିଲା । ପୂଜ, ରକ୍ତ, ମାଂସରେ ରାସ୍ତା ଅତି ପିଚ୍ଛିଳ ଥିଲା । ଚାରିଆଡ଼େ ହାଡ଼, ବାଳ, ନଖ ଆଦି ପଡ଼ି ରହିଥିଲା । ଗଳିତ ମୁର୍ଦ୍ଦାର ମାନଙ୍କ ଦୁର୍ଗନ୍ଧରେ ନାକ ଫାଟିପଡ଼ୁଥିଲା । ଚାରିଆଡ଼େ କୃମି ପୋକ ମାନେ ସାଲୁବାଲୁ ହେଉଥିଲେ । ସେହି ପୂତି ଗନ୍ଧମୟ ରାସ୍ତାରେ ଧର୍ମରାଜଙ୍କ ଆଉ ଆଗକୁ ଯିବା ସମ୍ଭବ ହେଲାନାହିଁ । ସେ ଦେବଦୂତଙ୍କୁ ପଚାରିଲେ, ମୋତେ ଆଉ କେତେ ଆଗକୁ ଯିବା ପାଇଁ ପଡ଼ିବ । ଦୂତମାନେ କହିଲେ ଚାଲନ୍ତୁ, ନିଜ ଆତ୍ମୀୟ ସ୍ୱଜନ ମାନଙ୍କୁ ନଦେଖି ଆପଣ କଅଣ ଫେରିଯିବେ ?
ଏହି ସମୟରେ ସବୁଆଡ଼ୁ ଘୋର ଚିତ୍କାର ଶୁଣିବାକୁ ମିଳିଲା, ହେ ଧର୍ମ ନନ୍ଦନ ! ଆପଣ ଦୟାକରି ଆଉ ମୁହୂର୍ତ୍ତେ ମାତ୍ର ରହିଯାନ୍ତୁ । ଆପଣଙ୍କ ଆସିବା ଦ୍ଵାରା ଏଠାରେ ଯେଉଁ ସୁଗନ୍ଧିତ ବାୟୁ ପ୍ରବାହିତ ହେଉଛି ସେଥିରେ ଆମେ ପରମତୃପ୍ତି ଲାଭ କରୁଛୁ । ଆମର ସମସ୍ତ ବେଦନା, ଶୋକ ଆପଣଙ୍କ ଦର୍ଶନରେ ଦୂର ହୋଇଯାଉଛି ।
ଏଭଳି ଆର୍ତ୍ତଚିତ୍କାର ଶୁଣି ଧର୍ମରାଜ ପଚାରିଲେ ତୁମେମାନେ ସବୁ କିଏ, କେଉଁଠି ଅଛ ? ଚାରି ଆଡୁ ଧ୍ଵନୀତ ହେଲା, ମୁଁ କର୍ଣ୍ଣ, ମୁଁ ନକୁଳ, ମୁଁ ଦ୍ରୌପଦୀ, ମୁଁ ଭୀମ, ମୁଁ ଅର୍ଜୁନ ଇତ୍ୟାଦି । ଯୁଧିଷ୍ଠିର କିଛି ଚିନ୍ତାକରି ପାରିଲେ ନାହିଁ ।
ଧିକ୍କାର କରି ଦେବ ଦୂତ ମାନଙ୍କୁ ସେ କହିଲେ, ଏହା କେଉଁ ନ୍ୟାୟରେ ଯାଏ ? ପାପି ଦୁର୍ଯ୍ୟୋଧନ ସ୍ବର୍ଗସୁଖ ଭୋଗକରୁଛି । ଅଥଚ ଏ ନିଷ୍ପାପ ପ୍ରାଣୀ ମାନେ ନର୍କରେ ପଡ଼ିଛନ୍ତି । ସେ କ୍ରୁଦ୍ଧହୋଇ ଦୂତମାନଙ୍କୁ କହିଲେ, ତୁମେମାନେ ଫେରି ଯାଅ । ମୋର ସ୍ୱର୍ଗ ସୁଖ ଲୋଡ଼ାନାହିଁ
। ଏହି ମାନଙ୍କ ସହ ମୁଁ ଏଇଠି ରହିବି ।
ଦୂତ ମାନେ ଫେରି ଗଲେ । ଯୁଧିଷ୍ଠିର ମୁହୂର୍ତ୍ତେ ମାତ୍ର ସେଠାରେ ରହିଛନ୍ତି ଦେବରାଜ ଇନ୍ଦ୍ର ସବୁ ଦେବତା ମାନଙ୍କ ସହ ଆସି ସେଠି ପହଞ୍ଚିଗଲେ । ସେମାନେ ଆସିବା ମାତ୍ରେ ସେଠିକାର ଅନ୍ଧକାର କୁଆଡ଼େ ଦୂର ହୋଇଗଲା,ଭୟାନକ ଦୃଶ୍ୟସବୁ ଦୂର ହୋଇଗଲା ଓ ସୁଗନ୍ଧ ବାୟୁ ବହିବାକୁ ଲାଗିଲା ।
ଧର୍ମ ଦେବତା ପ୍ରକଟ ହୋଇ, କହିଲେ, ଧର୍ମରାଜ ! ମୋର ତୁମକୁ ଏହା ତୃତୀୟପରୀକ୍ଷା, ଏଥିରେ ମଧ୍ୟ ତୁମେ ଉତ୍ତୀର୍ଣ୍ଣ ହେଲ । ମୋର ତୁମକୁ ପ୍ରଥମ ପରୀକ୍ଷା ଥିଲା, ଯକ୍ଷ ସରୋବର କୂଳରେ ଧର୍ମବକ ରୂପେ । ତୁମ ଦ୍ୱିତୀୟ ପରୀକ୍ଷା ମୁଁ ଶ୍ୱାନରୂପ ହୋଇ ତୁମ ସ୍ୱର୍ଗ ଆରୋହଣ କାଳରେ ନେଇଥିଲି ।
ଦ୍ରୌପଦୀ ଏଵଂ ତୁମର ଭାଇ ମାନେ ନରକ ବାସ ଯୋଗ୍ୟ ନୁହଁନ୍ତି । ଏହା କେବଳ ଥିଲା ଇନ୍ଦ୍ରଙ୍କ ମାୟା । ସମସ୍ତ ମନୁଷ୍ୟଙ୍କୁ ନର୍କ ଦର୍ଶନ କରିବାକୁ ପଡ଼ିଥାଏ । ଏଣୁ ତୁମେ ମଧ୍ୟ ନର୍କର ମାୟା ଦର୍ଶନ କଲ ।
ଇନ୍ଦ୍ର କହିଲେ,ଏଠାରେ ତୁମର ସମସ୍ତ ଶତ୍ରୁ ଓ ମିତ୍ର ଈର୍ଷା ଏବଂ ଅସୂୟା ରହିତ ହୋଇ ବାସ କରୁଛନ୍ତି । ତୁମେ ବର୍ତ୍ତମାନ ଏ ମର ଶରୀର ତ୍ୟାଗକରି ଦିବ୍ୟ ବପୁ ଲାଭ କରିବ ଏବଂ ହରିଶ୍ଚନ୍ଦ୍ର ଓ ଭଗୀରଥଙ୍କ ପରି ଅଖଣ୍ଡ ସ୍ୱର୍ଗ ସୁଖ ଭୋଗ କରିବ ।
ଧର୍ମ କହିଲେ, ତୁମେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ‘ ନରେ ବା କୁଞ୍ଜରେ, ଅଶ୍ଵତ୍ଥାମା ହତଃ ‘ କପଟ ପୁର୍ଣ୍ଣ ବାକ୍ୟ କହିଥିବା ଯୋଗୁଁ ତୁମକୁ ଏହି ନର୍କଦର୍ଶନ କରିବାକୁ ପଡ଼ିଲା । ହେ ନିଷ୍ପାପ, ବର୍ତ୍ତମାନ ତୁମେ ଅଖଣ୍ଡ ସ୍ଵର୍ଗ ସୁଖ ଲାଭ କରି ସୁଖୀ ହୁଅ ।
ଯୁଧିଷ୍ଠିର ଦିବ୍ୟଶରୀରରେ ନିଜର ଭ୍ରାତା, ଆତ୍ମୀୟ ସ୍ୱଜନ ତଥା ବନ୍ଧୁମାନଙ୍କୁ ଦେଖି ପରମ ତୃପ୍ତି ଲାଭ କଲେ । ସାମାନ୍ୟ ମିଥ୍ୟାଚାର ଯୋଗୁଁ, ସଶରୀରେ ସ୍ଵର୍ଲୋକକୁ ଯାଇପାରିଥିବା ଧର୍ମନନ୍ଦନ ଯୁଧିଷ୍ଠିରଙ୍କୁ ମଧ୍ୟ ନର୍କ ଦର୍ଶନ କରିବାକୁ ପଡ଼ିଥିଲା ।
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧