ମହାପାର୍ବଣ ନୂଆଖାଇ : ଏକ ତାତ୍ତ୍ଵିକ ଆଲୋଚନା

Share it

ମହାପାର୍ବଣ ନୂଆଖାଇ : ଏକ ତାତ୍ତ୍ଵିକ ଆଲୋଚନା

ସୁନୀଲ କୁମାର ଧାଙ୍ଗଡାମାଝୀ

ଭାରତୀୟ ଆଦିମ ଆଦିବାସୀ ସଂସ୍କୃତିରେ ଅନ୍ନକୁ କେନ୍ଦ୍ର କରି ଯେଉଁ ମହାନ ଦର୍ଶନ ତତ୍ତ୍ୱ ପ୍ରତିଫଳିତ ହୋଇଛି, ତାହା ବିଶ୍ୱର ଅନ୍ୟ କୌଣସି ସମୃଦ୍ଧ ସଭ୍ୟତାରେ ଦୃଷ୍ଟିଗୋଚର ହୁଏନାହିଁ । ଆଦିବାସୀ ପରମ୍ପରାରେ ଅନ୍ନପୂଜା କ୍ରମରେ ପିତୃପୂଜା ଓ ପିତୃପୂଜା କ୍ରମରେ ଅନ୍ନପୂଜାର ପ୍ରାଧାନ୍ୟ ରହିଛି । ପ୍ରାଗ୍ଐତିହାସିକ ଯୁଗର ଶିକାରଜୀବୀ ମନୁଷ୍ୟର ମାନସତତ୍ତ୍ୱ ବିଭିନ୍ନ ସ୍ତରରେ ବିବର୍ତ୍ତିତ ହୋଇ ଅନ୍ନ ତତ୍ତ୍ୱ ମଧ୍ୟରେ ନିହିତ ହୋଇଥିଲା । ଆଦିମ ସମାଜର ପିତୃପୁରୁଷ ପୂଜା, ଡଙ୍ଗର ପୂଜା ଓ ଧର୍ମଦେବତା ପୂଜାରୁ ପରବର୍ତ୍ତି ସମୟରେ ସମସ୍ତ ଦେବତାମାନଙ୍କ ବିବର୍ତ୍ତନ ସମ୍ଭବ ହୋଇଛି ।

ସେହିପରି ଶିକାରଜୀବୀ ସମାଜରେ ଅରଣ୍ୟଦେବୀ ଭାବେ ଉପାସିତା ଧରିତ୍ରୀମାତା ବା ଧର୍ନୀଦେବୀ କୃଷିଜୀବୀ ସମାଜରେ କୃଷି ଆଧାରର ଦେବୀ ଭୂଦେବୀ ବା ଧର୍ନୀଦେବୀ ଭାବେ ପରିବର୍ତ୍ତିତ ହେଲେ । ଧର୍ନୀ ତତ୍ତ୍ୱରୁ ପରବର୍ତ୍ତୀ ସମୟରେ ମାତୃଦେବୀ / ଉପଦେବୀମାନଙ୍କର ବିବର୍ତ୍ତନ ହୋଇଥିଲା । ଧର୍ନୀ ଦେବୀ ବା ଭୂଦେବୀଙ୍କ ଦ୍ୱାରା ଅନ୍ନ ସମ୍ଭବ ହେଉଥିବାରୁ କୃତଜ୍ଞତା ସ୍ୱରୂପ କୃଷିଜୀବୀ ସମାଜ ଶସ୍ୟଦାୟିନୀ ଧର୍ନୀଦେବୀଙ୍କଠାରେ ପ୍ରଥମ ଅମଳଯୋଗ୍ୟ ଶସ୍ୟକୁ ଆନୁଷ୍ଠାନିକ ଧର୍ମାଚାର ମାଧ୍ୟମରେ ଅର୍ପଣ ପୂର୍ବକ ଭକ୍ଷଣ କରିବାର ବିଧିବିଧାନରୁ ନବାନ୍ନ ପାର୍ବଣର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ ।

ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ଶସ୍ୟପୂଜା ବା ନବାନ୍ନ ଭକ୍ଷଣର ପାରମ୍ପରିକ ବିଧିବିଧାନ ଥିବାବେଳେ ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଓ ଝାରଖଣ୍ଡର ଅନେକ ଅଂଚଳରେ ଏହା ଏକ ମହାନ ଗଣଚେତନାର ପର୍ବ ରୂପ ନେଇ ସାମାଜିକ ସଂହତିର ଶ୍ରେଷ୍ଠ ଲୋକ ଅନୁଷ୍ଠାନ ଭାବେ ପାଳିତ ହୋଇଆସୁଛି । ପ୍ରାଚୀନ କାଳରୁ ଦକ୍ଷିଣ କୋଶଳର ଅବିଚ୍ଛେଦ୍ୟ ଅଂଶ ଥିବା ପଶ୍ଚିମ ଓଡ଼ିଶାରେ ଏକ ସମୃଦ୍ଧ ପରମ୍ପରା ରହିଆସିଛି । ପ୍ରାଗ୍ ଐତିହାସିକ ଯୁଗର ଗୁଡ଼ହାଣ୍ଡି ଗୁମ୍ଫାଚିତ୍ର ଓ ବିକ୍ରମଖୋଲ ଗୁହାଚିତ୍ର ସମେତ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଶସ୍ୟପାତ୍ର ଓ ଏହି ତତ୍ତ୍ୱର ସଙ୍କେତ ଥିବା ପରିଦୃଶ୍ୟ ହୁଏ । ପ୍ରାଗ୍ଐତିହାସିକ ସମୟରୁ ଏଠାକାର ଆଦିମ ଜନଜାତି ଶସ୍ୟକୁ ଦେବୀଜ୍ଞାନରେ ପୂଜାର୍ଚ୍ଚନା ସହ ପିତୃପୁରୁଷ ସମେତ ଧର୍ନୀମାତାଙ୍କୁ କୃତଜ୍ଞତା ଜ୍ଞାପନ କରିଆସୁଛନ୍ତି । ସେଥିପାଇଁ ସେମାନଙ୍କ ମାନସତତ୍ତ୍ୱରୁ ନୂଆଖାଇ ପରି ଏକ ମହାପାର୍ବଣର ସୃଷ୍ଟି ହୋଇଛି ।

କୃତଜ୍ଞତାର ପର୍ବ:

ସଭ୍ୟତାର କ୍ରମବିକାଶ ଧାରା ସହିତ ଆଦିମ ଆଦିବାସୀ ସଂସ୍କୃତିରେ ଆର୍ଯ୍ୟ ଗୋଷ୍ଠୀର କେତେକ ତତ୍ତ୍ୱର ସମ୍ମିଶ୍ରଣ ଘଟିଛି । ସେହି ଆଧାରରରେ ଆଦିବାସୀ ଚେତନାର ଅନେକ ଦେବାଦେବୀ ଆର୍ଯ୍ୟମାନଙ୍କ ଦ୍ୱାରା ମହାନ ଦେବାଦେବୀର ରୂପ ନେଇଛନ୍ତି । ସମୟଚକ୍ରରେ ପ୍ରକୃତି ଓ ପିତୃପୁରୁଷଙ୍କ ଉପାସନା କରୁଥିବା ଆଦିବାସୀ ମୂର୍ତ୍ତିତତ୍ତ୍ୱର ମଧ୍ୟ ଆଶ୍ରୟ ନେଇଛି । ତେବେ କେଉଁଏକ ସ୍ମରଣାତୀତ କାଳରୁ ଆରମ୍ଭ ହୋଇଥିବା ନୂଆଖାଇ ପାର୍ବଣ ଆଜି ମଧ୍ୟ ପ୍ରାଚୀନ ରୀତିନୀତି, ପରମ୍ପରା ଓ ଧର୍ମ ବିଶ୍ୱାସ ଦ୍ୱାରା ପାଳିତ ହୋଇଥାଏ । ପ୍ରାଗ୍ଐତିହାସିକ ଯୁଗର ଶିକାରଜୀବୀ ମନୁଷ୍ୟ ଓ ନୂତନ ପ୍ରସ୍ତର ଯୁଗର କୃଷିଜୀବୀ ମନୁଷ୍ୟର ମାନସପଟ୍ଟରେ ସୃଷ୍ଟି ହୋଇଥିବା ପ୍ରଥା, ପରମ୍ପରା, ଧାର୍ମିକ ରୀତିନୀତି ଓ ସାମାଜିକ ବ୍ୟବସ୍ଥାର ଏକ ସୁନ୍ଦର ଚିତ୍ର ନୂଆଖାଇ ପାର୍ବଣ ମାଧ୍ୟମରେ ଚିତ୍ରିତ ହୋଇଥାଏ ।

ନୂତନ ଶସ୍ୟ ଧର୍ନୀ ଦେବୀଙ୍କଠାରେ ଅର୍ପଣ କରି କୃଷକ ଭୂଦେବୀଙ୍କଠାରେ କୃତଜ୍ଞ ରହିବା ସହ ଏହି ମହାନ ପାର୍ବଣର ସୃଷ୍ଟି କରିଥିବା ପିତୃପୁରୁଷଙ୍କୁ ନୂଆଖାଇ ଅବସରରେ ଆବାହନ କରିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ଧାନରୁ ତିଆରି ପ୍ରସାଦ ଅର୍ପଣ କରି ସେମାନଙ୍କଠାରେ କୃତଜ୍ଞ ରହିଥାଏ । ନୂତନ ପ୍ରସ୍ତରଯୁଗୀୟ ସଭ୍ୟତାରୁ ଆଜି ପର୍ଯ୍ୟନ୍ତ କୃଷିଜୀବୀ ମନୁଷ୍ୟ କୃଷିକର୍ମ ପାଇଁ ପରିବାର, ଗୋଷ୍ଠୀ ତଥା ସମାଜର ସାହାଯ୍ୟ ନେଇଆସିଛି । ସମସ୍ତଙ୍କ ସହଯୋଗରେ କୃଷକ ନୂତନ ଫସଲ ଉତ୍ପାଦନ କରିପାରୁଥିବାରୁ ସେ ତାର ଖୁସି ପରିବାର, ଗୋଷ୍ଠୀ ତଥା ସମାଜ ସହ ବ୍ୟକ୍ତ କରିବାର ଏକ ଅପୂର୍ବ ଅବସର ନୂଆଖାଇ ମାଧ୍ୟମରେ ପାଇପାରିଥାଏ ।

ଆଦିମ କାଳରୁ ମାନବର ଧର୍ମ ବିଶ୍ୱାସ ସହ ଜଡ଼ିତ ହୋଇଆସିଥିବା ଧର୍ନୀ ଦେବୀ ସମେତ ଡଙ୍ଗରବୁଡ଼ା, ବୁଡାରଜା, ଗଙ୍ଗାଦି, ଦୂଲା, ଗବ୍ଡ଼ା, ମାଏଲି ଆଦି ଅସଂଖ୍ୟ ଦେବାଦେବୀଙ୍କୁ ଏହି ପାର୍ବଣ ସମୟରେ ସନ୍ତୁଷ୍ଟ କରିବା ପାଇଁ ପରମ୍ପରା ଅନୁକ୍ରମରେ ପୂଜା ଆରାଧନାର ବ୍ୟବସ୍ଥା ରହିଛି । କୃଷକ ଏହି ଅନୁଷ୍ଠାନ ମାଧ୍ୟମରେ ପାରମ୍ପରିକ ଦେବାଦେବୀମାନଙ୍କ ପାଖରେ କୃତଜ୍ଞ ରହିଥାଏ । ସାମାଜିକ ବ୍ୟବସ୍ଥାର ସଂରକ୍ଷକ ବୟୋବୃଦ୍ଧ ଜନତା ତଥା ଗ୍ରାମୀଣ ଜନତାର କୁଳପତି, ଦଳପତି, ଜାନୀ, ଝାଙ୍କର ଓ ଗଣାମାନେ ସମାଜକୁ ଶୃଙ୍ଖଳିତ କରି ରଖିବାରେ ପ୍ରମୁଖ ଭୂମିକା ନିଭାଉ ଥିବାରୁ କୃଷକ ସେମାନଙ୍କୁ ମଧ୍ୟ ଏହି ପାର୍ବଣ ମାଧ୍ୟମରେ ପ୍ରଣାମ ଓ ଭେଟି ଦେଇ କୃତଜ୍ଞ ରହିଥାଏ । ତେଣୁ ନୂଆଖାଇ କୃତଜ୍ଞତା ଜ୍ଞାପନ କରିବାର ଏକ ମହାନ ପର୍ବ ଭାବେ ସ୍ୱୀକୃତି ଲାଭ କରିଆସିଅଛି ।

ନୂଆଖାଇର ପ୍ରଥା ଓ ପରମ୍ପରା:

ଜ୍ୟୋତିଷ ଶାସ୍ତ୍ର ସହ ଭାରତୀୟ କୃଷକ ସମାଜର ଅଭିନ୍ନ ସମ୍ପର୍କ ଥବା ଦୃଷ୍ଟିରୁ ସିଂହ ରାଶିରେ ସୂର୍ଯ୍ୟ ବଳବାନ୍ ଥିବା ଭାଦ୍ର ଶୁକ୍ଳପକ୍ଷ ଚତୁର୍ଥୀ ଗତେ ପାର୍ବଣ ତିଥି ଓ ଲଗ୍ନ ଧାର୍ଯ୍ୟ କରି ନୂଆଖାଇ ପର୍ବ ପାଳନ କରାଯାଏ । ନୂଆଖାଇ ପ୍ରାଚୀନ କାଳରୁ ଅନୁସୃତ କେତେକ ପ୍ରଥା ଓ ପରମ୍ପରାକୁ ନେଇ ପରିପୁଷ୍ଟ ହୋଇଥାଏ । ଏହି ପ୍ରଥା ଓ ପରମ୍ପରା ମଧ୍ୟରେ ରହିଛି ରୁଗୀବଲା ଓ ପନାପାଏନ୍ ଢଲା, ଖେଡ଼ଶୁଆ, ଜୁଗାର୍ ଭାର୍ ଇତ୍ୟାଦି ।

ପୂର୍ବରୁ ଗୌନ୍ତିଆ, ଜାନୀ, ଝାଙ୍କର, ଗଣା ଆଦିଙ୍କ ଉପସ୍ଥିତିରେ ଗ୍ରାମର ଏକ ବୈଠକ ବସି ନୂଆଖାଇର ଦିବସ ଓ ସମୟ ଧାର୍ଯ୍ୟ କରାଯାଏ । ଏହି ବୈଠକରେ ଗ୍ରାମବାସୀମାନଙ୍କ ସହଯୋଗରେ ସାମୂହିକ ଭାବେ ରୁଗୀବଲା ଓ ପନାପାଏନ୍ ଢଲା କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଗୌନ୍ତିଆଙ୍କୁ ଅନୁରୋଧ କରାଯାଇଥାଏ ।

ରୁଗୀବଲା ଓ ପନାପାଏନ୍ ଢଲା:

ନୂଆଖାଇର ଦୁଇତିନି ଦିନ ପୂର୍ବରୁ ଗ୍ରାମରେ ରୁଗୀବଲା ବା ରୁଗୀଯୁଗୀ ଓ ପନାପାଏନ୍ (ପଣା) ଢଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ନୂଆଖାଇ ସହ ଏହି ପରମ୍ପରାର ଅଭିନ୍ନ ସମ୍ପର୍କ ଥିବାରୁ ଗ୍ରାମବାସୀମାନେ ଏହାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି । ଆଦିମ ମନୁଷ୍ୟ ସମାଜ ରୋଗ ବଇରାଗର ସ୍ରଷ୍ଟା ଭାବେ କେତେକ ଉପ ଦେବାଦେବୀମାନଙ୍କୁ ଗ୍ରହଣ କରୁଥିଲା ଓ ମନୁଷ୍ୟ ତଥା ଗୃହପାଳିତ ପଶୁପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅଭିଚାର ତନ୍ତ୍ରଧାରାରେ ଉପାସିତ ଦେବାଦେବୀମାନଙ୍କ ଶରଣ ନେଉଥିଲା । ଗ୍ରାମରୁ ରୋଗ ବଇରାଗ ଦୂର କରି ସମସ୍ତେ ସୁସ୍ଥ ସବଳ ହୋଇ ନବାନ୍ନ ଭକ୍ଷଣ କରିବାର ମାନସିକତା ନେଇ ଆଦିମ ଆଦିବାସୀ ସମାଜ ରୁଗୀବଲା ବିଧାନ ଆରମ୍ଭ କରିଥିଲା।

ଗ୍ରାମର ଗଣା ପଡ଼ା ପଡ଼ା ବୁଲି ରୁଗୀବଲା ଦିନର ଘୋଷଣା କରିଥାଏ । ରୁଗୀବଲା ଦିନ ଗ୍ରାମର ସମସ୍ତ ପରିବାର ଖପରରେ ଜଳନ୍ତା ଅଙ୍ଗାର ରଖି ତା’ ଉପରେ ଝୁଣା ପକାଇ ଘରୁ ଗ୍ରାମର ମଧ୍ୟସ୍ଥଳକୁ ଆଣିଥାନ୍ତି । ଏଥିସହ କିଛି ଫୁଲାଲିଆ (ଖଇ) ଓ ଭାତିଆ (ଚାଉଳ, ଡାଲି, ପନିପରିବା, ପଇସା) ଆଦି ଆଣିଥାନ୍ତି । ଗ୍ରାମର ସମସ୍ତ ପରିବାର ଏସବୁ ଦ୍ରବ୍ୟ ଆଣି ଏକାଠି ଠୁଳ କରିବା ପରେ ଜାନୀ, ଝାଙ୍କର ଅଭିଚାର ତନ୍ତ୍ର ମତରେ ପୂଜାପାଠ କରିଥାନ୍ତି । ଏହାପରେ ଜାନୀ, ଝାଙ୍କର ଓ ଗଣା ରୁଗୀବଲା ସାମଗ୍ରୀ ଧରି ଖଇ ବିଂଚିବିଂଚି ଗ୍ରାମରୁ ଦୁଷ୍ଟ ଶକ୍ତି ବାହାରି ଯିବାକୁ ନିର୍ଦ୍ଦେଶ କରିଥାନ୍ତି ।

ସେମାନେ ଗ୍ରାମ ଶେଷମୁଣ୍ଡରେ ରୁଗୀବଲା ସାମଗ୍ରୀସବୁ ରଖି ଗ୍ରାମ ଦେବାଦେବୀ ଯଥା- ଡୁକ୍ରୀବୁଡ଼ି, ଗଙ୍ଗାଦି, ଦୂଲା, ବସ୍ତରେନ୍, ମାଏଲି, ବୁଡ଼ାରଜା, ଜେନାବୁଡ଼ା, ଗବ୍ଡ଼ା, ଭୀମା, ଭୈରବ, ଡଙ୍ଗରବୁଡ଼ା, ବାରମୁନୀ, ଦୁଆରସୁନୀ, କୋକଡେନ୍, ପାହାଡ଼େନ୍ ଆଦି ଅନେକ ଦେବାଦେବୀଙ୍କ ପାଖରେ ଗ୍ରାମରୁ ରୋଗ ବଇରାଗ ହଟାଇବା ପାଇଁ ପ୍ରାର୍ଥନା କରନ୍ତି ଓ ରୁଗୀଯୁଗୀ ବଲାର ଅନ୍ତିମ ପର୍ଯ୍ୟାୟରେ ସମସ୍ତ ଦେବାଦେବୀମାନଙ୍କୁ ମଦ୍ୟ ଅର୍ପଣ ଓ କୁକୁଡ଼ା ବଳି ଦେଇ ପନା ପାଏନ୍ ଢାଳିଥାନ୍ତି । ଏହି ପରମ୍ପରା ମାଧ୍ୟମରେ ଆଦିମ ଆଦିବାସୀ ସମାଜ ପିତୃପୁରୁଷ ତତ୍ତ୍ୱ ଓ ଧରଣୀତତ୍ତ୍ୱରୁ ବିବର୍ତ୍ତିତ ଦେବାଦେବୀମାନଙ୍କୁ ଶାନ୍ତି କରିବାର ମାନସିିକତା ନେଇ ପରୋକ୍ଷରେ ପିତୃପୁରୁଷ, ଧର୍ନୀଦେବୀ ଓ ଅଦୃଶ୍ୟ ଶକ୍ତିଙ୍କଠାରେ ସମର୍ପଣ ଭାବ ଦେଖାଇଥାନ୍ତି ।

ଖେଡ଼ଶୁଆ:

ନୂଆଖାଇର ପୂର୍ବ ଦିବସକୁ ‘ଉପାସ୍ ଦିନ୍’ ବୋଲି କୁହାଯାଇଥାଏ । ଏହି ଦିନ ଧର୍ନୀ ପୀଠରେ ଖେଡ଼ଶୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଗ୍ରାମର ଗୌନ୍ତିଆ ଓ ଜାନୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ଗୌନ୍ତିଆ ଏହି ଦିନ ନିଜ ଶସ୍ୟକ୍ଷେତ୍ରକୁ ଯାଇ ବର୍ଷର ପ୍ରଥମ ଅମଳଯୋଗ୍ୟ ଛେଟକା ଧାନ କ୍ଷେତରେ କ୍ଷୀର ଢାଳି ଭୂଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରିଥାନ୍ତି ଓ କ୍ଷେତରୁ କିଛି ଧାନ କେଣ୍ଡା ଆଣିଥାନ୍ତି । ପୂର୍ବରୁ ଧର୍ନୀ ଦେବୀଙ୍କ ଆସ୍ଥାନକୁ ସଫାସୁତୁରା କରାଯାଇଥାଏ ।

କ୍ଷେତରୁ ଆଣିଥିବା ଧାନକୁ ଗୌନ୍ତିଆ ଓ ଜାନୀ ଧର୍ନୀ ଦେବୀଙ୍କ ପାଖରେ ରଖି ପାରମ୍ପରିକ ବିଧାନରେ ପୂଜାର୍ଚ୍ଚନା କରିଥାନ୍ତି । ଏହି ଦିନ ଧର୍ନୀ ଦେବୀଙ୍କ ପାଖରେ ମଦ୍ୟ ଅର୍ପଣ କରାଯାଇଥାଏ ଏବଂ ଏହାକୁ ଗୌନ୍ତିଆ, ଜାନୀ, ଝାଙ୍କର ଓ ଗଣା ପ୍ରସାଦ ଜ୍ଞାନରେ ସେବନ କରିଥାନ୍ତି । ଏହିଦିନ ଗୃହକର୍ତ୍ତାମାନେ ଓପାସ ରହି ସନ୍ଧ୍ୟା ପରେ ନିଜନିଜ ମଶାନକୁନାରେ ଆସନ୍ତା କାଲି ନୂଆ ଖାଇବା ବୋଲି ଗୃହର ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କୁ ନିମନ୍ତ୍ରଣ କରିଥାନ୍ତି ।

ଜୁଗାର୍ ଭାର୍:

ନୂଆଖାଇ ପର୍ବର ଅନ୍ୟଏକ ଆକର୍ଷଣ ହେଉଛି ଜୁଗାର୍ ଭାର୍ । ଗ୍ରାମର ପୂଅଝିଅମାନେ ନିଜନିଜ ଭିତରେ ମିତ, ମାର୍ସାଦ୍, ମକର, ଗଜାମୁଙ୍ଗ, ସମକଟା, ସାଇ, ଫୁଲ, ମଡ଼ା, ଭାଏଲୋକ୍ ଆଦି ବସିଥାନ୍ତି । ଏମୋନେ ନୂଆଖାଇ ଦିନ ଜୁଗାର ଭାର ଦିଆନିଆ ହୁଅନ୍ତି । ଏହି ଜୁଗାରରେ ଥାଏ ଚାଉଳ, ଡାଲି, ପନିପରିବା ସହ ସାବୁନ, ଅତର, ଧୋତି, ଶାଢ଼ୀ ଇତ୍ୟାଦି । ପୁଅ ପାଇଁ ବୋହୂ ଠିକ୍ ହୋଇ ମଦପିଆ କାର୍ଯ୍ୟକ୍ରମ ସରିଯାଇଥିଲେ ଶ୍ୱଶୁର ବୋହୁ ଘରକୁ ଶାଢ଼ୀ, ପିଠା, ଚୁଡ଼ି, ମାଳି ଆଦି ଅନେକ ଜିନିଷ ପଠାଇଥାଏ । ଜୁଗାର୍ ଭାର୍ ମୈତ୍ରୀ ବନ୍ଧନର ଏକ ଅନନ୍ୟ ପରମ୍ପରା ଭାବେ ପରିଗଣିତ ହୋଇଥାଏ । ଗୃହକର୍ତ୍ତାମାନେ ଗୌନ୍ତିଆ, ଜାନୀ, ଝାଙ୍କର, ଗଣା ଆଦିଙ୍କୁ ମଧ୍ୟ ସାଧ୍ୟ ମୁତାବକ ଭାତିଆ ପ୍ରଦାନ କରିଥାନ୍ତି ।

ନୂଆଖାଇର ବିଧିବିଧାନ:

ଗ୍ରାମ ମୁଖ୍ୟମାନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ତିଥି ଅନୁସାରେ ଗ୍ରାମବାସୀମାନେ ନିଜନିଜ ଘରେ ନୂଆଖାଇର ପ୍ରସ୍ତୁତି ଚଲାଇଥାନ୍ତି । ଗୃହକର୍ତ୍ତା ସକାଳୁ କ୍ଷେତକୁ ଯାଇ ପୂଜାର୍ଚ୍ଚନା କରି ଧାନ କେଣ୍ଡା ଆଣିଥାନ୍ତି। ପରିବାରର ମହିଳାମାନେ ଏହାକୁ ପାହାରୁନ୍ କିମ୍ବା ଢେଙ୍କି ସାହାଯ୍ୟରେ କୁଟି ଚୁଡ଼ା ବାହାର କରିଥାନ୍ତି । ମଶାନକୁନାକୁ ସୁନ୍ଦର ଭାବେ ଝୋଟି ଦେଇ ସଜାଇ ଦିଆଯାଇଥାଏ । ଘରେ ସ୍ୱତନ୍ତ୍ର ଭାବେ ପିଠା ଓ କ୍ଷୀରି ତିଆରି କରି ମଶାନ୍କୁନାରେ ପିତୃପୁରୁଷ ଓ ଇଷ୍ଟଦେବୀଙ୍କ ପାଖରେ ରଖାଯାଏ । ପୂର୍ବରୁ ପ୍ରସ୍ତୁତ ନୂଆ ଧାନର ଚୁଡ଼ାରେ ନବାତ, କ୍ଷୀର, ଘିଅ ଆଦି ଦେଇ ସୁନ୍ଦର ଭାବେ ନବାନ୍ନ ତିଆରି କରାଯାଏ । ଏହି ନବାନ୍ନକୁ କୁରେ ପତ୍ରରେ ମଶାନକୁନାରେ ବଢ଼ାଯାଏ ଓ ପାରମ୍ପରିକ ରୀତିରେ କୁଳାଚାର ଭାବରେ ପୂଜାର୍ଚ୍ଚନା କରାଯାଇଥାଏ । ଏହାପରେ ଗୁହାଳ ଘରକୁ ମଧ୍ୟ ନବାନ୍ନ ଯାଏ । ଏହାପରେ ପରିବାରର ସମସ୍ତେ ବଡ଼ରୁ ସାନ କ୍ରମରେ ନବାନ୍ନ ଭକ୍ଷଣ କରିଥାନ୍ତି ।

ଏହାପରେ ସମସ୍ତେ ବଡ଼ମାନଙ୍କୁ ମୁଣ୍ଡିଆ ମାରନ୍ତି । ପରିବାରର ଛୋଟ ଛୋଟ ଶିଶୁମାନଙ୍କୁ ଏକାଠି ବସାଇ ସେମାନଙ୍କୁ ଘରର ପୁରୁଷ ଓ ମହିଳାମାନେ ଚାଉଳ, ଫୁଲ, ଚନ୍ଦନ ଦେଇ ବନ୍ଦାଇଥାନ୍ତି ଓ ଗୋରସରେ ପାଦ ପ୍ରକ୍ଷାଳନ କରିଥାନ୍ତି । ଏହାପରେ ସମସ୍ତେ ଏକାଠି ବସି ଘରେ ପ୍ରସ୍ତୁତ ହୋଇଥିବା ନାନା ପ୍ରକାର ବ୍ୟଞ୍ଜନ ଭୋଜନ କରି ବାହାରକୁ ବାହାରି ପାଖ ପଡ଼ୋଶୀମାନଙ୍କୁ ଜୁହାର୍ ଭେଟ୍ କରିଥାନ୍ତି । ନୂଆଖାଇ ସନ୍ଧ୍ୟାରେ ହଲିଆ ତୁଲିଆ ଓ ବୟୋବୃଦ୍ଧମାନେ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଘରକୁ ଯାଇ ନୂଆଖାଇ ଟଙ୍କା ଆଣି ମଦ ପିଇଥାନ୍ତି । ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତିମାନେ ତାସ୍ ଖେଳିବା ସହ ଢାପ୍, ଘୁଡ଼କା, ଘୁମରା ଆଦି ମନୋରଞ୍ଜନଧର୍ମୀ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥାନ୍ତି ।

ରହିଛି ବି ଭିନ୍ନ ପରମ୍ପରା:

ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ନୂଆଖାଇକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଅଧିକାଂଶ ଜାତିର ଲୋକ କୁରେ ପତ୍ରରେ ନୂଆ ଖାଉଥିବା ବେଳେ କିଛି ଜାତିର ଲୋକ ମହୁଲ ପତ୍ରରେ, ସାରୁପତ୍ର, ସାହାଜ ପତ୍ର ଆଦି ବିଭିନ୍ନ ପତ୍ରରେ ଖାଇଥାନ୍ତି ।

ସେହିପରି ସ୍ଥଳ ବିଶେଷରେ ନୂଆଖାଇର ତିଥିକୁ ନେଇ ବି ଭିନ୍ନତା ରହିଛି । ପୂର୍ବରୁ ଲୋକେ ନିଜ ଗ୍ରାମର ନିର୍ଣ୍ଣୟ ଅନୁଯାୟୀ ଭିନ୍ନ ଭିନ୍ନ ତିଥିରେ ନୂଆ ଖାଉଥିବା ବେଳେ ଆଜିକାଲି ଅଧିକାଂଶ ପଞ୍ଚମୀ ତିଥିରେ ଖାଉଛନ୍ତି । ମହିମା ଧର୍ମାବଲମ୍ବୀମାନେ ଶ୍ରାବଣ ପୂର୍ଣ୍ଣିମାରେ ଓ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ପଥର୍ଲା, ବାହାଦୂରପଦର ଓ ପାଲକାପଡ଼ା ଗ୍ରାମବାସୀ ଭାଦ୍ର ଶୁକ୍ଳ ପ୍ରତିପଦା ତିଥିରେ ନୂଆ ଖାଇଥାନ୍ତି।

ସେହିପରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଲାଞ୍ଜିଗଡ଼, ଜୟପାଟଣା ଆଦି ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ ନୂଆ ଖିଆଯାଇଥାଏ । ଗ୍ରାମୀଣ ଲୋକେ ନିଜ ହିସାବରେ ନୂଆ ଖାଉଥିବାବେଳେ ସହରୀ ଲୋକେ ଆଜିକାଲି ସ୍ଥାନୀୟ ଦେବୀପୀଠରେ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ନୂଆ ଖାଉଥିବା ଦେଖିବାକୁ ମିଳୁଛି ।

ନୂଆଖାଇ ବାସି:

ନୂଆଖାଇ ପରଦିନକୁ ବାସି ଭାବେ ପାଳନ କରାଯାଏ । ଏହା ହେଉଛି ମଉଜ ମଜଲିସର ଦିନ । ଏହି ଦିନ ନୂଆ ଧାନ ଆସିବା ଖୁସିରେ ସମସ୍ତେ ମସଗୁଲ ହୋଇଯାଆନ୍ତି । ଘରେ ଘରେ ମାଂସ ରନ୍ଧାଯାଇ ସମସ୍ତେ ଖୁସି ମନରେ ଖାଇଥାନ୍ତି । ନୂଆଖାଇର ସପ୍ତାହେ ମଧ୍ୟରେ ଗୃହକର୍ତ୍ତା କିମ୍ବା ପରିବାରର ସଦସ୍ୟମାନେ ଝିଅଜ୍ୱାଇଁ, ବନ୍ଧୁବାନ୍ଧବ ଘରକୁ ବୁଲିଯିବାର ମଧ୍ୟ ପରମ୍ପରା ରହିଛି ।

ଜିଇଁ ଜାଗିଥିଲେ ବର୍ଷେ:

ନୁଆଖାଇ ଅବସରରେ କଳାହାଣ୍ଡିର ସୁନୀଲ ଧାଙ୍ଗଡାମାଝୀଙ୍କ ପରିବାର

କେଉଁଏକ ଆବାହମାନ କାଳରୁ ଚଳିଆସିଥିବା ନୂଆଖାଇ ପାର୍ବଣ ମାଧ୍ୟମରେ ସମାଜରେ ଏକ ସୁସ୍ଥ ବାତାବରଣ ତିଆରି ହୋଇଥାଏ । ପାରିବାରିକ ଓ ସାମାଜିକ ବନ୍ଧନ ଦୃଢ଼ କରିବାରେ ଏହି ପାର୍ବଣ ମୁଖ୍ୟ ଭୂମିକା ଦିର୍ବାହ କରିଥାଏ । ନିଜନିଜ ମଧ୍ୟରେ ଥିବା ମନୋମାଳିନ୍ୟ, ରାଗରୁଷା, ମାନ ଅଭିମାନ, ଏହି ପର୍ବ ଦିନ ପାଣି ଫୋଟକା ପରି ମିଳାଇଯାଏ । ନୂଆଖାଇର ଶୁଭ ଅବସରରେ ଏହି ମହାନ ପାର୍ବଣ ପରମ୍ପରାର ସୃଷ୍ଟି କରିଥିବା ଆଦିମ ସମାଜ ଉପରେ ସମସ୍ତଙ୍କ ମଥା ଆପେଆପେ ନଇଁଯାଇଥାଏ । ପୁଣି ଏପରି ଖୁସି ପାଇବା ପାଇଁ ଲୋକେ ବର୍ଷଟିଏ ଅପେକ୍ଷା କରିଥାନ୍ତି । ସେଥିପାଇଁ କଥାରେ ଅଛି ‘ଜିଇଁ ଜାଗିଥିଲେ ବର୍ଷେ, ନୂଆ ଖାଏମା ଗର୍ସେ’ ।

ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ ଓଡ଼ିଆ ବାର୍ତ୍ତା


Share it

Leave a comment

Your email address will not be published. Required fields are marked *

Verified by MonsterInsights