ଆଲୋ ଗୋରୀ
ଲାଭ ନଥିଲେ କି ବଣିଜ କରି ??
ମୋର ଜଣେ ଅତିପ୍ରିୟ ବନ୍ଧୁ ମୋର ଗୋଟେ ପୋଷ୍ଟ ଦେଖି ଏବେ ପଚାରିଲେ, କି ହୋ ତମେ ସେ ଚାରା ଗଛ ଗୁଡା ମାଗଣା ବାଣ୍ଟୁଚ, କି ଲାଭ ପାଉଚ ? ପୁଣି ଏତେ ଯାଚୁଚ କେହି ନୋଉ ନାହାନ୍ତି, ଏମିତି କାହିଁକି କରୁଚ ?
ମୋତେ ଟିକେ ଦୁଃଖ ଲାଗିଲା, କିଛି ଉତ୍ତର ଦେଲିନି ।
ଉତ୍ତର ଦେଇଥିଲେ ବଡ ଦୁଃଖଟେ ମନେ ପଡି ଥାଆନ୍ତା ତ ସେଥିପାଇଁ ଦୁଃଖ ଲାଗିଲା ।
ବ୍ୟସ୍ତ ହୁଅନ୍ତୁନି, ପ୍ରଥମେ ସୁଖ କହୁଚି ।
ଥରେ ଆମ କୃଷ୍ଣ ଚୁଡି ବିକି ଯାଇଥିଲା, ଚାଲି ଚାଲି ଗୋପରୁ ରାଧା ଗାଁ କୁ, ବହୁତ ଦୂର ବାଟ ।
ବାଟ ସାରା ଡାକି ଡାକି ଗଲା, କେହି ନେଲେନି ।
ଏମିତି ଯାଇ ଯାଇ ରାଧା ଗାଁ ରେ ପହଞ୍ଚିଲା ।
ରାଧା ପଚାରିଲେ, କି ରେ, ଏତେ ସୁନ୍ଦର ସୁନ୍ଦର ଚୁଡି, ମାଗଣା ଦବୁ ବୋଲି କାହିଁକି କହୁଚୁ, ସେଥିରେ ତୋର ଲାଭ କଣ ହେବ ? ସେଥିରେ ପୁଣି ତୁ ସାତ କୋଶ ଆସିଲୁଣି, କେହି ତୋ ଚୁଡିରୁ ସାତପଟ ବି ନେଇ ନାହାନ୍ତି, ଝାଳନାଳ ଆଣ୍ଠୁଏ ହେଲୁଣି ।
ଆମ କୃଷ୍ଣ କହିଲା –
ଆଲୋ ଗୋରୀ
ଲାଭ ନଥିଲେ କି ବଣିଜ କରି ?
ରାଧା କହିଲେ କି ରେ ଚୁଡି ତ ମାଗଣା ଦେବୁ ବୋଲି କହୁଚୁ, ସେଥିରେ ପୁଣି ଲାଭ କଣ ହେବ ?
ଆମ କୃଷ୍ଣ କହିଲା
ତୁମ ସମ ପ୍ରେମ ଆହ୍ଲାଦିନୀ ନିତ୍ୟାନନ୍ଦମୟୀ ଅନିନ୍ଦ୍ୟସୁନ୍ଦରୀ ଚିର କିଶୋରୀ ଦର୍ଶନରେ ଯେଉଁ ଅପୂର୍ବ ଆନନ୍ଦ ମିଳେ, ସେ ଆନନ୍ଦ କଣ ମାର୍କେଟ୍ ରେ ବିକିରି ହୁଏ କି ?
ତୁମ ପରା ସୁନ୍ଦରୀର ଦର୍ଶନ ଠୁ ଦୁର୍ଲଭ ଲାଭ ଆଉ ସଂସାରରେ କଣ ଥାଇ ପାରେ ?
ସେଦିନ ଆମ କୃଷ୍ଣର ଏ କଥା ଶୁଣି ସୁନ୍ଦରୀ ରାଧା ପୁରା ଲାଜରେ ଅଧା ହୋଇଗଲେ ମ ! ମୁଁ ସେଠି ଥିଲି ପା, କଥାଟା ଡାଇରେକ୍ଟ ଶୁଣିଚି, ଆହୁରି ବହୁତ ଆମ ସାଙ୍ଗ ପିଲା ବି ଥିଲେ, ସେମାନେ ବି ଶୁଣିଚନ୍ତି ବା, ତମର ତ ସବୁ କଥାରେ ଅବିଶ୍ୱାସ, ମୁଁ ଏବେ କଣ କରିବି !!
ଆମ କୃଷ୍ଣ କଣ ସେତିକିରେ ଛାଡିଲା କି,
ପୁଣି କହିଲା, ଯଦି ରାସ୍ତାରେ ଆସିବାବେଳେ ଅନ୍ୟ ଗାଁ ଲୋକ ମୋ ଚୁଡି ନେଇ ଯାଇ ଥାଆନ୍ତେ, ତାହେଲେ ମୁଁ ତୁମ ଗାଁ ପର୍ଯ୍ୟନ୍ତ ଆସି ଥାଆନ୍ତି କେମିତି ,
ସେମାନେ କେହି ନନେବାରୁ ସିନା ତୁମ ସମ ସୁନ୍ଦରୀର ଦର୍ଶନ ମିଳିଲା ଗୋ … ୟାଠୁ ଅଧିକ ଲାଭ ମୋର କିସ ଲୋଡା ଯେ ?
ଏବେ ଦୁଃଖ କହୁଚି, କହୁଛି ତ କହି ଦିଏ, ଆପଣମାନେ ଶୁଣୁଛନ୍ତି ତ ଶୁଣି ଦିଅନ୍ତୁ, ଅବଶ୍ୟ ଟିକେ ମନ କଷ୍ଟ ହେଇ ପାରେ,
ଠିକେ ଠିକେ କହୁଛି –
ମାସେ ଦେଢ ମାସ ତଳେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଅଫିସର କେହି ଷ୍ଟାଫ୍ ମାନେ ମୋତେ ବାରମ୍ୱାର ଟେଲିଫୋନ୍ କଲେ,
ମାଡାମଙ୍କ ପାଇଁ ତୁମକୁ ସରକାର 50 ହଜାର ଟଙ୍କାର କୋଭିଡ ସହାୟତା ଦେବେ, ତୁମେ ଆପ୍ଲାଏ କରି ଏହାର ସୁଯୋଗ ନିଅ ।
ମୋତେ ବହୁତ ଦୁଃଖ ଲାଗିଲା, ମାଡାମଙ୍କ କଥା ପଡିବାରୁ, ଭାଷାରେ କହି ପାରୁନି । ମୁଁ ଆପ୍ଲାଏ କଲିନି କି ସେ କଥା ଚିନ୍ତା ମଧ୍ୟ କଲିନି ।
ପୁଣି ଟେଲିଫୋନ୍ ଆସିଲା, ମୁଁ କହିଲି ମୁଁ ସେ ଟଙ୍କା ନେଇ କଣ କରିବି ? ମୁଁ ସେମିତି ଟଙ୍କା ନେବାକୁ ଚାହୁଁନି ଆଜ୍ଞା ।
କିଛି ଦିନ ଗଲା ପୁଣି ଟେଲିଫୋନ ଆସିଲା, କେହି ଜଣେ ବଡ ଅଫିସର ବୋଧେ, ପୁରନ୍ଦର ନନ୍ଦ ମହାଶୟ ଟେଲିଫୋନ୍ କରି କହିଲେ – ନାୟକ ବାବୁ, ଆମର ଆଜି ନାଲକୋ ଛକରେ ବିଏମସି ତରଫରୁ କ୍ୟାମ୍ପ ପଡିଛି, ଯେଉଁମାନେ ଆପ୍ଲାଏ କରି ପାରି ନାହାନ୍ତି, ସେମାନଙ୍କୁ ଆମେ ଟେଲିଫୋନ କରି ଡାକୁଛୁ, ସେମାନେ ଆସି ଏଠାରେ ଆପ୍ଲାଏ କରୁଛନ୍ତି, ଆପଣ ଟିକେ ଆସନ୍ତେ ନି ?
ମୁଁ କହିଲି, ନାଁ ସାର୍ ମୁଁ ଯିବିନି । ମୁଁ ସେ ଟଙ୍କା ଆଣି ପାରିବି ନାହିଁ, ମୁଁ ସେ ଟଙ୍କା ଆଣି କଣ କରିବି ? କେଉଁ କାମରେ ଲଗେଇବି ? ମୁଁ ଆଦୌ ଯିବିନି ଆଜ୍ଞା ।
ଘଣ୍ଟାଏ ଦୁଇ ଘଣ୍ଟା ପରେ ପୁରନ୍ଦର ନନ୍ଦ ବାବୁ ପୁଣି ଥରେ ଟେଲିଫୋନ କଲେ, ମୋ ସହ ବହୁ ସମୟ ଧରି କଥା ହେଲେ, ବହୁ ସମବେଦନା ଜଣେଇଲେ, କେତେ କଥା ପଚାରିଲେ, କେତେ କଥା କହିଲେ, ସେ କଥା ବାର୍ତ୍ତା ଭିତରେ ସବୁ ତଥ୍ୟ ଯାଞ୍ଚ ହୋଇଯାଇ ସାରିଥିବ ଭାବୁଛି ,
ଶେଷକୁ ପଚାରିଲେ ଆପଣଙ୍କର ବ୍ୟାଙ୍କର କିଏ, ମୁଁ କହିଲି କର୍ପୋରେସନ ବ୍ୟାଙ୍କ, ସେ କହିଲେ ସେ ବ୍ୟାଙ୍କ ଆଉ ନାହିଁ, ଆପଣ ୟୁନିୟନ ବ୍ୟାଙ୍କର ନୁଆ ଚେକ୍ ବହି ଆଣିଲେଣି ?
ମୁଁ କହିଲି ହଁ । ସେ କହିଲେ ମୋ ହ୍ୱାଟସ ଆପକୁ ସେ ଚେକ୍ ର ଗୋଟେ ଫଟୋ କପି ପଠାନ୍ତୁ ତ, ଦେଖିବା ।
ମୁଁ ପଠେଇ ଦେଲି । ସେ କହିଲେ ମାଡାମ ଓ ଆପଣଙ୍କର ଅନ୍ୟାନ୍ୟ ସବୁ ଡକୁମେଣ୍ଟ ଆମ ପାଖରେ ଲୋକେଟ୍ ହୋଇ ଯାଇଛି, ମାଡାମଙ୍କ ପାର୍ଥୀବ ଶରୀରକୁ ଆପଣଙ୍କ ଯାଜପୁର ଗାଁକୁ ପଠା ଯାଇଥିବା ହେତୁ । ଆପଣ ବ୍ୟସ୍ତ ହୁଅନ୍ତୁନି ।
ଏଥର ମୁଁ ଆଉ କିଛି କହିଲି ନାହିଁ, ଭାବିଲି, ହଃ ମୁନିସିପାଲିଟିର ତ ଭୁତୁଖାନା ବୋଲି ବଡ ସୁନାମ ଅଛି, ଚେକ୍ ର ଫଟୋ କପି ନେଲେ ତ ନିଅନ୍ତୁ, ମୋର ତ ସେଠିକି ଯିବାର ନାହିଁ, ମୁନିସିପାଲିଟିବାଲା କାହାକୁ କଣ ଦିଅନ୍ତି ଯେ ମତେ ଦେବେ ।
ଏ କିଏ ଜଣେ ଭଲ ଲୋକ ବୋଧେ ମୁନିସିପାଲିଟିରେ ଭୁଲରେ ପୋଷ୍ଚିଙ୍ଗ ହୋଇଯାଇଛନ୍ତି କି କଣ, ପର ହିତ ଚିନ୍ତା କରି ତୁଚ୍ଛାଟାରେ ହନ୍ତସନ୍ତ ହେଉଛନ୍ତି, ନିଅନ୍ତୁ ଯାହା କାଗଜ ପତରର ଫଟ ନେଉଛନ୍ତି, ହ୍ୱାଟସଆପରେ ତ ନେଉଛନ୍ତି, କୋଉଠିକି ଯିବାର ତ ନାହିଁ, ଯାହା କରୁଛନ୍ତି କରନ୍ତୁ । ସେହି କଥାକୁ ନେଇ ମୋତେ ବାରମ୍ୱାର ଟେଲିଫୋନ ନକରନ୍ତୁ, କାରଣ ସେମାନେ ଟେଲିଫୋନ କରିବାରୁ, ମୁଁ କି ଭଗବାନ ଆମେ କେହି ମାଡାମଙ୍କୁ ବଞ୍ଚାଇ ନପାରିବାର ଗ୍ଳାନିରେ ମୋ ଆଖିରୁ ଯେଉଁ ଲୁହ ବହୁଛି, ସେମାନଙ୍କୁ ତ ସେସବୁ ଟେଲିଫୋନରେ ଦିଶୁନଥିବ କି ହୁଏତ ଅନୁଭବ ବି ହେଉ ନଥାଇ ପାରେ ମଧ୍ୟ ।
ଆଶ୍ଚର୍ଯ୍ୟର କଥା ଦୁଇ ତିନି ଦିନ ପରେ ମୋ ଆକାଉଣ୍ଟକୁ 50 ହଜାର ଟଙ୍କା କ୍ରେଡିଟ୍ ହୋଇଗଲା । ଧନ୍ୟବାଦ କେଉଁ ଖୁସିରେ ଜଣାଇ ଥାଆନ୍ତି ? ଜଣାଇଲି ବି ନାହିଁ, ଜଣାଇବାକୁ ଇଚ୍ଛା ହିଁ ହେଲାନି ।
କିନ୍ତୁ ସେମାନଙ୍କ ନିଷ୍ଠା କଥା ଭାବିଲି, ସେମାନେ ତ ନିଶ୍ଚୟ ଧନ୍ୟବାଦର ପାତ୍ର, ହେଲେ ମାଡାମଙ୍କ ଜୀବନ ବିନିମୟରେ ମିଳିଥିବା ସେ ଟଙ୍କାକୁ ମୁଁ କଣ ଖର୍ଚ୍ଚ କରି ପାରିବି ? ଏହା କସ୍ମିନ କାଳେ ସମ୍ଭବ କି ମୋ କ୍ଷେତ୍ରରେ ?
ସେହି ଚିନ୍ତାରୁ ଏମିତି ଏକ କଥା ମୁଣ୍ଡରେ ପଶିଗଲା । ଅନ୍ତତଃ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମାଡାମଙ୍କ ସ୍ମୃତି କିଛି ଲୋକଙ୍କ ବାଡି ବଗିଚାରେ ଅଗଣାରେ ଫୁଲ ହୋଇ ଫୁଟନ୍ତୁ, ଫଳ ହୋଇ ଫଳନ୍ତୁ । ଲୋକେ ଖୁସି ହୁଅନ୍ତୁ ।
ମୁଁ ନିଷ୍ପତ୍ତି କଲି ବରଂ ଆଉ କିଛି ଧାର ଉଧାର ବି ହେଉ, ସେ 50 ହଜାର ଟଙ୍କା ସହ ଆଉ 50 ହଜାର ଟଙ୍କା ମିଶେଇ 5 ହଜାର ଫଳଫୁଲ ଚାରା ନିଜ ହାତରେ ତିଆରି କରି ବାଣ୍ଟିବି, ବରଂ ଲକ୍ଷେ ଟଙ୍କା ଖର୍ଚ୍ଚ ହେଲେ ହେଉ ।
ସେଇ କାମରେ ତ ଲାଗିଛି, ସେଇଥି ପାଇଁ ତ ଆପଣ ମାନଙ୍କୁ ବାରମ୍ୱାର ଅନୁରୋଧ କରୁଛି, ଏବେ ବୁଝିଲେ ତ ? ଆପଣମାନଙ୍କ ସ୍ୱାର୍ଥ ପାଇଁ ମୁଁ ଏତେ ବ୍ୟସ୍ତ ହେଉଛି ନା ମୋ ନିଜ ସ୍ୱାର୍ଥ ପାଇଁ ?
ଆପଣମାନେ ବହୁତ ଲୋକ ଚାରା ଗଛଗୁଡିକୁ ଶୀଘ୍ର ଶୀଘ୍ର ନେଲେ ସିନା ମୁଁ ପୁରନ୍ଦର ବାବୁଙ୍କୁ, ବି ଏମ ସି ର ସେ ଅନ୍ୟ କେକେଜଣ ବାବୁଙ୍କୁ ଧନ୍ୟବାଦ ଦେବା ସ୍ଥିତିକୁ ଆସିବି ।
ସେଇ ବାହାନାରେ ଆପଣଙ୍କ ଭଳି ସୁନ୍ଦର ପୁଣ୍ୟାତ୍ମା ମାନଙ୍କର ଟିକେ ଦର୍ଶନ ମିଳିଯିବ କି ନାହିଁ ?
ଏମିତିରେ ତ ମୋ ଫେସବୁକ୍ ର ବିଜେପି ବିଜେଡି କଂଗ୍ରେସ କମୁନିଷ୍ଟ ଆପ୍ ଇତ୍ୟାଦି ଇତ୍ୟାଦି ଦଳ ଓ ଧର୍ମ ପ୍ରେମୀ ବିଧର୍ମପ୍ରେମୀ ବନ୍ଧୁମାନେ ମୋତେ କେବେ ବି ଥରେ ନ ଦେଖି କେବଳ ମୋ ଇଆଡୁ ସିଆଡୁ ପୋଷ୍ଟ ଗୁଡାକୁ ପଢି ମୋ ସମ୍ପର୍କରେ ନାନାଦି ମୁହୂର୍ତ୍ତରେ ନାନାଦି ପ୍ରକାରେ କିମ୍ଭୁତକିମ୍ଭାକାର ଧାରଣା ସୃଷ୍ଚିକରି, ବରଫ ପାହାଡ ଉପରେ ଛିଡା ହେଲା ପରିକା ଦାନ୍ତ କଡମଡ କରି କିଏ କେତେ ପ୍ରକାର ଅଭିଶାପ ବାଢୁଛନ୍ତି ଯେ ତାର ଇୟତ୍ତା ନାହିଁ ।
ସେଗୁଡା ରିସିଭ୍ ନକରି ସେମାନଙ୍କୁ ଫେରେଇ ଦେବା ସହଜ ଯେ, ମୁଁ କେମିତି ସେମିତି କରି ପାରିବି ? ସେପରି କରିବା କେଉଁ ଆଡୁ ଉଚିତ ହେବ ? ମୋର ଦୃଷ୍ଟିଭଙ୍ଗୀ ତ ମୋତେ ସେପରି ଅନୁମତି ହିଁ ଦେଉ ନାହିଁ ।
ତେଣୁ ମୁଁ ସତରେ ଏ ଗଛ ବାହାନାରେ ଅପେକ୍ଷା ମଧ୍ୟ କରୁଛି ସେମାନଙ୍କ ଆଗମନକୁ । ମୁଁ ତ ନିଶ୍ଚିତ ଯେ ସେମାନେ ଥରେ ପାଖରେ ବସିଲେ ତାଙ୍କ ସେ ବରଫ ଜମାଟ ତରଳି ହିଁ ଯିବ ଏବଂ ଏକମାତ୍ର ସେଇ ତରଳ ଶୀତଳ ଜଳ ଧାରା ହିଁ ସେମାନଙ୍କ ଆହୁତ କ୍ରୋଧାଗ୍ନିକୁ ନିର୍ବାପିତ କରି ସେମାନଙ୍କ ମନ ପ୍ରାଣକୁ ଶୀତଳତା ପ୍ରଦାନ କରିପାରିବାର ଦକ୍ଷତା ରଖେ ବୋଲି ଶାସ୍ତ୍ରବିଧି କହେ ।
ଆଉ କେତେ ଲାଭ ଲେଖିବି ଆଜ୍ଞା ?
ଏବେ ମୁଁ ଆପଣମାନଙ୍କୁ ପ୍ରଶ୍ନଟିଏ ପଚାରୁଛି, ଆପଣମାନେ ଉତ୍ତର ଦିଅନ୍ତୁ –
ଆଲୋ ଗୋରୀ
ଲାଭ ନଥିଲେ କି ବଣିଜ କରି ??
– ଲକ୍ଷ୍ମୀଧର ନାୟକ
Mo Lekha: Facebook post- 12.04.2022
ଚମତ୍କାର ଲେଖା । ଦରଦଭରା । ଯୁଗୋପଯୋଗୀ ।