ଯଦୁବଂଶୀ ନନ୍ଦ

Share it

ଯଦୁବଂଶୀ ନନ୍ଦ

କଂସ କୃଷ୍ଣଙ୍କୁ ଜୀବନରେ ମାରିଦେବାର ଚକ୍ରାନ୍ତ କରୁଥିବା ଜାଣି ମଧ୍ୟ ନନ୍ଦ ତାଙ୍କୁ ଲାଳନ ପାଳନ କରିବା ପାଇଁ ଆଗେଇ ଆସିଥିଲେ । କଂସ ଅଦ୍ବିତୀୟ ବୀର ହୋଇଥିଲେ ମଧ୍ୟ କେବେ ଗୋପପୁରକୁ ଯୁଦ୍ଧ ଯାତ୍ରା କରିନାହିଁ କିମ୍ବା ଖୋଲାଖୋଲି ଭାବେ ଗୋପ କିମ୍ବା ବୃନ୍ଦାବନ ଆକ୍ରମଣ କରି ନାହିଁ । କଂସର ଏହି କାର୍ଯ୍ୟ କଳାପରୁ ଜଣାଯାଏ ଯେ, ନନ୍ଦ ମଧ୍ଯ ସେ ସମୟରେ ଜଣେ ସାହସୀ ଓ ପ୍ରତାପଶାଳୀ ରାଜା ଥିଲେ

ଦ୍ୱାପର ଯୁଗରେ ଯଦୁ ଓ ପୁରୁ ବଂଶୀୟ କ୍ଷତ୍ରିୟ ରାଜାମାନଙ୍କର ବିଶେଷ ପ୍ରଭାବ ରହିଥିଲା । ଯଦୁ ବଂଶର ବୃଷ୍ଣି ନାମରେ ଜଣେ ରାଜା ଥିଲେ।

ତାଙ୍କର ବଂଶଧର ମାନଙ୍କୁ ବୃଷ୍ଣି ବଂଶୀୟ କୁହାଯାଇଥାଏ । ସେହି ବଂଶର ଏକ ଶାଖାରେ ଶାତ୍ତ୍ବତ ନାମରେ ଜଣେ ରାଜା ଥିଲେ । ତାଙ୍କର ବଂଶଧର ମାନେ ଶାତ୍ତ୍ବତ ବଂଶୀ ଭାବରେ ନାମିତ ହେଉଥିଲେ । ଏହି ବଂଶରେ ରାଜା ଉଗ୍ରେସନଙ୍କର ଜନ୍ମ । ତାଙ୍କ ପୁତ୍ରର ନାମ କଂସ । ସେ ଅତ୍ୟାଚାରୀ ରାଜା ରୂପେ ପରିଚିତ ଥିବାରୁ ତାଙ୍କୁ ଅସୁର ଭାବରେ ପୁରାଣ ଶାସ୍ତ୍ର ବର୍ଣ୍ଣନା କରିଛି । ଉଗ୍ରେସନଙ୍କ ଭାତୃଷ୍ପୁତ୍ରୀ ବା ଭାଇଙ୍କ ଝିଅର ନାମ ଦେବକୀ ।

ଦେବକୀ ବସୁଦେବଙ୍କୁ ବିବାହ କରିଥିଲେ । ସୁତରାଂ କଂସର ଭଉଣୀ ଦେବକୀଙ୍କର ପୁତ୍ର ହେଉଛନ୍ତି ଶ୍ରୀକୃଷ୍ଣ ଏବଂ ବସୁଦେବଙ୍କ ପ୍ରଥମା ପତ୍ନୀ ରୋହିଣୀଙ୍କ ଗର୍ଭରୁ ବଳରାମ ଜନ୍ମ ଗ୍ରହଣ କରିଥିଲେ ।

ଏହି ବସୁଦେବଙ୍କର ପିତାମହ ଥିଲେ ଦେବମୀଢ଼ ।ଦେବମୀଢଙ୍କର ଦୁଇ ଜଣ ପତ୍ନୀ ଥିଲେ । ଜଣେ ହେଲେ ଲୀଳାବତୀ ଏବଂ ଅନ୍ୟ ଜଣକ ଗୁଣବତୀ ।

ଲୀଳାବତୀଙ୍କ ଗର୍ଭରୁ ଜନ୍ମ ନେଲେ ଶୂର ଏବଂ ଗୁଣବତୀଙ୍କ ଗର୍ଭରୁ ଜନ୍ମ ନେଲେ ପର୍ଜନ୍ୟ । ଅର୍ଥାତ୍ ଶୂର ଏବଂ ପର୍ଜନ୍ଯ ଗୋଟିଏ ବାପାର ଦୁଇ ପୁଅ ବା ପରସ୍ପର ଦୁଇ ଭାଇ।

ଶୂରଙ୍କର ପୁତ୍ର ହେଲେ ବସୁଦେବ ମାତା ମାରୀଷା, ଏବଂ ପର୍ଜନ୍ୟଙ୍କ ପୁତ୍ର ନନ୍ଦ ମାତା କୁସୁମୀ । ତେଣୁ ବସୁଦେବ ଓ ନନ୍ଦ ଦେବମୀଢ ରାଜାଙ୍କର ନାତି ଓ ପରସ୍ପରର ଭାଇ ।

ସଂସ୍କୃତ ଭାଗବତରେ ‘ଭାତରଂ’ ଥିବାବେଳେ ଓଡିଆ ଭାଗବତରେ ଏହା ମିତରଂ ଅର୍ଥରେ ବର୍ଣ୍ଣିତ । ଅତଃ ‘ମିତରଂ’ ଭ୍ରମାତ୍ମକ ତଥ୍ୟ ଅଟେ । ତଦ୍ବାରା ସଂସ୍କୃତ ଭାଗବତ ପଢି ନଥିବା ବହୁ ଲୋକଙ୍କ ମନରେ ନନ୍ଦ ଓ ବସୁଦେବଙ୍କ ପାରିବାରିକ ସମ୍ୱନ୍ଧ ଅନେକ ସମୟରେ ବିବାଦମାନ ହୋଇଥାଏ ।

କଂସର ଭୟରେ ବସୁଦେବ ପୁତ୍ରକୁ ଜ୍ଞାତି ଭାଇ ଗୋପର ରାଜା ନନ୍ଦଙ୍କର ଘରେ ଲୁଚାଇ ରଖିଥିଲେ । ତହିଁ ପୂର୍ବରୁ ବସୁଦେବଙ୍କର ଅପର ପତ୍ନୀ ରୋହିଣୀ ଗୋପ ପୁରରେ ନନ୍ଦଙ୍କ ଘରେ ଆଶ୍ରୟ ନେଇଥିଲେ ଏବଂ ତାଂକର ଗର୍ଭରୁ ବଳଭଦ୍ର ବା ବଳରାମ ନନ୍ଦ ଗୃହରେ ଜନ୍ମ ହୋଇଥିଲେ ।

ଉପରୋକ୍ତ ବିଚାର ଧାରରେ ନନ୍ଦ ଯାଦବ ବଂଶଜ । କ୍ଷତ୍ରିୟ ବର୍ଣ୍ଣ ସହ କୃଷି ଗୋପାଳନାଦି ବୈଶ୍ୟ ବୃତ୍ତି କରି ବୈଶ୍ଯ ବର୍ଣ୍ଣର ଅନ୍ତର୍ଭୁକ୍ତ ହେବାରେ କୌଣସି ବାଧା ନାହିଁ । ଗୋପାଳନ ବୃତ୍ତିରେ ଥାଇ ସେ ମଧ୍ୟ ଗୋପର ରାଜା ଥିଲେ ।

ସମସ୍ତେ ଜାଣନ୍ତି କଂସ ବଡ ପ୍ରତାପୀ ରାଜା ଥିଲା । ଏପରିକି ଦେବତା ମାନେ ମଧ୍ୟ ତାର ଅତ୍ୟାଚାରର ଶୀକାର ହେଉଥିଲେ ।

ନନ୍ଦ ଗୋପପୁରର ରାଜା ଥିଲେ । ଗୋପାଳନ ତାଙ୍କର ପ୍ରଧାନ ବୃତ୍ତି ଥିଲା । ସେ ଥିଲେ କୃଷ୍ଣଙ୍କର ପାଳିତ ପିତା । କଂସ କୃଷ୍ଣଙ୍କୁ ଜୀବନରେ ମାରିଦେବାର ଚକ୍ରାନ୍ତ କରୁଥିବା ଜାଣି ମଧ୍ୟ ସେ ତାଙ୍କୁ ଲାଳନ ପାଳନ କରିବା ପାଇଁ ଆଗେଇ ଆସିଥିଲେ । କଂସ ଅଦ୍ବିତୀୟ ବୀର ହୋଇଥିଲେ ମଧ୍ୟ କେବେ ଗୋପପୁରକୁ ଯୁଦ୍ଧ ଯାତ୍ରା କରିନାହିଁ କିମ୍ବା ଖୋଲାଖୋଲି ଭାବେ ଗୋପ କିମ୍ବା ବୃନ୍ଦାବନ ଆକ୍ରମଣ କରି ନାହିଁ । କଂସର ଏହି କାର୍ଯ୍ୟ କଳାପରୁ ଜଣାଯାଏ ଯେ, ନନ୍ଦ ମଧ୍ଯ ସେ ସମୟରେ ଜଣେ ସାହସୀ ଓ ପ୍ରତାପଶାଳୀ ରାଜା ଥିଲେ ଏବଂ ତାଙ୍କର ପ୍ରଜା ଗୋପାଳ କୂଳ ମଧ୍ୟ ଯୁଦ୍ଧ ବିଦ୍ୟାରେ ନିପୁଣ ଥିଲେ ।

ଭାଗବତର ଦଶମ ସ୍କଦ୍ଧ ନବମ ଅଧ୍ୟାୟରେ ଅଛି :-

ଏକ ବାଳକ ନ ସମ୍ଭାଳୁ
ବିପଦ ପଡିଲେ ଯେ ଭାଳୁ।।

ପୁଣି ଯଶୋଦା ହରି ଘେନି ।
ରାମଙ୍କୁ ସମ୍ଭାଳେ ରୋହିଣୀ।।

ଦିନକୁ ଦିନ ଅପ୍ରମିତ
ଘରେ ନ ରହନ୍ତି ଅନନ୍ତ ।।

ଗୋ ଶୃଙ୍ଗ ଧରିଣ ନାଚନ୍ତି
ଅଗ୍ନିର ନିକଟେ ବୁଲନ୍ତି ।।

ଡ଼େରିଲା ଖଣ୍ଡାକୁ ଚାଳନ୍ତି
ଅଶ୍ବ ର ପାଟି ସେ ଧରନ୍ତି ।।

ପଢ଼ି ଲୋଟନ୍ତି ଜଳ କୁଣ୍ଡେ
ହସ୍ତ ଭରନ୍ତି ଶ୍ବାନ ତୁଣ୍ଡେ ।।

କଣ୍ଟା ଉପରେ ସେ ଗଡନ୍ତି
ମାର୍ଜାର ପୁଅକୁ ଧରନ୍ତି ।।

ଭାଗବତର ଉପରୋକ୍ତ ପଙ୍କ୍ତିମାନ ସୂଚାଇ ଦେଉଅଛି ଯେ, ଗୋପ-ପୁରରେ ବଳରାମ ଓ ଶ୍ରୀକୃଷ୍ଣ ଅତି ବାଲ୍ୟ କାଳରୁ ଯୋଦ୍ଧା ହେବା ପାଇଁ ଯୁଦ୍ଧ ବିଦ୍ୟାରେ ପ୍ରାଥମିକ ଶିକ୍ଷା ନେଇଥିଲେ । ଫଳରେ ଖଣ୍ଡା ଚାଳନା, ଘୋଡା ଚଢା, କୁସ୍ତି, କସରତ, ମହ୍ଲ ଯୁଦ୍ଧ ଓ ବାଡ଼ି ଖେଳ ଇତ୍ୟାଦି ଗୋପପୁରରେ ଗୋପାଳ ବାଳକମାନଙ୍କ ସହ କୃଷ୍ଣ ବଳରାମ ଅସ୍ତ୍ର ଶସ୍ତ୍ର ଚାଳନା କରୁଥିବାର ସୂଚନା ମିଳେ ।

କଂସ ଅତି ଦୁର୍ଦ୍ଦାନ୍ତ ଓ ଶକ୍ତିଶାଳୀ ଶାସକ ହୋଇଥିଲେ ମଧ୍ୟ ଗୋପାଳ ବାଳକ ମାନେ ମଥୁରାରେ ପ୍ରବେଶ କରିବା ପରେ କୃଷ୍ଣ ବଳରାମ କଂସର ସୈନ୍ୟମାନଙ୍କ ସହ ଖଣ୍ଡଯୁଦ୍ଧରେ ଲିପ୍ତ ହେଲେ । କଂସର ସୁରକ୍ଷିତ ଅଞ୍ଚଳରେ ଅବସ୍ଥିତ ଯଜ୍ଞ ଧନୁ ଯାହାକି ତାର ଶକ୍ତିର ପ୍ରତୀକ ଭାବରେ ବିବେଚିତ ହେଉଥିଲା ତାହାକୁ କୃଷ୍ଣ ଭାଙ୍ଗି ଦେଲେ । ଗୋପାଳ ବାଳକ ମାନଙ୍କ ସହଯୋଗରେ ଲଉଡି ସାହାଯ୍ୟରେ କଂସର ସୈନ୍ୟ ମାନଙ୍କୁ ପ୍ରତିହତ କରିଥିଲେ । ଏଥିରୁ ସୂଚିତ ହେଉଅଛି, ଗୋପର ଗୋପାଳ ମାନେ ଯୁଦ୍ଧ ବିଦ୍ୟାରେ ନିପୁଣ ଥିଲେ ଓ ଅତ୍ଯନ୍ତ ଶକ୍ତିଶାଳୀ ଥିଲେ । ଫଳତଃ କଂସର ସୈନ୍ୟ ବଳ ତାଙ୍କର ସମ୍ମୁଖୀନ ହୋଇ ପାରିଲେ ନାହିଁ ।

ଏହି ପରିପ୍ରେକ୍ଷୀରେ ଦ୍ବାପର ଯୁଗରେ କୃଷ୍ଣ ପ୍ରେରଣାରେ ସୃଷ୍ଟ ଲଉଡ଼ି ବା ବାଡି ଖେଳ ଉତ୍ସବ ବର୍ତ୍ତମାନ ମଧ୍ୟ ସାରା ଭାରତର ଯାଦବ ଗୋଷ୍ଠୀ ପାଳନ କରି ଆସୁଛନ୍ତି । ଯେତେବେଳେ ଗୋପାଳ ଯୁବକ ତାର ସମସ୍ତ ସାମର୍ଥ୍ୟ ପ୍ରଦର୍ଶନ କରି ଲଉଡ଼ି ବା ବାଡି ଖେଳେ ସେତେବେଳେ ସ୍ବତଃ ମନେ ହୁଏ ସେମାନେ ହେଉଛନ୍ତି ଅତୀତର ସମର କୌଶଳୀ ଯାଦବ ବାହିନୀର ଅଂଶ ବିଶେଷ ।

ଯାଦବ ଯୁବକ ବାଡି ବୁଲାଇଲା ବେଳେ ଡାକେ –

“ରେ ରେ ରେ ରାହାକୁ ରାହା ଦେଇ, ବାହାକୁ ବାହା ଦେଇ ସେଇ ଗୋଡ଼ ସେଇଠି ଥିବ, ସେଇ ହାତ ସେଇଠି ଥ‌ିବ, ଅଣ୍ଟା ହଲାଇ, ଛାତି ଫୁଲାଇ ଆସିବୁ ଭାଇ ଯାକି ଯୁକି ହୋଇ, ରାଧା କୃଷ୍ଣ ନିତ୍ଯ କେଳି କଦମ୍ବ ମୂଳେ ଭେଟ ”

ସେହିପରି ମଧ୍ୟ ବାଢ଼ି ଖେଳର ପ୍ରଥମାର୍ଦ୍ଧରେ ଡାକେ –

“ରେ ରେ ରେ ଲାଗିଲା ପେଞ୍ଚାଟ, ଲଗିଲା ପେଞ୍ଚାଟ, ଛାଟ, ବେଛାଟ, ଓଲଟ, ପାଲଟ, କଞ୍ଚି, କୋଲପ, ବାଡ଼ି ବାଜିଲା ଶୂନ୍ୟ କପାଳ । ରେ ରେ ରେ ଦୁସ୍ତର ଛଟାଏ, ପଟାଏ ବିଛାଏ ଡଲାଏ, ସମ୍ଭାଳ ଭାଇ ଏଣିକି। ” ( ଅଚ୍ଯୁତାନନ୍ଦ- ଗୋପାଳ ଓଗାଳ, କୋହିନୂର ପ୍ରେସ, ପ୍ରଥମ ଭାଗ, ପୃଷ୍ଠା – ୨୪ )

ଲେଖକ – ବିଶ୍ବେଶ୍ବର ଭୂତିଆ,
ଗୁଡିଆନାଳୀ, ଢେଙ୍କାନାଳ – 759001

( ବିଶ୍ବେଶ୍ବର ଭୁତିଆଙ୍କ ରଚିତ ପୁସ୍ତକ “ଯଦୁପତି ଶ୍ରୀକୃଷ୍ଣ ନ୍ୟାସ – ଏକ ଦୃଷ୍ଟିପାତ” ପୁସ୍ତକରୁ ଆନୀତ )


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights