🔅ମମତାର ଡୋରି 🔅
– ସୁବ୍ରତ ରଥ
ମିତା ଉଦାସ ମନରେ ବସିଥିଲା। ଆଜି ପବିତ୍ର ରକ୍ଷା ବନ୍ଧନ। ଆଜିର ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ରାକ୍ଷୀ, ସୂତା ନୁହେଁ ଏହା ତ ମମତାର ଡୋରି ଅଟେ। ହେଲେ ଆଜି ସେ ରାକ୍ଷୀ କାହାକୁ ବାନ୍ଧିବ? ଏକମାତ୍ର ଭାଇ ରାହୁଲ, ସିଏ ତ ସମସ୍ତଙ୍କୁ ଛାଡ଼ି କି ଆରପାରି କୁ ଚାଲି ଗଲାଣି।
ମିତା ର ଆଖିରୁ ଲୁହ ଝରୁଥାଏ। ଭାଇ କଥା ଆଜି ବହୁତ ମନେ ପଡ଼ୁଛି। ରାହୁଲ ତାର ସାନ ଭାଇ। ନୂଆ କରି ଚାକିରି ଆରମ୍ଭ କରିଥିଲା। ମନରେ ଅନେକ ଇଚ୍ଛା, ଭଉଣୀ ବାହାଘର ଧୁମ୍ ଧାମରେ କରିବ।
ଗତ ବର୍ଷ ରକ୍ଷା ବନ୍ଧନର କଥା ସବୁ ଧିରେ ଧିରେ ମନେ ପଡ଼ି ଯାଉଥିଲା। ରାହୁଲ ହାତରେ ମାର୍କେଟରୁ ରାକ୍ଷୀ ମଗେଇ ଥିଲା ମିତା। ରାକ୍ଷୀ ବାନ୍ଧିବା ପାଇଁ ପ୍ୟାକେଟ ଟା ଖୋଲି ମିତା ଦେଖେ ଭିତରେ ୬ ଟି ସୁନ୍ଦର ରାକ୍ଷୀ ଅଛି।
ଥଟ୍ଟା ରେ ମିତା କହିଲା- “ଏ ସବୁ ରାକ୍ଷୀ ଯଦି ବାନ୍ଧିବି ନା ତେବେ ତୋତେ ବଡ଼ ଉପହାର ଦେବାକୁ ପଡ଼ିବ।”
ରାହୁଲ କହିଲା – “ନାନୀ, ରାକ୍ଷୀ ଗୁଡ଼ା ବହୁତ ପସନ୍ଦ ଆସିଲା ତେଣୁ ନେଇ ଆସିଲି। ଆଜି ଛଡ଼ା କଣ ଅନ୍ୟ ଦିନ ରାକ୍ଷୀ ବାନ୍ଧି ହେବନି ? ତୋର ଯେବେ ଇଛା ହେବ ଏଇଥିରୁ ଗୋଟେ ବାନ୍ଧିନେବୁ ଆଉ ମନ ପସନ୍ଦର ଉପହାର ମାଗିନେବୁ।”
-“ଭାଇ ମୋର କିଛି ଦରକାର ନାହଁ। ତୁ ସବୁବେଳେ ଭଲରେ ଥା ବାସ୍ ଏତିକି ମୁଁ ଚାହେଁ। ତୁ ମୋତେ କେତେ ଭଲ ପାଉ, ଆଦର କରୁ ତା କଣ ମୁଁ ଜାଣିନି।
-“ହଉ ମୋର ପ୍ରଶଂସା ବହୁତ ହେଲା। ଏବେ ମହାରାଣୀ ଦୟାକରି ରାକ୍ଷୀ ବାନ୍ଧିବା ପର୍ବ ଆରମ୍ଭ କରନ୍ତୁ। ଭୋକରେ ପ୍ରାଣ ଚାଲିଯିବ। ମୁହଁ ମିଠା କେତେବେଳେ କରେଇବୁ।”
ସେ ଦିନର କଥା ମିତା କୁ ଜଳ ଜଳ ଦିଶୁଥିଲା…..’ସବୁଦିନ ପରି ସେଦିନ ମଧ୍ୟ ରାହୁଲ ତର ତର ହୋଇ ଅଫିସ୍ ବାହାରୁଥିଲା। ପଛରୁ ମିତା ପାଟି କରି କହିଲା, “ଭାଇ ଫେରିଲା ବେଳେ ମୋ ପାଇଁ ଆଇସକ୍ରିମ ଆଣିଦେବୁ।”
ହଁ, କହି ରାହୁଲ ଚାଲିଗଲା ହେଲେ ଆଉ ଫେରିଲା ନାହିଁ। ତାର ଯିବାର କିଛି ସମୟ ପରେ ଗୋଟେ ଅଜଣା ନମ୍ୱରରୁ ମିତାର ବାପାଙ୍କୁ ଫୋନ୍ ଆସିଲା ଆଉ ସମସ୍ତେ ବିକଳରେ ଡାକ୍ତରଖାନା ଦୌଡ଼ିଲେ। ଅଫିସ୍ ଯାଉଥିଲା ବେଳେ ପଛରୁ ଗୋଟେ ଗାଡ଼ି ତାକୁ ଧକ୍କା ମାରିଥିଲା। ମସ୍ତିଷ୍କରେ ଭୀଷଣ ଆଘାତ ଲାଗିଥିଲା। ଡାକ୍ତର କହିଲେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରାହୁଲ କୁ ବଞ୍ଚେଇ ପାରିଲେନି।
……
“ଭାଇ ତୁ କଉଠି ଅଛୁ? ତୋ ବିନା ବାପା ଓ ମା ପୁରା ଭାଙ୍ଗି ପଡ଼ିଛନ୍ତି। ଟିକିଏ ବି ଆମ କଥା ଭାବିଲୁ ନାହିଁ। ତୋ ବିନା ଆମେ କିପରି ବଞ୍ଚିବୁ? ମୋତେ ନାନୀ କହି କିଏ ଡାକିବ? କେତେ ଦିନ ହେଲା ଆମେ ଝଗଡ଼ା ଲାଗିନୁ। ଆଜି ମୁଁ କାହାକୁ ରାକ୍ଷୀ ବାନ୍ଧିବି? ନିଜ ଜୀବନର ସୁରକ୍ଷା ପାଇଁ ହେଲମେଟ କଣ ପାଇଁ ପିନ୍ଧିଲୁନି?”
ହଠାତ୍ କଣ ଭାବିଲା କେଜାଣି ମିତା, ଗତ ବର୍ଷର ରାକ୍ଷୀ ପ୍ୟାକେଟ ରୁ ଗୋଟେ ରାକ୍ଷୀ ଧରି ପୂଜା କୋଠରୀକୁ ଦୌଡ଼ିଗଲା। ଠାକୁରଙ୍କ
ସାମନାରେ ବସିପଡ଼ିଲା। ଜଗା ହାତରେ ରାକ୍ଷୀକୁ ବାନ୍ଧିଦେଲା ଆଉ ହାତ ଯୋଡ଼ି କହିଲା, “ମହାପ୍ରଭୁ ମୋ ଭାଇକୁ ତ ମୋ ଠାରୁ ଦୂରେଇ ନେଲ ହେଲେ ତାକୁ ନିଶ୍ଚୟ ତୁମ ଶ୍ରୀଚରଣରେ ସ୍ଥାନ ଦେଇଥିବ ବୋଲି ମୋର ଆଶା ଓ ବିଶ୍ବାସ। ତେଣୁ ମୁଁ ତୁମ ହାତରେ ଆଜି ଏ ରାକ୍ଷୀ ଟି ମୋର ଭାଇକୁ ବାନ୍ଧୁଛି ବୋଲି ଭାବିକି ବାନ୍ଧୁଛି।”
ମିତା ଆଖିରୁ ଧାର ଧାର ହେଇ ଅଶ୍ରୁ ଝରି ଯାଉଥିଲା। ଏଇ ଅଶ୍ରୁ ଏବେ ଆଉ ଦୁଃଖର ନୁହେଁ ବରଂ ଅଭିମାନର ଅଶ୍ରୁ, ସ୍ନେହ, ମମତା ଓ ଭଲ ପାଇବାର ଅଶ୍ରୁ, ସମର୍ପଣ ଭାବର ଅଶ୍ରୁ।
ସୁବ୍ରତ ରଥ,
ଶାନ୍ତି ନଗର, ରିଙ୍ଗ ରୋଡ-୨, ବିଳାସପୁର, ଛତିଶଗଡ