ମଦ ମୁକ୍ତ ଓଡ଼ିଶା ସମ୍ଭବ କି ?

Share it

ଖୋଲା ବିଚାର
29th August 2024

ପିସି ଖୋର୍, ମଦ ପଇସା ଖୋର୍, ସମ୍ବିଧାନ ବିରୋଧୀ, ହୀନବୀର୍ଯ୍ଯା, ଅକଲ ହୀନ ଓଡିଶା ସରକାର ଓ ନେତାମାନଙ୍କ କଥା

– ସରକାରୀ ତଥ୍ୟ ଅନୁସାରେ ଆମ ରାଜ୍ୟରେ ମୋଟ ୪୯୫ଟି ଦେଶୀ ମଦ ଭାଟି ରହିଛି। ପ୍ରାୟ ୨୨ଗୋଟି ଜିଲ୍ଲାରେ ଦେଶୀ ମଦ ରନ୍ଧା ଯାଇ ପ୍ରସ୍ତୁତ ହୁଏ।

– ଗୋଟିଏ ଗୋଟିଏ ବ୍ଲକରେ ୧୫/୨୦ଟି ନକଲି ମଦ ଭାଟି ରହିଛି। ଏହି ଭାଟି ମୁଖ୍ୟତଃ ଜଙ୍ଗଲ ଓ ନଈ ପଠା ମାନଙ୍କରେ ହିଁ ମୁଣ୍ଡ ଟେକିଛି।

– ରନ୍ଧା ଦେଶୀ ମଦକୁ ଆହୁରି ବେଶି ନିଶାଯୁକ୍ତ କରିବା ପାଇଁ ମାଫିଆ ମାନେ ଏଥିରେ ମିଥାଇଲ ମିଶାଉଛନ୍ତି। ଏହି ମିଥାଇଲ ଅତ୍ୟନ୍ତ ବିଷାକ୍ତ।

– ଦଶ ମିଲିଲିଟର ମିଥାଇଲ ସେବନ ଜଣେ ବ୍ୟକ୍ତିଙ୍କୁ ଅନ୍ଧ କରିଦେଇ ପାରେ। ଜଣେ ଯଦି ତିରିଶ ମିଲିଲିଟର ମିଥାଇଲ ସେବନ କଲେ ସେ ନିଶ୍ଚିତ ଭାବେ ମରିଯିବ।

– ଭାରତରେ ୧୫ବର୍ଷରୁ ଅଧିକ ବୟସର ୧୮.୮ ପ୍ରତିଶତ ପୁରୁଷ ମଦ୍ୟ ପାନ କରୁଥିବା ବେଳେ ଓଡ଼ିଶାର ୨୮.୮ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି।

– ସର୍ବ ଭାରତୀୟ ସ୍ତରରେ ୧୫ବର୍ଷରୁ ଅଧିକ ବୟସର ୧.୩ ପ୍ରତିଶତ ମହିଳା ମଦ୍ୟ ପାନ କରୁଥିବା ବେଳେ ଓଡ଼ିଶାର ୪.୩ ପ୍ରତିଶତ ମହିଳା ମଦ୍ୟ ପାନ କରୁଥିବା ଜଣା ପଡ଼ିଛି।

– ୧୯୫୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏପରି ଆଇନ ଆଣିଥିଲେ। ଆଇନ ଅନୁଯାୟୀ ମଦ ପ୍ରସ୍ତୁତି, ବିକ୍ରି ଓ ସେବନ ସମ୍ପୂର୍ଣ ବନ୍ଦର ପ୍ରାବଧନ ଥିଲା। କିନ୍ତୁ ଏହି ଆଇନ ଲାଗୁ ହୋଇ ପାରିଲା ନାହିଁ।

– ୧୯୯୪ ମସିହା ଏପ୍ରିଲ ୧୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ସରକାର ଓଡ଼ିଶାରେ ଦେଶୀ ମଦ ବ୍ୟାନ କରିଥିଲେ।

– ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ୨୦୦୧ ମସିହାରେ ଦେଶୀ ମଦ ଉପରେ ଥିବା ଵ୍ୟାନକୁ ସମ୍ପୂର୍ଣ ଭାବରେ ହଟାଇ ଦେଇ ଥିଲେ।

– ୨୦୧୧_୧୨ ଆର୍ଥିକ ବର୍ଷରେ ମଦରୁ ୧୩୫୦ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିଲେ। ସେହି ବର୍ଷ ରାଜସ୍ୱ ଆଦାୟ ହୋଇଥିଲା ୧୩୭୯.୯୧କୋଟି ଆଦାୟ ହୋଇଥିଲା।

– ୨୦୨୩-୨୪ ଆର୍ଥିକ ବର୍ଷରେ ୭୮୦୦ କୋଟି ମଦ ରାଜସ୍ୱ ଆଦାୟ ହୋଇଛି ।

– ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ୮୫୦୦ କୋଟି ଟଙ୍କାର ରାଜସ୍ବ ଆଦାୟ ହେବାର ଲକ୍ଷ୍ୟ ରହିଛି।

ମଦକୁ ନେଇ କେତେ କେତେ ରାଜନୀତି ଆମ ରାଜ୍ୟ ଓଡ଼ିଶାରେ। ଗାଆଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ମଦକୁ ନେଇ ଚର୍ଚ୍ଚା ଚାଲିଛି। ରାତି ପାହି ସକାଳ ହେଲେ ପ୍ରାୟ ସବୁ ଖବର କାଗଜ ପୃଷ୍ଠାରେ ମଦ ବିଭୀଷିକା ଖବର ପଢ଼ିବାକୁ ମିଳେ। କେଉଁ ସ୍ଥାନରେ କେତେ କେତେ ଲୋକ ମଦ ପିଇ ମୃତ୍ୟୁବରଣ କରିଛନ୍ତି , ଏହି ଖବର ରେ ସମସ୍ତେ ଶୋକାକୁଳ ଓ ବିବ୍ରତ ହୁଅନ୍ତି। ସରକାର ମଧ୍ୟ ଚାପଗ୍ରସ୍ତ ହୁଅନ୍ତି। ଉଭୟ ଦେଶୀ ଓ ବିଦେଶୀ ମଦ ପିଇ ଆମର ଯୁବ ପିଢ଼ି ବାଟବଣା ହୋଇଯାଇଛି। ଅବଶ୍ୟ ସରକାରଙ୍କ ରାଜକୋଷ ସିନା ବଢୁଛି, ହେଲେହେଁ ଅକାଳରେ ବହୁ ଲୋକେ ମଦ ଜନିତ ମୃତ୍ୟୁ ର ଶିକାର ହୋଇ ଅକାଳରେ ଝଡି ପଡ଼ୁଛନ୍ତି। ରାଜସ୍ୱ ହାନି ଚିନ୍ତାରେ ସରକାର କିଛି ବଡ ଧରଣର ନିଷ୍ପତ୍ତି ଗ୍ରହଣ କରିପାରୁ ନାହାଁନ୍ତି। ମଦ ମୁକ୍ତ ଓଡ଼ିଶା ଏବେ ବି ସ୍ବପ୍ନ ପରି ମନେ ହୁଏ।। ଏବେ ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଧରଣର ମଦ ଉତ୍ପନ୍ନ ହୋଇ ଜନ ମାନସକୁ ବିଭ୍ରାନ୍ତିକର ପରିସ୍ଥିତିରେ ପକାଉଛି।

ପଶ୍ଚିମ ଓଡ଼ିଶା ବର୍ତ୍ତମାନ ମହୁଲି ମଦରେ ଝୁମୁଛି। ସରକାରୀ ତଥ୍ୟ ଅନୁସାରେ ଆମ ରାଜ୍ୟରେ ମୋଟ ୪୯୫ଟି ଦେଶୀ ମଦ ଭାଟି ରହିଛି। ପ୍ରାୟ ୨୨ଗୋଟି ଜିଲ୍ଲାରେ ଦେଶୀ ମଦ ରନ୍ଧା ଯାଇ ପ୍ରସ୍ତୁତ ହୁଏ। ପଶ୍ଚିମ ଓଡ଼ିଶା ର ଆଦିବାସୀ ମାନେ ମହୁଲ ଫୁଲରୁ ଯେଉଁ ମଦ ତିଆରି କରନ୍ତି ତାହାକୁ ମହୁଲି କୁହାଯାଏ। ଉପକୂଳ ବର୍ତ୍ତି ଜିଲ୍ଲା ମାନଙ୍କରେ ଚାଉଳ ରୁ ପ୍ରସ୍ତୁତ ଦେଶୀ ରନ୍ଧା ମଦ ବିକ୍ରୟ ହେଉଛି। ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ନକଲି ମଦ ଭାଟି ଭର୍ତ୍ତି ହୋଇ ରହିଛି। ଏପରିକି ଗୋଟିଏ ଗୋଟିଏ ବ୍ଲକରେ ୧୫/୨୦ଟି ନକଲି ମଦ ଭାଟି ରହିଛି। ଏହି ଭାଟି ମୁଖ୍ୟତଃ ଜଙ୍ଗଲ ଓ ନଈ ପଠା ମାନଙ୍କରେ ହିଁ ମୁଣ୍ଡ ଟେକିଛି। କାରଣ ଏହି ସ୍ଥାନ ଗୁଡ଼ିକ ହେଉଛି ମଦ୍ୟପାନକରୁଥିବା ଲୋକଙ୍କ ଆଡ୍ଡାସ୍ଥଳୀ ।

ନକଲି ଭାଟିରେ ଦେଶୀ ମଦର ପ୍ରସ୍ତୁତ ପ୍ରଣାଳୀ ପ୍ରାୟ ସମାନ ଅଟେ। କିନ୍ତୁ ମହୁଲକୁ ଜଲଦି ପଚାଇବା ପାଇଁ ମଦ ମାଫିଆ ମାନେ ୟୁରିଆ ସାର, ବାଖର ପାଉଡର ଭଳି ରସାୟନକୁ ପାଣିରେ ପକାଉଛନ୍ତି। ଏହା ବ୍ୟତୀତ ଦେଶୀ ମଦକୁ ଆହୁରି ବିଷାକ୍ତ କରିବା ଓ ନିଶାଯୁକ୍ତ କରିବା ନିମନ୍ତେ ଏଥିରେ କୋଚିଲା ମଞ୍ଜି ଓ ଧାତୁରା ମିଶାଉଛନ୍ତି।

ଏହି ରନ୍ଧା ଦେଶୀ ମଦକୁ ଆହୁରି ବେଶି ନିଶାଯୁକ୍ତ କରିବା ପାଇଁ ମାଫିଆ ମାନେ ଏଥିରେ ମିଥାଇଲ ମିଶାଉଛନ୍ତି। ଏହି ମିଥାଇଲ ଅତ୍ୟନ୍ତ ବିଷାକ୍ତ। ଦଶ ମିଲିଲିଟର ମିଥାଇଲ ସେବନ ଜଣେ ବ୍ୟକ୍ତିଙ୍କୁ ଅନ୍ଧ କରିଦେଇ ପାରେ। ଜଣେ ଯଦି ତିରିଶ ମିଲିଲିଟର ମିଥାଇଲ ସେବନ କଲେ ସେ ନିଶ୍ଚିତ ଭାବେ ମରିଯିବ।

ଏହା ଆଦୌ ଗ୍ରହଣୀୟ ନୁହେଁ। ଏହାର ମିଶ୍ରଣ ମଦକୁ ଅଧିକ ବିଷାକ୍ତ କରେ ଏବଂ ଏହି ମଦ ପିଇ ବହୁ ଲୋକ ମୃତ୍ୟୁ ବରଣ କରନ୍ତି। ୧୯୯୨ ମସିହାରେ କଟକରେ ୨୫୦ ଜଣ ମରିଥିଲେ। ଏବେ ଏହା ଚିକିଟିରେ ତାହାର ତାଣ୍ଡବ ଲୀଳା ରଚିଲାଣି। ଧୀରେ ଧୀରେ ପୁରୀ ଖୋର୍ଦ୍ଧା ବଲାଙ୍ଗୀର ଓ ଭଦ୍ରକ କୁ ବି ବ୍ୟାପି ଗଲାଣି।

ଏକ ଅନୁସନ୍ଧାନ ଓ ସର୍ଭେରୁ ଜଣାପଡିଛି ଯେ ମଦ୍ୟ ପାନରେ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ଆଗରେ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟପକ୍ଷରୁ ୨୦୧୯ରୁ ୨୦୨୧ଭିତରେ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ _୫ଅନୁସାରେ ଭାରତରେ ୧୫ବର୍ଷରୁ ଅଧିକ ବୟସର ୧୮.୮ପ୍ରତିଶତ ପୁରୁଷ ମଦ୍ୟ ପାନ କରୁଥିବା ବେଳେ ଓଡ଼ିଶାର ୨୮.୮ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି। ସର୍ବ ଭାରତୀୟ ସ୍ତରରେ ୧୫ବର୍ଷରୁ ଅଧିକ ବୟସର ୧.୩ପ୍ରତିଶତ ମହିଳା ମଦ୍ୟ ପାନ କରୁଥିବା ବେଳେ ଓଡ଼ିଶାର ୪.୩ପ୍ରତିଶତ ମହିଳା ମଦ୍ୟ ପାନ କରୁଥିବା ଜଣା ପଡ଼ିଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଲୋକ ମଦ୍ୟ ପାନ କରୁଛନ୍ତି।

ଆମ ସମ୍ବିଧାନର ଚତୁର୍ଥ ଅଧ୍ୟାୟ ଅଧୀନରେ ଥିବା ରାଷ୍ଟ୍ରର ନିର୍ଦ୍ଧେଶ ମୂଳକ ନୀତି ସମୂହର ଧାରା ୪୭ରେ କୁହା ଯାଇଛି ଯେ ସାଧାରଣ ଜନତାଙ୍କ ପୋଷଣ କ୍ଷମତା, ଜୀବନ ଧାରା ଓ ଉତ୍ତମ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ସରକାରଙ୍କ ଏକ ପ୍ରାଥମିକ ଦାୟିତ୍ୱ। ଯଦି ରାଜ୍ୟ ସରକାର ମାନେ ଚାହିଁବେ, ତେବେ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ଯେ କୌଣସି ନିଶା ଦ୍ରବ୍ୟକୁ ବନ୍ଦ କରି ପାରିବେ।

୧୯୫୬ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏପରି ଆଇନ ଆଣିଥିଲେ। ଆଇନ ଅନୁଯାୟୀ ମଦ ପ୍ରସ୍ତୁତି, ବିକ୍ରି ଓ ସେବନ ସମ୍ପୂର୍ଣ ବନ୍ଦର ପ୍ରାବଧନ ଥିଲା। କିନ୍ତୁ ଏହି ଆଇନ ଲାଗୁ ହୋଇ ପାରିଲା ନାହିଁ।

୧୯୯୨ମସିହା ପୂର୍ବରୁ ୧୯୮୯ମସିହାରେ ଭଦ୍ରକରେ ଏକ ବଡ ଧରଣର ମଦ ମୃତ୍ୟୁ ଘଟଣା ଘଟି ଥିଲା। ମଦକୁ ନିଷେଧ କରିବାକୁ ବହୁ ମହିଳା ସଂଗଠନ ଅଡି ବସିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଗୁରୁତର ସହ ବିଚାରକୁ ନେଇ ଥିଲେ। ୧୯୯୪ ମସିହା ଏପ୍ରିଲ ୧୫ ତାରିଖରେ ଓଡ଼ିଶାରେ ଦେଶୀ ମଦ ବ୍ୟାନ ହୋଇ ଥିଲା। ରାଜ୍ୟରେ ଦେଶୀ ମଦ ରନ୍ଧା ଯାଇ ପାରିବନି କି ବିକ୍ରୟ ହୋଇ ପାରିବ ନାହିଁ।

୧୯୯୫ ମସିହାରେ କଂଗ୍ରେସ ସରକାର ରାଜ୍ୟର ବିପୁଳ ରାଜସ୍ୱ କ୍ଷତି ହେଉଛି ଦର୍ଶାଇ ଏହି ବ୍ୟାନ୍ କୁ ହଟାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମହିଳାଙ୍କ ବିରୋଧ ଯୋଗୁଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିମ୍ନ ମାନର ବିଦେଶୀ ମଦ ନାମରେ ଦେଶୀ ମଦ ପ୍ରଚଳନ ଆରମ୍ଭ କରିଥିଲେ। କିନ୍ତୁ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ୨୦୦୧ମସିହାରେ ଦେଶୀ ମଦ ଉପରେ ଥିବା ଵ୍ୟାନକୁ ସମ୍ପୂର୍ଣ ଭାବରେ ହଟାଇ ଦେଇ ଥିଲେ।

ଯେଉଁ ସରକାର କ୍ଷମତାକୁ ଆସିଲେ ରାଜ୍ୟର ରାଜସ୍ୱ ବୃଦ୍ଧିରେ ଲକ୍ଷ୍ୟ ରଖିଥାନ୍ତି। ୨୦୧୧_୧୨ଆର୍ଥିକ ବର୍ଷରେ ମଦରୁ ୧୩୫୦କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିଲେ। ସେହି ବର୍ଷ ରାଜସ୍ୱ ଆଦାୟ ହୋଇଥିଲା ୧୩୭୯.୯୧କୋଟି ଆଦାୟ ହୋଇଥିଲା।

୨୦୧୨-୧୩ରେ ୧୭୦୦କୋଟିର ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଥିଲେ କିନ୍ତୁ ୧୪୯୯.୧୯କୋଟି ଆଦାୟ ହୋଇଥିଲା।

୨୦୧୫-୧୬ରେ ସରକାର ୧୫୦୦କୋଟି ଲକ୍ଷ୍ୟ ରଖିଥିଲେ, କିନ୍ତୁ କିନ୍ତୁ ଆଦାୟ ହୋଇଥିଲା ୨୫୬୮.୬୮କୋଟି।

୨୦୧୬-୧୭ ଓ୨୦୧୭-୧୮ରେ ଲକ୍ଷ୍ୟ ପୁରଣ ହୋଇ ପାରି ନ ଥିଲା।୨୦୧୮-୧୯ରେ ୩୮୦୦ କୋଟି ଟାର୍ଗେଟ ଥିବା ବେଳେ ଆଦାୟ ହୋଇଥିଲା ୩୯୨୫.୪୧କୋଟି ଟଙ୍କା।

୨୦୧୯-୨୦ ଓ ୨୦୨୦-୨୧ ରେ ଲକ୍ଷ୍ୟ ପୂରଣ ହୋଇ ନ ଥିଲା।୨୦୨୧-୨୨ଆର୍ଥିକ ବର୍ଷରେ ୫୫୦୦କୋଟି ଟାର୍ଗେଟ ଥିବା ବେଳେ ଆଦାୟ ହୋଇଥିଲା ୫୫୨୮.୪୧ କୋଟି ଟଙ୍କା।

୨୦୨୨-୨୩ ରେ ୬୫୦୦ କୋଟି ଟାର୍ଗେଟରୁ ୬୪୫୫.୦୬ କୋଟି ଆଦାୟ ହୋଇଥିଲା।

୨୦୨୩-୨୪ ଆର୍ଥିକ ବର୍ଷରେ ୭୮୦୦ କୋଟି ମଦ ରାଜସ୍ୱ ଆଦାୟ ହୋଇଛି ।

ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ୮୫୦୦ କୋଟି ଟଙ୍କାର ରାଜସ୍ବ ଆଦାୟ ହେବାର ଲକ୍ଷ୍ୟ ରହିଛି।


– ବିଜୟ କୁମାର ଜେନା
ଅବସର ପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି ରଣପୁର ନୟାଗଡ଼


Share it

Leave a comment

Your email address will not be published. Required fields are marked *

Verified by MonsterInsights