= ମୋ ନାମ ଉତ୍କଳଘଣ୍ଟ =

Share it

ଭଲେ ଭଲ ଖଣ୍ଟେ ଖଣ୍ଟ,
ନବ ଦୁର୍ବାଦଳ ଶ୍ୟାମଳ କୃପାରୁ
ମୋ ନାମ ଉତ୍କଳ ଘଣ୍ଟ

ଗଡ଼ଜାତ ରାଜ୍ୟ ନୟାଗଡ଼ । ସେହି ରାଜ୍ୟର ରାଜା ଥାଆନ୍ତି କାବ୍ୟ, କବିତା ଓ କଳାପ୍ରିୟ ଶ୍ରୀବିନାୟକ ସିଂହ ମାନଧାତା । ଥରେ ସେ ଗୋଟିଏ ବଣ ଭୋଜି ଆୟୋଜନ କରି ପଡ଼ୋଶୀ ରାଜା ମାନଙ୍କୁ ନିମନ୍ତ୍ରଣ କଲେ । ରଣପୁର, ଦଶପଲ୍ଲା, ଖଣ୍ଡପଡା ରାଜାମାନେ ନିମନ୍ତ୍ରିତ ହୋଇ ଆସି ନୟାଗଡଠାରେ ପହଞ୍ଚିଲେ । ନୟାଗଡର ରାଜା, କବି ଯଦୁମଣିଙ୍କୁ ସାଙ୍ଗରେ ଧରି ବଣଭୋଜିସ୍ଥଳରେ ପହଁଚିଲେ । ସେଠାରେ ତିନିଦିନ ଧରି ଭଞ୍ଜସାହିତ୍ୟ ଆଲୋଚନା ହେଲା । ଶେଷ ଦିନ ପରସ୍ପର ମଧ୍ୟରେ ଖୁସିବାସି ହେବା ଅବସରରେ କବି ଯଦୁମଣିଙ୍କୁ ନୟାଗଡର ରାଜା କହିଲେ, ଆଜ୍ଞା କବି ମହାଶୟ, ପଡୋଶୀ ରାଜାମାନଙ୍କୁ ଲକ୍ଷ୍ୟକରି ପଦେ କବିତା ରଚନାହେଉ ।

କାଲଠାର କାଲ ମା’ ଜାଣେ ନ୍ୟାୟରେ କବି ଯଦୁମଣି ବୁଝିଗଲେ ରାଜାଙ୍କ ପ୍ରକୃତ ଉଦ୍ଧେଶ୍ୟ କ’ଣ ବୋଲି । ସେ ମଧ୍ୟ ଉପହାର ପାଇବା ଆଶାରେ ଏହିଭଳି ଗୋଟେ ସୁଯୋଗ ଖୋଜୁଥିଲେ ।

ସେ ପ୍ରଥମେ ତାଙ୍କ ମାମୁଁ ଘର ରାଜା ରଣପୁର ଦଳ ଭିତରେ ପଶି, ତାଙ୍କୁ ସୁହାଇଲା ପରି, କବିତାଟିଏ ଗାନ କଲେ :-

ପଲା ଦଶ ଖଣ୍ଡ ଖଣ୍ଡକ ପଡ଼ା
ସରିସମ କାହୁଁ ନୂତନ ଗଢ଼ା
ମଣିନାଗ ଦୁର୍ଗା ପାଦୁକ ଚଢ଼ା
ନରେନ୍ଦ୍ର ଇନ୍ଦ୍ରରୁ ହୁଅନ୍ତି ବଢ଼ା

ଅର୍ଥାତ, ଦଶପଲ୍ଲା ତ ଦଶଖଣ୍ଡ ଛୋଟଗାଆଁକୁ ନେଇ ଗଠିତ । ଖଣ୍ଡପଡା ସାମାନ୍ୟ ଖଣ୍ଡ ପଡା ଗାଁ ନୂଆ ଗଡର ନାଁରୁ ଜଣା ପଡୁଛି, ନୂଆ ଗଢା । କିନ୍ତୁ ମାଆ ମଣିନାଗ ଦୁର୍ଗାଙ୍କ ସେବକ ନରେନ୍ଦ୍ର ପଦବୀ ଧାରୀ ଯେଉଁ ରାଜା, ସିଏତ ସାମାନ୍ୟ ରାଜା ନୁହଁନ୍ତି । ସେ ଏମାନଙ୍କ ସହିତ ସମାନ ହେବେ କୁଆଡୁ । ସିଏ ତ ଇନ୍ଦ୍ରଙ୍କଠାରୁ ମଧ୍ୟ ବଡ଼ ।

ରଣପୁର ରାଜା ଅତି ଆନନ୍ଦ ହୋଇ ନିଜ ରୂପା ପାନ ବଟାଟିକୁ ତୁରନ୍ତ କବି ଯଦୁମଣିଙ୍କୁ ଉପହାର ରୂପେ ପ୍ରଦାନ କଲେ

ଯଦୁମଣି ନିଜର ମାଉସୀ ଘର, ଖଣ୍ଡପଡା ରାଜାଙ୍କ ନିକଟରେ ପହଁଚି ଗାଇଲେ :-

ଖଣ୍ଡ ପତନ ଏ ଦୁର୍ଗ ମଣ୍ଡନ
ମର୍ଦ୍ଦରାଜବର ରାଜା ଉତ୍ତମ
ରଣ ତ ବଣୁଆଁ ଯଶର ଯଶ
ପୁରୁଣାକୁ ନୂଆ ମୋଡ଼ନ୍ତି ନିଶ

ଅର୍ଥାତ୍, ଏ ଖଣ୍ଡପଡ଼ା ଦୂର୍ଗର ମଣ୍ଡନ କାରୀ ରାଜା ମର୍ଦ୍ଦରାଜ ଅତିଉତ୍ତମ ରାଜା ଅଟନ୍ତି, ରଣପୁର ରାଜା ବଣୁଆ । ଦଶପଲ୍ଲା ରାଜାଙ୍କ ଓ ରାଜ୍ୟର ଯଶ ନାହିଁ ଏବଂ ଖଣ୍ଡପଡ଼ା ରାଜାଙ୍କ ନିଶ ଆଗରେ ନୟାଗଡ଼ ଅତି ତୁଚ୍ଛ ।

ଏତକ ଶୁଣି ଖଣ୍ଡପଡ଼ା ରାଜା କବି ଯଦୁମଣିଙ୍କୁ ନିଜ ଉତ୍ତରୀୟ ପାଟ ଚଦରଟି କାଢ଼ି ଉପହାର ସ୍ୱରୂପେ ଦେଇ ଦେଲେ ।

ଏହା ପରେ କବି ନିଜ ଶ୍ୱଶୁରଘର ରାଜା ଦଶପଲ୍ଲା ରାଜାଙ୍କ ନିକଟରେ ଗାଇଲେ :-

ଯଶ ପରାକ୍ରମ ଖଣ୍ଡକୁ ଚଣ୍ଡ
ନୂଆକୁ ନୃସିଂହ ରଣଙ୍କୁ ଷଣ୍ଢ
ନୀଳଲୋହିତ ପାଶୁପତ କାଣ୍ଡ
ନିହିତ ଶ୍ରୀକରେ ଅତି ପ୍ରଚଣ୍ଡ

ଅର୍ଥାତ୍, ଦଶପଲ୍ଲା ରାଜା, ପରାକ୍ରମରେ ଖଣ୍ଡ ପଡା ପ୍ରତି ଅତି ପ୍ରଚଣ୍ଡ, ସେ ନୂଆଗଡ଼ ପ୍ରତି ନୃସିଂହ ପରି ଭୟଙ୍କର । ରଣପୁର ପ୍ରତି, ବୃଷଭ ପରି ବଳଶାଳୀ ଆଉ ରଣପୁର ରାଜା ଦଶପଲ୍ଲା ରାଜାଙ୍କଠାରୁ ଟିକେ ନିମ୍ନ ଜାତି ହୋଇ ଥିବାରୁ ସେମାନେ ରଣପୁରଗଡ଼ରୁ କନ୍ୟା ଆଣିଥାନ୍ତି ମାତ୍ର କନ୍ୟା ଦିଅନ୍ତିନାହିଁ । ଏଣୁ ଦଶପଲ୍ଲା ରାଜା ରଣପୁର ରାଜ୍ୟପ୍ରତି ବୃଷଭ ସଦୃଶ । ନୀଳକଣ୍ଠ ମହାଦେବଙ୍କ କରୁଣାରୁ ମହାଦେବଙ୍କ ଅସ୍ତ୍ର ପରି ପ୍ରଚଣ୍ଡ ଦଶପଲ୍ଲା ରାଜାଙ୍କ ପରି ଶକ୍ତିଶାଳୀରାଜା ଆଉ କେହି ନାହାଁନ୍ତି ।

ଏଥିରେ ଦଶପଲ୍ଲା ରାଜା ଅତି ଆନନ୍ଦିତ ହୋଇ କବି ଯଦୁମଣିଙ୍କୁ ସୁବର୍ଣ୍ଣ କଙ୍କଣଟିଏ ପ୍ରଦାନ କଲେ ।

ଏହାପରେ କବି ଯଦୁମଣି ଅତି ପ୍ରଫୁଲ୍ଲ ହୋଇ ନିଜ ମାତୃଭୂମି ରାଜା ମାନ୍ଧାତାଙ୍କ ପାଖରେ ପହଞ୍ଚି ଗାନ କରିବାକୁ ଲାଗିଲେ :-

ଖଣ୍ଡା ଜଳ ଜଳ ଖଣ୍ଡପଡ଼ିଆ
ହାଣଇ ମାରଇ ଦଶପଲ୍ଲିଆ
କଉଡ଼ି ଗଣନ୍ତି ରଣ ପୁରିଆ
ସୁବର୍ଣ୍ଣ ଗିନାରେ ଚନ୍ଦନ ଲଗାନ୍ତି
ବିଘେଇଲ ପାଚ୍ଛା ନୂଆ ଗଡ଼ିଆ

ଅର୍ଥାତ୍ ଖଣ୍ଡପଡ଼ିଆ ମାନେ ବୀର ନୁହଁନ୍ତି, କେବଳ ଜକ ଜକ ଖଣ୍ଡା ଦେଖାଇ ଦୌଡ଼ନ୍ତି । ଯୁଦ୍ଧ ଜାଣନ୍ତି ନାହିଁ । ଦଶ ପଲ୍ଲୀଆ ମାନେ ହାଣନ୍ତି ମାରନ୍ତି ସିନା ଯୁଦ୍ଧ କୌଶଳ କଅଣ ଜାଣନ୍ତିନାହିଁ । ରଣପୁରିଆମାନେ ତ ବହୁତ ଲୋଭୀ, ନିଜ ହାତରେ ଟଙ୍କା ଗଣି ରଖନ୍ତି । ମାତ୍ର ନୂଆଗଡ଼ ରାଜା ଅତି ବିଳାସୀ ଓ ମହାନ୍, ସେ ପୁଣି ବଘେଲ ବଂଶୀ ବାଦଶା’ ହେତୁ ସୁବର୍ଣ୍ଣ ଗିନାରେ ସୁବାସିତ ଚନ୍ଦନ ଲଗାଇ ଥାନ୍ତି ।

ନୟାଗଡ଼ ରାଜାଙ୍କ ମୁହଁ ଶୁଖି ଯାଇଥିଲା, ସେ ଏହି କବିତାଟି ଶୁଣି, ବିଶେଷ ଆନନ୍ଦିତ ହୋଇ, ସାଙ୍ଗେ ସାଙ୍ଗେ ତାଙ୍କ ଗଳାରୁ ସୁବର୍ଣ୍ଣ ହାରଟି ବାହାର କରି କବି ଯଦୁମଣିଙ୍କ ବେକରେ ଲମ୍ବାଇ ଦେଲେ ।

ଏହିପରି ବହୁ କାହାଣୀ କିମ୍ବଦନ୍ତୀ ଓ ଲୋକକଥାର
ଗନ୍ତାଘର ଥିଲେ, ଆମ ପ୍ରତ୍ୟୁତ୍ପନ୍ନମତି, ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର । ତାଙ୍କ କବିତାପଂକ୍ତି ସବୁ ପାଠକ ଓ ଶ୍ରୋତାଙ୍କ ମନରେ ଘଣ୍ଟଭଳି ଠଙ୍ଗ ଠଙ୍ଗ ପ୍ରତିଧ୍ବନିତ ହୋଇଥାଏ । ତାଙ୍କ ନିଜ ଭାଷାରେ :-
ହୟଗ୍ରୀବ ମହାପ୍ରଭୁ ପ୍ରତାପେ
ଥୋଡ଼ା ନୁହେଁ ଲୋଡ଼ା କରନ୍ତି ନୃପେ
ଯୋଡ଼ା ହେବା ମୋ ପ୍ରୌଢ଼ୀ କବିତାକୁ
ବଳି ବଳି ରସ ଦାନୀ କର୍ଣ୍ଣକୁ
ଭଲେ ଭଲ ଖଣ୍ଟେ ଖଣ୍ଟ,
ନବ ଦୁର୍ବାଦଳ ଶ୍ୟାମଳ କୃପାରୁ
ମୋ ନାମ ଉତ୍କଳ ଘଣ୍ଟ ।

ଆମର ଏହି ପ୍ରଥିତ ଯଶା କବିଙ୍କ ଜନ୍ମ ହୋଇଥିଲା ନୟାଗଡ଼ ଜିଲ୍ଲାର ଇଟାମାଟିଠାରେ ୧୭୮୩ ମସିହା ଜାନୁଆରୀ ଆଠ ତାରିଖରେ ।

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Join the Conversation

1 Comment

  1. ସେତେବେଳର ମାନ୍ଯଗଣ୍ଯ ବ୍ଯକ୍ତିମାନଙ୍କର ସାହିତ୍ଯାନୁରାଗ ଓ ଭାଷାବୋଧ ସମ୍ପର୍କରେ ଜାଣି ବହୁତ ଖୁସି ଲାଗିଲା

Leave a comment

Your email address will not be published. Required fields are marked *

Verified by MonsterInsights