ମନୁଆ ଠାକୁରଙ୍କ ପାନୁଆ ଭକ୍ତ

Share it

ମନୁଆ ଠାକୁରଙ୍କ ପାନୁଆ ଭକ୍ତ

ଜଗନ୍ନାଥ ସ୍ବପ୍ନରେ ସାଧୁ ଚକେଇଙ୍କୁ ସେ କହିଲେ ତୁ ଗୋଟିଏ ଛୋଟ ପାନ ଦୋକାନ କର, ସେଥିରୁ ଯାହା ରୋଜଗାର ହେବ ସେଥିରେ ତୁ ସୁଖରେ ଚଳିଯିବୁ ।

ପଞ୍ଚଦଶ ଶତାବ୍ଦୀର କଥା, ଦକ୍ଷିଣ ଭାରତର ଏକ କ୍ଷୁଦ୍ର ପଲ୍ଲୀଗ୍ରାମରେ ବାସକରୁଥିଲେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ ଚକେଇ ଦାସ । ଅତ୍ୟନ୍ତ ଦରିଦ୍ର ଚକେଇ ଦାସ ମାଧୁକରି ଭିକ୍ଷାକରି ଚଳନ୍ତି ଓ ମହାପ୍ରଭୁଙ୍କ ଭଜନ କୀର୍ତ୍ତନ କରି କାଳ କାଟନ୍ତି ।

ଦିନେ ଚକେଇଙ୍କ ଇଚ୍ଛା ହେଲା, ଯାଉଛି ଶ୍ରୀକ୍ଷେତ୍ର ଚାଲି ଯିବି । ସେଇଠି ରହି ମହାପ୍ରଭୁଙ୍କୁ ନିତ୍ୟଦର୍ଶନ କରିବି ଓ ମହାପ୍ରସାଦ ସେବନ କରି କାଳ କଟାଇବି ।

ଏପରି ବିଚାର କରି, ଚକେଇ ପଦ ବ୍ରଜରେ ଯାତ୍ରା ଆରମ୍ଭ କରିଦେଲେ ଉତ୍କଳ ଅଭିମୁଖେ । ବହୁଦିନ ପଥଶ୍ରମକରି ସେ ଆସି ଦିନେ ଶ୍ରୀକ୍ଷେତ୍ର ଧାମରେ ପହଞ୍ଚିଲେ ଏବଂ ଅନ୍ୟ ସାଧୁମାନଙ୍କପରି ସେ ବଡ଼ ଦାଣ୍ଡରେ ଛତାଟିଏ ପୋତି ବାସ କଲେ । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ କରି ସାଧୁ ଚକେଇ ଦାସ ପରମ ତୃପ୍ତିରେ ଶ୍ରୀକ୍ଷେତ୍ରରେ ନିବାସ କରିବାକୁ ଲାଗିଲେ ।

ଏମିତି କିଛିଦିନ ଚାଲିଗଲା । ଭିକ୍ଷାମାଗି ପାଖରେ ଯାହା କଉଡ଼ି ଥିଲା ସରିଗଲା । ଆଉ ମହାପ୍ରସାଦ ଖାଇବେ କିପରି !! ମାଗଣାରେ କିଏ ମହାପ୍ରସାଦ ଦେବ !! ଅତି ଖିନ୍ନ ମନା ହୋଇ ସେ ମହାପ୍ରଭୁଙ୍କୁ ଦୁଃଖ ଜଣାଇଲେ । ଚକେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ ! ମୋତେ କିଛି ଉପାୟ କହିଦିଅ ଯେପରିକି ମୁଁ କ୍ଷେତ୍ରରେ ରହି ମହାପ୍ରସାଦ ସେବା କରି ପାରିବି ।

ଭାବଗ୍ରାହୀ ଭକ୍ତର ଡାକ ଶୁଣିଲେ । ସ୍ବପ୍ନରେ ସାଧୁ ଚକେଇଙ୍କୁ ସେ କହିଲେ ତୁ ଗୋଟିଏ ଛୋଟ ପାନ ଦୋକାନ କର, ସେଥିରୁ ଯାହା ରୋଜଗାର ହେବ ସେଥିରେ ତୁ ସୁଖରେ ଚଳିଯିବୁ ।

କଥାଟା ଦାସଙ୍କ ମନକୁ ପାଇଲା । ପାଖରେ ଥିବା ଅଳ୍ପକିଛି ପଇସା ଲଗାଇ ସିଂହଦ୍ଵାର ନିକଟରେ ପାନ ଦୋକାନଟିଏ ଖୋଲିଲେ । ଦୋକନଟି ମହାପ୍ରଭୁଙ୍କ କୃପାରୁ ଖୁବ୍ ଭଲ ଚାଲିଲା, ଦିପଇସା ରୋଜଗାର କରି ଦାସେ ଆଶ୍ବସ୍ତ ହେଲେ ।

ତାମ୍ବୁଳପ୍ରୀୟ ପାନରସିକ ମହାପ୍ରଭୁଙ୍କର ଚକେ଼ଇ ଦାସଙ୍କ ପାନ ଖାଇବା ପାଇଁ ଭାରି ଶ୍ରଦ୍ଧା ବଳିଲା । ସେ ବଡ଼ଭାଇ ବଳରାମଙ୍କୁ ସାଙ୍ଗରେ ଧରି ଦୁଇଟି ବାଳକ ବେଶରେ ଆସି, ଚକେଇଙ୍କ ଦୋକାନରେ ପହଞ୍ଚି କହିଲେ, ଦିଅ ଆମକୁ ପାନ ଦିଅ । ଡଉଲ ଡାଉଲ କଳାଧଳା ବାଳକ ଦୁଇଟିଙ୍କୁ ଦେଖି ଦାସେ କହିଲେ, ଆରେ ତମେ ଛୁଆ ଦୁଇଟା କଅଣ ପାନ ଖାଇବ, ଛୋଟପିଲା କଅଣ ପାନ ଖାଆନ୍ତି । ଦୁଇ ବାଳକ ନଛୋଡ଼ବନ୍ଧା, ସେମାନେ କଅଣ ସହଜେ ଛାଡ଼ନ୍ତି ଚକେ଼ଇ ବାବାଙ୍କୁ ।

ଦୁଇ ବାଳକ କହିଲେ, ଆମେ କଅଣ ଏମିତି ସେମିତିକା ପାନ ଖାଉ କି ? ଆମକୁ ଚନ୍ଦନ ଚୂଆ ଲଗା, ଗୁଜୁରାତି, ଅଳେଇଚ ଲବଙ୍ଗ ଆଦି ଚଉଷଠି ମସଲା ଦିଆ ପାନ ଦିଅ ।

ପିଲା ଦୁଇଟିଙ୍କ ବରାଦ ଦେଖି ଚକେ଼ଇ ଆଶ୍ଚର୍ଯ୍ୟ । ଯାହା ହେଉ, ବୁଢ଼ା ବରାଦ ମୁତାବକ ପାନ ଭାଙ୍ଗି ଦେଲା, ପିଲା ଦୁଇଟି ଅତି ଆନନ୍ଦରେ ପାନ ଖଣ୍ଡେ ଲେଖାଁଏ କଳରେ ଯାକି ଦେଇ ଚାଲିଲେ ।

ପିଲା ଦୁଇଟି ଚାଲି ଯାଉଛନ୍ତି ଦେଖି ଦାସେ ପାଟି କରି ଡାକିଲେ, ଆରେ ମୋ ପଇସା ଦେଇ ଯାଆ । ପିଲା କହିଲେ, କି ପଇସା ! ସେ ପଇସା ଫଇସା କଥା ଆମେ କିଛି ଜାଣୁନା । ସେସବୁ ଆମ ବାପା ବୁଝନ୍ତି । ସେ ତୁମର ପଇସା ଦେଇଦେବେ ।

ବୁଢ଼ା କୌଣସି ମତେ ବିଶ୍ୱାସ କରି ତାଙ୍କୁ ଛାଡ଼ିଦେଲା । ପିଲା ଦୁଇଟି ଆଖି ପିଛୁଳାକେ କୁଆଡ଼େ ଅଦୃଶ୍ୟ ହୋଇଗଲେ ।

ଏହି ଭଳି କିଛି ଦିନ ଚାଲିଲା । ପିଲା ଦୁଇଟି ସବୁ ଦିନେ ଆସି ପାନ ଖାଆନ୍ତି ପଇସା ନଦେଇ ବାପା ଦେବେ ବୋଲି କହି ଚାଲି ଯାଆନ୍ତି ।

ଦାସେ ଆଉ କେତେଦିନ ସମ୍ଭାଳିବେ, ଦିନେ ସେ ଅଡ଼ି ବସିଲେ ଆରେ ବଗୁଲିଆ ଟୋକା, ଆଜି ମୋ ପଇସା ସବୁ ଦେଇକରି ଯାଅ । ଦୁଇମାସ ହେଇଗଲାଣି ତମେ ନିତି ମତେ ଠକି ଚାଲିଛ ।

ପିଲା ଦୁଇଟି କହିଲେ, ଆମ ବାପା ତ ସବୁ ଦିନେ ଆସୁଛନ୍ତି ତମ ପଇସା ନ ଦେଲେ କିପରି ? ତୁମେ ତାଙ୍କ ଠୁଁ ମାଗି ନେଲ ନାହିଁ କାହିଁକି ? ବୁଢ଼ା ରାଗି ଯାଇ କହିଲା, ଆରେ ଗାଲୁଆ, ତମ ବୋପା ନିତି ଆସୁଛନ୍ତି ! କହିଲ ତ ସିଏ ଦେଖିବାକୁ କେମିତି ?

ପିଲାଏ କହିଲେ ଆମ ବାପା ବାଜାରୋଷଣୀ ନେଇ ହାତୀ ଉପରେ ବସି ବଡ଼ ପଟୁଆର ଘେନି ଆସନ୍ତି । ସାମ୍ନାରେ ତାଙ୍କର ଆଲଟଚାମର ପଡ଼ୁଥାଏ । ହଉ ଆଜି ପାନ ଦିଅ । ଯଦି ବିଶ୍ୱାସ ନ ହେଉଛି ତେବେ ଆମ ଏହି ପାଟ ଗାମୁଛା ଦୁଇଖଣ୍ଡ ରଖ । କାଲିକୁ ବାପା ଆସିଲେ ତାଙ୍କୁ କହି, ତୁମ ପଇସା ସବୁ ନେଇନେବ ।

ବୁଢ଼ା ବିଶ୍ୱାସ କରି ପାନ ଭାଙ୍ଗିଦେଲା । ପିଲାଦ୍ୱୟ ପାନ ଖାଇ ଖୁସି ହୋଇ ଚାଲିଗଲେ ।

ପରଦିନ ଠାକୁରଙ୍କର ମଧ୍ୟାହ୍ନ ଧୂପ ଲାଗି ହେଲା । କିନ୍ତୁ ଏ କଅଣ, ଠାକୁରଙ୍କ ଦେହରେ ଯେ ଖଣ୍ଡୁଆ ପାଟ ଉତ୍ତରୀୟ ନାହିଁ, ଉତ୍ତରୀ ବିନା ଭୋଗ ଲାଗି ହେବ କିପରି !

ବହୁ ଖୋଜା ଖୋଜି ହେଲା । କିନ୍ତୁ କେଉଁଠି ହେଲେ ମିଳିଲାନାହିଁ । ଶେଷରେ ଏକଥା ରାଜାଙ୍କୁ ଜଣାଇ ଦିଆଗଲା ।

ସମ୍ବାଦ ପାଇ, ଠାକୁର ରାଜା ଥାଟ ପଟୁଆର ଧରି ଧାଇଁଲେ ଶ୍ରୀମନ୍ଦିରକୁ l ଅଦୂରରେ ହାତୀ ଉପରେ ରାଜା ଆସୁଥିବାର ଦେଖି ଚକେଇ ଭାବିଲେ, ଏହି ବୋଧହୁଏ ପିଲାମାନଙ୍କ ବାପା ଆସିଗଲେ l ସିଂହ ଦ୍ଵାରରେ ରାଜା ପହଞ୍ଚିବାକ୍ଷଣି ସେ ଦୋଉଡ଼ି ଯାଇ କହିଲେ, ଆଜ୍ଞା ! ତୁମ ପିଲା ଦୁଇଜଣ ମୋ ଠାରୁ ଦୁଇ ମାସ ହେଲା ପାନ ଖାଇ ବାପା ଦେଇଦେବେ କହି ପଇସା ବାକିରଖିଛନ୍ତି । ଆପଣ ମୋ ପଇସା ଦେଇ ଯାଆନ୍ତୁ ।

ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, କଅଣ ତୁମେ କହୁଛ, ମୋ ପିଲା, ପୁଣି ତୁମଠାରୁ ପାନ ଖାଇଛନ୍ତି ।

ଦାସେ କହିଲେ, ହଁ ଆଜ୍ଞା କାଲି ପରା ହେଇ କଳା ଧଳା ସେଇ ପିଲା ଦୁଇଟି ପାନ ଖାଇ ଏ ଗାମୁଛା ଦୁଇଖଣ୍ଡ ବନ୍ଧା ରଖି ଯାଇଛନ୍ତି । କହି ଯାଇଛନ୍ତି କାଲି ଆମ ବାପା ହାତୀରେ ବସି ପଟୁଆରରେ ଆସିବେ, ତାଙ୍କୁ ଗାମୁଛା ଦେଇ ତୁମ କଉଡ଼ି ନେଇଯିବ ।

ବୃଦ୍ଧ ଚକେଇ ଦାସଙ୍କ ହାତରେ ମହାପ୍ରଭୁଙ୍କ ପାଟ ଉତ୍ତରୀୟ ଦେଖି ରାଜାଙ୍କ ଚକ୍ଷୁରୁ ବୋହି ଚାଲିଲା ଯୁଗପତ୍ ଅଶ୍ରୁ । ସେ ଚକେଇଙ୍କୁ କୋଳାଗ୍ରତ କରି କହିଲେ, “ଧନ୍ୟହେ ତୁମେ ଚକେଇ ଦାସ । ତୁମେ ସ୍ୱହସ୍ତରେ ମହାପ୍ରଭୁଙ୍କୁ ବିଡ଼ିଆ ଭୁଞ୍ଜାଇ ପାରିଲ, ଧନ୍ୟ ଧନ୍ୟ ତୁମେ ଭକ୍ତ ଶିରୋମଣି” ।

ଭାବ ଗଦଗଦ ହୋଇ ପଡ଼ିଲେ, ଚକେଇ ଦାସେ । ତାଙ୍କ ଚକ୍ଷୁରୁ ମଧ୍ୟ ବହି ଚାଲିଲା ଅନନ୍ଦାଶ୍ରୁ, ଆଉ କଉଡ଼ି ନେବେ କ’ଣ । ରାଜା ଯାଚିବାରୁ ଚକେଇ କହିଲେ, ” ଆଉ ମୋ’ର କଉଡ଼ି ଦରକାର ନାହିଁ ।

ଏଇଠି ମୋତେ ଗୋଟିଏ ଯାଗା ଦିଅ, ମୁଁ କେବଳ ମହାପ୍ରଭୁଙ୍କ ପାଇଁ ପାନ ଭାଙ୍ଗି ଯୋଗାଇବି । ସବୁ ଦିନ ପାଇଁ, ମୋ ମହାପ୍ରସାଦ ପାଇବାର ବ୍ୟବସ୍ଥା କରିଦିଅ ।

ତାହାହିଁ ହେଲା । ରାଜା ମନ୍ଦିରକୁ ଲାଗି ଚକେଇ ଦାସଙ୍କ ପାଇଁ ଏକ ଘର ତୋଳିଦେଲେ । ଚକେଇଦାସଙ୍କ ସେହି ବସାଘର ଏବେ ବଡ଼ଛତା ମଠ ନାମରେ ଶ୍ରୀକ୍ଷେତ୍ରରେ ବିଦ୍ୟମାନ ।

ଚକେଇ ବାବା ଛତା ତଳେ ପାନ ବିକୁ ଥିବାରୁ ଏହି ମଠର ନାମକରଣ ଏପରି ହୋଇଛି ବୋଲି ବିଶ୍ୱାସ କରା ଯାଏ ।

ଏଠାରେ ପ୍ରକାଶ ଥାଉ କି, ପୂର୍ବ କାଳରେ ବଡ଼ ଦାଣ୍ଡରେ ସାଧୁସନ୍ଥ ମାନେ ଛତା ପୋତି ବାସ କରୁଥଲେ । ଏଣୁ ସାରିଆ ଭିକ ଗାଇଥିଲେ:-

    ପହଞ୍ଚିବା ବଡ଼ଦାଣ୍ଡେ,
    ସେ ରେଣୁ ପାଇବା ତୁଣ୍ଡେ ।
    ଛତାତଳେ ରହି ଦଣ୍ଡେ
    ସାଧୁଙ୍କ ସେବା କରିବା ।।

ଜୟ ଜଗନ୍ନାଥ
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971

(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।

https://play.google.com/store/apps/details?id=com.esulekha.magazine)


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights