ମୋତେ ଯେତେ ମାଠିବୁ ମାଠ

Share it

25th July 2024

– ରତ୍ନାକର ରାଉତ

ତୁମେ ମୋ କାନ ପାଖରେ
ତୂରି ବଜାଅ କି ମହୁରି ବଜାଅ
ଅବା ମାଦଳ ବଜାଅ
ଘଣ୍ଟା, ଘଡ଼ି, ପେଁକାଳି ଯାହା ବଜାଅ
କିବା ରେଳଗାଡ଼ି ଦଉଡ଼ାଅ ମୋ ଆଖ ପାଖରେ
ଘର୍ଘର ନାଦରେ କମ୍ପାଅ ମୋ ଚଉପାଶ
ତଥାପି ମୁଁ ଉଠିବି ନାହିଁ
ମୁଁ ଚେଇଁ ଶୋଇଛି
ମୋତେ କିଏ ଉଠେଇ ପାରିବ

ମୋ ଆଖି ଆଗରେ ଭତ୍ତା ଭାତିଆ ନାନାଦି ସୁବିଧା ସୁଯୋଗର ଲୋଭନୀୟ ମହାକାଳ ଫଳ ପେନ୍ଥା ପେନ୍ଥା ହୋଇ ଝୁଲୁଛି
ଏସବୁ ଦେଖି ସୁଖ ସ୍ବପ୍ନରେ ମୋ ଆଖି ମୁଦି ମୁଦି ଆସୁଛି
ମୋ ଆପଣା ହିତରେ ମୁଁ ଅନ୍ଧ, ବାଇ
ଧୃତରାଷ୍ଟ୍ରଭଳି ମୋ ପରିବାରର ଯାବତୀୟ ଫାଇଦାହିଁ ମୋର ପ୍ରାଥମିକତା
ବାବୁରେ,
ତେଣିକି ତୁମେ ମୋ ବାବଦରେ ଯାହା ଯାହା ଭାବିବା କଥା ଭାବ
ମୋର କିଛି ଯାଏ କି ଆସେନି ସେଥିରେ
ମୋର ନୀତି, ମୋତେ ଯେତେ ମାଠିବୁ ମାଠ
ମୁଁ ସେହି ଦରପୋଡ଼ା କାଠ।

ମୁଁ ମୋ ଯୋଡ଼ାକ ଯାକ ଆଖି ବୁଜି ଦେଇଛି ଆପଣା ସ୍ବାର୍ଥରେ
ଯେପରି ମୋତେ କିଛି ଦିଶୁନି
ମୁଁ କିଛି ଜାଣୁନି
କଣ କଣ ସବୁ ଘଟୁଛି
କିଛି ଶୁଣି ପାରୁନି ।

ମୁଁ ସବୁ ଜାଣୁଛି ବୋଲି କେହି କିଛି ନ ଜାଣନ୍ତୁ
ତେଣୁ ବିଲେଇଟିଏ ପରି ମୁଁ ଆଖି ବୁଜିଦେଇ ଦୁଧ ପିଉଛି
ଶୁଣେ, ତୁମେ କିଏ କିଏ କାହିଁକି ମୋତେ ଉଠେଇବାକୁ ଚାହୁଁଛ
ମୋ ପଛରେ ଲାଗିପଡ଼ିଛ
ବିଭିନ୍ନ ଆଳରେ ମୋତେ କୁଲା ଢାଉଁ ଢାଉଁ ଶୁଣଉଛ
କଣ ଜିଗର ପଡ଼ିଛି ତୁମର

ମୁଁ ଆଖି ଖୋଲି ଉଠିଲେ ତୁମେ କଣ ପାଇବ ସେଥିରୁ
କୁମ୍ଭକର୍ଣ୍ଣ ଭଳି ମୋର ମରଣହିଁ ନିଧାର୍ଯ୍ଯ
ମୋର କେବଳ ଅପୂରଣୀୟ କ୍ଷତିହିଁ କ୍ଷତି ହେବ
ମୋ ପରିବାର ଅବେଳ ବଢ଼ିରେ ଭାସିଯିବେ
ନାନାଦି ଦୁଃଖ ଯନ୍ତ୍ରଣା ପାଇବେ
ତୁମେ ସବୁ ଚେଇଁ ରହି କଣ ଆଲୁଅ କରିପକଉଛ
ଯେଉଁମାନେ ତୁମଭଳି ଆଗରୁ ଚେଇଁ ରହିଥିଲେ
କଣ ଆଲୁଅ କରି ପକେଇ ଗଲେ
ଲୋକେତ’ ଯେଉଁ ତିମିରରେ ଥିଲେ ଏବେ ସେହି ତିମିରରେ
କେବଳ ବଦଳି ଯାଇଛି ବଂଚିବାର ଢଂଗ ଢାଂଗ, ଜିଇଁବାର ତରିକା
ସେପାଇଁ ଜାଣିଜାଣି ମୁଁ ଆଖି ବୁଜି ଦେଇଛି

ବାସ୍ ମୋତେ କିଛି ଦିଶୁନି
ମୁଁ କିଛି ଜାଣି ପାରୁନି, କିଛି ଶୁଣି ପାରୁନି
ମହାଶାନ୍ତିରେ ନିଘୋଡ଼ ନିଦରେ ଶୋଉଛି
ମୋ ବିଚାରରେ ସବୁ ଠିକ୍ ଠାକ୍ ଚାଲିଛି
ତୁମେ ତୁମ କଥା ବୁଝ
ମୋତେ ମୋ ବାଟରେ ଛାଡ଼ିଦିଅ
ଏବେ ତୁମେ ସବୁ ଖୁସି ତ ?


– ରତ୍ନାକର ରାଉତ,
ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ


Share it

Join the Conversation

4 Comments

  1. Many many thanks
    Nicely published
    I wish all the success for your new endeavour.

Leave a comment

Your email address will not be published. Required fields are marked *

Verified by MonsterInsights