25th July 2024
ମନସା ପଞ୍ଚମୀ କଥା, ମନସା ମଙ୍ଗଳ
=====
ପୁରାଣମାନଙ୍କରେ ମାଆ ମନସା ସର୍ପ ବିଷହାରୀ ଦେବୀ ଭାବେ ବର୍ଣ୍ଣିତ । ମନସାମାତାଙ୍କର ଭାରତ ବର୍ଷରେ ବହୁ ମନ୍ଦିର ରହିଛି । ତନ୍ମଧ୍ୟରୁ ହରିଦ୍ୱାର, ଚଣ୍ଡିଗଡ଼,ମଥୁରା, ରାଜନନ୍ଦଗାଓଁ ଠାରେ ଅବସ୍ଥିତ ମନସାମାତା ମନ୍ଦିର ବିଶ୍ୱ ପ୍ରସିଦ୍ଧ । ମନସା ଦେବୀ ଶକ୍ତିସ୍ୱରୂପା । ସେ ମହାଦେବଙ୍କ ମାନସ କନ୍ୟା ଓ ନାଗରାଜ ବାସୁକୀଙ୍କ ଭଉଣୀ ।
ମାନସିକ ପୂରଣ କରୁଥିବାରୁ ଦେବୀ ହେଉଛନ୍ତି ମନସା ।
ମନସା ଦେବୀଙ୍କ ମହିମା ବିଷୟରେ ବୃହତ୍ ଶିବ ପୁରାଣ ଅନ୍ତର୍ଗତ ଏକ ସୁନ୍ଦର ଉପାଖ୍ୟାନ ରହିଛି ଯାହା ମନସା ମଙ୍ଗଳ ନାମରେ ପ୍ରସିଦ୍ଧ ।ଏଥିରେ ରହିଛି ମର୍ତ୍ତ୍ୟରେ ସର୍ପପୁଜାର ଉନ୍ମେଷ ଗାଥା ।
କାହାଣୀ ଅନୁସାରେ, ବାଣାସୁରର କନ୍ୟା କୃଷ୍ଣଙ୍କ ନାତି ଅନିରୁଦ୍ଧଙ୍କୁ ପ୍ରେମବିବାହ କରିଥିଲେ । କାଳ କ୍ରମେ, ସେମାନେ ଦେବତା ମାନଙ୍କ ଅଭିଶାପରେ ପର ଜନ୍ମରେ ବେହୁଲା ଓ ଲକ୍ଷୀନ୍ଦର ଭାବେ ଜନ୍ମ ନେଲେ। ଏହି ଜନ୍ମରେ ମଧ୍ୟ ତାଙ୍କର ପୁଣି ବିବାହ ହେଲା । ବେହୁଲା ଉଜ୍ଜୟିନୀରାଜ ସାୟାବେନଙ୍କ ଏକମାତ୍ର କନ୍ୟା ଥିଲେ ଓ ଲକ୍ଷୀନ୍ଦର ଥିଲେ ଚମ୍ପା ନଗରର ଚାନ୍ଦ ସୌଦାଗରଙ୍କ ସପ୍ତମ ପୁତ୍ର।
ବେହୁଲା ଥିଲେ ମନସା ମାତାଙ୍କ ଭକ୍ତ ଏବଂ ଚାନ୍ଦ ସୌଦାଗର ଥିଲେ ମହାନ ଶୈବ ଭକ୍ତ । ସେ କିନ୍ତୁ ମାଆ ମନସାଙ୍କୁ ଭକ୍ତି କରୁ ନ ଥିଲେ। କାରଣ ମା ମନସା ସେତେବେଳେ ଦେଵତା ମାନଙ୍କ ମଧ୍ୟରେ ଦେବୀର ଆସନ ପାଇ ନଥିଲେ। କଥାଥିଲା ଯଦି ଶିବଭକ୍ତ ଚାନ୍ଦ ସୌଦାଗର ତାଙ୍କ ଦକ୍ଷିଣ ହସ୍ତରେ ମାଆ ମନସାଙ୍କୁ ଅଞ୍ଜଳୀ ଦେବେ, ତେବେ ମନସା ଦେବୀର ମାନ୍ୟତାପାଇବେ। ତେଣେ ସୌଦାଗର କିନ୍ତୁ ପ୍ରତିଜ୍ଞା କରିଥାନ୍ତି ମୁଁ ଯେଉଁ ହାତରେ ଶିବଙ୍କୁ ଅଞ୍ଜଳି ଦେଉଛି ସେହି ହସ୍ତରେ ମନସାଙ୍କୁ କେବେ ହେଲେ ଅଞ୍ଜଳୀ ଦେବି ନାହିଁ । ତାଙ୍କୁ ଶାସ୍ତି ଦେବା ପାଇଁ ମନସା ମାତା ନାଗମାନଙ୍କୁ ପଠାଇ ତାଙ୍କର ଛଅଗୋଟି ପୁଅଙ୍କୁ ସର୍ପାଘାତରେ ବିନାଶ କଲେ ।
ଏଥିରେ, ଚାନ୍ଦ ସୌଦାଗର ଆହୁରି ରାଗି ଗଲେ । ତାଙ୍କ ସପ୍ତମ ସନ୍ତାନ ଲକ୍ଷୀନ୍ଦରକୁ ମା’ ମନସାଙ୍କ କବଳରୁ ବଞ୍ଚାଇବା ପାଇଁ ସେ ପ୍ରତିଜ୍ଞା କଲେ । ସମୟକ୍ରମେ ଚାନ୍ଦସୌଦାଗର ପୁତ୍ର ଲକ୍ଷୀନ୍ଦରକୁ ସୌଭାଗ୍ୟବତୀ ବେହୁଲା ସହିତ ବିବାହ କରାଇ ଦେଲେ । ବେହୁଲା ବର ଲାଭ କରିଥିଲେ କେବେ ହେଲେ ସେ ବିଧବା ହେବେନାହିଁ । ସୌଦାଗରଙ୍କ ଗୋଟିଏ ଲୌହପ୍ରାସାଦ ଥିଲା । ତହିଁରେ ପ୍ରବେଶ ପାଇଁ କୌଣସି ଛିଦ୍ର ନଥିଲା ଓ ପ୍ରାସାଦ ଭିତରକୁ କୌଣସି ସର୍ପପ୍ରବେଶ ଅସମ୍ଭବ ଥିଲା । ବିଶ୍ୱକର୍ମା ସେହି ପ୍ରସାଦଟିକୁ ନିର୍ମାଣ କରିଥିଲେ ।
ବିଶ୍ୱକର୍ମା କିନ୍ତୁ ମନସାଙ୍କ ଅନୁରୋଧ କ୍ରମେ ସେହି ପ୍ରାସାଦ ମଧ୍ୟରେ ଏକ ସୁକ୍ଷ୍ମ ଛିଦ୍ର ରଖି ଦେଇଥିଲେ ଯାହା କେହି ଜାଣି ପାରିବେନାହିଁ ।ନବଦମ୍ପତ୍ତିଙ୍କ ବାସର ରାତ୍ରିରେ ମନସାଦେବୀ କାଳନାଗୁଣୀକୁ ସେଠାକୁ ଲକ୍ଷୀନ୍ଦରକୁ ଦଂଶନ କରିବା ପାଇଁ, ପଠାଇଲେ। ଦେବୀ ତାଙ୍କ ମାୟା ବିସ୍ତାର କରିଥାନ୍ତି । ବେହୁଲା ଗାଢ଼ନିଦରେ ଶୋଇ ପଡ଼ିଥାଏ । ଏହି ସମୟରେ କାଳ ନାଗୁଣୀ ପ୍ରାସାଦରେ ଥିବା ସେହି ଛିଦ୍ର ମଧ୍ୟ ଦେଇ ଶୟନ କକ୍ଷରେ ପଶି ଲକ୍ଷୀନ୍ଦରକୁ ଦଂଶନ କଲା । ଯନ୍ତ୍ରଣାରେ ଲକ୍ଷୀନ୍ଦର ଭୟଂକର ଚିତ୍କାର କଲାରୁ ବେହୁଲାର ନିଦ ଭାଙ୍ଗି ଗଲା।
ସେ ଉଠି ଦେଖିଲା, କାଳନାଗୁଣୀ କାମୁଡ଼ି ଦେଇ ପ୍ରାସାଦର ସେହି ଛିଦ୍ରବାଟ ଦେଇ ପଳାଇଯାଉଛି । ପାଖରେ ଜଳୁଥିବା ପିତ୍ତଳ ଦୀପଟିକୁ ବେହୁଲା ଯୋରରେ ଫିଙ୍ଗିଦେବାରୁ କାଳନାଗୁଣୀ ଲାଙ୍ଗୁଡ଼ କଟିଗଲା।ଵିଷଜ୍ୱାଳାରେ ଲକ୍ଷୀନ୍ଦରର କିଛିକ୍ଷଣ ପରେ ଛଟ ପଟ ହୋଇ ପ୍ରାଣବାୟୁ ଉଡ଼ିଗଲା ।
ସେ ସମୟ ପ୍ରଥାନୁଯାୟୀ ଶବକୁ ଏକ ଭେଳାରେ ରଖି ନଦୀରେ ଭସାଇ ଦିଆଗଲା, କିନ୍ତୁ ବେହୁଲା ସ୍ୱାମୀର ମୃତ ଶରୀରକୁ ଛାଡିଲା ନାହିଁ । ଶବକୁ ଜାବୁଡ଼ିଧରି ସେ ଭେଳା ଉପରେ ବସିରହିଲା ଓ ଭେଳାଟି ଭାସି ଭାସି ଚାଲିଲା । ଭେଳା ଉପରେ ବସି, ବେହୁଲା ମା’ ମନସାଙ୍କୁ ପ୍ରାର୍ଥନା କରି ଚାଲି ଥାଏ ସ୍ୱାମୀକୁ ଫେରାଇ ଦେବା ପାଇଁ । ସ୍ୱାମୀର ଶବଟି କ୍ରମେ ପଚି ଦୁର୍ଗନ୍ଧ ବାହାରୁଥାଏ । ଏପରି ଛଅମାସ ଚାଲିଗଲା। ଲକ୍ଷୀନ୍ଦରର କଙ୍କାଳ ପଡ଼ି ରହିଥାଏ । କଙ୍କାଳକୁ ଧରି ବେହୁଲା ଯାଇ ସ୍ୱର୍ଗ ପୁରରେ ପହଞ୍ଚିଲା ।
ସେଠାରେ ନିଜ ବିନୟ ଭରା ବାକ୍ୟରେ ଓ ନିଜ ରୂପଗୁଣରେ ସେ ଦେବତାମାନଙ୍କୁ ସନ୍ତୁଷ୍ଟ କଲା । ବେହୁଲା ସ୍ୱାମୀର ଜୀବନ ଫେରାଇ ଦେବା ପାଇଁ ପ୍ରାର୍ଥନା କଲା । ବେହୁଲା କଥାରେ ରାଜି ହୋଇ ଦେବତାମାନେ ସ୍ୱାମୀର ଜୀବନ ଫେରାଇ ଦେବା ପାଇଁ କହିଲେ । ମାତ୍ର ସେମାନେ ଗୋଟିଏ ସର୍ତ୍ତ ରଖିଲେ ଯେ ଚାନ୍ଦ ସୌଦାଗର ମନସାଙ୍କୁ ଅଞ୍ଜଳି ଦେବାକୁ ପଡ଼ିବ । ବେହୁଲା ସ୍ୱର୍ଗରୁ ଆସି ଏ କଥା ଶ୍ୱଶୁରଙ୍କୁ କହିଲାରୁ ପୁଅ ଜୀବନ ଫେରି ପାଇବା ଆଶାରେ ଚାନ୍ଦ ସୌଦାଗର ରାଜି ହୋଇଗଲେ ।
ସେ ମା’ ମନସାଙ୍କୁ ଅଞ୍ଜଳି ଦେବାରୁ ଲକ୍ଷୀନ୍ଦରର କଙ୍କାଳରେ ପ୍ରାଣ ସଞ୍ଚାର ହେଲା । ନିଦରୁ ଉଠିଲା ଭଳି ସେ ଉଠି ବସି ପଡ଼ିଲା। ସୌଦାଗରର ଛଅ ମୃତପୁତ୍ର ମଧ୍ୟ ତା ସହ ଜୀବିତ ହୋଇ ଉଠିଲେ। ସେ ତିଳାଞ୍ଜଳୀ ଦେବା ଦ୍ୱାରା ମନସା ମାତା ମଧ୍ୟ ସ୍ଵର୍ଗରେ ଦେବୀର ଆସନ ଲାଭକଲେ।
ମନସା ମାତା ଦେବୀଙ୍କ ଆସନ ଲାଭ କଲାପରେ ମର୍ତ୍ତ୍ୟରେ ତାଙ୍କ ପୁଜା ଆରାଧନା ଆରମ୍ଭ ହେଲା। ସେ ସର୍ପଦେବୀ ଭାବେ ପରିଚିତ । ଦେବୀଙ୍କ ଦୁଇ ହସ୍ତରେ ଅମୃତ ଭରିରହିଥିବା ଶ୍ଵେତପଦ୍ମ ଓ ବିଷ ଭରିରହିଥିବା ରକ୍ତପଦ୍ମ ଶୋଭାପାଏ। ମନୁଷ୍ୟକୁ କର୍ମ ଅନୁସାରେ ମାଆ ଫଳ ପ୍ରଦାନ କରି ଥାନ୍ତି । ମନସା ମାତାଙ୍କ ସପ୍ତ ନାମ ଜପ କଲେ ସର୍ପ ଭୟ ରହେ ନାହିଁ । ମାଆ ମନସାଙ୍କ ବିଭିନ୍ନ ନାମ ଅଛି ଯଥା ବୈଷ୍ଣବୀ, ଜରତ୍କାରୁ, ଜଗତଗୌରୀ, ଶୈବୀ, ନାଗେଶ୍ଵରୀ, ନାଗଭଗ୍ନୀ, ଜରତ୍କାରୁପ୍ରିୟା, ଆସ୍ତିକ ମାତା ଓ ବିଷ ହାରୀ। ମନସା ଦେବୀଙ୍କ ଉତ୍ପତ୍ତି ପୂର୍ବରୁ ପୃଥିବୀପୃଷ୍ଠରେ ସର୍ପପୂଜା ହେଉନଥିଲା । ତାଙ୍କର ଆବିର୍ଭାବ ପରେ, ମନୁଷ୍ୟ ମାନଙ୍କ ଦ୍ବାରା ସର୍ପପୂଜାର ଆରମ୍ଭ ହେଲା ।
ଆସ୍ତିକ ନାମରେ କଟେ କାଳସର୍ପ ଭୟ ।
ଜୟ ସର୍ପଦେବୀ ମାତା ମନସାଙ୍କ ଜୟ ।।
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ – 7693091971