22nd July 2024
– ସୁଷମା ଦାଶ୍
ଦୁଆର ମୁହଁରୁ ଥାଇ ମୁଁ ଟିକେ ତାଙ୍କ ରୁମ ଭିତରକୁ ଝୁଙ୍କି ଚାହିଁଲି। ମୋ ନଜରରେ ଆଗେ ପଡିଗଲା ତାଙ୍କ ଗୋରା ଗୋରା ଦୁଇଟି ଅନାବୃତ ଗୋଡ଼ ଉପରେ । କ୍ଷଣିକ ପାଇଁ ବନ୍ଦ ହେଇଗଲା ମୋ ନିଶ୍ୱାସ। ଫାଡ଼ି ହେଇଗଲା ଆଖି ବିସ୍ମୟରେ ! ନର୍ସଟେ ମୋତେ ଭିତରକୁ ଯିବାକୁ ବାରଣ କଲାରୁ ମୁଁ ଦୂରେଇ ଆସିଲି ।
ଏଇ କିଛି ଦିନ ତଳେ କଥା ହେଇକି ଯାଇଥିଲି । ରୁମକୁ ପଶୁ ପଶୁ ସେ ଅଭିମାନରେ କହିଲେ, -କଣ ଏତେ ଦିନ ପରେ ମୋ କଥା ମନେ ପଡ଼ିଲା ? ତାଙ୍କ ଆଖିର ଖୁସି ଓ ଅଭିମାନରେ ମୁଁ ପୁଲକିତ ହେଇ ଉଠିଲି। କାହାର ହୃଦୟର ଏତେ ନିକଟ ହେବା କେଉଁ କମ୍ କଥା କି ?
ଏବେ ବି ମନେ ଅଛି ସେ ସଜଫୁଟା ହସ ଟିକକ ଯାହା ତାଙ୍କ ଓଠରୁ ମୋ ଓଠକୁ ସଂଚରି ଆସିଥିଲା। ଆଉ ସେଇ ହସ ବି ସଂକ୍ରମିତ ହେଇଥିଲା ତାଙ୍କ ପୁଅ ଓଠକୁ।
ତାଙ୍କ ପୁଅ ଆର୍ଶ୍ଚଯ୍ୟ ମିଶା ଖୁସିରେ କହିଲେ ବୋଉ କେତେ ଦିନ ହେଲା ଅସୁସ୍ଥ ଅଛି। କଥା ହେଉନି। ଆପଣଙ୍କୁ କେମିତି କହିଲା “ଏତେ ଦିନ ପରେ ଆସିଲ ବୋଲି।” ମୁଁ ବି ତାଜ୍ଜୁବ ହେଲି ତାଙ୍କ କଥା ଶୁଣି।
ସେଦିନ ଢେର ବିଳମ୍ବିତ ରାତିରେ ମୁଁ ଫେରିଥିଲି ସେଇଠୁ ସୁଖ ଦୁଃଖ ହେଇ।
ବେଡ଼ରେ ଲାଗିଥିଲା କ୍ୟାଥେଟର୍, ସାଲାଇନ, ରୁମ ଭିତରରେ ଡେଟଲର ବାସ୍ନା। ସେ ସାମାନ୍ୟ ହଲଚଲ ହେଲେ କିନ୍ତୁ ବନ୍ଦ ଥିଲା ତାଙ୍କ ଆଖି। ହୁଏତ ତାଙ୍କୁ କିଛି ଆଭାସ ମିଳିଲା କି କଣ ?
ମୋ ପାଟିରୁ ପଦେ କଥା ବି ବାହାରୁ ନଥିଲା। ତାଙ୍କ ପୁଅ କହୁଥିଲେ ମାଆ କାଲି ରାତିରୁ ଆଉ ଆଖି ଖୋଲୁନି। ବହୁତ ସିରିଅସ୍ ।ଭେଣ୍ଟିଲେଟରରେ ସେ। ଡାକ୍ତର ପଲ୍ସ୍ ପାଉ ନାହାଁନ୍ତି। ଧୀରେ ଧିରେ କମୁଛି ବିପି। ଅଚାନକ ଏମିତି ହେଇଯିବ ବୋଲି ମୁଁ ଭାବିନଥିଲି। ତାଙ୍କୁ ଏପରି ଦେଖି ମୋତେ ବି କଷ୍ଟ ହେଲା।
ଆହାଃ …
ଲାଗିଲା ଯେମିତି ଅଶି ବୟସର ନୁହଁ ଆଠ ବର୍ଷ ବୟସର ସୁକୁମାରୀ ଝିଅଟେ ଶୋଇଛି ବିଛଣାରେ। ମୁଁ ତାଙ୍କ ମୁଣ୍ଡକୁ ଟିକେ ଆଉଁଶି ଦେବାକୁ ଚାହୁଁଥିଲି। ଥରେ ତାଙ୍କୁ ଅତି ପାଖରୁ ଦେଖିବାକୁ ଚାହୁଁଥିଲି, ସମଗ୍ର ଶରୀରରେ ଟିକେ ହାତ ବୁଲାଇ ତାଙ୍କୁ ଛୁଇଁଯିବାକୁ, ହେଲେ ଛୁଇଁପାରୁ ନଥିଲି।
ନୀରବରେ ବସି ପଡ଼ିଲି ତାଙ୍କ ପୁଅ ପାଖରେ କ୍ଷଣେ।
ଟିଭିରେ ଚାଲିଥିଲା ନ୍ୟୁଜ । ପୁଅଟେକୁ ଘୋଷାରି ନେଇଯାଉଥିଲେ ଦଳେ ଲୋକ ଦୂରକୁ, ବାପାଙ୍କୁ ମୁଖାଗ୍ନି ଦେବାରୁ ବଞ୍ଚିତ କରି। ଲାଶ୍ ପଡିଥିଲା ସେମିତି। ବିକଳ କ୍ରନ୍ଦନ ଦୃଶ୍ୟରେ ଫାଟି ପଡୁଥିଲା ସମଗ୍ର ପରିବେଶ।
ମୁଁ ଗମ୍ଭୀର ଥିଲି, ଶବ୍ଦର ଅଭାବ ଥିଲାକି ମୋ ପାଖରେ ସାନ୍ତ୍ୱନା ଦେବାପାଇଁ….
ସୁଷମା ଦାଶ୍
ଗପ ସହ ଟିଭି ନ୍ଯୁଜ୍ ଦୃଶ୍ଯକୁ ଯୋଡ଼ିବାର କାରଣ ବୁଝି ପାରିଲିନି।