ଯାଦବ ଶୌର୍ଯ୍ୟ ଦିବସ ….
***** ****** *****
“ ଲକ୍ଷେ ଚଢେଇରେ ବାଜ ବଳୁଆ
ଲକ୍ଷେ ବଳୁଆରେ ଯିଏ ଲଢୁଆ
ସିଏ ଯଦୁବଂଶୀ ଅହୀର ଛୁଆ ।”– ୧୯୬୨ରେ ଚୀନ୍ ସହ ରେଜାଙ୍ଗ୍ ଲା ବା ରେଜାଙ୍ଗ୍ ଗିରିପଥ ଯୁଦ୍ଧରେ ଶହୀଦ ହୋଇଥିବା ଅହୀର ଯବାନଙ୍କ ଉଦ୍ଦେଶ୍ଯରେ କୁହାଯାଉଥିବା ପଂକ୍ତି, ଯାହାଙ୍କପାଇଁ ଲଦାଖ ଆଜି ଚୀନର ନହୋଇ ଭାରତରେ ରହିବା ସମ୍ଭବ ହୋଇଛି ଏବଂ Rezang La ଯୁଦ୍ଧ ଜାତିସଂଘ ଦ୍ୱାରା ଘୋଷିତ ବିଶ୍ୱର ଅଷ୍ଟ ମହାଯୁଦ୍ଧ ମଧ୍ଯରେ ସ୍ଥାନ ପାଇଛି ।
***** ****** *****
iji
ମୁଁ ଆଜି କହିବି ଭାରତ ଚୀନ୍ ଯୁଦ୍ଧର ଲୋମ ଟାଙ୍କୁରା କାହାଣୀ, ଯାହା ବିଶ୍ୱ ଯୁଦ୍ଧ ଇତିହାସରେ ସର୍ବୋଚ୍ଚ ବୀରତ୍ୱ, ଶୌର୍ଯ୍ୟ ଓ ଦେଶ ପ୍ରେମର ମାନ୍ୟତା ପ୍ରାପ୍ତ ହୋଇଛି । ଯେଉଁ ବୀର ଯବାନ ମାନଙ୍କ କଥା ଓ ଗାଥା କାଳ କାଳକୁ ଇତିହାସରେ ଅମର ହୋଇ ରହିବ, ଲୋକମୁଖରେ ଅମର ହୋଇ ରହିବ ।
1962ରେ ରେଜାଙ୍ଗ୍ ଲା ସେକ୍ଟରରେ ଚୀନ ସହ ଯୁଦ୍ଧ ହେଲା । ସେ ଦିନ ଥିଲା 1962 ମସିହା ନଭେମ୍ୱର 18 ତାରିଖ । ଏହି ଶୌର୍ଯ୍ୟ ଦିବସର କଥା ମୁଁ କହୁଛି ଏଠାରେ ।
ସୀମାରେ ସେଠି କୁମାୟୁନ ରେଜିମେଣ୍ଟର ସୈନିକ ଥିଲେ, କୁମାୟୁନ ରେଜିମେଣ୍ଟରେ ମୁଖ୍ୟତଃ ହରିୟାନାର ଯାଦବ ସୈନିକ ମାନଙ୍କୁ ନିଯୁକ୍ତି ମିଳିଥାଏ ।
ତାଙ୍କ ପାଖରେ ଆଜିକା ପରି ଅସ୍ତ୍ର ଶସ୍ତ୍ର ତ ନଥିଲା ନଥିଲା, ବରଫରେ ଚାଲିଲାଭଳି ଭଲ ବୁଟ୍ ହଳେ କି ଭଲ ସୁଇଟର ଖଣ୍ଡେ ବି ନଥିଲା ।
ଏସବୁ ସ୍ଥିତିକୁ ଦେଖି ସେଦିନ ଆର୍ମି ହେଡକ୍ୱାର୍ଟରରୁ ଲଦାଖର ରେଜାଙ୍ଗ ଲା ( REZANG LA ) ସେକ୍ଟରକୁ ନିର୍ଦେଶ ଗଲା ଯେ ତମେ ସେ ପୋଷ୍ଟ ଛାଡି ଦେଇ ଫେରି ଆସ ।
ସେ ସୈନିକ ଦଳରେ 120 ଜଣ ସୈନିକ ଥିଲେ । ସମସ୍ତେ ଅହୀର୍ । ତାଙ୍କର କମାଣ୍ଡର ଥିଲେ ମେଜର ସୈତାନ ସିଂ ଭଟ୍ଟି ।
ସୈନିକମାନେ କହିଲେ କୌଣସି ହାଲତରେ ଆମେ ପଛକୁ ଫେରିବୁ ନାହିଁ, ଫେରିବ ତ ଆମ ଶବ ଫେରି ପାରେ ଅଥବା ନ ଫେରି ପାରେ ।
ଏପଟେ ଆର୍ମି ହେଡକ୍ୱାର୍ଟରରୁ ସେମାନଙ୍କ ପାଖକୁ ଆଉ କୌଣସି ସାହାଯ୍ୟ ପଠାଗଲା ନାହିଁ, ସେମାନେ ଫେରି ଆସିଥିବେ ଭାବି ।
ନା ମିଲିଟାରୀ ଫୋର୍ସ ବ୍ୟାକଅପ୍, ନା ଆର୍ମ ଆଣ୍ଡ ଆମୁନିସନ୍ ବ୍ୟାକ ଅପ୍ ନା ଗୁଳି ଗୋଳା ବନ୍ଧୁକ ନା ରେସନ ।
ତାଙ୍କ ପାଖରେ ଯାହା ଥିଲା ସେତିକିରେ ସେମାନେ ଲଢିଲେ, ଶେଷ ଗୁଳି ଶେଷ ନିଶ୍ୱାସ ପର୍ଯ୍ୟନ୍ତ, ଇଞ୍ଚେ ବି ପଛକୁ ହଟିଲେ ନାହିଁ ।
ଭାରତୀୟ ସୈନିକ 120 କୁ ଚୀନ୍ ସୈନିକମାନେ ହଜାର ହଜାର ସଂଖ୍ୟାର । ପ୍ରାୟ 6000 ।
ସେଦିନ ସେ ଯୁଦ୍ଧରେ କୁମାୟୁନ ରେଜିମେଣ୍ଟର 114 ସରିକି ଅହୀର ( ଯାଦବ ) ସୈନିକ ଶହୀଦ ହୋଇଥିଲେ ସତ, କିନ୍ତୁ ସେମାନେ ଚୀନର 1100 ରୁ ଅଧିକ ସୈନିକଙ୍କୁ ନିହତ କରିଥିଲେ ଏବଂ ସେ ସ୍ଥାନରୁ ଇଞ୍ଚେ ବି ପଛକୁ ହଟି ନଥିଲେ । ନ ହେଲେ ଲଦାଖର ରଜାଙ୍ଗ ଲା ଅଞ୍ଚଳଟି ମଧ୍ୟ ଆଜି ଚୀନ କବଜାରେ ଥାଆନ୍ତା ।
ଗୁଳି ଗୋଳା ସରିଗଲା ପରେ ଆମ କୁମାୟୁନ ରେଜିମେଣ୍ଟର ବୀର ଅହୀର ସୈନିକମାନେ ଦୋ ନଳି ବନ୍ଧୁକ ବନେଟ୍ ରେ ପିଟି ପିଟି, ମୁଥ ମାରି ମାରି, କାଖ ତଳେ ତାଙ୍କ ବେକକୁ ଚିପି, ତାଙ୍କରି ବନ୍ଧୁକ ତାଙ୍କଠୁ ଛଡେଇ ସେଥିରେ ଚୀନ ସୈନିକ ମାନଙ୍କୁ ମାରି ମାରି ଚୀନ ସୈନିକ ମାନଙ୍କ ମଧ୍ୟରେ ହା ହା କାର ସୃଷ୍ଟି କରି ଦେଇଥିଲେ ।
ସେଠାରେ ସେଇ ସେକ୍ଟରରେ ନିୟୋଜିତ ଚୀନ ସୈନ୍ୟମାନେ ସେଦିନ ବାଧ୍ୟ ହୋଇ ସେ ଅଞ୍ଚଳ ଛାଡି ପଛ ଘୁଞ୍ଚା ଦେଇ ପଳାଇ ଥିଲେ ।
ଫଳରେ ସେ ଭୁଖଣ୍ଡଟି ଆଜି ମଧ୍ୟ ଭାରତର ଅଂଶ ବିଶେଷ ହୋଇ ରହି ପାରିଛି । ଭାରତ ମାତା ପ୍ରତି ଯାଦବ ବୀରମାନଙ୍କ ଏ ଅବଦାନ କାଳକାଳକୁ ସ୍ମରଣ ରହିବ ।
ଅବଶ୍ୟ ଭାରତର ଅନ୍ୟାନ୍ୟ ସେକ୍ଟରରେ ଚୀନ ସୈନ୍ୟମାନେ ଭୟଙ୍କର ଯୁଦ୍ଧ କରି ସେତେବେଳକୁ ଭାରତର ବହୁ ଅଞ୍ଚଳ ନିଜ ଅକ୍ତିଆରକୁ ନେଇ ଯାଇ ଥିଲେ, ଆଜି ବି ସେ ସବୁ ଅଞ୍ଚଳ ଚୀନ ଅକ୍ତିଆରରେ ଅଛି ।
ସେହି ସମୟରେ ଯେତେବେଳେ ଭାରତର ଅପେକ୍ଷାକୃତ ଦୁର୍ବଳ ପ୍ରତିରୋଧକୁ ପରାହତ କରି ଚୀନ ସୈନିକମାନେ ରେଜାଙ୍ଗଲା ସେକ୍ଟର ବ୍ୟତୀତ ଅନ୍ୟାନ୍ୟ ସେକ୍ଟରରେ ଭାରତ ସୀମାକୁ ମାଡି ଚାଲିଥିଲେ, ସେତେବେଳେ କଣ ହେଲା କେଜାଣି ହଠାତ ଚୀନ୍ ନିଜ ତରଫରୁ ଯୁଦ୍ଧ ବିରତି ଘୋଷଣା କଲା । ଏ କଥା ବିଶ୍ୱ ଯୁଦ୍ଧ ଇତିହାସରେ ଆଜିବି ଏକ ରହସ୍ୟମୟ ଅଧ୍ୟାୟ ହୋଇ ରହିଛି ।
ଯୁଦ୍ଧ ବନ୍ଦ ହୋଇଗଲା ।
ମେଜର ସୈତାନ ସିଂ ଙ୍କ ସମେତ କୁମାୟୁନ ରେଜିମେଣ୍ଟର 114 ଅହୀର ବୀର ଦେଶ ମାତୃକା ପାଇଁ ନିଜର ପ୍ରାଣ ବଳିଦାନ ଦେଇ, ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆମ ଭାରତ ମାଟିର ଏକ ପବିତ୍ର ଭୁଖଣ୍ଡକୁ ସେଦିନ ରକ୍ଷା କଲେ ।
ସେ ଯୁଦ୍ଧରେ ଯେଉଁ ଛ ସାତ ଜଣ ସୈନିକ ବଞ୍ଚି ଯାଇଥିଲେ ସେମାନେ ଗୁରୁତର କ୍ଷତ ବିକ୍ଷତ ହୋଇ ସଜ୍ଞାହୀନ ଥିଲେ, ସେହି ସଂଜ୍ଞାହୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସେଦିନ ଯୁଦ୍ଧରୁ ପଛଘୁଞ୍ଚା ଦେଇଥିବା ଚୀନ ସୈନିକମାନେ ନିଜ ଶିବିରକୁ ଘୋଷାଡି ନେଇ ଯାଇଥିଲେ।
ସେଠାରେ ତା ପରଦିନ ସେମାନଙ୍କର ସଂଜ୍ଞା ଫେରିଥିଲା।
ଚୀନ ସୈନିକମାନଙ୍କର ଯୁଦ୍ଧ ନିଶା ଉତୁରି ଯାଇଥିଲା, ସେମାନଙ୍କର ଆଉ ଭାରତୀୟ ସୀମା ଆଡେ ସେତେଟା ନିଘା ନଥିଲା, ସମସ୍ତେ ଯୁଦ୍ଧ କ୍ଳାନ୍ତି ମେଣ୍ଟାଉଥିଲେ ।
ଚେତା ଫେରିଲା ପରେ ସେ ତିନିଜଣ ସୈନିକ ମଉକା ଦେଖି ଚୀନ ଶିବିରରୁ ଖସି ପଳାଇ ଆସିଲେ ।
ସେମାନେ ଭାରତୀୟ ସୀମାରେ ପ୍ରବେଶକରି ଦେଖିଲେ ତାଙ୍କ ସାଥୀ ମାନଙ୍କର ବୀରତ୍ୱର ଲଢେଇର ନିଦର୍ଶନ ।
କେହି ଜଣେ ବି ପଛ ଘୁଞ୍ଚା ଦେଇ ନାହାନ୍ତି, ବିଯୁକ୍ତ 45 ଡିଗ୍ରି ତାପମାତ୍ରାରେ, ଖାଦ୍ୟାଭାବ, ବସ୍ତ୍ରାଭାବ ଜନିତ ପରିସ୍ଥିତିରେ କେହି କେହି ସୈନିକ ଫାୟାର କରିବାକୁ ବନ୍ଧୁକର ଟ୍ରିଗର ଉପରେ ହାତ ରଖିଛନ୍ତି ଅଥଚ ଶତ୍ରୁର ଗୁଳିରେ କ୍ଷତ ବିକ୍ଷତ ଶରୀର ପ୍ରବଳ ଶୀତର ପ୍ରକୋପକୁ ସହି ପାରିନି, ସେହି ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଛି।
I
କେହି ସୈନିକ ହ୍ୟାଣ୍ଡ ଗ୍ରେନେଡ ଫିଙ୍ଗିବାକୁ ଦାନ୍ତରେ କାମୁଡି ଗ୍ରେନେଡରୁ ପିନ୍ ବାହାର କରୁଥିବା ଅବସ୍ଥାରେ ଭୋକ ଉପବାସ ଓ ଉପଯୁକ୍ତ ଶୀତବସ୍ତ୍ର ବିହୀନ ଶରୀର ପ୍ରବଳ ତୁଷାରପାତକୁ ସହ୍ୟ କରିପାରିନି, ତାଙ୍କର ସେହି ହାତ ସେଇଠି ଅଛି, ଗ୍ରେନେଡ ସେମିତି ମୁହଁରେ ଲାଗିଛି ଅଥଚ ତାଙ୍କର ପ୍ରାଣବାୟୁ ଉଡିଯାଇଛି ।
କେହି ଜଣେ ବି ସହୀଦ ଭାରତ ଆଡକୁ ମୁହଁକରି ପ୍ରାଣ ତ୍ୟାଗ କରି ନାହାନ୍ତି, ଗୁଳି ଖାଇଛନ୍ତି ତ ସାମନା ପଟୁ ଛାତିରେ ଗୁଳି ଖାଇଛନ୍ତି, ପିଠିରେ ନୁହେଁ । ଏମାନେ 114 କୁ ଚୀନର 1100 ରୁ ଉର୍ଦ୍ଧ୍ବ ସୈନିକଙ୍କୁ ସହୀଦ କରିଛନ୍ତି ।
ନିଜ ସାଥୀ ମାନଙ୍କର ବିରଳ ଦେଶପ୍ରେମ ଦେଖି ଚୀନ ଶିବିରରୁ ଖସିଆସିଥିବା ଅତି ଗୁରୁତର କ୍ଷତ ବିକ୍ଷତ ସୈନିକଙ୍କ ଦେହରେ ହଠାତ୍ ଶତ ସିଂହର ଶକ୍ତି ସଞ୍ଚରୀ ଗଲା।
ସେମାନେ ଫେରି ଆର୍ମି ହେଡକ୍ୱାର୍ଟରକୁ ଯାଇ ଆମ ଯବାନମାନଙ୍କର ଏ ଅଭୁତପୂର୍ବ ବୀରତ୍ୱର ଗାଥା ବଖାଣିଛନ୍ତି।
ହେଲେ ହାୟ,
କେହି ବଡ ହାକିମ ଏ ଯବାନମାନଙ୍କ କଥାକୁ ବିଶ୍ୱାସ କରିନାହାନ୍ତି କି ଗୁରୁତ୍ୱ ଦେଇ ନାହାନ୍ତି।
ବରଂ ମିଛ କହୁଥିବାରୁ ବିଚରା ତଳ ପାହ୍ୟାର ଏ ବୀର ଯବାନଙ୍କୁ କଥା ମିଛ ହୋଇଥିଲେ କୋର୍ଟମାର୍ଶାଲ ଦଣ୍ଡ ଦିଆଯିବାର ନାଲିଆଖି ମଧ୍ୟ ଦେଖାଇଛନ୍ତି ।
ଲଢୁଆ ବୀର, ଯିଏ ଭାରତମାତା ପାଇଁ ସୀମାରେ ତାର ଛାତିରୁ ରକ୍ତ ନିଗାଡି ଦେଇଛି, ସିଏ କଣ ସହଜେ ଛାଡିବ କି ?
ଏ ଯବାନମାନେ ବାରମ୍ୱାର ବହୁ ହାକିମଙ୍କୁ ଏକଥା କହିଛନ୍ତି,
ଥରେ ମାତ୍ର ସେ ଅଞ୍ଚଳ ବୁଲି ଦେଖି ଆସିବାକୁ ବାରମ୍ୱାର ଅନୁରୋଧ କରିଛନ୍ତି, କେହି କର୍ଣ୍ଣପାତ କରି ନାହାନ୍ତି।
ଏମିତି ତିନି ମାସ ବିତିଯାଇଛି ।
କଥାଟା ଅଗ୍ନି ସ୍ଫୁଲିଙ୍ଗପରି ଧୀରେ ଧୀରେ ସୈନିକମାନଙ୍କ ମଧ୍ୟରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଶେଷରେ ବଡ ହାକିମମାନେ ସେଠାକୁ ଯିବାକୁ ରାଜି ହୋଇଛନ୍ତି ।
ସେଠାରେ ପହଞ୍ଚି କେତେ ଯେ ଭାବବିହ୍ୱଳ ହୋଇଛନ୍ତି ଆମ ସୈନିକ ମାନଙ୍କର ପରାକ୍ରମ ଓ ଦେଶପ୍ରେମ ଦେଖି, କେତେ ଯେ ଆନନ୍ଦରେ ଆତ୍ମହରା ହୋଇଛନ୍ତି ତାହା ଅକଳନୀୟ ।
ଏଠାରେ ଆଉ ଗୋଟିଏ କଥା କହିଦିଏ ।
ଯୁଦ୍ଧ ବିରାମ ପରେ କୌତୁହଳ ବଶତଃ କେବେ ଥରେ ଚୀନ ସେନା ସେ ଅଞ୍ଚଳରେ ପାଟ୍ରୋଲିଂ କଲାବେଳେ ସେଠାକୁ ଆସିଛି ।
ସେମାନେ ଭାରତୀୟ ସୈନିକମାନଙ୍କର ଏ ଦେଶପ୍ରେମ ଓ ବୀରତ୍ୱରେ ଅଭିଭୁତ ହୋଇ ନିଜର ମଥାନତ କରିଛନ୍ତି, ସମ୍ମାନ ସ୍ୱରୂପ ବନ୍ଧୁକକୁ ଓଲଟାଇ ତାର ମୁନକୁ ମାଟିରେ ପୋତି ତା ଉପରେ ତାଙ୍କର ଟୋପି ରଖି ଦେଇ ଯାଇଛନ୍ତି ।
କାରଣ ସେମାନେ ବି ସୈନିକ ନା! ଆଉଜଣେ ସୈନିକର ବଳିଦାନ ଗାଥାକୁ ତାଙ୍କଠାରୁ ଆଉ କିଏ ବା ଅଧିକ ହୃଦୟଙ୍ଗମ କରିପାରନ୍ତା ?
ଏକଥା ଭାରତୀୟ ସେନାର ସର୍ବୋଚ୍ଚ ପଦାଧିକୀରୀମାନେ ମଧ୍ୟ ଦେଖିଛନ୍ତି ।
ଏ ସବୁ ସ୍ୱଚକ୍ଷୁରେ ଦେଖିଲା ପରେ କିଏ ବା ଭାବ ବିହ୍ୱଳ ନହେବ ଯେ ?
ଫଳରେ ଏ କୁମାୟୁନ ରେଜିମେଣ୍ଟର ଅହୀର ସେନାଙ୍କ ଉପରେ ମେଡାଲର ବର୍ଷା ବର୍ଷିଛି, ପରମବୀର ଚକ୍ରଠୁ ଆରମ୍ଭ କରି କେତେ ଯେ ମେଡାଲ କିଏ ଗଣୁଚି !
ବିଶ୍ୱ ଯୁଦ୍ଧ ଇତିହାସରେ ଏହା ଆଜି ପର୍ଯ୍ୟନ୍ତ ସର୍ବକାଳୀନ ସର୍ବୋତ୍କୃଷ୍ଟ ଦେଶପ୍ରେମର ମାନ୍ୟତା ପାଇଛି।
ଲଦାଖର ରେଜାଙ୍ଗ୍ ଲା ଯୁଦ୍ଧ ସ୍ମାରକୀ ସ୍ଥଳ ଏବେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର ପାଲଟିଛି ।
କେବଳ ଭାରତୀୟ କାହିଁକି, ସମଗ୍ର ବିଶ୍ୱର ନାଗରିକ ସେ ପବିତ୍ର ସ୍ମାରକୀ ସ୍ଥଳକୁ ଜୀବନରେ କେବେ ନା କେବେ ଥରେ ସ୍ପର୍ଶ କରି ସେ ମାଟିକୁ ସେ ବୀର ଯବାନମାନଙ୍କର ବଳୀଦାନକୁ ଥରେ ନମନ କରିବାକୁ ଚାହୁଁଛନ୍ତି ।
ମୁଁ ତ ଏକଥା ଅନୁଭବ କରିପାରୁଛି, ଆପଣମାନେ ଥରେ ସେ ସ୍ଥାନରେ ନିଜର ମଥା ଛୁଆଁଇ କିଛି ଅନୁଭବ ସାଉଣ୍ଟି ଆସନ୍ତୁ ନା !
ସେମାନଙ୍କ ତ୍ୟାଗକୁ କୋଟି କୋଟି ନମନ ।
Jogabyasa Bhoi, Mountaineer, Kalahandi
ଜୟ ଜବାନ୍, ଜୟ କିଷାନ୍
ଜୟ ଯାଦବ, ଜୟ ମାଧବ
ବୀର ବାଣୀ :
୧. “ ଲକ୍ଷେ ଚଢେଇରେ ବାଜ ବଳୁଆ
ଲକ୍ଷେ ବଳୁଆରେ ଯିଏ ଲଢୁଆ
ସିଏ କୃଷ୍ଣବଂଶୀ ଅହୀର ଛୁଆ ।”
– ୧୯୬୨ରେ ଚୀନ୍ ସହ ରେଜାଂଗ୍ ଲା ବା ରେଜାଂଗ୍ ଗିରିପଥ ଯୁଦ୍ଧରେ
ଶହୀଦ ହୋଇଥିବା ଅହୀର ଜବାନଂକ ଉଦ୍ଦେଶ୍ଯରେ କୁହାଯାଉଥିବା ପଂକ୍ତି, ଯାହାଙ୍କପାଇଁ ଲଦାଖ ଆଜି ଚୀନର ନହୋଇ ଭାରତରେ ରହିବା ସମ୍ଭବ ହୋଇଛି ଏବଂ Rezang La ଯୁଦ୍ଧ ଜାତିସଂଘ ଦ୍ୱାରା ଘୋଷିତ ବିଶ୍ୱର ଅଷ୍ଟ ମହାଯୁଦ୍ଧ ମଧ୍ଯରେ ସ୍ଥାନ ପାଇଛି ।
୨. “ ମୁଁ ମୋର ଶୌର୍ଯ୍ଯର ବାନା ଉଡାଇବା ପୂର୍ବରୁ ମୋତେ ଯଦି ସ୍ୱୟଂ ମୃତ୍ଯୁ ବି ଆକ୍ରମଣ କରେ, ମୁଁ ସେ ମୃତ୍ଯୁକୁ ମଧ୍ଯ ସଂହାର କରିବି । “
– ପରମ ବୀର ଚକ୍ର କ୍ଯାପ୍ଟେନ୍ ମନୋଜ କୁମାର ପାଣ୍ଡେ, ୧/୧୧, ଗୋର୍ଖା ରାଇଫଲ୍
୩. “ତୁମମାନଙ୍କପାଇଁ ଯାହା ଜୀବନର ଶ୍ରେଷ୍ଠ ଦୁଃସାହସ, ସେଇଟା ଆମର ଜୀବନଚର୍ଯ୍ଯା, ନିତିଦିନିଆ ଅଭ୍ଯାସ । “
– ଲଦାଖ ଲେହ ଜାତୀୟ ରାଜପଥରେ ଲାଗିଥିବା ସେନାର ସାଇନ୍ ବୋର୍ଡ
୪. “ ମୁଁ ସୀମାନ୍ତରେ ତ୍ରିରଙ୍ଗା ଉଡେଇକି ଫେରିବି ନହେଲେ ଦେହରେ ତ୍ରିରଙ୍ଗା ଗୁଡେଇ ହୋଇକି ଫେରିବି, କିନ୍ତୁ ଫେରିବି ନିଶ୍ଚୟ । “
– ପରମବୀର ଚକ୍ର କ୍ଯାପ୍ଟେନ୍ ବିକ୍ରମ ବାତ୍ରା
୫. ମୁଁ ଦୁଃଖିତ ଯେ ମୁଁ କେବଳ ଥରେମାତ୍ର
ମୋ ଦେଶପାଇଁ ଜୀବନ ଦେଇ ପାରିବି ।”
– ପ୍ରେମ ରାମଚନ୍ଦାନୀ, ଫ୍ଲାଇଂ ଅଫିସର, ଭାରତୀୟ ବାୟୁସେନା
୬. “ ଯଦି କେହି କହୁଛି ସେ ମୃତ୍ଯୁକୁ ଭୟ କରେ ନାହିଁ, ତାହେଲେ ସେ ମିଛ କହୁଛି ନହେଲେ ସେ ଜଣେ ଗୋର୍ଖା । “
– ଫିଲ୍ଡ ମାର୍ଶାଲ ଶ୍ଯାମ ମାନେକ୍ସା
୭. “ ଈଶ୍ୱର ଆମର ଶତ୍ରୁମାନଂକୁ ଦୟା କରନ୍ତୁ, କାରଣ ଆମେ ତାହା କରିପାରିବୁନି । “
– ଭାରତୀୟ ସେନା
୮. “ ଶତ୍ରୁ ସଂହାର ଆମର ପେଷା,
ମାତୃଭୂମୀକୁ ଭଲପାଇବା ଆମର ନିଶା,
ମୃତ୍ଯୁକୁ ପ୍ରତିହତ କଲେଯାଇ
ଆମେ ଦେଖୁ ବଞ୍ଚିବାର ଆଶା । “
– ସେନା ଟ୍ରେନିଂ କଲେଜର ଆପ୍ତବାକ୍ଯ
୯. “ ଶତ୍ରୁଙ୍କୁ କ୍ଷମା କରିବା ଈଶ୍ୱରଙ୍କ ଦାୟିତ୍ୱ,
ଶତ୍ରୁଙ୍କୁ ଈଶ୍ୱରଙ୍କ ସହ ଭେଟେଇଦେବା ଆମର ଦାୟିତ୍ୱ ।”
– ଭାରତୀୟ ସେନା
୧୦. “ କେବଳ ପବନ ବହୁଛି ବୋଲି ଆମର ତ୍ରୀରଙ୍ଗା ଫର ଫର ହୋଇ ଉଡୁନି, ଯେଉଁ ପବନରେ ଆମ ତ୍ରୀରଙ୍ଗା ଫର ଫର ହୋଇ ଉଡୁଥିବାର ତୁମେ ଦେଖୁଛ, ତାହା ବସନ୍ତର ମଧୁର ମଳୟ ନୁହେଁ, ତାହା ପ୍ରତ୍ଯେକ ଶହୀଦର ଅନ୍ତିମ ନିଃଶ୍ୱାସ ମଧ୍ଯ।”
– ଲକ୍ଷ୍ମୀଧର ନାୟକ
18.11. 2018