ମହାଭାରତରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ

Share it

7th August 2024
ମହାଭାରତରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ
=================

ପାଣ୍ଡଵମାନେ ଦ୍ୟୁତ କ୍ରୀଡ଼ାରେ ହାରି ଯାଇ ବାର ବର୍ଷ ବନବାସରେ ରହିଥାନ୍ତି l କଷ୍ଟରେ ଦଶବର୍ଷ ଅତିବାହିତ ହୋଇଗଲା l ସେମାନେ ସ୍ଥିର କଲେ ବାକି ଦୁଇବର୍ଷ ଆମେ କୁରୁ ରାଜ୍ୟର ନିକଟବର୍ତ୍ତୀ କୌଣସି ଗୋଟିଏ ସ୍ଥାନରେ କଟାଇ ଦେବା l ତା’ ପରେ ଦୁରକୁ ଯାଇ ଗୋଟିଏ ବର୍ଷ ଅଜ୍ଞାତ ବାସ ସମାପ୍ତ କରିବା l

ଏପରି ବିଚାରକରି ସେମାନେ କାମ୍ୟକ ବନରେ ନିବାସ କରୁ ଥାନ୍ତି l ସେହି ସମୟରେ କୃଷ୍ଣ ମଧ୍ୟ ତାଙ୍କ ସହ ଥାନ୍ତି l ଏମିତି ସମୟରେ ସେଠାରେ ଦିନେ କଳ୍ପଜୀବି ମହର୍ଷି ମାର୍କଣ୍ଡେୟ ପହଞ୍ଚିଲେ l ତାଙ୍କର ବୟସ ଶହସ୍ର ଶହସ୍ର ବର୍ଷ ହୋଇଥିଲେ ମଧ୍ୟ ସେ ରୂପକାନ୍ତିରେ ଜଣେ ଯୁବକପରି ଦେଖା ଯାଉଥାନ୍ତି l ମହର୍ଷି ପହଞ୍ଚିବା ପରେ କୃଷ୍ଣଙ୍କ ସହ ପାଣ୍ଡଵ ମାନେ ତାଙ୍କର ଚରଣ ବନ୍ଦନା କଲେ ଓ ଯଥୋଚିତ ପୂଜା ପରେ ଆସନରେ ବସାଇଲେ l

ଆସନରେ ମୁନି ଉପବିଷ୍ଟ ହେବା ପରେ ଶ୍ରୀକୃଷ୍ଣ କହିଲେ, ହେ ମୁନିଶ୍ରେଷ୍ଠ ! ଆମେ ଆପଣଙ୍କଠାରୁ ରାଜା, ଋଷି ଏବଂ ଦେବତା ମାନଙ୍କ ପୁଣ୍ୟ କଥା ଶୁଣିବାକୁ ଚାହୁଁଛୁ l ଆପଣ ତ କଳ୍ପଜୀବି ଆପଣ ବହୁ କଥା ଜାଣନ୍ତି, ଦୟାକରି ଆମର ବନ ବାସ କଷ୍ଟ ଲାଘବ ନିମନ୍ତେ ସେହି କଥାମାନ ଶୁଣାନ୍ତୁ l

ଜ୍ୟେଷ୍ଠପାଣ୍ଡଵ ଯୁଧିଷ୍ଠିର କହିଲେ,ହେ ମୁନିଶ୍ରେଷ୍ଠ ଜରା ଓ ମୃତ୍ୟୁ ଆପଣଙ୍କୁ ସ୍ପର୍ଶ କରି ପାରି ନାହିଁ l ଆପଣ ଦୀର୍ଘକାଳ ଧରି ଜୀବିତ ଅଛନ୍ତି l ମନରେ ଗୋଟିଏ ପ୍ରଶ୍ନ ଉଠୁଛି l ଆପଣଙ୍କ ଠାରୁ ପ୍ରାଚୀନ ବ୍ୟକ୍ତି କଣ ଆଉ କେହି ଅଛନ୍ତି କି ?

ଏକଥା ଶୁଣି ମହାମୁନି ମାର୍କଣ୍ଡେୟ କହିଲେ, ହଁ ଅଛନ୍ତି l ଜଣେ ରାଜା ଅଛନ୍ତି, ଇନ୍ଦ୍ରଦ୍ୟୁମ୍ନ l ମୁଁ ତାଙ୍କ କଥା କହୁଛି ସମସ୍ତେ ମନଦେଇ ଶୁଣ l

ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ପୁଣ୍ୟ କ୍ଷୟ ହୋଇଯିବା ପରେ, ସେ ଦିନେ ସ୍ୱର୍ଗରୁ ଆସି ମୋ ନିକଟରେ ପହଞ୍ଚିଥିଲେ ଓ ମୋତେ ପଚାରିଥିଲେ, ମୁନିବର, ବହୁକାଳ ବିତି ଯାଇଛି,ଏଣୁ ଏ ସଂସାରରୁ ମୋର କିର୍ତ୍ତୀ ଲୁପ୍ତ ହୋଇଯାଇଥିବା ପରି ମନେହେଉଛି l ହେ ମହାଭାଗ ! ମୋତେ ଆପଣ ଚିହ୍ନି ପାରୁଛନ୍ତି ତ?

ମୁଁ ରାଜାଙ୍କୁ ଚିହ୍ନି ପାରିଲି ନାହିଁ ଓ କହିଲି ନାଁ ମୁଁ ଆପଣଙ୍କୁ ଚିହ୍ନିପାରୁ ନାହିଁ l ଆପଣ କିଏ? ମୋ ଠାରୁ କିନ୍ତୁ ଆହୁରି ପ୍ରାଚୀନ ପ୍ରାବରକର୍ଣ୍ଣ ନାମରେ ଏକ ପେଚା ଅଛି, ସେ ହିମାଳୟରେ ବାସ କରେ l ସେ ହୁଏତ ଆପଣଙ୍କୁ ଚିହ୍ନିଥାଇପାରେ l

ତାପରେ ଆମେ ଦୁହେଁ ହିମାଳୟ ଯାତ୍ରା କରି, ପ୍ରାବରକର୍ଣ୍ଣ ଉଲ୍ଲୁକ ପାଖରେ ପହଁଞ୍ଚିଲୁ l ଆମେ ଇନ୍ଦ୍ରଦ୍ୟୁମ୍ନଙ୍କ ବିଷୟରେ ତାକୁ ପଚାରିବାରୁ ଉଲ୍ଲୁକ କହିଲା, ହେ ମହାନୁଭବ ! ମୁଁ ଆପଣଙ୍କୁ କାହିଁ ଚିହ୍ନି ପାରୁନାହିଁ l କିନ୍ତୁ ମୋ ଠାରୁ ପ୍ରାଚୀନ, ନାଡ଼ିଜଙ୍ଗ ନାମକ ଏକ ବଗ ଅଛି l ସେ ଇନ୍ଦ୍ରଦ୍ୟୁମ୍ନ ସରୋବର ନିକଟରେ ବାସ କରୁଛି l ତାକୁ ପଚାରନ୍ତୁ l ସେ ହୁଏତ ଚିହ୍ନି ଥାଇପାରେ l

ତେଣୁ ଆମ୍ଭେ ଉଲ୍ଲୁକକୁ ସାଙ୍ଗ କରି ଇନ୍ଦ୍ରଦ୍ୟୁମ୍ନ ସରୋବର ନିକଟରେ ପହଞ୍ଚିଲୁ l ଉଲ୍ଲୁକ, ସେ ନାଡ଼ିଜଙ୍ଗ ବଗକୁ ଆମର ଆସିବାର କାରଣ ଦର୍ଶାଇଲା l ବଗ ବହୁ ସମୟ ଚିନ୍ତା କରି କହିଲା, ନାଁ, ମୁଁ ଏ ରାଜାଙ୍କୁ ଚିହ୍ନିନାହିଁ l ମୋଠାରୁ ପୁରୁଣା ଏକ କଚ୍ଛପ ଅଛି l ଆପଣ ତା’ ନିକଟକୁ ଯାଆନ୍ତୁ l ସେ ହୁଏତ ଆପଣଙ୍କୁ ଚିହ୍ନିଥାଇପାରେ l ସେ ଏହି ସରୋବର ମଧ୍ୟରେ ରହୁଛି l ନାମ ତାର ଅକୂପାର l

ବକ ନାଡ଼ିଜଙ୍ଗ ଡାକିବାରୁ, ଅକୂପାର କଚ୍ଛପ ସେ ପୁଷ୍କରିଣୀର ଗଭୀର ଜଳ ମଧ୍ୟରୁ ଉପରକୁ ଉଠି ଆସିଲା l ଆମକଥା ଶୁଣି ସେ ଇନ୍ଦ୍ରଦ୍ୟୁମ୍ନଙ୍କୁ କିଛି ସମୟ ଚିନ୍ତିତ ହୋଇ ଚାହିଁ ରହିଲା l ତା’ ପରେ ସେ କାନ୍ଦ କାନ୍ଦ ହୋଇ, କମ୍ପିତ କଣ୍ଠରେ କହିଲା, ହଁ, ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ମୁଁ ଭଲ ଭାବରେ ଚିହ୍ନି ପାରୁଛି l ଏହି ଧର୍ମାତ୍ମା ରାଜା ବହୁ ଜାଗଯଜ୍ଞ କରି ଅକ୍ଷୟ କୀର୍ତ୍ତି ଅର୍ଜନ କରିଥିଲେ l ଏହିଠାରେ ସେ ମଧ୍ୟ ଏକ ମହାନ ଯଜ୍ଞ କରିଥିଲେ l ଏହି ଯଜ୍ଞରେ ସେ ଦକ୍ଷିଣା ସ୍ୱରୂପ ବ୍ରାହ୍ମଣମାନଙ୍କୁ ଶହସ୍ର ଗାଭୀ ଦାନ କରି ଥିଲେ l ସେହି ଗାଭୀ ମାନଙ୍କର ଖୁରା ଆଘାତରେ ଏହି ସରୋବର ଖୋଦିତ ହୋଇଛି l ଆଜି ପର୍ଯ୍ୟନ୍ତ ଏ ସରୋବର ଅଛି, ମୁଁ ମଧ୍ୟ ଅଛି l ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର କିର୍ତ୍ତୀ ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ଓ ଆଗକୁ ରହିବ ମଧ୍ୟ l

ଅକୂପାର କଛପର ଏହି ଘୋଷଣାପରେ ସ୍ୱର୍ଗରୁ ଏକ ଦିବ୍ୟ ରଥ ଆସି ପହଞ୍ଚିଲା l ସ୍ୱର୍ଗରୁ ଦୈବ ବାଣୀ ହେଲା,’ହେ ରାଜର୍ଷି, ତୁମର ଅକ୍ଷୟ କିର୍ତ୍ତୀ ଲୋପ ହୋଇ ନାହିଁ l ତୁମେ ସ୍ୱର୍ଗକୁ ଫେରିଆସି ଅଖଣ୍ଡ ସୁଖ ଭୋଗ କର “l ତା ପରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ସେ ଦିବ୍ୟରଥ ଆରୋହଣ କଲେ ଓ ରଥଟି ଉଡ଼ି ସ୍ୱର୍ଗଲୋକ ଦିଗରେ ପ୍ରସ୍ଥାନ କଲା l

କାହାଣୀଟି ଶୁଣାଇ ମହର୍ଷି ମାର୍କଣ୍ଡେୟ କହିଲେ, ବତ୍ସ ! ଏମିତି ଏ ପୃଥିବୀରେ ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ତାଙ୍କର କିର୍ତ୍ତୀ ପାଇଁ ଅମର ହୋଇ ରହିଛନ୍ତି l

ଜୟ ଜଗନ୍ନାଥ
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights