ମମତା ଅପାର ମିଛି ମିଛିକା ବାହାଘର

Share it

7th August 2024
ମିଛି ମିଛିକା ବାହାଘର
– ଗଗନବିହାରୀ ନାୟକ

ସହରରୁ ଗାଆଁ ଯାଏଁ….
ବିଜୁଳି ବେଗରେ କଥାଟା ଏକ ଘଣ୍ଟାରେ ସବୁ ଆଡେ ପ୍ରସାରିତ ହେଇଗଲା । ତୁଣ୍ଡ ବାଇଦ ଠାରୁ ଆଜିର ସାମାଜିକ ଗଣମାଧ୍ୟମର ଏଇ ପ୍ରଚାର ମାଧ୍ୟମ ବାସ୍ତବରେ ପ୍ରସାରଣ କ୍ଷମତାରେ ସବୁଠାରୁ ଆଗରେ । ମମତା ଅପା ବାହାଘର ନେଇ ଅନେକ ଚର୍ଚ୍ଚା । ସମସ୍ତେ ମମତା ଅପାଙ୍କୁ ଦୋଷ ଦେଇ ଚାଲିଥାନ୍ତି । ମମତା ଅପା ଭଳି ଲୋକ ଏଭଳି କାମ କରିବ କେବେ ବିଶ୍ଵାସ ହେଉନି ବୋଲି ସମସ୍ତେ କହି ଚାଲିଥାନ୍ତି। କେହି କେହି କଟୁ ମନ୍ତବ୍ୟ ଦେଇ କହି ଥାନ୍ତି ତ କେହି ଆଡେଇ ଯାଇ କହନ୍ତି- କଣ କରିବ ବିଚାରୀ । ଯାହା କରିଛି ଭୁଲ ତ କରି ନାହିଁ । ସାମ୍ବିଧାନିକ ନିୟମକୁ ଆଖି ଆଗରେ ରଖି ଯାହା କରିଛି ଠିକ କରି ସମାଜର ଆଖି ଖୋଲି ଦେଇଛି । ଆଉ କେତେକେ କହୁଥାନ୍ତି- ମୋବାଇଲ କଥା କଣ ସତ । କେତେ କଥା ମିଛ ବାହାରୁଛି ।

ମମତା ଭଳି ଲୋକ ଏ ଗାଁ’ର ଆଦର୍ଶ ବୋହୁଟିଏ । ସେତେବେଳେ ବିଏ ପାଶ କରିଥିବା ଆମ ଗାଁର ପ୍ରଥମ ମହିଳା । ଗାଁ’ର ସେ ଆଦର୍ଶ ଦୀପ ଟିଏ । ତା’ ପାଇଁ ଏ ଗାଁ’ର ସ୍ଵତନ୍ତ୍ର ପରିଚୟ । ତାଙ୍କ ସ୍ଵାମୀ ତାଙ୍କ ଠାରୁ ଆହୁରି ଭଲ । ପୁଅ ଝିଅ ଦି’ଟାକୁ ମଣିଷ କରିବାକୁ ସେ ଯେଉଁ ପରିଶ୍ରମ କରିଛନ୍ତି ଯିଏ ଦେଖିଛି ସିଏ କହିବ । ପୁଅ-ଝିଅ ଦି’ ଟା ଆଜି ତାଙ୍କ ଯୋଗୁ ବଡ ମଣିଷ । ଚଉଦ-ଖଣ୍ଡ ଗାଁ ରେ ନାଁ’ ପଡୁଛି ଯିଏ କହୁଛି- ଦିବାକର ବାବୁଙ୍କ ପୁଅ-ଝିଅଙ୍କ କଥା । ମମତା ଅପା ଜୀବନ ସାରା ତାଙ୍କ ସେବାରେ କାଟି ଦେଇଛି ।

ଶେଷରେ ଦିବାକର ବାବୁ ମମତା ଅପାଙ୍କୁ ଛାଡି କେଉଁ ଆଡେ ଚାଲି ଗଲେ ଯେ, ଆଉ ତାଙ୍କ ପତ୍ତା ମିଳିଲା ନାହିଁ ।

କିଏ କେତେ କଥା କହନ୍ତି । କିଏ କହେ- ପୁଅ ଝିଅ ଦି’ଟା ବିଦେଶରେ ରହିବା ଦିନଠାରୁ କୁଆଡେ ସ୍ଵାମୀ ସ୍ତ୍ରୀ ରେ ଝଗଡା ହୁଏ । ଆଉ ଦିବାକର ଭାଇ କିଛି କାହାକୁ କହିବା ଲୋକ ନୁହନ୍ତି । ସେ ଥିବା ବେଳେ ମମତା ଅପା ଦିନା କେତେ ସରପଞ୍ଚ ହେଇଛନ୍ତି । ସେତେବେଳ କାଇଁ ଏ ସବୁ ତାଙ୍କର ପ୍ରକୃତି ନ ଥିଲା ଆଜି ସେ ଏମିତି ଲୋକ ଏ ଭଳି ଲଜ୍ଜିତ କାମ କରିଥିବେ କାହିଁକି ବିଶ୍ଵାସ ହେଉନି ।

ଶୀତ ସକାଳର ସୁନେଲି ଖରା । ଭିଜା ଶିଶିରର ଘାସ ଉପରେ ଲାଳିମା ଆଭାରେ ମୁକ୍ତାର ସଂଭାର । ଅଦୁରର କିଆ ଫୁଲର ଭୂରି ଭୂରି ବାତ୍ସ୍ନାରେ ଦିଗ ବିଦିଗ ଚହଟି ଉଠୁଛି । ଶୀତ ସକାଳର ଖରା ବହୁତ ଆନନ୍ଦ ଦାୟକ । ଶୀତୁଆ ଦେହକୁ ଖରାରେ ସେକି ହେଲା ସମୟରେ ଖବର କାଗଜ ଖଣ୍ଡେ ଧରି ହସି ହସି ଗୋବର୍ଦ୍ଧନ କହିଲା – ଆମ ଗାଁ ଖବର ବଡ ଜବର ହେଇ ବାହାରିଛି । ଦେଖ ଆମ ମମତା ଅପା ଏଇ ପରିଣତ ବୟସରେ ବାହା ହେଇଗଲେ । ଅପା ବୟସ ଛ’ଷଠି ବର ବୟସ ଛ’ଷଠି। ସମସାମୟିକ-ଦୁହେଁ । ରୂପ ରଙ୍ଗ ସବୁ ଠିକ ଅଛି । ଖାଲି ଟିକେ ଦିନ କେଇଟା ଆଗ ପଛ । ଆଉ ସବୁ ମେଳକ ଠିକ ଅଛି ।

ତାପରେ ଦୂରଦର୍ଶନ ର ପ୍ରସାରଣ ଆରମ୍ଭ ହେଇଗଲା । କେତେ ଏହାକୁ ପସନ୍ଦ କରୁଥିଲେ ହେଁ କେତେକେ ନାପସନ୍ଦ । କେତେକ ଧର୍ମ ବିରୋଧ କଥା କହୁଥିଲେ ହେଁ କେତେକ ସାମ୍ବିଧାନିକ ସ୍ଵୀକୃତି କହି ନୀରବ ସମର୍ଥନ କରୁଥିଲେ । ଆଉ କେତେକ ପରକୀୟାପ୍ରୀତିର ଉଦାହରଣ ଦେଇ ହସି ହସି କହୁଥିଲେ ବାହା ହେବାର ବୟସ କଣ ଏଇଟା । ସ୍ଵାମୀ ଛାଡିକି ଚାଲିଗଲେ ବୋଲି କଣ ନାତୀ-ନାତୁଣୀ ଦେଖିବା ବୟସରେ ବାହା ହୋଇ ନୂଆ ସଂସାର କରିବା? ସଧବା ନାରୀର ସଂସ୍କାର-ସଂସ୍କୃତି କିଛି ନାହିଁ । ଏମାନଙ୍କ ପୁଅ ଝିଅ ସାମାଜରେ ଖୁବ ପ୍ରତିଷ୍ଠିତ । ଏକଥାକୁ ସରକାର ସ୍ଵୀକୃତି ଦେଲେ କେମିତି ? ମମତା ଅପାଙ୍କ ଏ ଭଳି କାମ ଠିକ ହେଲାନାହିଁ ।

ମମତା ଅପାଙ୍କ ଯେତେ ସଂସ୍କାର ଓ ସକାରାତ୍ମକ କାମ ସବୁ କୁସଂସ୍କାର ଓ ନକାରାତ୍ମକ ରୂପ ଦେବାରେ ଲାଗି ଥାନ୍ତି କେତେଜଣ । ହଜାରେ ଠିକ ଥିଲେ ବି ଯେମିତି ତାଙ୍କର ଏଇ ଗୋଟିଏ ଭୁଲ ଜୀବନକୁ କଳଙ୍କିତ କରି ଦୋଷୀ ସଜେଇଦେଲା ସମାଜ ଆଗରେ । ସବୁ ସତ୍ୟ ଭିତରେ ଗୋଟିଏ ଅସତ୍ୟ ତାଙ୍କ ଆଦର୍ଶକୁ ନଷ୍ଟ କରିଦେଲା ଯେମିତି । ଗଣମାଧାୟମ ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଗଲେ ମମତା ଅପା….।

ମମତା ଅପା….। ମମତାର ନିର୍ଝରିଣୀଟିଏ । ବାତ୍ସଲ୍ୟମୟୀ ସେ ଦୁଇ ଦୁଇଟି ପିଲାର ଜନନୀ । ସୁଗୃହିଣୀ । ସମୟ ସାଥିରେ ଯୁଝି ଯୁଝି ଥକି ନ ପଡିଥିବା ଅହଲ୍ୟା ବାଈ ସେ । ପ୍ରତିଟି ଜୀବନ ଦର୍ଶନେ ଆଦର୍ଶର ନିଦର୍ଶନୀ-ମମତା ଅପା। ଦିବାକର ବାବୁ ନିଖୋଜ ପରେ ସମସ୍ତ ସଂସାର ବୋଝକୁ ମଥାରେ ମୁଣ୍ଡେଇ ନିସଙ୍ଗ ପଥଚାରିଣୀ ହୋଇ ଚାଲି ଚାଲି ଥକି ପଡି ନାହାନ୍ତି ସେ । ଝିଅକୁ ମେଡିକାଲ ରିସର୍ଚ ପାଇଁ ସୁଦୂର ମେରିଲାଣ୍ଡକୁ ପଠେଇବା ବେଳକୁ ସବୁ ଆଲୁଅ ତାଙ୍କ ଆଖିରୁ ଲିଭିଗଲା । ସ୍ଵାମୀଙ୍କ ହଠାତ ଆବସ୍କଣ୍ଡିଙ୍ଗକୁ ଭ୍ରୂକ୍ଷେପ ନ କରି ସେ ଝିଅର ଉଚ୍ଚ-ଶିକ୍ଷା ପାଇଁ ବ୍ୟାଙ୍କରୁ ଋଣ ଆଣି ପାଠ ପଢେଇବା ଓ ପରେ ପରେ ପୁଅର ଶିକ୍ଷା ସମାପ୍ତି ପରେ ସେ ବାଙ୍ଗାଲୋରରୁ ସଫ୍ଟଓୟାର ଇଞ୍ଜିନିୟର ଭାବେ ପାସ କରି, କମ୍ପାନୀର ସମସ୍ତ ଖର୍ଚ୍ଚରେ ସୁଦୂର ଲଣ୍ଡନରେ ଚାକିରୀଟିଏ ମିଳି ଯାଇଥିଲା । ଖୁସିରେ ଅଧୀରା ମମତା ଅପା କେତେକଣ ମାନସିକ କରି ବସିଥିଲେ । ତାଙ୍କ ଖୁସି କହିଲେ ନ ସରେ । ସବୁ ଦୁଃଖକୁ ସେ ଯେମିତି ଭୁଲି ଯାଇ କେବଳ ସୁଖକୁ ଆମନ୍ତ୍ରଣ କରୁଥିଲେ । କିନ୍ତୁ ପୁଅ ତାଙ୍କ ଠାରୁ ଦୂରରେ ରହିବା କଥା ଶୁଣି ମମତା ଅପା ମନ ଝାଉଁଳି ପଡିଥିଲା ଅବଶ୍ୟ। ତଥାପି ଯିବାକୁ ତ ହେବ ଏତେ ଦିନର ତପସ୍ୟାର ଫଳ କଣ କେବେ ହାତ ଛଡା କରି ହେବ। ଏତେ ଦିନର ସ୍ଵପ୍ନ ସାକାର ହେବାକୁ ଯାଉଛି । ସେ କେମିତି ହାତ ଛଡା କରିଥାନ୍ତେ ଭଲା । ପୁଅ ପାଇଁ ସବୁ ବନ୍ଦୋବସ୍ତ ହେଇ ସାରିଛି । ଅଭାବ ସମୟରେ ସେ ଦୁଃଖ ସହିତ ଯୁଝି ଯୁଝି ପିଲାଙ୍କୁ ମଣିଷ କରିଛନ୍ତି । ଏଣିକି ବେଶ ସଫଳତାର ପାହାଚର ଶୀର୍ଷରେ ପୁଅ । ଝିଅର ରିସର୍ଚ୍ଚ ପାଇଁ ସବୁ ଖର୍ଚ୍ଚ ସେ ବହନ କରିବେ। ଦୁଇ ଜଣ ବିଦେଶ ଚାଲି ଗଲା ପରେ ଭାରତରେ ଏକାକିନୀ ରହିଯିବେ ମମତା ଅପା ।

ଦୁଇ ପିଲାଙ୍କୁ ଡାକିଲେ-ମମତା ଅପା । ଛୁଆ ଦୁଇଜଣ ଘରୁ ଗଲା ପରେ ଏକ ଏକା ବଞ୍ଚିବା ଜୀବନ ଯେ କେତେ କଷ୍ଟ ଦାୟକ । ସେ କଥା ଶୁଣି ପୁଅ-ଝିଅ ଭାଙ୍ଗି ପଡିଥିଲେ ତଥାପି ମମତା ଅପା ସେଦୁଇ ଜଣଙ୍କ ମନୋବଳ ବଢେଇ କହିଥିଲେ ମୋର କିଛି ଅସୁବିଧା ହେବନି । ଗାଁ ସାରା ଲୋକେ ପରା ମୋର । ତୁମେ ଦିଟା ଭଲରେ ବିଦେଶ ଜାଗାରେ ଭଲରେ ରହିଲେ ମୋର ସବୁ ଭଲ। ଏ କଥା କହିବାରୁ ପୁଅ ପ୍ରତିଶ୍ରୁତ୍ତି ଦେଲା ପ୍ରତି ମାସରେ ତାଙ୍କ ଭରଣ ପୋଷଣ ପାଇଁ ମାସିକ ଦଶ ହଜାର ଟଙ୍କା ପଠେଇ ଦେବେ । ଝିଅ କହିଲା ମୁଁ ମୋ ବିଦେଶ ପାଠ ପଢା ଖର୍ଚ୍ଚ ପରେ ଯାହା ବଳିବ ତାହା ପଠେଇ ଦେବି । ତାପରେ ଦିନ କେଇଟାରେ ବଦଳିଗଲା ଜୀବନର ଧାରା । ପୁଅ ଝିଅ ଦି’ଟା ବିଦେଶ ଅଭିମୁଖେ ଯାତ୍ରା କଲେ । ଏକା ରହିଗଲେ ମମତା ଅପା।

ଧୂମାୟିତ ଆକାଶର ବଉଦ ଭିତରେ ବ୍ୟୋମୋଜାନ ଟିଏ ଦେଖିଲେ ଖୁସି ହୋଇ ଭାବନ୍ତି ମୋ ପୁଅ ଏଇ ଆକାଶର ଦିଗନ୍ତ ଛୁଇଁ ଆଜି ଆମେରିକାର ଶିକାଗୋ ସହରରୁ ଫେରି ଆସୁଛି । ଝିଅ ଗଲାଯେ, ଟିକେ ଫୋନ କରିବାକୁ ସମୟ ମିଳୁ ନାହିଁ । ଭାରତର ବନ ଲତା ପାହଡର ସ୍ଵର କଣ ତା କାନରେ ବାଜୁନି ମୋ ମମତାର ଡୋର ତାକୁ ଟାଣି ଆଣି ପାରୁନି । କେବେ ଆସିବେ ସେ । ମୋ ହାତର କୋମଳ ସ୍ପର୍ଶର ଶିହରଣ, ହାତ ତିଆରି ଖାଦ୍ୟ ପଦାର୍ଥ ଛାଡି, ଏତେଦିନ ରହି ପାରିଲେ କେମିତି । ଥରେ ଆସନ୍ତେ ନାହିଁ ମୋ ନୟନ ପିତୁଳା ଗଣ୍ଠି ଶଙ୍ଖାଳି । କେବେ ଆସିବେ ସେ ।

ବିତି ଗଲା ମାସ ବର୍ଷ….ତଥାପି ଶରୀପୁତ୍ତ ପାଇଁ ଶାରୀଶ୍ରୀ ଭଳି ଚାହିଁ ଚାହିଁ ସମୟ ସାରିବାରେ ଲାଗିଛନ୍ତି- ମମତା ଅପା । ପିଲା ଦି’ଟାର ପ୍ରତିଶ୍ରୁତି ପାଣିର ଗାର । ଦୀର୍ଘ ଦେଢ ବର୍ଷର ପ୍ରତୀକ୍ଷା । କେତେ ପର ଦୂଆରେ ଯାଇ କାମ କରିବ । ବାପଘର ମା-ବାପ ବଞ୍ଚିଥିଲା ପର୍ଯ୍ୟନ୍ତ ଦେଖି ଆସିଲେ ସେ ମରିଗଲା ପରେ ସବୁ ସରି ଗଲା । ଭାଇ ଭାଉଜ ସବୁ ପର ହେଇଗଲେ, ହେବା କଥା କାରଣ ସେମାନଙ୍କ ସଂସାର ଅଛି । ଭଉଣୀକୁ କିଏ କଣ ଜୀବନ ସାରା ଦେଖି ଆସୁଥିବେ । ଏମିତି ଅନେକ ଅଡୁଆ ତଡୁଆ କଥା ଭାବି ସମୟ ବିତେ ମମତା ଅପାର ।

ଏଣିକି ସେ ଆଉ ପାରୁନାହାନ୍ତି, ବୃଦ୍ଧାଶ୍ରମ ପାଇଁ ଦରଖାସ୍ତ ଲେଖିକି ଦେଇଛନ୍ତି । ସେଇଠି ରହି ବାକି ସମୟ ସାରି ଦେବାକୁ ଭାବିଛନ୍ତି ସେ । ଏତିକି ବେଳକୁ ଧଳା ରଙ୍ଗ କାରଟିଏ ଆସିବା ଦେଖି ଖୁସିରେ ଅଧୀରା ମମତା ଅପା ନାଚି ଉଠିଲେ, ଭାବିଲେ ବୋଧେ ପୁଅ କି ଝିଅ କେହି ଜଣେ ଆଜି ଆସୁଛନ୍ତି । ଗାଡ଼ିଟି ଆସି ମମତାଙ୍କ ଝାଟି ମାଟି ଘର ସାମନାରେ ଠିଆ ହୋଇଗଲା । ସେ ଗାଡିରେ ଆସିଥିବା ଦୁଇଜଣ ଭଦ୍ର ବ୍ୟକ୍ତି ପଚାରିଲେ –ମମତା ବାଳାଙ୍କ ଘର କେଉଁଠି । ମମତା ନିଜେ ସେ ବୋଲି ପରିଚୟ ଦେଇ ଠିଆ ହେଲେ ।

ସେ ଭଦ୍ର ବ୍ୟକ୍ତି କହିଲେ –ଆପଣଙ୍କ ପାଇଁ ଆଶ୍ରିତ ବୃଦ୍ଧ।ଶ୍ରମରୁ ଡକରା ଆସିଛି ଆପଣ ଘଣ୍ଟାଏ ଭିତରେ ବାହାରନ୍ତୁ । ମମତାଙ୍କ ମୁଣ୍ଡରେ ଯେମିତି ଚଡକ ପଡିଲା । ବଞ୍ଚିବାକୁ ସିନା ବୃଦ୍ଧାଶ୍ରମକୁ ବାଛିନେଲେ ହେଲେ, ଏଇ ଘର ଯେଉଁଠି ରହିଛି
ଅତୀତର ପାଦ ଚିହ୍ନ । ତା ପାଦ ଉପରେ ପୁଅ-ଝିଅ ଦିଟାର କୁନି କୁନି ପାଦ ଦି’ଟା ରଖି ସକାଳୁଆ ଶୀତ ଦିନେ ଚଳା ଶିଖେଇବା କଥା ମନେ ପକେଇ ଆଖି ଦିଟା ଲୁହରେ ଜକେଇ ଆସେ । ପିଲା ଦିଟାର ଅଝଟିଆ ମନକୁ ବୁଝେଇବାକୁ କେତେ ମିଛ କଥା କହିବାକୁ ପଡେ। ସବୁ ଅଝଟକୁ ପୁର। କରିବାର ସେ ଯେମିତି ମୂର୍ତ୍ତିମନ୍ତ ପ୍ରତୀକ ହୋଇ ଠିଆ ହେଇ ଯାଆନ୍ତି । ପୁରା ବି କରିଥାନ୍ତି ସବୁ ଅଳି ଅର୍ଦଳି । ଦିବାକର ବାବୁଙ୍କ ଖୋଲା ଛାତିରେ ବିତିଛି ଅନେକ ସ୍ଵପ୍ନିଳ ରାତି । ବୁଝିଛନ୍ତି ପିଲା ଦି’ଟାଙ୍କ ପ୍ରଶ୍ନିଳ ଆଖିର କଥା । ହେଲେ ଏ ସବୁ ରହିଯିବ ଏଇଠି ଯେମିତି । ବୃଦ୍ଧାଶ୍ରମର ଆଶ୍ରିତ ଜୀବନ କାଟିବାକୁ ହେବ ଏଣିକି ।

ତଥାପି ଯିବାକୁ ହେବ….ଏଠି ରହିଲେ ଖାଇବେ କଣ? ତରବର ହୋଇ ସାଥିରେ ନେଇଯିବା ଜିନିଷ ସାଇତି ବାରେ ଲାଗିଲେ ମମତା ଅପା । ଅଳନ୍ଦୁ ଲଗା ଫୋଟୋ ଟିଏ….ଯେଉଁ ଫୋଟୋ ରେ ସେ ଓ ସ୍ଵାମୀ ସହିତ ହସୁଥିବା ପିଲା ଦୁଇଟି । ତାକୁ ଥରେ ଛାତିରେ ଲଗେଇ ନେଲେ ସେ । ଆଃ କି ଆନଦ ସମୟ ର ଏଇ ସ୍ମୃତି ବିଜଡିତ ଫୋଟ । କେତେ ସ୍ଵପ୍ନ ଭରା ଦିନର ପରିକଳ୍ପନାକୁ ଭାଙ୍ଗି ଚୁରମାର କରି ସ୍ଵାମୀ ଘର ଛାଡି ଚାଲିଗଲା ପରେ । ଏବେ ତାଙ୍କ ପାଳି । ଗଣ୍ଠିଲି ଟିଏ ଧରି ଅପେକ୍ଷା କରିଥିବା ଗାଡିରେ ବସିଲେ ମମତା ଅପା ।

କଳା ମଚ ମଚ ପିଚୁ ରାସ୍ତା ପାର ହେଇ ଆଶ୍ରମରେ ପାଦ ଦେଲେ ମମତା ଅପା । ରହିବାକୁ ଘରଟିଏ ମିଳିଗଲା । ନିୟମ କହିଦିଆ ଗଲା। ମମତା ଅପା ଭାବିଲେ ଦୁନିଆଁରେ ଏତେ ଭଲ ପାଇବା ଅଛି ସତରେ। ସୁଖ ଦୁଃଖ ବାଣ୍ଟିବାକୁ ତାଙ୍କ ଭଳି ଅନେକ ଦୁଃଖି ଭଉଣୀ ମିଳନ୍ତି । ସମସ୍ତେ ଅନୁଭବ କରନ୍ତି, ଯେମିତି ସେମାନେ ଗଢିଥିବା ମୂର୍ତ୍ତି ଗୁଡାକୁ ରଙ୍ଗ ଦେଲା ପରେ ସେସବୁ ଏମିତି ବିବର୍ଣ୍ଣ ହେଇଗଲେଯେ, ତାଙ୍କୁ ଚିହ୍ନିବା କଷ୍ଟକର ହେଇ ପଡିଲା ।

ଏଇ କେଇ ଦିନ ରହଣି ଭିତରେ ପାଖରେ ଥିବା ପ୍ରଫେସର ପ୍ରଭାକର ବାବୁଙ୍କ ସହିତ ପରିଚୟ ହୁଏ ମମତା ଅପାଙ୍କର । ପ୍ରଭାକର ବାବୁ, ଜଣେ ପ୍ରାକ୍ତନ ଶିକ୍ଷାବିତ୍ତ । ଅନେକ ଦିନ ପୂର୍ବରୁ ସ୍ତ୍ରୀ ସାବିତ୍ରୀ ତାଙ୍କୁ ପର କରି ଚାଲି ଯାଇଛନ୍ତି । ପୁଅକୁ ମଣିଷ କରିବାର ଦୃଢ ପ୍ରତିଶ୍ରୁତି ଦେଇ ସେ ତାଙ୍କ ଦାୟିତ୍ଵ ସୂଚାରୁ ରୂପେ ତୁଲେଇଛନ୍ତି । ଭାବିଥିଲେ, ରିଟାୟାର୍ଡ ପରେ ପୁଅ ବୋହୁ ନାତି ନାତୁଣୀ ସହିତ ବଳକା ଜୀବନ ସୁଖରେ କାଟି ଦେବେ । ପୁଅ ବୋହୁ ଫ୍ରାନ୍ସରେ ଉଚ୍ଚ-ପଦବୀରେ ପ୍ରତିଷ୍ଠିତ । କିନ୍ତୁ ପିଲାମାନେ ସମସ୍ତେ ନିଜ ନିଜ କ୍ୟାରିଅର ଉପରେ ଏମିତି ଧ୍ୟାନ ଦେଲେଯେ, ଶେଷରେ ବଡ ମଣିଷ କରିଥିବା ବାପାଙ୍କ ସ୍ନେହ ମମତା ସବୁ ଭୁଲି ଯାଇ କେବଳ ଅର୍ଥକୁ ବଡ ଭାବି ବାପ।ଙ୍କୁ ବୃଦ୍ଧ।ଶ୍ରମରେ ଛାଡି ଦେଇ ଫୋନ କରି ପଚାରିବା ଭୁଲିଗଲେ । ଅର୍ଥ ଏତେ ଏତେ ସ୍ଵାର୍ଥପର କରି ଦେବା କଥା ସେ ଭାବି ନଥିଲେ । ପ୍ରଭାକର ବାବୁ ଲେଖିଥିବା ଦର୍ଶନଶାସ୍ତ୍ରରେ ଏଇପଂକ୍ତିଟି ନ ଯୋଡି ସେ ବଡ ଭୁଲ କରିଛନ୍ତି । କାରଣ ସେ କେବଳ ଶ୍ରବଣ କୁମାର,ରାମଚନ୍ଦ୍ର ଓ ଲକ୍ଷ୍ମଣ କୁମାରକୁ ପଢି ଆସିଥିଲେ । ତେଣୁ ତାଙ୍କ ଆଦର୍ଶର ଲେଖାଟି ହୁଏତ ତାଙ୍କୁ କ୍ୟାରିଆର ସପୋର୍ଟ ଦେଇଥାଇ ପାରେ ହେଲେ ବାସ୍ତବରେ ସେ କେତେ ପ୍ରପୀଡିତ ତାହା ଅନୁଭବ କରନ୍ତି।

କ୍ରମଶ ଦୁଃଖ ସୁଖ ଆଲୋଚନା ଭିତରେ ମମତା ଅପା ଜାଣିଲେ ସେ ବି ସେମିତି ତାଙ୍କ ଭଳି ପରିସ୍ଥିତି ଚକ୍ରରେ ପଡି ଆଜି ଆଶ୍ରମ ଆଶ୍ରିତ । ପିଲା ମାନେ ତାଙ୍କ ଠାରୁ ଅନେକ ଦୂରରେ । ପୁଅ ବୋହୁ ଫ୍ରାନ୍ସରେ କେହି କେବେ ଦେଖା ଶୁଣା ନ କରିବାରୁ ସେ ଆଜି ବୃଦ୍ଧାଶ୍ରମରେ ମୁଣ୍ଡ ଗୁଞ୍ଜିଛନ୍ତି । ସ୍ତ୍ରୀ କେବେ ଠାରୁ ପାଗଳି ହୋଇ ଘର ଛାଡି ଚାଲି ଯାଇଛି । ଏଇ ବାର୍ଦ୍ଧକ୍ୟ ସମୟରେ କେହି ଆପଣାର ହୋଇ ରହିଲେ ନାହିଁ । ଦୁନିଆଙ୍କୁ ଚିହ୍ନିବା ବାକି ନ ଥିଲା । ସ୍ଵାର୍ଥ ଓ ସ୍ଵେଚ୍ଛାଚାର ଭିତରେ ଜୀବନ କେବଳ ଅର୍ଥ ର ସ୍ଵପ୍ନ ଦେଖେ । ମମତା ଓ ପ୍ରେମ ଏଠି ଦିଗ ହୀନ ।

ଯନ୍ତ୍ରଣାରେ ଜଳୁଥିବା ଦୁଇଟି ଜୀବନ ନିଷ୍ପତ୍ତି କଲେ ପରିଣତ ବୟସରେ ପରସ୍ପର ବାହା ହେଇ ଦୁନିଆଁକୁ ଜଣେଇ ଦେବେ ଏ ଦୁନିଆଁରେ କେହି ନ ଥିଲେ ବି ଏବେ ବି ଭଲ ପାଇବା ବଞ୍ଚି ରହିଛି । ଇଚ୍ଛା ନ ଥିଲେ ବି ମମତା ପ୍ରଭାକର ବାବୁଙ୍କ କଥାରେ ରାଜି ହେଲେ । ଅନ୍ତେବାସୀ ଆଶ୍ରମର ଏ କଥା ଶୁଣି ଖୁସି ହେଲେ ।

ପରିଣତ ବୟସରେ ବାହାଘର ଏକ ଆଦର୍ଶର ରୂପ ନେଲା । ଗଣମାଧ୍ୟମ ପ୍ରତିନିଧିମାନେ ଏହାକୁ କଭରେଜ କରି ମୁଖ୍ୟ ପ୍ରସଙ୍ଗ କରି ଆଜିର ଉଶ୍ରୁଙ୍ଖଳିତ ଯୁବ ସମାଜକୁ ଏକ ଶକ୍ତ ଚାପୁଡା ମାରିବାକୁ ନିଷ୍ପତ୍ତି ନେଲେ । ନିର୍ଦ୍ଧାରିତ ସମୟରେ ମଣ୍ଡପ ସଜା ହେଲା ପ୍ରଭାକର ବାବୁ ଓ ମମମତା ଅପାଙ୍କ ମିଛି ମିଛିକା ବିବାହ ସମାପନ ହେଲା । ଏ ବିବାହର କଥା ଚାରିଆଡେ ରାଷ୍ଟ୍ର ହେଇଗଲା । ପରିଣତ ବୟସରେ ପରିଣୟ ଶୀର୍ଷକ ଲେଖା ପ୍ରକାଶ ପାଇଲା । ବହୁତ ଖବର କାଗଜରେ ପ୍ରକାଶିତ ଓ ପ୍ରସାରିତ ହେଲା ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସତ୍ୟ ଘଟଣା ପାଇଁ ପ୍ରଶଂସିତ ହେଲେ । ବିଦେଶ ବାହାରେ ସମସ୍ତେ ଜାଣିଲେ । ପ୍ରମୁଖ ଗଣମାଧ୍ୟମ ସାକ୍ଷାତକାର ନେଲେ ।

ଏ କଥା ଧୀରେ ଧୀରେ ପ୍ରଭାକର ବାବୁ ଓ ମମତା ଅପାଙ୍କ ପିଲାମାନେ ଜାଣିବାକୁ ପାଇଲେ । ସେମାନେ ଓଡିଶା ଆସି ପହଞ୍ଚି ଆଶ୍ରମକୁ ଯାଇ ଦେଖିଲେ । ସତକୁ ସତ ଦୁହେଁ ବାହା ହୋଇ ଖୁସିରେ ଅଛନ୍ତି ।
ପ୍ରଭାକର ବାବୁଙ୍କ ପେନସନ ଓ ସେବା ତ୍ୟାଗର ମୂର୍ତ୍ତିଦେବୀ ମମତା ଓଠରେ ଖୁସି ଦେଖି ମମତାଙ୍କ ପୁଅ ଝିଅ ଦି’ଜଣ କହିଲ-ମା’ ଏ ସବୁ ତୁମ ପାଇଁ ଠିକ ହେଲାନାହିଁ। ମମତା ଦେବୀ କହିଲେ,-ହଁ, ଜାଣିଛି । ତୁମେ ଦୁଇଜଣ ଯାହା କରିଛ ଠିକ କରିଛ ?ତୁମେ ଆଜି ଆମକୁ ଛାଡି ବିଦେଶରେ ମନ ଇଚ୍ଛା ବାହା ହେଇଗଲ କେବେ ପଚାରି ବୁଝିଛ । ପରିଣତ ବୟସରେ ଆମର ସହ ଭରସା କିଏ । ଆମେ ଯେତେବେଳେ ତୁମକୁ ଆମ ପାଦରେ ଚଳେଇବା ଶିଖେଇ ଥିଲୁ ତୁମେ ଚାଲିବା ଶିଖିଲା ପରେ ଆମକୁ ଭୁଲିଗଳ । ପ୍ରଭାକର ବାବୁଙ୍କ ପୁଅ-ବୋହୁ ସହିତ ଛୋଟ ନାତୀଟି ତାଙ୍କ କୋଳରେ ଥାଇ ହସି ହସି ତାଳି ବଜାଉ ଥିଲା । ରାଗରେ ମମତା ଅପା ପୁଅ ଝିଅ ଅନୁତାପ ନିଆଁରେ ଜଳି ଉଠୁଥିଲେ ।

କିଛି ପତ୍ରକାର ଆସି କହିଲେ-ଏଇମାନେ ଆପଣଙ୍କ ସନ୍ତାନ ସନ୍ତତି । ଏମାନଙ୍କ ଉପରେ ଏଥର ଆମେ ଖବର ପ୍ରସାରଣ କରିବୁ । ଯେମିତି ଏମାନଙ୍କୁ ବିଦେଶ ଯିବାକୁ ଅନୁମତି ନ ମିଳିବ । ଆଜି ଆମ କାମ ସମାପ୍ତ ହେଇଛି । ଆପଣଙ୍କ ମିଛି ମିଛିକା ବାହାଘର କେବଳ ବାହାଘର ନୁହେଁ ଏ ସମାଜ ପାଇଁ ଆଖି ଖୋଲି ଦେଇଛି । ଆପଣ ଉଭୟ ଫେରି ପାଇଛନ୍ତି ଆପଣମାନଙ୍କର ଅଷ୍ଟନିଧି ରୂପେ ସନ୍ତାନ ସନ୍ତତି । ଆମେ ବି ବେଶ ଟିଆରପି ପାଇଛୁ । ଯଦି ଏମାନେ ଆପଣଙ୍କୁ ଦେଖାଶୁଣା କରିବାରେ ଅଣଦେଖା କରନ୍ତି ଆପଣଙ୍କ ସହିତ ଆମେ ଅଛୁ ।

ନଇଁ ଆସୁଥିଲା ସଞ୍ଜ ….ଧୀରେ ଧୀରେ ଅନ୍ୟ ଅନ୍ତବାସିନୀ ମାନେ ସେଇ ସଞ୍ଜରେ ଲୁଚି ଯାଉ ଥିଲେ । ବୃଦ୍ଧ।ଶ୍ରମର ଉନ୍ନତି ପାଇଁ ଦୁଇଟି ମୋଟା ଅଙ୍କର ଚେକ ମୁଖିଆଙ୍କୁ ଦେଇ ବିଦାୟ ନେଇ ଥିଲେ ଦୁଇଟି ପରିବାର । ଦୁଇଟି ସୁସଜ୍ଜିତ ଗାଡିରେ ଦୁଇଟି ପରିବାର ଏକାତ୍ମତା ନେଇ ବସିଥିଲେ ନିଜ ନିଜ ଗାଆଁ ଅଭିମୁଖେ ।

ପ୍ରଭାକର ବାବୁଙ୍କ ନାତି ମମତା ଅପାଙ୍କ କାନିଟିକୁ ଖୁସିରେ ଧରି ପକେଇଥିଲା । ମମତା ଅପା ହସି ଦେଇ କହୁଥିଲେ – ଜମା ଏମିତି ହୁଅନା…. । ପ୍ରେସ ବାଲା ଦେଖିଲେ ନିଉଜ କରିଦେବେ …ସେ ହସୁଥିଲା ଖିଲିଖିଲି ମିଠା ହସ॥


ଗଗନ ବିହାରୀ ନାୟକ
ମଞ୍ଚେଶ୍ଵର, ଭୁବନେଶ୍ବର-୭୫୧୦୨୧
ଫୋନ – ୭୨୦୫୨୯୩୮୫୭


Share it

Leave a comment

Your email address will not be published. Required fields are marked *

Verified by MonsterInsights