ମୋ ଲେଖା – ୩ : ଆନନ୍ଦ ଯଦିବା ଈଶ୍ୱର ନୋହିଲା ଈଶ୍ୱର ଆଉ ବା କିଏ କି !!

Share it

22nd July 2024

ଆନନ୍ଦ ଯଦିବା ଈଶ୍ୱର ନୋହିଲା
ଈଶ୍ୱର ଆଉ ବା କିଏ କି !!

……..

ବଡଦାଣ୍ଡେ ଇଏ କିଏ ଯାଉଚି ଲୋ
ଝୁମୁରୁ ଝୁମୁରୁ ଚାଲିକି
ଟିକିଏ ଯାଉଚି ଟିକିଏ ରହୁଚି
ଏଣିକି ତେଣିକି ଚାହୁଁଚି
ବଡଦାଣ୍ଡେ ଇଏ କିଏ ଯାଉଚି ଲୋ
ଝୁମୁରୁ ଝୁମୁରୁ ଚାଲିକି ।।

କେଡେ ସୁନ୍ଦର ସେ ମୁରୁକି ହସୁଚି
ମଉନେ କି କଥା କହୁଚି
ଅନନ୍ତ କୋଟିଏ ବିଶ୍ୱ ନିରେଖୁଚି
ଛଇଳ ନାଗର ଛଇକି
ବଡଦାଣ୍ଡେ ଇଏ କିଏ ଯାଉଚି ଲୋ
ଝୁମୁରୁ ଝୁମୁରୁ ଚାଲିକି ।।

ନୀରିଶ୍ୱରେ ଦାରୁ ଭକ୍ତେ ମହାପୁରୁ
ଆନନ୍ଦ ବାଣ୍ଟଇ ସଭିଂକି
ଆନନ୍ଦ ସାଗର ଘଣ୍ଟ ହରିବୋଲ
କି ମଧୁର ହୁଳହୁଳି କି
ବଡଦାଣ୍ଡେ ଇଏ କିଏ ଯାଉଚି ଲୋ
ଝୁମୁରୁ ଝୁମୁରୁ ଚାଲିକି ।।

ମହୁଫେଣା ନୁହେଁ ମହୁମାଛି ପରି
ରହିଚନ୍ତି ପରା ଘେରି କି
କେତେ ଚଢାଚଢି କେତେ ଭିଡାଭିଡି
ଟିକେ ଦରଶନ ମଧୁ ପାଇଁ କି
ବଡଦାଣ୍ଡେ ଇଏ କିଏ ଯାଉଚି ଲୋ
ଝୁମୁରୁ ଝୁମୁରୁ ଚାଲିକି ।।

ଆସ୍ତିକ ନାସ୍ତିକ ରସ ଅରସିକ
ପ୍ରେମ ବରଷାରେ ଭେଦି କି
ମନ ପ୍ରାଣ ଭେଦେ ସେ ଅପୂର୍ବ ଛନ୍ଦେ
ପାଷାଣ ହୃଦୟ ଛେଦି କି
ବଡଦାଣ୍ଡେ ଇଏ କିଏ ଯାଉଚି ଲୋ
ଝୁମୁରୁ ଝୁମୁରୁ ଚାଲିକି ।।

ଆନନ୍ଦ ଲହରୀ ମନ ବଡଦାଣ୍ଡେ
ଅଳିଆ ତ ଯାଏ ଧୋଇ କି
ଭାଂଗେ ଟାଣ ବନ୍ଧ ଦେଖେ ଧର୍ମ ଅନ୍ଧ
ଈଶ୍ୱର ଆଉ ବା କିଏ କି !!
ବଡଦାଣ୍ଡେ ଇଏ କିଏ ଯାଉଚି ଲୋ
ଝୁମୁରୁ ଝୁମୁରୁ ଚାଲିକି ।।

ବଡଦାଣ୍ଡେ କାହ୍ନା କି ଅପୂର୍ବ ସିନା
ବର୍ଷେ ପ୍ରେମସିନ୍ଧୁ ବାରି କି
ଗୋପୀଭାବ ରସ ହୃଦେ ନ ବହିଲେ
କେ ପାରେ ସେ ରସେ ରସି କି
ଆନନ୍ଦ ଯଦିବା ଈଶ୍ୱର ନୋହିଲା
ଈଶ୍ୱର ଆଉ ବା କିଏ କି !!

ବଡଦାଣ୍ଡେ ଇଏ କିଏ ଯାଉଚି ଲୋ
ଝୁମୁରୁ ଝୁମୁରୁ ଚାଲିକି ।।


– ଲକ୍ଷ୍ମୀଧର ନାୟକ
୨୨.୦୭.୨୦୧୮

My Facebook Post : 22nd July 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights