ମଶାଣି : ଏଥିରେ ଗପ କାହିଁ ଯେ !

Share it

23rd July 2024

ମଶାଣି
କୁମାର ସୁବ୍ରତ ରଥ

ମଣିଷର ଜୀବନଟା ଏକ ମିଛ ମାୟା ଭରା ସଂସାର ମଧ୍ୟରେ ଗଢ଼ି ଉଠିଥାଏ। ଭୋଗ ବିଳାସର ବସ୍ତୁ ସବୁକୁ ପାଇବା ପାଇଁ ଆମେ ଦିନ ରାତି ଏକ କରିଦେଉ। ଆମ ଭିତରୁ କିଛି ଲୋକ ଏ ସବୁକୁ ପାଇବା ପାଇଁ କୁକର୍ମର ପଥ ବାଛି ନିଅନ୍ତି। ଆମେ ସମସ୍ତେ ପ୍ରାୟ ଅନେକ ସମୟରେ ନିଜର ସ୍ବାର୍ଥ ସିଦ୍ଧି ପାଇଁ ଭୁଲ୍ ରାସ୍ତା ଧରି ଥାଉ ଆଉ ଛୋଟ ପାପ କରି ଥାଉ। ହେଲେ ପାପ ତ ପାପ, ଏଥିରେ ଛୋଟ ଆଉ ବଡ଼ କଣ?

ଆପଣ ସହରରେ ରହନ୍ତି କି ଗାଁରେ? କଣ ବା ଫରକ୍ ପଡ଼ିବ କେହି ସହରରେ ରହୁ ବା ଗାଁରେ। ସମସ୍ତଙ୍କୁ ଦିନେ ନା ଦିନେ ମଶାଣିକୁ ଯିବାକୁ ହେବ। ସେତେବେଳେ ଆମେ ନିଜେ ଯିବାକୁ ଅସମର୍ଥ ଥିବା ଆଉ ଆମକୁ ଚାରିଜଣ ଲୋକ ଉଠେଇକି ନେବେ। ତେବେ ଚାଲନ୍ତୁ ନା ଥରେ ନିଜ ସାମର୍ଥ୍ୟରେ ମଶାଣି ଯାଇକି ବୁଲି ଆସିବା। ଶୁଣିଛି ଏଠି ମଣିଷର ବଡ଼ ବଡ଼ ସ୍ବପ୍ନ ସବୁ ନିଆଁରେ ଜଳିକି ଛାରଖାର ହେଇ ଯାଇଛି ଆଉ ଶେଷରେ ମାଟିରେ ମିଶି ଯାଇଛି।

ଆପଣ ଗୋଟେ ଦିନ ପାଇଁ ଭୁଲି ଯାଆନ୍ତୁ କି ଆପଣଙ୍କ ପାଖରେ କେତେ ଘରଦ୍ବାର, ବ୍ୟାଙ୍କରେ ଜମା ଟଙ୍କା, ଗାଡ଼ି, ଗହଣା ଆଉ ମହଙ୍ଗା ଜିନିଷ ସବୁ ଅଛି। ସିଧା ଯାଆନ୍ତୁ ମଶାଣି ଆଉ ଗୋଟେ କୋଣରେ ବସିକି ସେଠି ହେଉଥିବା ତାମସା ସବୁକୁ ଦେଖନ୍ତୁ। ମୁଁ ଆପଣଙ୍କୁ କଥା ଦେଉଛି ସେଠି ଆପଣ କେବଳ ଜୀବନର ସତ୍ୟତାକୁ ହିଁ ଦେଖିବେ। ବାହାର ଦୁନିଆଁ, ଯାହା ଆମ ପାଇଁ ବାସ୍ତବିକ ଅଟେ, ତାକୁ ଘୃଣା କରିବାକୁ ଲାଗିବେ।

ଆପଣ ଦେଖିବେ ଯୋଉ ଲୋକ ନିଜର ସ୍ବପ୍ନକୁ ପୁରା କରିବା ପାଇଁ ଅନେକ କିଛି ତ୍ୟାଗ କରିଛି, ସେ ସେଠି ନିର୍ଜୀବ ଅବସ୍ଥାରେ ତଳେ ପଡ଼ି ରହିଛି। ଯାହା ପାଖରେ ଅନ୍ୟ ମାନଙ୍କ ପାଇଁ ସମୟ ନ ଥିଲା, କେମିତି ତାକୁ ଅର୍ଦ୍ଧଜଳା ଅବସ୍ଥାରେ ଛାଡ଼ି କି ସମସ୍ତେ ଫେରି ଯାଇଛନ୍ତି। ଆଉ ଯୋଉ ଲୋକ ନିଜର ଅହଙ୍କାର ପାଇଁ କାହାରି ଆଗରେ କେବେ ଝୁଙ୍କିନି, କେମିତି ସେ ତଳେ ପଡ଼ିରହିଛି ଆଉ ବିନା ଚାରି ଜଣରେ ତାକୁ ଉଠେଇବା ମଧ୍ୟ ଅସମ୍ଭବ। ଆଉ ଯିଏ ନିଜର ସୁନ୍ଦରତା ପାଇଁ ଅଭିମାନ କରୁଥିଲା, ତାହାର ସେଇ ସୁନ୍ଦର ଚେହେରାଟା ଏଠି ଜଳିକି ପାଉଁଶ ହେଇ ଯାଇଛି। ଯିଏ ନିଜର ଧନ ସମ୍ପତ୍ତି ପାଇଁ ଗର୍ବରେ ତଳକୁ ଚାହୁଁ ନ ଥିଲା, ତାହାର ସବୁ ଧନ ସଂପତ୍ତି ଏଇଠି ରହିଗଲା ଆଉ ସେ ଜଳି କି ପାଉଁଶ ରେ ପରିବର୍ତ୍ତିତ ହେଇ ଯାଇଛି। ଯିଏ ଜୀବନ ସାରା ଅନ୍ୟକୁ ଦୁଃଖ କଷ୍ଟ ଦେଲା, ତାହାର ଜଳୁଥିବା ହାଡ଼ ସବୁ ଫୁଟି ଫୁଟି ଆର୍ତ୍ତନାଦ କରୁଥିବେ। ଯିଏ ଜୀବନ ସାରା, ତାକୁ ହିଁ ଭଲ ପାଉଥିବା ଲୋକ ମାନଙ୍କୁ ତିରସ୍କାର କଲା, ଦେଖିବେ ତା ଚିତା ଜଳୁଥିବ କିନ୍ତୁ ପାଖରେ ବସିବା ପାଇଁ କେହି ନ ଥିବେ।

ଆପଣ କଣ ଦେଖିଲେ? ଏଠି ଯାହା ଦେଖିବେ ତାହା କେବଳ ସତ ଆଉ ବାହାରେ ସବୁ ମିଛ। ଆଜି ଆପଣ ହାତରେ ପିନ୍ଧିଥିବା ଘଡ଼ିରେ, ସମୟର ପ୍ରକୃତ ମୂଲ୍ୟକୁ ଜାଣି ପାରୁଥିବେ।

ମୋର ଆପଣ ମାନଙ୍କୁ ଏକମାତ୍ର ଅନୁରୋଧ, କେଭେ ବି କାହାକୁ ଦୁଃଖ ଦିଅନ୍ତୁ ନାହିଁ, ହେବ ଯଦି ଯଥା ସାଧ୍ୟ ସାହାଯ୍ୟ କରନ୍ତୁ। ଏ କଥା ସତ କି ଆମେ ସମସ୍ତଙ୍କୁ ଖୁସି ଦେଇ ପାରିବାନି। କିନ୍ତୁ କିଛି ଲୋକଙ୍କ ଓଠରେ ହସ ଫୁଟେଇ ପାରିଲେ ଏ ଜୀବନଟା ନିଶ୍ଚିତ ରୂପେ ସାର୍ଥକ ହୋଇଯିବ।

ଦିନେ ନା ଦିନେ ଆମର ଏ ଶରୀରଟା ନିଶ୍ଚଳ ହେଇଯିବ। ଆମର କର୍ମ ହିଁ ନିର୍ଧାରଣ କରିବ କି ଆମର ଆତ୍ମା, ଶ୍ରୀ ମହାପ୍ରଭୁଙ୍କ ଶ୍ରୀଚରଣରେ ସ୍ଥାନ ପାଇବ କି ନାହିଁ। ତେଣୁ ଜୀବନର ସତ୍ୟତାକୁ ଦେଖନ୍ତୁ ଆଉ ଅନୁଭବ କରନ୍ତୁ। ଅତ୍ୟଧିକ ଧନ ପ୍ରାପ୍ତିର ଦୌଡ଼ରୁ ଫେରି ଆସନ୍ତୁ। ଅତ୍ୟନ୍ତ ଥରୁଟିଏ ମଶାଣିକୁ ଯାଇ ବୁଲି ଆସନ୍ତୁ। ସେଠି ଜଳୁଥିବା ହାଡ଼ର ଚିତ୍କାର ଆପଣଙ୍କର ଜୀବନରେ ଏତେ ନିରବତା ଭରିଦେବ କି ଆପଣଙ୍କୁ ଆଉ ଏ ମିଛ ମାୟା ଭରା ସଂସାରକୁ ଫେରିବାକୁ ଇଚ୍ଛା ହେବନି। ଏହା ହିଁ ତ ମଣିଷ ଜୀବନର ବାସ୍ତବ ଚିତ୍ର – ଏଥିରେ ଗପ କାହିଁ ଯେ !

*************************

କୁମାର ସୁବ୍ରତ ରଥ
ଶାନ୍ତିନଗର, ବିଳାସପୁର, ଛତିଶଗଡ।
୨୩.୦୭.୨୦୨୪


Share it

Leave a comment

Your email address will not be published. Required fields are marked *

Verified by MonsterInsights