ମୋ ଘର …

26th July 2024

– ସଞ୍ଜୟ ନାୟକ

ଅଭିଲିପ୍ସା ହୋଟେଲ ମ୍ୟାନେଜର ପୋଷ୍ଟରେ ଇଣ୍ଟରଭିଉ
ଦେବାକୁ ଆସିଥିଲା। ନିଜର ପାଳି କେବେ ପଡିବ ଅପେକ୍ଷା କରିଥିଲା ଓ ତା ମନ ରେ ବହୁତ କିଛି ଦ୍ଵନ୍ଦ ଉପୁଜୁ ଥିଲା, ଆସନ୍ତା ମାସ ବିଭାଘର, ତାକୁ ସେ ପୁଅ ଟି ବହୁତ ପସନ୍ଦ, ଭଲ ପ୍ରସ୍ତାବ, ସମସ୍ୟା ଏଇ କି ଭିଭାଘର ସଙ୍ଗେ ଚାକିରୀ – ଏ ସବୁ କେମିତି ଅସହଜିଆ ଲାଗୁଥିଲା ତାକୁ। ଠିକ୍ ଏହି ସମୟରେ ପିଅନ ଆସି କହିଲା ମାଡାମ୍ ଆପଣଙ୍କ ନମ୍ବର ପଡିଗଲା ଭିତରକୁ ଯାଆନ୍ତୁ।

ଭିତରକୁ ପ୍ରବେଶ କଲାପରେ ଟିକେ ନର୍ଭସ୍ ଅନୁଭବ କରୁଥାଏ, ସମସ୍ତ ଇଣ୍ଟରଭିଉ ପ୍ୟାନେଲ୍ଙ୍କୁ ନମସ୍କାର କରି, ଅନୁମତି ପାଇ ସାମ୍ନା ଚେୟାରରେ ବସିଗଲା। ପ୍ୟାନେଲ୍ ରେ ଥିବା ଜଣେ ବ୍ୟକ୍ତି କହିଲେ – ଅଭିଲିପ୍ସା ମାଡାମ୍ ଆପଣଙ୍କ ବିଷୟରେ କିଛି କୁହନ୍ତୁ ?

ଅଭିଲିପ୍ସା କହିବା ଆରମ୍ଭ କଲା “ସାର୍ ମୋ ନାଁ ଅଭିଲିପ୍ସା ମହାପାତ୍ର, ମୁଁ କଟକରେ ରୁହେ। ମୋର ବୟସ ତିରିଶି। ପରିବାର କହିଲେ ବାପା, ମା ଓ ମୁଁ। ବାପା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରେ ରିଟାୟାର୍ଡ ମ୍ୟାନେଜର। ମା ମୋର ସୁଗୃହିଣୀ ନୀରବତାର ପ୍ରତିମୂର୍ତ୍ତି ଟିଏ। ମୁଁ ଗ୍ରାଜୁଏସନ୍ ରେ Economics Hons ରେ ପାସ୍ କରିଛି,
ତା’ପରେ ହୋଟେଲ୍ ମ୍ୟାନେଜମେଣ୍ଟ କରିଛି । ଗୋଟିଏ ବର୍ଷ internship କରିଛି ।

ପ୍ୟାନେଲ୍ ବୋର୍ଡର ଅନ୍ୟଜଣେ ସଦସ୍ୟ ପ୍ରଶ୍ନ କଲେ – “ହୋଟେଲ୍ ମ୍ୟାନେଜମେଣ୍ଟ ଜବ୍ ରେ ଏକ ମ୍ୟାନେଜର ନଜରରେ ଆପଣଙ୍କୁ କଣ ଲାଗୁଛି, କି କି difficulties ସବୁ ଫେସ୍ କରିବ?

: ସମସ୍ୟା କୁ ମୁଁ ଡରେ ନାହିଁ ସାର୍। ମୋତେ ସମସ୍ୟାକୁ ସମ୍ମୁଖୀନ ହେବାକୁ ଭଲ ଲାଗେ, ବାସ୍ ଗୋଟିଏ ସମସ୍ୟା ଅଛି ଯେ କି ମୋର ଆସନ୍ତା ମାସ ବିଭାଘର। ଚାକିରୀ ସାଙ୍ଗକୁ ପରିବାର ଏକା ସାଙ୍ଗରେ ଚଳେଇବାକୁ କେମିତି ହୁଏ ମୁଁ ଜାଣିନି।

: ଆଛା ଆପଣଙ୍କର ବିଭାଘର ତ ହେବାର ଅଛି ପୁଣି ଚାକିରୀ କରିବାକୁ କାହିଁକି ଚାହୁଁଛନ୍ତି ?

: ସାର୍ ମୋର ଏକ ସ୍ୱପ୍ନ ଅଛି କି ମୁଁ ମୋ ନିଜ ରୋଜଗାରରେ ମୋ ପାଇଁ ଘର ଟିଏ କରିବି।

: କିନ୍ତୁ ଯେପରି କହିଲେ ଆସନ୍ତା ମାସ ବିଭାଘର ପୁଣି ବାପା ଜଣେ ରିଟାୟାର୍ଡ ବ୍ୟାଙ୍କ୍ ମ୍ୟାନେଜର ତ ଆପଣଙ୍କୁ ଘର କରିବାର ଆବଶ୍ୟକତା କଣ ଅଛି ??

: ସାର୍! ମୁଁ ପିଲାଟି ଦିନରୁ ଏପର୍ଯ୍ୟନ୍ତ ଦେଖି ଆସୁଛି କି ମୋ ମା ସାରା ଜୀବନ ସେ ତା ପରିବାର ପାଇଁ ନିଜକୁ ଜଳାଞ୍ଜଳି ଦେଇ ଦେଲା। କିନ୍ତୁ ବାପା ମଦ ପିଇ ମା ସହିତ ବହୁତ ଝଗଡା କରନ୍ତି , ମାରଧର କରନ୍ତି ଓ ଶେଷରେ କୁହନ୍ତି ମା କୁ “ବାହାରି ଯା ମୋ ଘରୁ” । ଆଉ ଘରୁ ଧକ୍କା ଦେଇ ବାହାର ବି କରି ଦେଇଛନ୍ତି ମୋ ମାକୁ ମଦ ନିଶାରେ। ତଥାପି ମୋ ମା ଏକ ନୀରବ ପଥର ପ୍ରତିମୂର୍ତ୍ତି ଟିଏ ଭଳି ସହି ଯାଏ। ଆଉ ମୁଁ ପାଗିଳି ଭାବୁଥିଲି କି ଯିଏ ମୋ ଘର ସିଏ ମୋ ବାପା ଘର ଆଉ ମା ଘର ବି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏପରି ନ ଥିଲା ସାର୍। ତଥାପି ମୋ ମା, ମୋ ବାପାଙ୍କ ଘରକୁ ଏକ ସ୍ୱର୍ଗ ଭାବି ଚାଲିଛି।

ଏବେ ମୋର ବିଭାଘର ହେବାକୁ ଅଛି ସାର୍। ମୁଁ ଯେଉଁ ଘରକୁ ଏପର୍ଯ୍ୟନ୍ତ ମୋ ଘର ବୋଲି ଭାବି ଆସୁଥିଲି ସେ ଘର ତ ମୋର ନୁହେଁ। କାରଣ ମା କୁହନ୍ତି ” ତୋତେ ପର ଘରକୁ ଯିବାକୁ ଅଛି, ସେଇଟା ହିଁ ତୋ ନିଜର ଘର।

ମୁଁ ଭାବୁଛି ସାର୍ ମା ତ କାହା ଘରୁ ପର ଘରକୁ ଆସିଥିଲେ, ତାଙ୍କ ମା କହିଥିବେ କି ଯେଉଁଠିକି ସେ ଯାଉଅଛି ସେ ତା ନିଜ ଘର!! କିନ୍ତୁ କାହିଁ କଣ ହେଲା ? ମୋ ବାପାଙ୍କ ଘର କେବେ ତା ନିଜ ଘର ହେଲା? ଶେଷରେ ମା’କୁ ମୋ ଘରୁ ବାହାରି ଯା ବୋଲି ବି ତ କୁହାଗଲା।

ଯଦି ମୋ ସହିତ ଏପରି ଘଟେ ତ ?

ଆଉ ମୋତେ ଯଦି ଏପରି କୁହାଯାଏ ତ ??

ସାର୍ ଖାଲି ମୁଁ ମୋ ନିଜ କାହାଣୀ କହୁନାହିଁ, ଏ କାହାଣୀ ହେଉଛି ପ୍ରତେକ ସ୍ତ୍ରୀ ଜାତିର, ଘର ଘରର କାହାଣୀ। ମା ବାପାଙ୍କ ଘର ବି ଆମର ନୁହେଁ, ମନହେଲେ ପତିଦେଵ ବି କହିଦେବେ ବାହାରି ଯା ମୋ ଘରୁ।

ସାର୍, ଦୟାକରି କେହି କହିବେ କି ଜଣେ ସ୍ତ୍ରୀଲୋକର ନିଜର ଘର କେଉଁଟା ?????

ଏଥିପାଇଁ ମୁଁ ଆତ୍ମନିର୍ଭରଶୀଳ ହୋଇ ରୋଜଗାର କରି ନିଜର ଏକ ଘର କରିବାକୁ ଚାହୁଁଛି। ଅନ୍ତତଃ କେହି, ଏପରିକି ମୋ ପତିଦେଵ ବି ମୋତେ କହି ପାରିବେ ନାହିଁ କି ମୋ ଘରୁ ବାହାରି ଯା।

କୋଠରୀ ଟିରେ ପୁରା ନୀରବତା ଛାଇ ଯାଇଥିଲା। ଜଣେ ବୃଦ୍ଧ ମହିଳା ଯେ କି ଏପର୍ଯ୍ୟନ୍ତ ନୀରବରେ ବସିଥିଲେ, ଅଭିଲିପ୍ସାର ଉତ୍ତର ସବୁ ଶୁଣୁଥିଲେ ଓ ତାଙ୍କ ଆଖି ଛଳ ଛଳ ହୋଇ ଆସୁଥିଲା ହଠାତ ନୀରବତାକୁ ଭଙ୍ଗ କରି ତାଳି ମାରିବାକୁ ଆରମ୍ଭ କରିଦେଲେ ଓ ତାଙ୍କୁ ସମର୍ଥନ କରି ଅନ୍ୟ ପ୍ୟାନେଲ୍ ର ସଦସ୍ୟ ମାନେ ତାଳି ମାରିବାକୁ ଆରମ୍ଭ କରିଦେଲେ। ବୋଧହୁଏ ସେ ବୃଦ୍ଧ ମହିଳା ଜଣଙ୍କ ହୋଟେଲ୍ ର ମାଲିକିଆଣି ଥିଲେ। ଶେଷରେ ସେ ଏତିକି କହିଲେ – Abhilipsa you are selected..


ସଞ୍ଜୟ ନାୟକ,
ଏମେନ୍,
ଦୁରଭାଷ-+୯୬୭୭୭୬୦୭୮୫୭୯

Leave a comment

Your email address will not be published. Required fields are marked *

Verified by MonsterInsights