ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

Share it

ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ
===

ଉତ୍ତର ଭାରତର ଜଣେ ସନ୍ଥ, ଭକ୍ତ ମନୋହର ଦାସଙ୍କ ସ୍ମୃତିରେ ବର୍ଷର ଗୋଟିଏ ଦିନ ମହାପ୍ରଭୁ ଏ ପଦ୍ମ ବେଶରେ ସଜ୍ଜିତ ହୁଅନ୍ତି । ସେହି ଦିନଟି ହେଉଛି ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର ଅଥବା ଶନିବାର ।

ପଦ୍ମଫୁଲ ଏକ ଅତ୍ୟନ୍ତ ପବିତ୍ର ପୁଷ୍ପ । ଏହା ସ୍ୱୟଂ ମହାଲକ୍ଷ୍ମୀଙ୍କ ନିବାସ ସ୍ଥଳୀ । ସେଥିପାଇଁ ମା’ ମହା ଲକ୍ଷ୍ମୀଙ୍କୁ ପଦ୍ମାଳୟା, ପଦ୍ମା, କମଳା, ପଦ୍ମାସନୀ ଆଦି ନାମରେ ଅଭିହିତ କରା ଯାଏ । ମହାଲକ୍ଷ୍ମୀ ପୂଜା ପାଇଁ ପଦ୍ମ ଫୁଲ ଏକ ଅପରିହାର୍ଯ୍ୟ ଦ୍ରବ୍ୟ ।

ଭକ୍ତ କବି ମଧୁସୂଦନ ରାଓ ତାଙ୍କ ପଦ୍ମ କବିତାରେ ପଦ୍ମ ଫୁଲର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରି ଲେଖିଛନ୍ତି :-

କୋଟି ଲାବଣ୍ୟନିଧି ରେ ପଦ୍ମ ତୁହି ।
କି ଅମୃତେ ତୋ ତନୁ ଗଢ଼ିଲା ବିହି ।।
ତୋ ରୂପ ଦରଶନେ ମୋର ହୃଦୟ ।
ପୁଣ୍ୟ ଆନନ୍ଦେ ହୁଏ ଅମୃତ ମୟ ।।

ସେ ପୁଣି ପଦ୍ମର ଅମୃତମୟ ରୁପକୁ ବର୍ଣ୍ଣନା କରି ଲେଖିଛନ୍ତି :-

ଶ୍ବେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ ।
ବାରେ ଦେଖିଲେ କେବେ ନଯିବ ମନୁ ।।
ସର୍ବ ଶୋଭାର ତୁହି ଉପମା ସ୍ଥଳ ।
ଭକତ ପ୍ରେମିକର ତୁହି ସମ୍ବଳ ।।

ପଦ୍ମ ପୁଷ୍ପ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ଖୁବ ନିବିଡ଼ । ତାଙ୍କ ଚାରି ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଏ । ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମସହ ତୁଳନା କରାଯାଏ ଯଥା ପଦ୍ମପାଦ, ପଦ୍ମ ମୁଖ, ପାଦପଦ୍ମ, ମୁଖ ପଦ୍ମ, ପଦ୍ମ ନେତ୍ର ଇତ୍ୟାଦି ।

ମହାପ୍ରଭୁଙ୍କ ବହୁ ଭଜନ, ଜଣାଣ ଓ ସ୍ତୁତିରେ ପଦ୍ମ ଶବ୍ଦର ବ୍ୟବହାର ଦେଖାଯାଏ ।

ଫୁଲ ମାନଙ୍କ ମଧ୍ୟରେ କମଳ ବା ପଦ୍ମପୁଷ୍ପ ଶ୍ରେଷ୍ଠ ହୋଇଥିବାରୁ ଏହାକୁ ଆମ ଦେଶର ଜାତୀୟପୁଷ୍ପ ଭାବେ ଗ୍ରହଣ କରାଯାଇଛି । ବିଶ୍ୱ ସ୍ରଷ୍ଟାଙ୍କର ଏହି ଅମୃତମୟ ସୃଷ୍ଟି ପଦ୍ମ । ତେଣୁ ପଦ୍ମପୁଷ୍ପରେ ତାଙ୍କୁ ବର୍ଷରେ ଗୋଟିଏ ଥର ସଜ୍ଜିତ କରାଯାଇ ଥାଏ ।

ମହାପ୍ରଭୁଙ୍କର ନିତ୍ୟ ରାତ୍ରର ବଡ଼ ସିଂହାର ବେଶ ଏହି ପଦ୍ମ ବେଶ ଦିନ ହୁଏ ନାହିଁ । ପଦ୍ମ ବେଶରେ ରହି ସେଦିନ ଠାକୁରଙ୍କ ରାତ୍ରପହୁଡ଼ ହୋଇଥାଏ ।

ସପ୍ତଦଶଶତାବ୍ଦୀ ଗଙ୍ଗବଂଶର ରାଜତ୍ୱକାଳରୁ ଏହି ବେଶ, ହୋଇ ଆସୁଛି ବୋଲି ଗବେଷକଙ୍କ ମତ । ଏ ବେଶର ପ୍ରବର୍ତ୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦାସ । ତାଙ୍କ ସମୟରୁ ମହାପ୍ରଭୁଙ୍କ ଏହି ବେଶର ସମସ୍ତ ଖର୍ଚ୍ଚ ବଡ଼ଛତା ମଠ ବହନ କରି ଆସୁଛି । ରଘୁବରଦାସ ପଦ୍ମବେଶର ପ୍ରବର୍ତ୍ତକ ବୋଲି ମତ ଥିଲେ ହେଁ ଏ ବେଶ କିପରି ପ୍ରଚଳିତ ହେଲା ସେନେଇ ଏକ ସୁନ୍ଦର କିମ୍ବଦନ୍ତୀ ଅଛି ।

ଉତ୍ତର ଭାରତର ଜଣେ ସନ୍ଥ, ତଥା ମହାପ୍ରଭୁଙ୍କର ଜଣେ ପରମ ଭକ୍ତ ମନୋହର ଦାସ ଏକଦା ପୁରୀ ଅଭିମୁଖେ ଶ୍ରୀକ୍ଷେତ୍ର ମଉଡ଼ମଣିଙ୍କ ଦର୍ଶନଆଶାରେ ପଦବ୍ରଜରେ ଆସୁଥାନ୍ତି । ସେ କ୍ଲାନ୍ତ ହୋଇ ଗୋଟିଏ ସ୍ଥାନରେ ବିଶ୍ରାମ କରୁଥିଲେ । ପାଖରେ ଦେଖିଲେ ଗୋଟିଏ ପ୍ରସ୍ଫୁଟିତ ପଦ୍ମଫୁଲଭରା ପୁଷ୍କରିଣୀଟିଏ । ସମୟ ଥାଏ ମାଘମାସ, ଶୀତଋତୁ । ସାଧାରଣତଃ ଶୀତ ସମୟରେ ପଦ୍ମ ଫୁଲ ଫୁଟି ନ ଥାଏ । ବିରଳ ସେହି ପଦ୍ମପୁଷ୍ପଭରା ପୁଷ୍କରିଣୀକୁ ଦେଖି ମନୋହର ଆଶ୍ଚର୍ଯ୍ୟ ହୋଇଗଲେ । ସେ ମନେମନେ ଭାବିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାରୁ ବୋଧହୁଏ ଏହା ସମ୍ଭବ ହୋଇଛି । ଦାସେ ସ୍ଥିର କଲେ ଫୁଲ ଗୁଡିକୁ ତୋଳି ନେଇ ମହାପ୍ରଭୁଙ୍କୁ ଅର୍ପଣ କରିବି ।

ପୁଷ୍କରିଣୀରୁ ପଦ୍ମଫୁଲ ଗୁଡ଼ିକୁ ତୋଳି ତାଙ୍କ ମଇଳା ଗାମୁଛାରେ ଗୁଡ଼ାଇ ରଖି ସେ ଶ୍ରୀକ୍ଷେତ୍ର ଅଭିମୁଖେ ଚାଲିଲେ । ଦୀର୍ଘ ପଥ, ଶ୍ରୀକ୍ଷେତ୍ରରେ ପହଞ୍ଚୁ ପହଞ୍ଚୁ ତିନିଦିନ ବିତିଗଲା । ପଦ୍ମଫୁଲ ଗୁଡ଼ିକ ସବୁ ମଉଳି ଯାଇଥାଏ । ଶ୍ରୀକ୍ଷେତ୍ରରେ ପହଞ୍ଚି ମନୋହର ପଣ୍ଡା ଗୋସେଇଁଙ୍କୁ ଅନୁରୋଧ କଲେ ପଦ୍ମ ଫୁଲ ଗୁଡ଼ିକୁ ମହାପ୍ରଭୁଙ୍କୁ ଲାଗି କରି ଦେବା ପାଇଁ ।

ଗୋସେଇଁ ମଇଳା ଗାମୁଛାରେ ମଉଳା ଫୁଲ ଦେଖି କ୍ରୋଧିତ ହୋଇ କହିଲେ, ଏହି ଫୁଲ ଲାଗି ହେବା ଯୋଗ୍ୟ ନୁହେଁ । ଏହା ଲାଗି ହୋଇ ପାରିବ ନାହିଁ । ଏମିତି କହି ସେ ଫୁଲ ଗୁଡିକୁ ଫିଙ୍ଗି ଦେଲେ ।

ସନ୍ଥ ଅତି ଦୁଃଖରେ ମନ ମାରି ସିଂହଦ୍ୱାର ସମ୍ମୁଖରେ ମୂର୍ଛିତ ହୋଇ ଶୋଇ ପଡ଼ିଲେ । ଚିନ୍ତା କରୁଥାନ୍ତି, କେତେ ଶ୍ରଦ୍ଧାରେ ଫୁଲ ଗୁଡିକୁ ଘେନିଆସି ଥିଲି, ମହାପ୍ରଭୁ ଗ୍ରହଣ କଲେ ନାହିଁ, ଆଉ ଜୀବନ ରଖି କି ଲାଭ । ଭାବଗ୍ରାହୀ ପ୍ରଭୁ ଭକ୍ତର ଭାବ ବୁଝିଲେ । ଠାକୁର ରାଜାଙ୍କୁ ସ୍ୱପ୍ନାଦେଶ ହେଲା ମୋର ସେହି ପରମ ଭକ୍ତ ମନୋହରଦାସ ଆଣିଥିବା ସେ ମଉଳା ପଦ୍ମ ଫୁଲରେ ମୋର ଶ୍ରୀଅଙ୍ଗ ଶୃଙ୍ଗାର କର । ଦୋଉଡ଼ି ଆସିଲେ ଗଜପତି ମହାରାଜା । ଦେଉଳ କରଣଙ୍କୁ ରାଜା ନିର୍ଦ୍ଦେଶ କଲେ ମହାପ୍ରଭୁଙ୍କର ସ୍ୱପ୍ନାଦେଶ । ତଦନୁଯାୟୀ ରାଜା ଓ ଦେଉଳ କରଣଙ୍କ ନିର୍ଦ୍ଦେଶ କ୍ରମେ ସେଦିନ ରାତିରେ ମଉଳା ପଦ୍ମଫୁଲ ଲାଗି କରା ଗଲା ।

କିନ୍ତୁ ଏ କଅଣ ! ଲାଗିହେବା ମାତ୍ରେ ଶୁଷ୍କ ପଦ୍ମ ଫୁଲ ଗୁଡ଼ିକ ଜୀବନ୍ତ ହୋଇ ଉଠିଲେ ! ସମସ୍ତେ ଚକିତ ! ଶ୍ରୀକ୍ଷେତ୍ରରେ ଚହଳ ପଡ଼ିଗଲା । ଭକ୍ତ ମନୋହରଙ୍କ ଚକ୍ଷୁରୁ ବହିଚାଲିଥାଏ ଅବାରିତ ଆନନ୍ଦାଶ୍ରୁ । ଚାରି ଆଡ଼େ ଗୁଞ୍ଜରିତ ହେଲା ଭକ୍ତ ଓ ଭକ୍ତବତ୍ସଳ ପ୍ରଭୁଙ୍କ ଲୀଳା କଥା ।

ସେହିଦିନ ଠାରୁ ଏହି ବେଶ ପଦ୍ମବେଶ ଭାବରେ ଖ୍ୟାତ ହେଲା । ଆରମ୍ଭ ହୋଇଗଲା ପଦ୍ମବେଶର ନୂଆ ପରମ୍ପରା । ସେହି ଭକ୍ତ ମନୋହର ଦାସଙ୍କ ସ୍ମୃତିରେ ବର୍ଷର ଗୋଟିଏ ଦିନ ମହାପ୍ରଭୁ ଏ ପଦ୍ମ ବେଶରେ ସଜ୍ଜିତ ହୁଅନ୍ତି । ସେହି ଦିନଟି ହେଉଛି ମାଘ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର ଅଥବା ଶନିବାର ।

ବେଶକୁ ପୁଷ୍ପାଳକ ବା ସିଂହାରୀ ସେବକ ମାନଙ୍କ ଦ୍ଵାରା କରା ଯାଇଥାଏ । ପଦ୍ମ ବେଶ ଉପରାନ୍ତେ ମହାପ୍ରଭୁଙ୍କୁ ଅମାଲୁ (ମାଲପୁଆ) ଓ କ୍ଷୀରି ଭୋଗ ମଣୋହୀ କରା ଯାଇ ଥାଏ । ଭକ୍ତ ମନୋହରଙ୍କ ସ୍ମୃତିରେ ନିୟମିତ ଭାବେ ଏହି ପଦ୍ମବେଶ କରାଇ ଆସୁଛନ୍ତି ବଡ଼ ଛତା ମଠ ।

ମାତ୍ର ଶୀତ ଋତୁରେ ପଦ୍ମଫୁଲ ମିଳିବା ସମ୍ଭବ ନୁହେଁ ବୋଲି ବଡ଼ଛତା ମଠର ତତ୍କାଳୀନ ମହନ୍ତ ରଘୁବର ଦାସ ଆରମ୍ଭ କରାଇଥିଲେ ଏକ ଭିନ୍ନ ପରମ୍ପରା । ସୋଲ, କନା, ଜରି, କଇଥଅଠା ଓ ରଙ୍ଗରେ ପ୍ରସ୍ତୁତ କୃତ୍ରିମ ପଦ୍ମ ଫୁଲରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପଦ୍ମବେଶ । ସେବେଠାରୁ ନିରବଚ୍ଛିନ୍ନ ଭାବେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇ ଆସୁଛି । ରତ୍ନ ସିଂହାସନ ଉପରେ ଠାକୁର ମାନଙ୍କ ଏକ ଅତି ଆକର୍ଷଣୀୟ ବେଶ ଏହି ପଦ୍ମବେଶ, ଯେଉଁଥିରେ ତିନି ଠାକୁର ତିନୋଟି ପ୍ରସ୍ପୁଟିତ ପଦ୍ମ ହୋଇ ରତ୍ନସିଂହାସନରେ ଶୋଭା ପାଇଥାନ୍ତି । ଦୁଇ ଯୋଡ଼ା ହଂସ ପଦ୍ମରୁପୀ ମହାପ୍ରଭୁଙ୍କୁ ଚୁମ୍ବନ ଦେବା ଭଙ୍ଗୀରେ ରହି ଥାନ୍ତି । ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୋଇଥାନ୍ରି । ବେଶରେ ଥାଇ ମହାପ୍ରଭୁଙ୍କ ରାତ୍ରୀ ପହୁଡ଼ ହୋଇ ଥାଏ । ପର ଦିନ ପ୍ରତ୍ୟୁଷରୁ ପଦ୍ମ ବେଶରେ ମହାପ୍ରଭୁ ଦର୍ଶନ ଦିଅନ୍ତି, ଶ୍ରଦ୍ଧାଳୁ ମାନଙ୍କୁ । ଏହି ଦୁର୍ଲଭ ପଦ୍ମବେଶ ଦର୍ଶନ କଲେ ମନୁଷ୍ୟର ସମସ୍ତ କଳୁଷ ଦୂର ହୁଏ ବୋଲି ବିଶ୍ୱାସ ରହିଛି ।

ଶ୍ରୀ ଜୀଉମାନଙ୍କ ପଦ୍ମବେଶ ଦର୍ଶନ କରି ଭକ୍ତ ଆନନ୍ଦ ବିଭୋର ହୋଇ ଗାଇଥାନ୍ତି :-

ମଣିମା ଶୁଣିମା ହେଉ ଗରିବ ଡ଼ାକ ।
ନିରକ୍ଷ ଜନକୁ ରଖ ପଙ୍କଜ ମୁଖ ।।

🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Join the Conversation

1 Comment

  1. ଅତ୍ୟନ୍ତ ହୃଦୟସ୍ପର୍ଶୀ କଥା ଇତିହାସ ର କିଛି ଅଜଣା କଥା ଅତି ସୁନ୍ଦର ଭାବରେ ବର୍ଣ୍ଣନା, ଚମତ୍କାର

Leave a comment

Your email address will not be published. Required fields are marked *

Verified by MonsterInsights