ମୋ ବୋଉ ଭୁବନେଶ୍ୱର ଆସିଛି

Share it

Mo Lekha
My Facebook Post 15th September 2021

ମୋ ବୋଉ କାଲି ଭୁବନେଶ୍ୱର ଆସିଛି ।

ତା ବହୁ ଥିଲାବେଳେ ସେ ଶତ ପ୍ରତିଶତ ନିଶ୍ଚିନ୍ତ ଥିଲା, ବହୁତ ବହୁତ ବହୁତ ଖୁସିଥିଲା, ମୋ ଦାୟିତ୍ୱ ନେବାରେ ତା ବହୁ ମୋ ବୋଉଠୁ ଦି ପାଦ ଆଗରେ ବୋଲି ତାର ଗୋଟେ ଧାରଣା ଥିଲା । ସତରେ ତା ବହୁ ଆମ ପରିବାରର ଗୋଟେ ବୋଉ ଥିଲା ।

ସିଏ ବୋଉକୁ ତା ପୁରୁଣା ଦାୟିତ୍ୱ ଦେଇ ଚାଲି ଯିବ ଏକଥା ବୋଉ ଆଦୌ ଭାବି ନଥିଲା। ଅନୁଭବକୁ କଣ ଲେଖି ହୁଏ ଯେ ଲେଖିବି!

ମୁଁ ଜୁଲାଇ 7 ରୁ ଗାଁରୁ ଆସି ଭୁବନେଶ୍ୱରରେ ରହିଲିଣି। ଦି ମାସ ହେଇଗଲା, ବୋଉ ଆଉ କେତେ ଦିନ ଥୟ ରହି ପାରିବ !

ମୋର ଗୋଟେ ପୁତୁରା ଅଶୋକ ଗାଁ କୁ ଯାଇଥିଲା, ତାରି ଗାଡିରେ ବସି ଜୋ ଢୋ ବର୍ଷାରେ ବୋଉ ଆସି ମୋ ପାଖରେ ହାଜର। କାହାକୁ ଖବର ବି ଦେଇନି ଆସୁଚି ବୋଲି। କାଳେ କିଏ ମନା କରିଦେବ, ବର୍ଷା ଛାଡୁ ପରେ ଆସିବୁ ବୋଲି କହିଦେବ କି, ସେଥିପାଇଁ ।

କାକରା ଆଣିଥିଲା।
ତା ପାନ, ଗୁଆ, ଧଣିଆ,ପାନ ମଧୁରୀ, ମୋ ପାଇଁ ଚମନ ବାହାର, ଗୋପାଳ ଡିଲକ୍ସ ସବୁ ଧରିକି ଆଇଚି ।

ମୁଁ କହିଲି ଏଗୁଡା କୁଆଡୁ ଆଣିଲୁ ?

ମତେ କହିଲା ଜୋର୍ ବର୍ଷା ହୋଉଥିଲା ତ, ମୁଁ ଭାବିଲି ସେଠି ତ ତତେ ପାନ ଆଣି ଦବାକୁ କେହି ନଥିବେ, ବର୍ଷା ଟାରେ କୋଉଠିକି ପାନ ଆଣିବାକୁ ଯିବୁ, ସେଥିପାଇଁ ଗାଁରୁ ନେଇ ଆସିଲି।

ମୁଁ ଦେଖିଲି ଆସି ପହଞ୍ଚିବା ପରଠୁ ଖାଲି ଫେସା ଫେସା ହଉଚି।
“କୁନି ଏଠି ଭୁବନେଶ୍ବରରେ ଗୋଟେ ଫେସା ରଖିଥିଲା, ସେ ଟା କୁଆଡେ ଗଲା, କୁନି ସେଥିରେ ମୁଗ ବିରି ଚୁରୁଥିଲା, ସେ ଫେସା ଟା କାଇଁ ? ”

ସିଏ ଦିନ ସାରା ଫେସା ଫେସା ହଉଚି, ପୁଅ ଝିଅ ତା ସେ କଥାକୁ ଶୁଣୁ ନାହାନ୍ତି କି ତାକୁ ଫେସାର ଠିକଣା କହୁ ନାହାନ୍ତି।

ସିଏ କୋଉ ଛାଡିବା ଲୋକ।

ଆଜି ସକାଳୁ ସକାଳୁ ଘର ଓଳୋଉ ଓଳୋଉ ବୋଧେ ସେ ଫେସାଟା କୋଉ ସନ୍ଧିରେ ଥିଲା ତାର ନଜରରେ ପଡି ଯାଇଛି।

ମୁଁ ଉଠିଲା ବେଳକୁ, ଦି କିଲ ଖଣ୍ଡ ବିରି ଚୁରି ତାକୁ ସୁନ୍ଦର କରି ପାଛୁଡି ସାରି ବସି ଗାଁ ରୁ ଆଣିଥିବା ଅରୁଆ ଚାଉଳରୁ ଧାନ ବାଛୁଚି।

ସବୁ ଦିନ ଚାରିଟା ପାଞ୍ଚଟା ବେଳକୁ ଖଣ୍ଡେ ପିଠା କରିବ ନା ।

ସିଏ ଜାଣିଚି ସନ୍ଧ୍ୟାବେଳେ ଫେରାଏ ଦି ଫେରା ଚକୁଳି ଟିକେ ଘିଅ ଦେଇ ଦେଲେ ମୁଁ ଖୁସିରେ ଖାଇ ଦିଏ। ସବୁ ସାଙ୍ଗରେ ଧରିକି ଆଇଚି ଗାଁ ରୁ । କେବଳ ଘରେ ଘିଅ ଟା ସରିଯାଇଥିଲା, ଅଳପ ଟିକେ ଆଣିଚି ବୋଲି କହୁଥିଲା।

ସେ ଆଜି ଛୁଆଙ୍କୁ ଲଗେଇ ବିରି ଚାଉଳ ଭେଦେଇ ଗ୍ରାଇଣ୍ଡରରେ ବାଟି ପିଠା କରିବ, ସବୁ ଦିନ ବି କରିବ । ହେଲେ ଏସବୁ କରିବାରେ ସେ ଆଗରୁ ଯେଉଁ ଆନନ୍ଦ ପାଉଥିଲା, ସେ ସରାଗ ନା ତା ମନରେ ଅଛି, ନା ସେ ଯେଉଁ ପିଠା କରିବ ତାକୁ ଖାଇବାରେ ସେ ପୂର୍ବ ଆନନ୍ଦ ମିଳିବ- ଯାହା ପ୍ରତି ମୁହୂର୍ତ୍ତରେ ଝରଣା ପରି ଝରି ଯାଉଥିଲା ତା ବହୁର ଦବା ପଣିଆରେ, ସେ ଠାଣି ରେ, କଥାରେ, ଚାଲିରେ, ହସରେ, ମୂରବିପଣିଆରେ, ବହୂପଣିଆରେ, ବୋଉପଣିଆରେ ମଧ୍ୟ….

ମୁଁ ଆଜି ବୋଉର ଫଟୋ ଟେ ଉଠାଇଲି, ସେ ଆଡକୁ ତାର ନିଘା ବି ନଥିଲା । ମୋ ମନ ଟିକେ ଦୁଃଖ ହେଲା, ମୁଁ କହିଲି ବୋଉ ଫଟ ଉଠୋଉଚି ଟିକେ ହସ୍ ମ

ନ କହିଲେ ହସିବା ଲୋକ ଟିକୁ ଆଜି ଟିକେ ହସ୍ ବୋଲି କହିବାକୁ ବି ପଡିଲା।

ହସିଲା ତ ଅବଶ୍ୟ, କିନ୍ତୁ ସେ ହସରେ ମୁଁ ତାର ହସକୁ ଏବେ ବି ଖୋଜୁଛି, ମିଳୁନି।

କାରଣ ପିଲାବେଳୁ ମୁଁ ତାର ହସକୁ ଚିହ୍ନିଚି। ଆଜି ଏ ଫଟୋରେ ତାର ହସକୁ ଦଶଥର ଏନଲାର୍ଜ କରି ଦେଖିବାକୁ ଚେଷ୍ଟା କଲିଣି, ସତରେ ଏ ହସ ଭିତରେ ତାର ସେ ହସ ନାହିଁ, ଏଇଟା କେବଳ ତାର ହସିବା ଫଟ ଟାଏ, ଯେଉଁଥିରେ ତାର ହସ ହିଁ ନାହିଁ । କେବଳ ହସିବା ଫଟ ଟାଏ । ହସୁଚି ବୋଲି ମତେ ଦେଖେଇବାକୁ।

ସିଏ ଏ କଥା ବି ଭଲକି ଜାଣିଚି ଯେ, ତାର ହସ ମତେ ଦିଶିବ ହିଁ ନାହିଁ, 2021 ମେ 29 ରୁ ଓଦା ସୁଡୁବୁଡୁ ହେଇ କେବେ ଶୁଖୁ ନଥିବା କି ଶୁଖିବାର ସମ୍ଭାବନା ନଥିବା ମୋର ଆଖି ଦୁଇଟାକୁ।

ତଥାପି ସେ ହସିବ,
କାରଣ ସିଏ ବୋଉ

ଲକ୍ଷ୍ମୀଧର ନାୟକ
15.09.2021


Share it

Join the Conversation

1 Comment

  1. ଲକ୍ଷ୍ମୀ ବାବୁ, 29 ମେ କଣ ପାଇଁ?ଫୋନ୍ ନମ୍ବର ଆପଣଙ୍କର?

Leave a comment

Your email address will not be published. Required fields are marked *

Verified by MonsterInsights