ମ୍ୟାଜିକ ବୋତଲ

Share it

ମୋର ଉପର ଘର କାମ ଚାଲି ଥାଏ। ଶୌଚାଳୟ ତିଆରି ଆଉ ପାଣି ସଂଯୋଗ କରିଵା ପାଇଁ ତିନି ଜଣ ପିଲା ଆସି କଣ୍ଟାକ୍ଟ କରି କାମ ଆରମ୍ଭ କଲେ। ଉପରେ ଗୋଟିଏ କଠୋରୀରେ ରହି ରୋଷେଇ କରି ଖାଇ ରାତିରେ ଵି କାମ କରିବାର ମସୁଧା କରିଥିଲେ।କାମ ଯୋର ସୋର ରେ ଆଗେଇ ଚାଲି ଥାଏ। ତାଙ୍କର ଭିତରୁ ଜଣେ କଥା କହିବା ବେଳେ ଭାରି ଯୋରରେ ଖନାଉ ଥିଲା। କଥା ମଝିରେ ସେ ଏପରି ଭାବରେ ପାଟିଟା ମେଲା ଆଖି ଦୁଇଟା କୁ ବଡ଼ ବଡ଼ କରି ପଲକ ନ ପକାଇ ଉପରକୁ ଡେରି ଦେ ଇ ଆଁ ଟା କରି ଅଟକି ଯାଉଥିଲା ଯେ, ଯେ କେହି ଭାବିବ ଏଇନେ ଅଚେତ ହୋଇ ତଳେ ପଡି ଯିବ। ନ ଜାଣିଲା ବ୍ୟକ୍ତି କାଳେ କଣ ହୋଇ ଯିବ ବୋଲି ଭାବି ନିଶ୍ଚୟ ଡରି ଛାନିଆଁ ହୋଇ ଯିବ।

ପ୍ରଥମେ ପ୍ରଥମେ ମୁଁ ବି ତାର ସେହି ଦୃଶ୍ୟ ଦେଖି ଡରି ଯାଉଥିଲି। କଥା ମଝିରେ ତାର କହି ପାରୁନଥିବା କଥାକୁ ମୁଁ ପୂରଣ କରି ଦେବାକୁ ଲାଗିଲି। ଉଦାହରଣ ସ୍ୱରୂପ ବାଇଗଣକୁ ଅତି କଷ୍ଟରେ ଵାଇ…. ପର୍ଯ୍ୟନ୍ତ କହି ପାଟି ମେଲା କରି ଅଟକି ଯାଉଥିବ ଆଉ ମୁଁ ଗଣ କହି ତାର ଶବ୍ଦ ପୂରଣ କରିଦିଏ।ସେ ଭାରି ଖୁସି ହୋଇ ଯାଉଥିଲା ଓ ମୋ ପାଖରେ ବେଶି କଥା ବାର୍ତ୍ତା ହେଉଥାଏ।ଅନ୍ୟ ମାନେ ତାର ସେହି ଅବସ୍ଥା ଦେଖି ହସି ଦେଉଥିବାରୁ ତାକୁ ଖରାପ ଲାଗେ ଓ ସେ ରାଗି ସେମାନଙ୍କ ସହ କଥା କହିବା ବନ୍ଦ କରି ଦିଏ। ମୁଁ କିନ୍ତୁ କେବେ ହସେ ନାହିଁ।

ପ୍ରତିଦିନ ରାତି ପ୍ରାୟ ସାଢେ଼ ଦଶରୁ ଏଗାରଟା ଭିତରେ ସେମାନେ ରୋଷେଇ ସାରି ଖାଇବାକୁ ବସନ୍ତି। କେବେ କିଛି ଅସୁବିଧା ନାହିଁ। ସୁରୁଖୁରୁରେ କାମ ଚାଲିଥାଏ। ଦିନେ ରାତି ଏଗାରଟା ବେଳେ ଖାଇବାକୁ ବସିଥାନ୍ତି।ତା ଆଗରୁ ମୁଁ ସେମାନଙ୍କ ପାଖରୁ କଥା ବାର୍ତ୍ତା କରି ତଳକୁ ଫେରି ଥାଏ। ହଠାତ୍ ସିଡି଼ରେ କେଇଜଣ ଦୁମ୍ ଦୁମ୍ ଦଉଡ଼ିବା ଶୁଣା ଗଲା। ମୁଁ ଶିଡି ଆଡକୁ ଅନାଇ ଦିଏ ତ ଦେଖିଲି ଦୁଇ ଜଣ ଭୟରେ ଯୋରରେ ଦଉଡ଼ି ତଳକୁ ଓହ୍ଲାଉଛନ୍ତି ଆଉ ଜଣେ ଖାଇବା ବଡ଼ ଷ୍ଟିଲ ଟ୍ରେ ଉପରକୁ ଉଠାଇ ଜଣେ ସ୍ତ୍ରୀର କଣ୍ଠ ସ୍ଵରରେ ରାଇଖିଆଏ , ବାଡ଼ିପଡ଼ାଏ ବୋଲି ଯୋରରେ ପାଟିକରି ତାଙ୍କ ପଛରେ ମାରିବାକୁ ଗୋଡ଼ାଉ ଥାଏ। ସେ ଦୁଇଜଣଙ୍କ ମୁଣ୍ଡରୁ ଆରମ୍ଭ କରି ଦେହ ସାରା ଭାତ,ଡାଲି ତରକାରି ସର ସର ହୋଇ ଲାଗି ଥାଏ।ସେ ଖନାଟି ପାଟି ମେଲା କରି ମ…ମ.କହି ମୋ ପାଖରେ ଯେତେବେଳେ ଆସି ପହଞ୍ଚିଲା ମୁଁ କହିଲି -ଉସା…. ହଁ କଣ ହେଲା। ତାପରେ ସେ କହିଲା ଭୁ…..ଭୁ….। ତାପରେ କିଛି କହି ପାରୁ ନ ଥାଏ। ମୁଁ ବି ତା କଥା ଵୁଝି ପାରୁନଥାଏ। କହିଲି କୁକୁର ? ସେ ମୁଣ୍ଡ ହଲେଇ ମନା କରୁଥାଏ। ଖାଲି କହୁଥାଏ ଭୁ….ଭୁ…..।

ସେ ଦୁଇ ଜଣ କୁ ଘର ଭିତରକୁ ପଶିବାକୁ ଛାଡ଼ିଦେଲି। ଆଉ ଦେଖିଲି ଟ୍ରେ ଧରି ମାରି ଗୋଡ଼ାଉ ଥିବା ପିଲାଟି ମୁହଁକୁ ଭୟଙ୍କର ଭାବରେ ବିକୃତ କରି ଏପରି ସ୍ତ୍ରୀ କଣ୍ଠ ସ୍ଵରରେ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରୁଥିଲା ଯେ ଦୂରରୁ ଯେ କେହି ଭାବିବ ଜଣେ ପାଗଳି ବୋଧହୁଏ ପାଟି କରୁଛି। ତାକୁ ଦେଖି ମୁଁ ବି ଡରି ଗଲି। ପିଲା ଛୁଆ ଓ ମୋ ସ୍ତ୍ରୀକୁ ପଛ ଦ୍ଵାର ଦେଇ ବାହାରକୁ ଚାଲିଯିବାକୁ କହିଲି। ସେମାନେ ବାହାରକୁ ଚାଲି ଗଲେ। ସେ ଦୁଇ ଜଣ ପିଲା ମୁଁ ଆଉ ମୋ ସାନ ପୁଅ ଭିତରେ ରହି କବାଟ ବନ୍ଦ କରି ଦେଲୁ।ସେ ଟ୍ରେଟି ଫୋପାଡି ଦେଇ ଗୋଟିଏ ବାଡ଼ି ଥିଲା ଯେ ତାକୁ ଧରି ପକାଇଲା। ତାପରେ ଆସି ଯୋରରେ କବାଟକୁ ଲାତ ମାରିଲା। କିନ୍ତୁ କବାଟ ଖୋଲିଲା ନାହିଁ କି ସେ ଭାଙ୍ଗିପାରିଲା ନାହିଁ। ଶ୍ରୀମତୀ ପିଲା ଛୁଆଙ୍କୁ ନେଇ ପଦାକୁ ଚାଲି ଯାଇ ପଡ଼ିଶାଙ୍କୁ ଖବର ଦେଲେ।ସାହି ପଡ଼ିଶା ଆସି ଘର ସାମନାରେ ରୁଣ୍ଡ। ଶିଡ଼ି ପାଖରେ ଗୋଟିଏ କୋଠରୀରେ ମୋର ବୁଢ଼ା ବାପା ଶୋଇ ଥିଲେ।ଆମର ସମସ୍ତଙ୍କୟ ଡର କାଳେ ତାଙ୍କୁ ବାଡ଼େଇ ମାରି ପକାଇବ। ଗୋଟିଏ ଇଉରୋକ୍ଳିନ୍ ମେସିନ ଥିଲା ତାକୁ କଚାଡ଼ି ଭାଙ୍ଗି ଦେଲା। ବାଡ଼ିରେ ଏଣେ ତେଣେ ପିଟି ଭଙ୍ଗାରୁଜା କରିବାକୁ ଲାଗିଲା।

ପଡ଼ିଶା ଯାଇ ଥାନାକୁ ଖବର ଦେଲେ। ଥାନାବାଲା ଘରକୁ ନ ଆସି କହିଲେ ଯେ ସେ ପାଗଳ ହୋଇଥିବ ଆମେ ଯାଇ କଣ କରିବୁ….? ପାଗଳ କୁ ଆରେଷ୍ଟ କରିବା ଆମର ନିୟମ ନାହିଁ। ଯୋଉ ମାନେ ପୋଲିସ ଡାକିବାକୁ ଯାଇ ଥିଲେ ଫେରି ଆସିଲେ। ତାପରେ ଭଙ୍ଗାରୁଜା କରି ବାଡ଼ିକୁ ଫୋପାଡି ଦେଇ ମୋ ବାପା ଶୋଇଥିବା କୋଠରୀ ଭିତରକୁ ପଶିଲା। ମୋର ବ୍ୟସ୍ତତା ଦେଖେ କିଏ। ଏଇନେ କାଳେ ମୋ ବୁଢ଼ା ବାପାଙ୍କୁ ତଣ୍ଟି ଚିପି ମାରି ଦେବ।

ବାହାରୁ ଝରକା ପଟୁ ପଡ଼ିଶା ପିଲା ଯାଇ ଉଣ୍ଡି ଦେଖୁଥିଲେ। ଆଶ୍ଚର୍ଯ୍ୟର କଥା ବାପାଙ୍କର କିଛି ଅନିଷ୍ଟ କରୁନି। ବାପାଙ୍କ ଖଟରେ ତାଙ୍କ ଗୋଡ଼ ପାଖେ ବସି ବାପାଙ୍କ ଗୋଡ ଘଷିବା ଆରମ୍ଭ କଲା।
ସ୍ତ୍ରୀ କଣ୍ଠ ସ୍ଵରରେ ବାପାଙ୍କ ସହ ଏପରି କଥା ବାର୍ତ୍ତା କରିବାକୁ ଲାଗିଲା ସତେ ଯେପରି ସେ ତାଙ୍କ ପ୍ରିୟତମା ପତ୍ନୀ। ବାପାଙ୍କ ପଲଙ୍କ ଉପରେ ଝରକା ପାଖକୁ ଲାଗି ବାପାଙ୍କ ସହ କଥା ହେଉଥାଏ। ମୋ ଶ୍ରୀମତୀ ତ ଜଣେ ଶିବ ଭକ୍ତ। ପ୍ରତି ସୋମବାର ଶିବ ମନ୍ଦିର ଯାଇ ଶିବ ପାଦୁକା ଆଣି ଘରେ ଗୋଟିଏ ବୋତଲରେ ରଖି ଥାଏ।

ତାର ଧାରଣା ଛୋଟ ଛୁଆ ଅସୁସ୍ଥ କି ଦୃଷ୍ଟି‌ଆ ହେଲେ ସେହି ପାଦୁକା ଛିଞ୍ଚି ଦେଲେ ତାହା ମ୍ୟାଜିକ ଭଳି କାମ କରିଥାଏ। ଆଉ ସେହି ପାଦୁକାର ସୁଫଳ ସେ ଉପଲବ୍ଧି କରି ଥାନ୍ତି।

ମୋତେ କହିଲେ ସେ ବୋତଲ ଟି ଠାକୁର ଘରୁ ଆଣି ତାଙ୍କୁ ବଢ଼ାଇ ଦେବାକୁ।ମୁଁ ଯାଇ ତାହା ବଢ଼ାଇ ଦେଲି। ଗୋଟିଏ ଛୋଟ ପ୍ଲେଟ୍ ବି ତା ସହ ବଢ଼ାଇ ଦେଲି। ବୋତଲରୁ କିଛି ପାଦୁକା ବାହାର କରି ଗୋଟିଏ ଫୁଲ ସାହାଯ୍ୟରେ ବାପାଙ୍କ ଖଟରେ ବସିଥିବା ପିଲା ଉପରକୁ ଝରକା ପଟୁ ଛିଞ୍ଚିବା ପାଇଁ ପଡ଼ିଶାର ଗୋଟିଏ ପିଲାକୁ କହିଲେ। କାରଣ ଶିବବାବା ହିଁ ତାଙ୍କର ସଵୁ କିଛି। ବିପଦ ବେଳେ ସେ ହିଁ ତାଙ୍କର ସାହା ଭରସା।

ଗାଁ ପାଖରେ ଥିବା ପାତାଳ ଫୁଟା ଶିବ ଲିଙ୍ଗର ପାଦୁକା ତାହା।
ତାଙ୍କର ଧାରଣା ନିଶ୍ଚୟ କିଛି ସୁଫଳ ମିଳିବ। ଆଉ ତାହାହିଁ ହେଲା।ଆଶ୍ଚର୍ଯ୍ୟର କଥା ଝରକାପଟୁ ଯାଇ ଯେତେବେଳେ ପାଦୁକା ଛିଞ୍ଚି ଦିଅନ୍ତି ହଠାତ୍ ସେ ପିଲା ଯୋରରେ ଚିତ୍କାର କରି ତଳେ ପଡ଼ିଗଲା ଆଉ ତାପରେ ସେ ସାଧାରଣ ସ୍ଵାଭାବିକ ଅବସ୍ଥାକୁ ଫେରି ଆସିଲା। ସେମାନଙ୍କୁ ମୁଁ ବାହାର କରିଦେଲି। ତାଙ୍କ ଦ୍ଵାରା କାମ ଆଉ କରାଇଲି ନାହିଁ। ଅନ୍ୟ ପାଣି ମିସ୍ତ୍ରୀ ଯୋଗାଡ଼ କରି କାମ ସାରିଲି। ସେହି ଦିନ ଠାରୁ ସେହି ବୋତଲ ମ୍ୟାଜିକ ବୋତଲର ନାଁ ପାଇଲା। ସେହି ଘଟଣା ଆଜି ଯାଏ ରହସ୍ୟ ଘେରରେ ରହିଛି। ତାହା ଭେଦ କରିବାକୁ ବହୁତ ଚେଷ୍ଟା କରିଛୁ କିନ୍ତୁ ପ୍ରକୃତ ରହସ୍ୟ କଣ ଜାଣି ପାରୁନାହୁଁ। ଏହି କାହାଣୀଟି ସତ୍ୟ ଘଟଣା ଉପରେ ଆଧାରିତ।

ଆଉ ଆମ ପରିବାରର ଛୋଟ ଛୁଆଙ୍କଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ‌ କିଛି ଅସୁସ୍ଥତା ଅନୁଭବ କଲେ ପ୍ରଥମେ ସେହି ମ୍ୟାଜିକ ବୋତଲରୁ ପାଦୁକା ଗ୍ରହଣ କରି ପରେ ଔଷଧ ସେବନ କରି ଥାଉ। ତା ଦ୍ଵାରା ଆମେ ସୁଫଳ ପାଇବାର ଅନୁଭବ କରୁ।

କମ୍ଭୁଧର ସୁନା,
ଅବସରପ୍ରାପ୍ତ ପ୍ରବନ୍ଧକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ,
ଗ୍ରା. ବାଘମାରୀ, ବୀରମହାରାଜପୁର,
ଜି. ସୁବର୍ଣ୍ଣପୁର।
ମୋ. ୯୫୫୬୧୯୯୦୬୦.


Share it

Leave a comment

Your email address will not be published. Required fields are marked *

Verified by MonsterInsights