ଯାଦବ ବା ଗୋପାଳମାନେ କେଉଁ ବର୍ଣ୍ଣର ?

Share it

ସମାଜରେ ବର୍ଣ୍ଣ ବ୍ୟବସ୍ଥା

ଯାଦବ ବା ଗୋପାଳ ମାନେ କେଉଁ ବର୍ଣ୍ଣର ?

ଅନେକ ସମୟରେ ପ୍ରଶ୍ନ ହୁଏ ଯାଦବ ବା ଗୋପାଳ ମାନେ କେଉଁ ବର୍ଣ୍ଣର । ଏହି ବିଷୟକୁ ବିଚାର କରିବାକୁ ଗଲେ ପ୍ରଥମେ ହିନ୍ଦୁ ସମାଜର ବର୍ଣ୍ଣ ବ୍ୟବସ୍ଥାର ଇତିହାସ ବା ବ୍ୟବସ୍ଥାର ବିଚାର କରିବାକୁ ହେବ ।

ଅନେକ ମନେ କରି ଥାଆନ୍ତି ହିନ୍ଦୁ ସମାଜର ସୃଷ୍ଟି ସମୟରୁ ଜାତି ପ୍ରଥା ଅର୍ଥାତ୍ ବ୍ରାହ୍ମଣ, କ୍ଷତ୍ରିୟ, କରଣ, ଗୋପ ବା ଗୋପାଳ, ଭଣ୍ଡାରି, କୁମ୍ଭାର, ମାଳି ଇତ୍ୟାଦି ଜାତି ରହି ଆସିଅଛି । ଏହା ଏକ ଅସତ୍ୟ ତଥ୍ୟ ଉପରେ ପ୍ରତିଷ୍ଠିତ ।

ଆଦ୍ୟ ଯୁଗ, ଯାହାକୁ ସତ୍ୟ ଯୁଗ ବୋଲି କୁହାଯାଏ, ସେତେବେଳେ ବର୍ଣ୍ଣ ବ୍ୟବସ୍ଥା ହିନ୍ଦୁ ସମାଜରେ ଆଦୌ ନଥିଲା । ଫଳତଃ କେହି ଉଚ୍ଚ କେହି ନୀଚ୍ଚ, କେହି ସ୍ପୃଶ୍ଯ କେହି ଅସ୍ପୃଶ୍ଯ ନଥିଲେ । ତେଣୁ ଜାତି ପ୍ରଥା ବା ବର୍ଣ୍ଣ ଭେଦ ସେ ସମୟର ସମାଜରେ ନଥିଲା ।

କୁହାଯାଏ ବ୍ରହ୍ମାଙ୍କର ପୁତ୍ର କାଶ୍ୟପ । ତାଙ୍କଠାରୁ ମାନବ ସମାଜ ସୃଷ୍ଟି ହେବା ଫଳରେ ବ୍ରହ୍ମା ପିତାମହ ବା ଆଦି ପିତା । କାଶ୍ୟପଙ୍କ ଠାରୁ ସୂର୍ଯ୍ୟ ଏବଂ ତାଙ୍କ ପୁତ୍ର ବୈବସୂତ ମନୁ। ତେଣୁ ମନୁଙ୍କୁ ମଧ୍ୟ ମାନବ ସମାଜର ସୃଷ୍ଟି କର୍ତ୍ତା ବୋଲି କୁହାଯାଏ ।

ସତ୍ୟ ଯୁଗରେ ଜାତି ବର୍ଣ୍ଣ ବିବର୍ଜିତ ବିଚାରରେ ଧର୍ମ ଚତୁଷ୍ପାଦ ଥିଲା । ସତ୍ୟ ଯୁଗ ପରେ ଆସିଲା ତ୍ରେତୟା ଯୁଗ । ସେ ସମୟରେ ସଭ୍ୟତାର ପ୍ରସାର ଘଟିଲା । ଭାଷାର ବିକାଶ ଘଟି ବିଦ୍ୟାର ଚର୍ଚ୍ଚା ହେଲା । ବେଦର ପରିପ୍ରକାଶ ଘଟିଲା । ତେଣୁ ମଣିଷମାନଙ୍କ ମଧ୍ୟରେ ଯେଉଁମାନେ ବିଦ୍ୟାରେ ପାରଦର୍ଶୀ ହେଲେ ସେମାନେ ଦେବ ଉପାଧି ଲାଭ କଲେ ଏବଂ ଯେଉଁମାନେ ଏହି ନୂତନ ସଂସ୍କାର ବା ବ୍ରାହ୍ମଣତ୍ବର କର୍ମକୁ ବିରୋଧ କଲେ ସେମାନେ ଅସୁର ବୋଲାଇଲେ ।

ପ୍ରକୃତରେ ସୁର ଅସୁର କିମ୍ବା ଦେବ ଦୈତ୍ୟ ସମସ୍ତେ ମୂଳତଃ ଏକ ବ୍ରାହ୍ମଣ ଜାତି ଅର୍ଥାତ୍ ବ୍ରହ୍ମାଙ୍କର ଦାୟାଦ ତଥା କାଶ୍ୟପଙ୍କ ବଂଶଧର ବୈବସୂତ ମନୁଙ୍କର ସନ୍ତାନ ।

ଦେବ ଏବଂ ଦାନବଙ୍କ ମଧ୍ୟରେ କ୍ଷମତା ତଥା ନିଜ ନିଜର ଶକ୍ତି ସାମର୍ଥ୍ଯର ପରି ପ୍ରକାଶ ପାଇଁ ସଦା ସର୍ବଦା ବିବାଦ ଲାଗି ରହୁଥିଲା । ଏହି ସାମର୍ଥ୍ଯର ପରାକାଷ୍ଠା ପ୍ରଦର୍ଶନ ଆକାଙ୍କ୍ଷାରୁ ହିଁ ଉଭୟ ଗୋଷ୍ଠୀ ମଧ୍ଯରେ ଯୁଦ୍ଧ ଲାଗି ରହୁଥିବା କଥା ପୁରାଣ ଶାସ୍ତ୍ର ବର୍ଣ୍ଣନା ମାନଙ୍କରୁ ଜଣାଯାଏ ।

ଅସୁରମାନେ ଦେବ ବା ଋଷି ମାନଙ୍କର ଯଜ୍ଞ ଭଗ୍ନ କରୁଥିଲେ । ସେମାନଙ୍କୁ ନାନା କଷ୍ଟ ମଧ୍ୟ ଦେଉଥିଲେ । କୁହାଯାଏ ବ୍ରହ୍ମା ତ୍ରେତୟା ଯୁଗରେ ଅସୁର ମାନଙ୍କ ହାତରୁ ଯଜ୍ଞ ତଥା ପୂଜା ଆରାଧନାକୁ ରକ୍ଷା କରିବା ପାଇଁ ବର୍ଣ୍ଣ ଭେଦ ବ୍ଯବସ୍ଥା ସୃଷ୍ଟି କଲେ ।

ଆଗରୁ କୁହା ଯାଇଛି ଯେ, ମାନବ ସମାଜରେ ସମସ୍ତେ ବ୍ରାହ୍ମଣ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ । ତେଣୁ ଯେଉଁ ବ୍ରାହ୍ମଣ ମାନେ ଯଜ୍ଞାଦି ପୂଜା ପାଠରେ ପାରଙ୍ଗମ ହେଲେ ସେମାନେ ବ୍ରାହ୍ମଣ ବର୍ଣ୍ଣ, ଯେଉଁମାନେ ଶକ୍ତିଶାଳି ବଳବାନ କିନ୍ତୁ ପୂଜାପାଠରେ କୁଶଳତା ପ୍ରଦର୍ଶନ କରି ପାରିଲେ ନାହିଁ ସେମାନେ କ୍ଷତ୍ରିୟ ବର୍ଣ୍ଣର ଅନ୍ତର୍ଭୁକ୍ତ ହେଲେ । ଯେଉଁମାନେ ଗୋପାଳନ ତଥା କୃଷି କାର୍ଯ୍ୟ ତଥା ସମାଜ ଉପଯୋଗୀ ବିଭିନ୍ନ ବସ୍ତୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଲେ ସେମାନଙ୍କୁ ବୈଶ୍ୟ ବର୍ଣ୍ଣର ଅନ୍ତର୍ଭୁକ୍ତ କରାଗଲା । ଏତଦ୍ ବ୍ଯତୀତ କର୍ମଠ, ପରିଶ୍ରମୀ ଅଥଚ ଯୁଦ୍ଧ ବିମୁଖ ବ୍ୟକ୍ତିମାନେ ଶୁଦ୍ର ବର୍ଣ୍ଣ ଅନ୍ତର୍ଭୂକ୍ତ ହୋଇ ଶ୍ରମଯୁକ୍ତ କର୍ମରେ ନିଯୁକ୍ତ ହେଲେ ।

ମୋଟ୍ ଉପରେ ଏତିକି କୁହା ଯାଇ ପାରେ ଯେ ଗୁଣ (Proficiency) ଅନୁଯାୟୀ କର୍ମ କରିବା ପାଇଁ ବର୍ଣ୍ଣ ବିଭାଗର ସୃଷ୍ଟି ଘଟିଥିଲା । ଅପରନ୍ତୁ ଏହି ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ସମସ୍ତେ ମୂଳ ବ୍ରାହ୍ମଣ ବଂଶଜ ଓ ପରସ୍ପର ଜ୍ଞାତି ଅଟନ୍ତି । କେହି ଉଚ୍ଚ ବା ନୀଚ୍ଚ ନଥିଲେ । ସମସ୍ତେ ବ୍ରହ୍ମାଙ୍କର ସନ୍ତାନ ସନ୍ତତି ଓ ଋଷି ବଂଶଜ ଭାବରେ ଗଣ୍ୟ ହେଉଥିଲେ।
( କ୍ରମଶଃ )

ଆଗାମୀ ସଂଖ୍ଯାରେ – ଯଦୁ ଓ ପୁରୁ ବଂଶର ଉତ୍ପତ୍ତି

ଲେଖକ – ବିଶ୍ବେଶ୍ବର ଭୂତିଆ,
ଗୁଡିଆନାଳୀ,ଢେଙ୍କାନାଳ -759001

( ବିଶ୍ବେଶ୍ବର ଭୁତିଆଙ୍କ ରଚିତ ପୁସ୍ତକ “ଯଦୁପତି ଶ୍ରୀକୃଷ୍ଣ ନ୍ୟାସ – ଏକ ଦୃଷ୍ଟିପାତ” ପୁସ୍ତକରୁ ଆନୀତ )

Profile of Late Bisweswar Bhutia

Share it

Leave a comment

Your email address will not be published. Required fields are marked *

Verified by MonsterInsights