ମୋୖନୀ ଅମାବାସ୍ୟା କଥା

Share it

ମୋୖନୀ ଅମାବାସ୍ୟା ====

ଜ୍ୟୋତିଷ କହିଲେ, ତୁମକୁ ଗୋଟିଏ ସ୍ୱତନ୍ତ୍ର ପୂଜା କରିବାକୁ ପଡ଼ିବ । ତୁମେ ସିଂହଳ ଦ୍ଵୀପର ସୋମା ନାମ୍ନୀ ଧୋବଣୀ ପାଖକୁ ଯାଅ । ସେ ଏହି ପୂଜାର ଵିଧି ତୁମକୁ ବତାଇ ଦେବ ।

ମୋୖନୀ ବା ତ୍ରିବେଣୀ ଅମାବାସ୍ୟା ଭାବେ ପ୍ରସିଦ୍ଧ ମାଘ ଅମାବାସ୍ୟା । ଶାସ୍ତ୍ର ମାନଙ୍କ ବର୍ଣ୍ଣନା ଅନୁସାରେ, ସୃଷ୍ଟିକର୍ତ୍ତା ବ୍ରହ୍ମା ସୃଷ୍ଟି ସର୍ଜନା କରିବା ପରେ ଆଜିର ଦିନରେ ପ୍ରଥମ ମାନବ ମନୁ ଏବଂ ଶତରୁପାଙ୍କୁ ସୃଷ୍ଟି କରିଥିଲେ । ମନୁଙ୍କ ଆବିର୍ଭାବ ଦିବସ ହୋଇ ଥିବାରୁ ଏହା ମୋୖନୀ ଅମାବାସ୍ୟା ନାମରେ ଖ୍ୟାତ ହୋଇଛି ।

ଅନ୍ୟ ଗୋଟିଏ କଥା ଅନୁସାରେ,ଏହି ମାଘ ଅମାବାସ୍ୟାରେ ମୌନବ୍ରତ ପାଳନ କରାଯାଉଥିବାରୁ, ଏହାର ନାମ ହୋଇଛି ମୋୖନି ଅମାବାସ୍ୟା ।

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ, ମା’ ବିରଜାଙ୍କର ଏହା ସ୍ଵ ନକ୍ଷତ୍ର ଦିବସ । ଏହି ଦିନ ପୁଣ୍ୟତୋୟା ନଦୀ ମାନଙ୍କରେ ସ୍ନାନ, ବିଶେଷ କରି ତ୍ରିବେଣୀ ସଙ୍ଗମ ସ୍ନାନ ଅଶେଷ ଫଳ ଦାୟୀ । କୁହା ଯାଏ, ଏହି ପୁଣ୍ୟ ସ୍ନାନ,ସହସ୍ର ଅଶ୍ୱମେଧ ଯଜ୍ଞର ପୁଣ୍ୟ ସହ ସମତୁଲ୍ୟ ।

ତ୍ରିବେଣୀ ସ୍ନାନ ଯୋଗ ଦୃଷ୍ଟିରୁ ଏହାର ଅନ୍ୟ ନାମ ତ୍ରିବେଣୀ ଅମାବାସ୍ୟା । ଏହିଦିନ ଭାରତବର୍ଷର ପବିତ୍ର ନଦୀ ଯଥା ଗଙ୍ଗା, ଯମୁନା, ନର୍ମଦା, ସରଜୁ, ସିନ୍ଧୁ, ଗୋଦାବରୀ, କୃଷ୍ଣା କାବେରୀ ଆଦିରେ ପବିତ୍ର ସ୍ନାନ ପକାଇ ଶ୍ରଦ୍ଧାଳୁ ମାନେ ଅର୍ଘ୍ୟମନ୍ତ୍ର ଉଚ୍ଚାରଣ କରିଥାନ୍ତି :-
ଗଙ୍ଗେ ଚ ଯମୁନେଚୈବ
ଗୋଦାବରୀ ସରସ୍ୱତୀ ।
ନର୍ମଦେ ସିନ୍ଧୁକାବେରୀ
ଜଳେସ୍ମିନ୍‌ ସନ୍ନିଧିଂ କୁରୁ ।।

କିମ୍ବଦନ୍ତୀରୁ ଜଣାଯାଏ ସମ୍ବତ 1607, ବୁଧବାର, ମୋୖନି ଅମାବାସ୍ୟା ଦିନ ପ୍ରଭୁ ଶ୍ରୀରାମ ଗୋସ୍ୱାମୀ ତୁଳସୀଦାସଙ୍କ ସମ୍ମୁଖରେ ଚିତ୍ରକୂଟର ମନ୍ଦାକିନୀ ଘାଟରେ ଆବିର୍ଭୁତ ହୋଇ ଥିଲେ ।

ବାଳକ ରୂପେ ପ୍ରଭୁ ଆସି କହୁଥାନ୍ତି, ବାବା ! ଆମକୁ ଚନ୍ଦନ ଦିଅ ଚନ୍ଦନ ଦିଅ l ହନୁମାନ ପଛରେ ରହି ଏହା ଦେଖୁ ଥାନ୍ତି । ଏଥର କାଳେ ତୁଳସୀ ଦାସ ପ୍ରଭୁଙ୍କୁ ଚିହ୍ନି ପାରିବେନାହିଁ ଭାବି, ସେ ଗୋଟିଏ ଶୁଆରୂପ ଧରି ବୋଲି ଦେଲେ :-
ଚିତ୍ରକୂଟ କେ ଘାଟ ପର
ଭଇ ସନ୍ତନ କି ଭୀର ।
ତୁଳସୀ ଦାସ ଚନ୍ଦନ ଘିସେ
ତିଲକ ଦେତ ରଘୁବୀର ।।

ପ୍ରଭୁ ତୁଳସୀଦାସଙ୍କ ଠାରୁ ଚନ୍ଦନଟୀକା ନେଲେ । ତାଙ୍କ ଲଲାଟରେ ଚନ୍ଦନ ବୋଳି ଦେଇ ଅନ୍ତର୍ଧ୍ୟାନ ହୋଇ ଗଲେ । ପ୍ରଭୁଙ୍କ ସେ ଧନୁର୍ବାଣଧାରୀ ନୀଳ ନବ ଘନ ଅଦ୍ଭୁତ ଛବି ଦେଖି ତୁଳସୀ ଦାସ ଆତ୍ମ ହରା ହୋଇ ଯାଇଥିଲେ ।

ପୁଣ୍ୟ ମାଘ ମାସର ପବିତ୍ର ତ୍ରିବେଣୀ ଅମାବାସ୍ୟା ଦିନ ଶାସ୍ତ୍ରୋକ୍ତ ସ୍ନାନସାରି ମୌନ ବ୍ରତ ଅବଲମ୍ବନ ପୂର୍ବକ ଭଗବାନ ବିଷ୍ଣୁଙ୍କୁ ଧ୍ୟାନକରି ଅନ୍ନ ବସ୍ତ୍ର ଧନ ଦାନ କରିବାର ଵିଧି ରହିଛି । ଏହିଦିନ ଗୋ ଦାନ ଓ ଭୂମି ଦାନର ବିଶେଷ ମହତ୍ୱ ରହିଛି ।

ପ୍ରୟାଗ ଉଜ୍ଜୟିନୀ ଏବଂ ନାସିକ ଠାରେ ଆୟୋଜିତ କୁମ୍ଭ ମେଳାରେ ଏହିଦିନ ଏକ ବିଶେଷସ୍ନାନ, ସାହିସ୍ନାନ ଅନୁଷ୍ଠିତ ହୋଇ ଥାଏ ।

ମୋୖନି ଅମାବାସ୍ୟା ପାଳନ ପଛରେ ଏକ ସୁନ୍ଦର ପୌରାଣିକ କିମ୍ବଦନ୍ତୀ ରହିଛି । ଆଗେ ବହୁ ଦିନ ପୂର୍ବେ କାଞ୍ଚି ପୁରୀରେ ଦେବସ୍ୱାମୀ ବୋଲି ଜଣେ ବ୍ରାହ୍ମଣ ବାସ କରୁଥିଲେ । ପତ୍ନୀଙ୍କ ନାମ ତାଙ୍କର ଧନବତୀ । ତାଙ୍କର ପୁଅ ମାନେ ସମସ୍ତେ ବିବାହ କରି ସାରି ଥିଲେ । ତାଙ୍କର ଗୋଟିଏ ମାତ୍ର ଝିଅ । ନାମ ଗୁଣବତୀ । ଝିଅଟି ବିବାହ ଯୋଗ୍ୟା ଥାଇ ସୁଦ୍ଧା, ଅବିବାହିତ ଥାଏ । ପିତାମାତା ଖୁବ ଚିନ୍ତିତ ଥାନ୍ତି ଓ ଝିଅ ବିଭା ପାଇଁ ଉପଯୁକ୍ତ ପାତ୍ର ଖୋଜୁ ଥାନ୍ତି । ଝିଅର ଜାତକ, ଜନ୍ମ କୁଣ୍ଡଳୀ ଆଦି ଦେଇ, ସେମାନେ ଦିନେ ତାଙ୍କ ବଡ଼ପୁଅକୁ ଏକ ଯାଗାକୁ ପଠାଇଲେ । ଜଣେ ଜ୍ୟୋତିଷଙ୍କୁ ଭଉଣୀ ଜାତକ ଦେଖାଇବାରୁ ସେ ଜାଣି ପାରିଲା ଯେ ଭଉଣୀର ବୈଧବ୍ୟ ଯୋଗ ଅଛି । ଗୁଣବତୀର ବାପା ଏହା ଜାଣିବାକୁ ପାଇଲେ ଓ ଜଣେ ଜ୍ୟୋତିଷଙ୍କୁ ଯାଇ ଏ ଦୋଷର ପ୍ରତିକାର ଉପାୟ କଥା ପଚାରିଲେ ।

ଜ୍ୟୋତିଷ କହିଲେ, ତୁମକୁ ଗୋଟିଏ ସ୍ୱତନ୍ତ୍ର ପୂଜା କରିବାକୁ ପଡ଼ିବ । ତୁମେ ସିଂହଳ ଦ୍ଵୀପର ସୋମା ନାମ୍ନୀ ଧୋବଣୀ ପାଖକୁ ଯାଅ । ସେ ଏହି ପୂଜାର ଵିଧି ତୁମକୁ ବତାଇ ଦେବ ।

ବ୍ରାହ୍ମଣ ଦେବସ୍ୱାମୀ, ସୋମା ଧୋବଣୀଙ୍କ ଘରକୁ ଚାଲିଲେ । ବାଟରେ ପଡ଼ିବ ସମୁଦ୍ର । ସେ ଚାଲି ଚାଲି ଥକ୍କା ମାରି ଏକ ବରଗଛ ଛାଇରେ ବିଶ୍ରାମ କଲେ । ସେ ଗଛରେ ଏକ ଶାଗୁଣା ରହୁଥାଏ । ଚିନ୍ତିତ ବ୍ରାହ୍ମଣଙ୍କୁ ଦେଖି ଶାଗୁଣା ପଚାରିଲା, ତୁମର ସମସ୍ୟା କଅଣ କୁହ, ମୁଁ ତୁମକୁ ସାହାଯ୍ୟ କରିବି ।

ବ୍ରାହ୍ମଣ ଦେବସ୍ୱାମୀ ଶାଗୁଣାଟିକୁ ସମସ୍ତ ଘଟଣା କହିଲାରୁ ସେ ତାଙ୍କୁ ସମୁଦ୍ର ପାର କରାଇ ନେଇଗଲା ଏବଂ ସୋମାଙ୍କୁ ଆଣି ତାଙ୍କ ଘରେ ପହଞ୍ଚାଇ ଦେଲା ।

ସୋମା ଧୋବଣୀ କହିଥିବା ଵିଧି ମୁତାବକ ପୂଜା ସାରିଲେ । ବ୍ରାହ୍ମଣ ଝିଅ ଗୁଣବତୀ ରିଷ୍ଟ ଦୂର ହୋଇ ଯାଇଛି ଭାବି ତା’ର ବିବାହ କରାଇ ଦେଲେ । ଦୁର୍ଭାଗ୍ୟକୁ କିନ୍ତୁ ସେ ଜ୍ୱାଇଁଟି ମରିଗଲା । ଏହା ଦେଖି ସୋମା ତାଙ୍କର ସମସ୍ତ ପୁଣ୍ୟକୁ ଗୁଣବତୀକୁ ଦାନ ଦେଇ ଦେଲେ । ଫଳରେ ଜ୍ଵାଇଁଟି ବଞ୍ଚି ଉଠିଲା ।

ସୋମା ସିଂହଳ ଦ୍ୱୀପକୁ ଫେରି ଯାଇ ଦେଖିଲେ, ତାଙ୍କ ସ୍ୱାମୀ, ପୁତ୍ର, ଜ୍ୱାଇଁ ସମସ୍ତେ ଆର ପାରିକୁ ଚାଲି ଯାଇଛନ୍ତି । ସେ ବୁଝି ପାରିଲେ ଯେ ତାଙ୍କର ସମସ୍ତ ପୁଣ୍ୟ, ସେ ଗୁଣବତୀଙ୍କୁ ଦାନ କରି ଦେଇ ଥିବାରୁ ଏପରି ହୋଇଛି । ସୋମା ଖୁବ ଅନୁତପ୍ତ ହୋଇ, ଗୋଟିଏ ଅଶ୍ୱତ୍ଥ ବୃକ୍ଷ ମୁଳରେ ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ବସିଲେ । ମୌନ ଉପବାସ ରହି ସେ ଅଶ୍ୱତ୍ଥ ବୃକ୍ଷକୁ ଏକଶହ ଆଠ ଥର ପରିକ୍ରମା କରିବାରୁ ତାଙ୍କର ସ୍ୱାମୀ, ପୁତ୍ର ଓ ଜ୍ୱାଇଁ ସମସ୍ତେ ଜୀବିତ ହୋଇ ଉଠିଲେ । ସେହିଦିନ ଥିଲା ମାଘ ଅମାବାସ୍ୟା । ସୋମା ମୌନ ବ୍ରତ କରି ଭଗବାନ ବିଷ୍ଣୁଙ୍କ କୃପାରୁ ନିଜ ମୃତ ସ୍ୱାମୀ, ପୁତ୍ର ଓ ଜ୍ୱାଇଁଙ୍କୁ ଫେରି ପାଇଥିବାରୁ ସେବେ ଠୁଁ ଏହି ଅମାବାସ୍ୟା ମୋୖନୀ ଅମାବାସ୍ୟା ବୋଲି ଖ୍ୟାତ ହୋଇଛି ।
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Join the Conversation

1 Comment

  1. ଆପଣଙ୍କ ପୌରାଣିକ କଥା ଗୁଡିକର ଉପସ୍ଥାପନା ଶୈଳୀ ଖୁବ୍ ସରସ ସୁନ୍ଦର ଓ ସାବଲୀଳ । ଲେଖକଙ୍କୁ ଅଶେଷ ଧନ୍ୟବାଦ।

Leave a comment

Your email address will not be published. Required fields are marked *

Verified by MonsterInsights