ସମଗ୍ର ସ୍ବରବର୍ଣ୍ଣ ଓ ବ୍ଯଞ୍ଜନ ବର୍ଣ୍ଣ ମିଳିତ ସଂଖ୍ଯା ହେଲା (ସ୍ବର) 22+ (ବ୍ଯଞ୍ଜନ) 41= 63
ହେଲେ ଲୋକଙ୍କ କଥନ ଓ ଲିଖନକୁ ସୁଗମ କରିବା ସଙ୍ଗେ ସଙ୍ଗେ ଶାସ୍ତ୍ରିୟତା ବଜାୟ ରଖିବା ପାଇଁ ମଧୁସୂଦନ ନିମ୍ନ ଲିଖିତ ବର୍ଣ୍ଣ ସମୂହକୁ ଗ୍ରହଣ କଲେ ତାଙ୍କର ବର୍ଣ୍ଣବୋଧରେ । ସେ ଗୁଡିକ ହେଲା:-
ସ୍ବରବର୍ଣ୍ଣ:- ଅ ଆ ଇ ଈ ଉ ଊ ଋ ଌ(ଲୃ) ଏ ଐ ଓ ଔ = 12 ଗୋଟି
ବ୍ଯଞ୍ଜନ ବର୍ଣ୍ଣ:- କ ଖ ଗ ଘ ଙ, ଚ ଛ ଜ ଝ ଞ, ଟ ଠ ଡ ଢ ଣ ,ତ ଥ ଦ ଧ ନ, ପ ଫ ବ ଭ ମ, ଯ ର ଳ ବ(ୱ), ଶ ଷ ସ ହ , ଡ଼ ଢ଼ ୟ ଲ –
ଏଭଳି ସମୁଦାୟ = 37 ଗୋଟି ବର୍ଣ୍ଣ
ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁକୁ ମିଶାଇ= 40 ଗୋଟି ବର୍ଣ୍ଣ ।
ଅକ୍ଷର ସମୂହର ସୃଷ୍ଟି ସମ୍ବନ୍ଧରେ, କେହି ଜଣେ ଜ୍ଞାନୀ ଗୁଣୀ ବିଦ୍ବାନ୍ ବିଦଗ୍ଧ କବି ପଣ୍ଡିତଜନ ତାଙ୍କର ଆଳଙ୍କାରିକ ଭାଷାରେ କହିଛନ୍ତି-
नृत्तावसाने नटराजराजो ननाद ढक्कां नवपञ्चवारम्।
उद्धर्तुकामः सनकादिसिद्धान् एतद्विमर्शे शिवसूत्रजालम् ॥
ତାଣ୍ଡବ ନୃତ୍ଯର ଅବସାନ କାଳରେ ନଟରାଜାଧିରାଜ (ଶିବ) ସନକାଦି ସିଦ୍ଧଋଷିଙ୍କ କାମନାପୃରଣାର୍ଥେ, ନିଜ ଡମ୍ବରୁକୁ ନବପଞ୍ଚ(ଚଉଦ)ବାର ବଜାଇଲେ। ଯହିଁରୁ ସମସ୍ତ ବର୍ଣ୍ଣକୁ ଆଶ୍ରୟ କରି ଚତୁର୍ଦ୍ଦଶ ଗୋଟି ସୂତ୍ରର ଅଭ୍ଯୁଦୟ ହେଲା ଏବଂ ଏହା ‘ଶିବ ସୂତ୍ରଜାଲ’ ନାମରେ ନାମିତ ହେଲା।
ମହେଶ୍ବର କର୍ତ୍ତୃକ ଏହି ସୂତ୍ର ସମୂହକୁ ମାହେଶ୍ବର ସୂତ୍ର କୁହାଗଲା ସମସ୍ତ ବର୍ଣ୍ଣ ସ୍ଥାନୀତ ହୋଇଥିବାରୁ ବର୍ଣ୍ଣ ସମାମ୍ନାୟ କୁହାଗଲା। ଶବ୍ଦ ସମୂହ ଶୃଙ୍ଖଳାବଦ୍ଧ ଥିବାରୁ, ବୈୟାକରଣିକ ମାନେ ଶବ୍ଦାନୁଶାସନମ୍ ମଧ୍ଯ କହିଲେ।
ମାହେଶ୍ବର ସୂତ୍ରର ଚଉଦ ଗୋଟି ସୂତ୍ର ଅଛି:
1- ଅଇଉଣ୍
2- ଋଲୃକ୍
3- ଏଓଙ୍
4- ଐଔଚ୍
5- ହୟବରଟ୍
6- ଲଣ୍
7- ଞମଙଣନମ୍
8- ଝଭଞ୍
9- ଘଢଧଷ୍
10- ଜବଗଡଦଶ୍
11- ଖଫଛଠଥଚଟତବ୍
12- କପୟ
13- ଶଷସର୍
14- ହଲ୍
ପ୍ରୋକ୍ତ ସୂତ୍ର ସମୂହକୁ ଯଦି ମନୋଯୋଗ ସହକାରେ ନିରୀକ୍ଷଣ କରିବା, ଜାଣିପାରିବା ଯେ ପ୍ରଥମ ଚାରିଗୋଟି ସୂତ୍ରରେ ସ୍ବରବର୍ଣ୍ଣ ସବୁ ରହିଛି। ପ୍ରଥମ ସୂତ୍ରର’ ଅ ‘ ରୁ ଯଦି ଚତୁର୍ଥ ସୂତ୍ରର ‘ଚ୍’ ପର୍ଯ୍ୟନ୍ତ ପଢିବା, ଏହା ଭିତରେ – ଅ, ଇ, ଉ, ଋ, ଲୃ, ଏ, ଓ, ଐ, ଔ – ଏହି ନଅ ଗୋଟି ସ୍ବରବର୍ଣ୍ଣ ଆସିବ। ଏହାକୁ ସଂକ୍ଷେପରେ (ଅଚ୍) କୁହାଯାଏ।
: ପଞ୍ଚମ ସୂତ୍ରର ଆଦ୍ଯକ୍ଷର ‘ହ’ ରୁ ଯଦି ଚତୁର୍ଦ୍ଦଶ ସୂତ୍ରର ଶେଷ ଅକ୍ଷର ‘ଲ୍’ ପର୍ଯ୍ଯନ୍ତ ପଢିବା , ନିମ୍ନ ଲିଖିତ ବର୍ଣ୍ଣ ତା ଭିତରେ ଆସିବ।
ହ,ୟ,ବ,ର,ଲ,ଞ,ମ,ଙ,ଣ,ନ,ଝ,ଭ,ଘ,ଢ,ଧ,ଜ,ବ,ଗ,ଡ,ଦ,ଖ,ଫ,ଛ,ଠ,ଥ,ଚ,ଟ,ତ,କ,ପ,ଶ,ଷ,ସ,ହ = 33 ଗୋଟି ବ୍ଯଞ୍ଜନ ବର୍ଣ୍ଣ । ଏହାକୁ ସଂକ୍ଷେପରେ (ହଲ୍) କୁହାଯାଏ।
କହିବା ବାହୁଲ୍ଯ ଯେ, ଏଭଳି ଗଣନାରେ ସୂତ୍ରମାନଙ୍କର ଶେଷରେ ଥିବା ବ୍ଞ୍ଜନାନ୍ତ ବର୍ଣ୍ଣକୁ ଗଣନାରୁ ବାଦ୍ ଦିଆଯାଏ।
ତେଣୁ ପାଣିନି ମୁନି ନଅ ଗୋଟି ସ୍ବରବର୍ଣ୍ଣ ଓ ତେତ୍ରିଶ ଗୋଟି ବ୍ଯଞ୍ଜନ ବର୍ଣ୍ଣକୁ ତାଙ୍କ ଅଷ୍ଟାଧ୍ଯାୟୀରେ ଗଣନାକୁ ନେଇଛନ୍ତି ।
ପାଣିନୀୟ ଶିକ୍ଷା
ତେବେ ଶିକ୍ଷଶାସ୍ତ୍ରରେ ଏହାର ସଂଖ୍ଯା ପୁଣି ବଢିଲା କେମିତି ?
ବେଦୋଚ୍ଚାରଣରେ ସ୍ପଷ୍ଟତା ତଥା ଶୁଦ୍ଧତା ରକ୍ଷାକରିବା ପାଇଁ- ବର୍ଣ୍ଣୋଚ୍ଚାରଣ ସ୍ଥାନ, ଊଚ୍ଚାରଣର ହ୍ରସ୍ବ- ଦୀର୍ଘ ପ୍ଳୁତ ଭେଦ ତଥା ଅନୁନିସିକ, ବିସର୍ଜନୀୟ, ଇତ୍ଯାଦିକୁ ନେଇ ତାହାର ବିସ୍ତାର କରାଯାଇଛି ପାଣିନୈୟ ଶିକ୍ଷା ଗ୍ରନ୍ଥରେ।
ପାଣିନୀ ସ୍ବୀୟ ଶିକ୍ଷାଶାସ୍ତ୍ରରେ ନିମ୍ନ ଲିଖିତ ବର୍ଣ୍ଣସମୂହର ଗଣନା କରିଛନ୍ତି।
ସ୍ବର ବର୍ଣ୍ଣ:
ହ୍ରସ୍ବ, ଦୀର୍ଘ, ପ୍ଲୁତ ଭେଦରେ- ଅ ଆ ଆ, ଇ ଈ ଈ, ଉ ଊ ଊ, ଋ ୠ ୠ
=12
ଏବଂ
ନିମ୍ନ ସ୍ବର ବର୍ଣ୍ଣରେ କେବଳ ଦୀର୍ଘ ଓ ପ୍ଲୁତ ଭେଦରେ-
ଲୃ ଲୃ, ଏ ଏ, ଐ ଐ, ଓ ଓ, ଔ ଔ
= 10
ଏଭଳି ସମୁଦାୟ ସ୍ବର ବର୍ଣ୍ଣ ସଂଖ୍ଯା ହେଲା 12+10 = 22
ବ୍ଯଞ୍ଜନ ବର୍ଣ୍ଣ ରେ ପାଣିନି ମୁନି ତାଙ୍କ ଶିକ୍ଷାଶାସ୍ତ୍ରରେ ନିମ୍ନ ଲିଖିତ ବର୍ଣ୍ଣସମୂହର ଗଣନା କରିଛନ୍ତି।
ସ୍ପର୍ଶ- 25
– କ ଖ ଗ ଘ ଙ
– ଚ ଛ ଜ ଝ ଞ
– ଟ ଠ ଡ ଢ ଣ
– ତ ଥ ଦ ଧ ନ
ଅନ୍ତଃସ୍ଥ-4 – ୟ ର ଲ ୱ
ସୋଷ୍ମ- 4 – ଶ ଷ ସ ହ
ଅଯୋଗବାହ -08
ଅନୁସ୍ବାର – ଅଂ
ବିସର୍ଗ- ଅଃ
ଜିହ୍ବାମୂଳୀୟ କ
ଉପଧାମ୍ନୀୟ ପ
ଯମ- କୁଁ ଖୁଁ ଖୁଁ ଘୁଁ
ଏଭଳି ସମୁଦାୟ ବ୍ଯଞ୍ଜନ ବର୍ଣ୍ଣ ସଂଖ୍ଯା ହେଲା
25+4+4+8= 41
ଏଭଳି ସମଗ୍ର ସ୍ବରବର୍ଣ୍ଣ ଓ ବ୍ଯଞ୍ଜନ ବର୍ଣ୍ଣ ମିଳିତ ସଂଖ୍ଯା ହେଲା
(ସ୍ବର) 22+ (ବ୍ଯଞ୍ଜନ) 41= 63
କିନ୍ତୁ ଆଉ ଏକ ଦ୍ବିସ୍ପୃଷ୍ଟ ବର୍ଣ୍ଣ ଅଛି ତାହା ହେଲା ‘ଳ’
ଏହି ‘ଳ’ କୁ ମିଶାଇ ବର୍ଣ୍ଣ ସଂଖ୍ଯା ହେଲା 64 । ତେଣୁ, त्रिषष्टिश्चतुष्ष्टिर्वा वर्णा: (पा:शिक्षाशास्त्र)
⚘ବର୍ଣ୍ଣବୋଧ⚘
ଭକ୍ତକବି ମଧୁସୂଦନ ରାଓ ଥିଲେ କବି ପଣ୍ଡିତ ଓ ବିଜ୍ଞଜନ। ସେ ଓଡିଆ ବର୍ଣ୍ଣବୋଧ ପ୍ରଣୟନ କରିବା ଆଗରୁ ନିଶ୍ଚୟ ଏହି ଶିକ୍ଷାଗ୍ରନ୍ଥର ଗଭୀର ମନନ କରିଥିବେ।
ଶିକ୍ଷାଶାସ୍ତ୍ରରେ ବର୍ଣ୍ଣିତ 64 ଗୋଟି ବର୍ଣ୍ଣ ଥିଲା ଏକ ବୈଦିକ ଆବଶ୍ଯକତା। ବେଦମନ୍ତ୍ରର ଯଥୋଚିତ ଉଚ୍ଚାରଣ ପାଇଁ ଏହା ଉଦ୍ଦିଷ୍ଟ ଥିଲା।
ମଧୁସୂଦନ ରାଓ ମହୋଦୟଙ୍କ ଗଭୀର ମାନସ ମନ୍ଥନରୁ ସୃଷ୍ଟି ହୋଇଥିଲା “ଓଡିଆ ବର୍ଣ୍ଣବୋଧ”
ଓଡିଆ ମାଟିର କଥୋପକଥନ ତଥା ଲେଖନ ପ୍ରଣାଳୀକୁ ଲକ୍ଷ୍ଯ କରି ଲୌକିକ ବ୍ଯବହାରାର୍ଥେ ସେ ଏହି ବିସ୍ତୃତ 64 ଅକ୍ଷର ବିଶିଷ୍ଟ ବର୍ଣ୍ଣମାଳାରେ କାଣ୍ଟଛାଣ୍ଟ କଲେ ।
ଏହା ଦ୍ବାରା ସେ ଲୋକଙ୍କ କଥନ ଓ ଲିଖନକୁ ସୁଗମ କରିବା ସଙ୍ଗେ ସଙ୍ଗେ ଶାସ୍ତ୍ରିୟତା ବଜାୟ ରଖିବା ପାଇଁ ନିମ୍ନ ଲିଖିତ ବର୍ଣ୍ଣ ସମୂହକୁ ଗ୍ରହଣ କଲେ ତାଙ୍କର ବର୍ଣ୍ଣବୋଧରେ । ସେ ଗୁଡିକ ହେଲା:-
ସ୍ବରବର୍ଣ୍ଣ:- ଅ ଆ ଇ ଈ ଉ ଊ ଋ ଌ(ଲୃ) ଏ ଐ ଓ ଔ = 12 ଗୋଟି
ବ୍ଯଞ୍ଜନ ବର୍ଣ୍ଣ:- କ ଖ ଗ ଘ ଙ, ଚ ଛ ଜ ଝ ଞ, ଟ ଠ ଡ ଢ ଣ ,ତ ଥ ଦ ଧ ନ, ପ ଫ ବ ଭ ମ, ଯ ର ଳ ବ(ୱ), ଶ ଷ ସ ହ , ଡ଼ ଢ଼ ୟ ଲ –
ଏଭଳି ସମୁଦାୟ = 37 ଗୋଟି ବର୍ଣ୍ଣ
ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁକୁ ମିଶାଇ= 40 ଗୋଟି ବର୍ଣ୍ଣ ।
ଓଡିଆ ଭାଷାର ଆବଶ୍ଯକତା ଦୃଷ୍ଟି ରୁ ସେ ଦ୍ବିସ୍ପର୍ଶି ବର୍ଣ୍ଣ ଉପରେ ଯଥା ଡ଼ ଢ଼ ଳ ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି;
ଶିକ୍ଷାଶାସ୍ତ୍ରର 63 ଗୋଟି ବର୍ଣ୍ଣରେ ( ଳ) କୁ ଗହଣରେ କରା ଯାଇଥିଲେ ମଧ୍ଯ (ଡ଼) କୁ ପରେ ଦ୍ବିସ୍ପୃଷ୍ଟ ବର୍ଣ୍ଣ ରୂପେ 64 ସଂଖ୍ଯାରେ ସ୍ଥାନୀତ କରାଯାଇଥିଲା। ତେଣୁ त्रिषष्टिश्चतुष्ष्टिर्वा वर्णा:
କିନ୍ତୁ ପ୍ରୋକ୍ତ ଚଉଷଠି ବର୍ଣ୍ଣ ଭିତରେ (ଢ଼) ନଥିବାରୁ ଓ ଓଡିଆରେ ଏଭଳି ଉଚ୍ଚାରିତ ଶବ୍ଦମାନ ଥିବା ଦଷ୍ଟିରୁ ଓଡିଆ ବର୍ଣ୍ଣବୋଧରେ ବର୍ଣ୍ଣବୋଧକାର ଏହାକୁ ଗଣନାକୁ ନେଇଛନ୍ତି ।
ପ୍ରଣିଧାନ ଯୋଗ୍ଯ ଯେ, ଓଡିଆରେ ସମୋଚ୍ଚାରିତ ଦୁଇ ବର୍ଣ୍ଣ ( ଜ , ଯ )ର ପ୍ରୟୋଗ ରହିଛି । ଦେବନାଗରୀ ଲିପିରେ କେବଳ य ର ବ୍ଯବହାର ଅଛି। ଜ-ଯ ର ସମୋଚ୍ଚାରଣକୁ ଦୃଷ୍ଟି କୁ ନେଇ ଓଡିଆରେ ଅନ୍ଯ ଏକ ବର୍ଣ୍ଣ (ୟ)ର ଆବଶ୍ୟକତା ରହିଲା ଏବଂ ଏହାକୁ ସ୍ବତନ୍ତ୍ର ଭାବେ ଗ୍ରହଣ କରା ଯାଇଛି ।
ଓଡିଆରେ ତେଣୁ (ଡ଼ ଢ଼ ୟ ଳ)ର ସ୍ଥାନ ସ୍ବତନ୍ତ୍ର ଅଟେ ।
ପରିଶେଷରେ ଏତିକି କହିବାକୁ ପଡୁଛି ଯେ-
ଓଡିଆ ଭାଷାର ପଠନ ପାଠନରେ ବର୍ଣ୍ଣ ବୋଧର ଅବଦାନ ଅନନ୍ଯ ।
ଅବୋଧ ବାଳକର ମୁଣ୍ଡରେ ପଶିବା ଭଳି ଢଙ୍ଗରେ ସଉଦାହରଣ ମାତ୍ରାର ପ୍ରୟୋଗ, ଫଳା’ର ସଂଯୋଗ, ଯୁକ୍ତାକ୍ଷରର ପ୍ରୟୋଗ ଆଦି କ୍ରମାନ୍ବୟରେ ରୋଚକ ଶୈଳୀରେ ଦିଆଯାଇଛି, ତାହା ଅନ୍ଯ କୁତ୍ରାପି ଦୁର୍ଲଭ।
କ୍ରମେ କିଛି ବନ୍ଧୁ ତହିଁରୁ କିଛି କିଛି ବର୍ଣ୍ଣ ଉଚ୍ଛେଦ କରିବାର ପକ୍ଷରେ ଅଛନ୍ତି।
କିଛି ବନ୍ଧୁ ତିନି ଗୋଟି (ଶ ଷ ସ) ପ୍ରୟୋଗର ଆବଶ୍ଯକତା ଉପରେ ପ୍ରଶ୍ନ ଉଠାଇଲେଣି । “ଗୋଟିଏ ମାତ୍ର (ସ) ଉଚ୍ଚାରଣ କଲେ କଣ ହେବ ନାହିଁ ?”
(ପ୍ରକୃତରେ ଆମେ ସମସ୍ତେ ସାଧାରଣତଃ ଅନାୟାସରେ (ଶ) ହିଁ ଉଚ୍ଚାରଣ କରିଥାଉଁ।)
ତାଙ୍କ ଚିନ୍ତାଧାରାରେ ବର୍ଣ୍ଣ ସଂଖ୍ଯା ଏତେ ଅଧିକ ରହିବା ଉଚିତ ନୁହେ। ଉଦାହରଣ ଦିଅନ୍ତି – ଇଂରାଜୀରେ ଦେଖନ୍ତୁ ମାତ୍ର ଛବିଶ ଗୋଟି ଅକ୍ଷର। ପୁଣି ଏ ବିଶ୍ବଭାଷାର ସ୍ଥାନ ନେଇଗଲାଣି।
ଜଣେ ବନ୍ଧୁ ଆହୁରି ଆଗେଇ ଯାଇ କହିଲେ, ଭାବ ଠିକ୍ ଠିକ୍ ଭାବରେ ବ୍ଯକ୍ତ କରି ପାରିଲେ ହେଲା। ଅଧିକ ବର୍ଣ୍ଣ ର ଆବଶ୍ୟକତା କଣ ?
ବିରକ୍ତିରେ ମୁଁ କହିଲି ଏତେ ଗୁଡିଏ ବର୍ଣ୍ଣ ରଖିବା କାହିଁକି ? କେବଳ ଛେଳି ଭଳି ମେ-ମେ କଲେ ମଧ୍ଯ କଉ ଭାବଟା ଅଛପା ରହିଯିବ ଯେ ? ଅନାୟାସରେ ସେହି ଗୋଟିଏ ଶବ୍ଦରେ ସବୁ ଭାବପ୍ରକାଶ କରିହେବ ସବୁକଛି ବ୍ଯକ୍ତ କରିହେବ।
ତା’ ହେଲେ କଣ ଆମେ ଛାଗଳ ବୃତ୍ତିକୁ ଆପଣେଇ ନେବା ?
ମେଣ୍ଢା ମୁଣ୍ଡଟି ବଡ ଟାଣ
ତା’ ମୁଣ୍ଡିଆକୁ ସାବଧନ ।
ଏଣୁ ସାଧୁ ସାବଧାନ !!
ଡଃ ଦୁର୍ବାଦଳ ମେହେର