ମଣି ପ୍ରସାଦେ ମୁଁ ବିହରି, ବିଭା ହୋଇଲି ବେନି ନାରୀ

Share it

ମଣି ପ୍ରସାଦେ ମୁଁ ବିହରି,
ବିଭା ହୋଇଲି ବେନି ନାରୀ

===============

ତ୍ରେତୟା ଯୁଗର କଥା । ଲଙ୍କାରେ ପ୍ରଭୁ ଶ୍ରୀରାମ ବାନର ଓ ଭଲ୍ଲୁକ ସେନାଙ୍କ ସାହାଯ୍ୟରେ ରାବଣ ନିଧନ କଲେ । ଭଲ୍ଲୁକ ସେନାର ସେନାପତି ଥାନ୍ତି ମହାନ୍ ଯୋଦ୍ଧା ଜାମ୍ବବାନ । ଏହି ଯୁଦ୍ଧରେ ତାଙ୍କର ଯୁଦ୍ଧ କରିବାକୁ ପ୍ରବଳ ଉତ୍କଣ୍ଠା ଥିଲା । ମାତ୍ର ରାମ ରାବଣ ଯୁଦ୍ଧରେ ତାଙ୍କ ସନ୍ତୁଷ୍ଟିଅନୁଯାୟୀ ସେ ଯୁଦ୍ଧ କରି ପାରି ନଥିଲେ ।

ଶ୍ରୀରାମ ଦିନେ ଜାମ୍ବବାନଙ୍କ ଉପରେ ସନ୍ତୁଷ୍ଟ ହୋଇ, ତାଙ୍କୁ ବର ମାଗ, ବୋଲି କହିଲେ । ଜାମ୍ବବାନଙ୍କୁ ସୁଯୋଗ ମିଳି ଗଲା । ସେ କହିଲେ, ପ୍ରଭୁ ! ମୁଁ ଆପଣଙ୍କୁ ଏହି ପ୍ରାର୍ଥନା କରୁଛି ମୋତେ ଥରେମାତ୍ର ଆପଣଙ୍କ ଭଳି ଯୋଦ୍ଧା ସହିତ ଯୁଦ୍ଧକରିବାର ସୁଯୋଗ ଦିଅନ୍ତୁ। ପ୍ରଭୁ ତଥାସ୍ତୁ କରି କହିଲେ, ତୁମେ ଏ ସୁଯୋଗ ପାଇବ । କିନ୍ତୁ ତାହା ସମ୍ଭବ ହେବ ଦ୍ୱାପର ଯୁଗରେ, ଯେତେବେଳେ ମୁଁ କୃଷ୍ଣାବତାର ଗ୍ରହଣ କରିବି ।

ତ୍ରେତୟା ଯାଇ, ଦ୍ୱାପର ଯୁଗ ଆସିଲା l ଭଗବାନ, କୃଷ୍ଣ ଅବତାର ଗ୍ରହଣ କରି, ଧରାବତରଣ କଲେ l କଂସ ନିଧନପରେ ଶ୍ରୀକୃଷ୍ଣ କଂସ ଶ୍ୱଶୁର ଜରାସନ୍ଧ ଆକ୍ରମଣରେ ଅତିଷ୍ଠ ହୋଇ, ମଥୁରା ଛାଡ଼ି ଦ୍ଵାରକା ଯାଇ ସେଠାରେ ସିନ୍ଧୁ ପରିବେଷ୍ଟିତ ଦ୍ଵାରକା ନଗର ନିର୍ମାଣ କରି ଯଦୁବଳଙ୍କ ସହ ନିବାସ କଲେ l

ଯଦୁବଂଶରେ ଶକ୍ରାଜିତ ବୋଲି ଜଣେ ବଡ଼ ଧାର୍ମିକ ଓ ସୂର୍ଯ୍ୟ ଭକ୍ତ ପୁରୁଷ ଥିଲେ l ତାଙ୍କ ଭକ୍ତିରେ ତୃପ୍ତ ହୋଇ ସୂର୍ଯ୍ୟଦେଵ ତାଙ୍କୁ ଏକ ସୁନ୍ଦର ମଣି ପ୍ରଦାନ କରିଥିଲେ l ସେହି ମଣିର ନାମ ଥିଲା ସ୍ୟମନ୍ତକ। ଏହାର ଏକ ବିଶେଷତ୍ୱ ଥିଲା, ଶକ୍ରାଜିତ ପ୍ରତିଦିନ ମାଗିବା ଅନୁଯାୟୀ ଧନରତ୍ନ ସହିତ ଅତି କମରେ ଆଠ ଭାର ସୁଵର୍ଣ୍ଣ ଉତ୍ପନ୍ନ କରିପାରୁ ଥିଲା l ସେହି ମଣିରୁ ବିଛୁରିତହେଉଥିଲା ସୂର୍ଯ୍ୟରଶ୍ମି ଭଳି ଅଦ୍ଭୁତ ରଶ୍ମି l ସେହି ରଶ୍ମି ପ୍ରଭାବରେ, ଶକ୍ରାଜିତଙ୍କୁ କେହି ଦୂରରୁ ଦେଖି ପାରୁ ନଥିଲେ l

ଏକଥା ଯାଇ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲା l ସେ ଶକ୍ରାଜିତଙ୍କୁ ପ୍ରସ୍ତାବ ଦେଲେ, ଆପଣ ଏହି ଦୁର୍ଲ୍ଲଭ ମଣିଟିକୁ ଦ୍ୱାରିକା ରାଜ କୋଷକୁ ପ୍ରଦାନ କରନ୍ତୁ l କାରଣ ଏଥିରୁ ଉତ୍ପନ୍ନ ଧନ ରାଜ୍ୟ କଲ୍ୟାଣ ପାଇଁ ବ୍ୟୟ ହେବ l ଆପଣ ତଥା ରାଜ୍ୟବାସୀ ସମସ୍ତେ ସୁଖରେ ରହିବେ l କିନ୍ତୁ, କୃଷ୍ଣଙ୍କ ପ୍ରସ୍ତାବରେ ରାଜି ହେଲାନାହିଁ ହତଭାଗ୍ୟ ଶକ୍ରାଜିତ l ମଣିରୁ ଉତ୍ପନ୍ନ ଧନରେ ସୁଖରେ କାଳ କାଟିଲା l

ଶକ୍ରାଜିତର ସାନଭାଇ ଥିଲା ପ୍ରସେନଜିତ l ଦିନେ ସେ ମଣିଟିକୁ ଗଳାରେ ପକାଇ ଜଙ୍ଗଲକୁ ମୃଗୟା ପାଇଁ ବାହାରି ଗଲା l ସେ ମୃଗୟା ବିନୋଦ ସାରି ସନ୍ଧ୍ୟାବେଳେ ଘରକୁ ଫେରୁଥାନ୍ତି, ଗୋଟିଏ ହିଂସ୍ର ସିଂହ ହାବୁଡ଼ରେ ପଡିଗଲେ l ଚମକୁ ଥିବା ମଣିକୁ ଏକ ମାଂସଖଣ୍ଡ ଭାବି ସିଂହ ତାଙ୍କ ଉପରକୁ ଝପଟି ପଡ଼ିଲା l ପ୍ରସେନଜିତ ଏଵଂ ତାଙ୍କ ଘୋଡାକୁ ମାରି ସେ ମଣିକୁ ନେଇ ପଳାଇ ଗଲା l

ସିଂହ କିଛି ବାଟ ଯାଇଛି ଏକ ବିରାଟକାୟ ଭଲ୍ଲୁକ ତା ଆଡ଼କୁ ମାଡ଼ି ଆସିଲା l ଏହି ଭାଲୁଥିଲା ଭଲ୍କୁକରାଜ ଜାମ୍ବବାନ l ସିଂହ ପାଖରେ ମଣିକୁ ଦେଖି ଜାମ୍ବବାନ ତାକୁ ମଣି ଦେବା ପାଇଁ କହିଲେ l ସିଂହ ମନା କଲାରୁ ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ହୋଇ ସିଂହ ନିହତ ହେଲା।

ଜାମ୍ବବାନ ମଣିକୁ ନେଇ ନିଜ ଗୁମ୍ଫା ଭିତରେ ପଶି ଗଲେ l ତାଙ୍କ ପିଲା ମାନେ ମଣିକୁ ପାଇ ଖୁସିରେ ଖେଳିବାକୁ ଲାଗିଲେ l
ଏପଟେ ଶକ୍ରାଜିତ ସାନ ଭାଇ ନ ଫେରିବାରୁ ବହୁ ଖୋଜା ଖୋଜି କରି କିଛି ସନ୍ଧାନ ପାଇଲେ ନାହିଁ l ତାଙ୍କ ମନରେ ସନ୍ଦେହ ଆସିଲା, ଶ୍ରୀକୃଷ୍ଣ ମଣିଟିକୁ ମାଗୁଥିଲେ l ହୁଏ ତ, ସେ କିଛି ଅଘଟଣ ଘଟେଇ ଥିବେ l ଏପରି ଚିନ୍ତାକରି ସେ କ୍ରମେ ଶ୍ରୀକୃଷ୍ଣଙ୍କର ବଦନାମ କରିବାକୁ ଲାଗିଲା l ଭଗବାନ ଶ୍ରୀକୃଷ୍ଣ ନିଜର ବଦନାମକୁ ସହ୍ୟକରି ପାରିଲେ ନାହିଁ l
ଗୋବିନ୍ଦ କଲେ ଏଡ଼େ କର୍ମ
ଲୋକରେ ଶୁଭିଲା ଲାଞ୍ଛନ ।।
ବିଷମ ଲୋକ ଅପବାଦ
ଶୁଣି ପାଇଲେ କୃଷ୍ଣ ଖେଦ ।।

ଶ୍ରୀକୃଷ୍ଣ ନିଜର ଏ ଅପବାଦକୁ ଦୂର କରିବା ପାଇଁ ସୈନ୍ୟ ସାମନ୍ତ ଧରି ଜଙ୍ଗଲକୁ ବାହାରିଲେ ଖୋଜ କରିବା ପାଇଁ, ପ୍ରସେନଜିତକୁ l ବହୁ ଚେଷ୍ଟା ସତ୍ତ୍ଵେ ମଧ୍ୟ ସେ ପ୍ରସେନଜିତକୁ ପାଇଲେ ନାହିଁ l ଇତ୍ୟବସରେ ସେ ଗୋଟିଏ ସ୍ଥାନରେ ପ୍ରସେନଜିତ ଓ ତା ଘୋଡ଼ା ମରି ପଡ଼ିଥିବା ଦେଖିଲେ l ପାଖରେ ସିଂହର ପାଦଚିହ୍ନ ପଡ଼ିଥିବା ଦେଖି ସେ ବୁଝିଗଲେ, ସିଂହ ହିଁ ଏମାନଙ୍କୁ ମାରି ମଣି ନେଇ ଯାଇଛି l

ସେ ସିଂହ ପାଦଚିହ୍ନକୁ ଅନୁସରଣକରି କିଛି ବାଟ ଯାଇ ଦେଖିଲେ, ସିଂହଟି ମରି ପଡ଼ିଛି ଓ ସେଠାରେ ଏକ ଭାଲୁର ପାଦ ଚିହ୍ନ ପଡ଼ିଛି l ରହସ୍ୟ ଜାଣିବା ପାଇଁ ସେ ଭଲ୍ଲୁକର ପାଦ ଚିହ୍ନକୁ ଅନୁସରଣ କରି ଯାଇ ପହଞ୍ଚିଲେ ସେହି ଗୁମ୍ଫା ନିକଟରେ l ସେ ସମସ୍ତଙ୍କୁ ବାହାରେ ରହିବାକୁ କହି ଗୁମ୍ଫାରେ ପ୍ରବେଶକଲେ l

କୃଷ୍ଣ ଗୁମ୍ଫାରେ ପଶି ଦେଖିଲେ, ଜାମ୍ବବାନଙ୍କ ପୁଅ ମଣିଟିକୁ ଗଳାରେ ପିନ୍ଧିଛି l
ତାହାର ପୁତ୍ର କଣ୍ଠେ ମଣି
ଦୂରୁ ଦେଖିଲେ ଚକ୍ରପାଣି ।।

ଜାମ୍ବବାନଙ୍କୁ ମଣି ଫେରାଇ ଦିଅ ବୋଲି ଭଗବାନ ଅନୁରୋଧ କଲେ l ସେ ଏହା ସ୍ବୀକାର ନକରିବାରୁ ଦୁହିଁଙ୍କ ମଧ୍ୟରେ ଅଠର ଦିନ ଧରି ପ୍ରବଳ ସଂଗ୍ରାମ ଲାଗିଲା l
ଏମନ୍ତେ ଅଷ୍ଟାଦଶ ଦିନ
ସମର କଲେ ବେନିଜନ ।।

ଶ୍ରୀକୃଷ୍ଣ ଜାମ୍ବବାନର ବଜ୍ର ମୁଷ୍ଟି ପ୍ରହାରରେ ସଂଜ୍ଞା ହରାଇ ଭୂପତିତ ହୋଇଥାନ୍ତି, ଏପଟେ କୃଷ୍ଣ ବାର ଦିନ ପର୍ଯ୍ୟନ୍ତ ଗୁମ୍ଫା ମଧ୍ୟରୁ ନ ବାହାରିବାକୁ ଦେଖି ତାଙ୍କ ଅନୁଚର ଓ ଵଂଶର ଲୋକମାନେ ପ୍ରଭୁ ମୃତ ଭାବି ଦ୍ୱାରକା ପୁର ଫେରିଯାଇ ତାଙ୍କର ଶୁଦ୍ଧିକ୍ରିୟା ନିମନ୍ତେ ଆୟୋଜନ କଲେ l

ଶ୍ରାଦ୍ଧରେ ପୁତ୍ର ପ୍ରଦ୍ୟୁମ୍ନ ପିଣ୍ଡଦାନ କଲେ l ସେ ପିଣ୍ଡ ଶୂନ୍ୟରେ ଉଡ଼ି ଯାଇ ଶ୍ରୀକୃଷ୍ଣଙ୍କ ପାଟିରେ ପଡ଼ିବାରୁ ସେ ନିଜର ଶକ୍ତି ଫେରିପାଇଲେ ଓ ମାଡ଼ି ବସିଥିବା ଜାମ୍ବବାନଙ୍କୁ ଉଠାଇ ଫିଙ୍ଗିଦେଇ ପ୍ରବଳ ମୁଷ୍ଟିଘାତ କଲେ।

ଜୀବନରେ କେବେହେଲେ ଏଭଳି ପରାସ ନପାଇଥିବା ଜାମ୍ବବାନ କୃଷ୍ଣଙ୍କୁ ପଚାରିଲେ ତୁ କିଏ କହ l ଆଜି ଯାଏ ମୋତେ କେହି ଯୁଦ୍ଧରେ ପରାସ୍ତ କରିନାହାଁନ୍ତି l ଏହି ସମୟରେ ଶ୍ରୀକୃଷ୍ଣ ତାଙ୍କୁ ମନେ ପକାଇ ଦେଲେ, ତ୍ରେତୟାର ସେହି ବରଦାନ କଥା ଓ କହିଲେ ଏବେ ତୁମର ମୋ ସହ ଯୁଦ୍ଧ କରିବାର ସେହି ଅଭିଳାଷ ପୂରଣ ହେଲା ତ?
ଜାମ୍ବବାନ ତାଙ୍କୁ ହାତ ଯୋଡ଼ି ବିନୀତ ହୋଇ କହିଲେ, ଧନ୍ୟ ତୁମେ ପ୍ରଭୁ,ଧନ୍ୟ ତୁମ୍ଭ ଲୀଳା ! ପୁଣି ସେ ପ୍ରାର୍ଥନା କଲାରୁ ଶ୍ରୀକୃଷ୍ଣ ତାଙ୍କୁ ତ୍ରେତା ଯୁଗର ସେହି କାଣ୍ଡ କୋଦଣ୍ଡ ଧାରୀ ଶାନ୍ତ କାନ୍ତ ଶ୍ରୀରାମଙ୍କ ରୂପ ଦର୍ଶନ କରାଇ କୃତାର୍ଥ କଲେ l

ଜାମ୍ବବାନ ବିନୀତ ଭାବେ ସ୍ୟମନ୍ତକମଣିକୁ ପ୍ରଭୁଙ୍କୁ ଅର୍ପଣକରି ପ୍ରାର୍ଥନାକଲା, ପ୍ରଭୁ ମୋତେ ଆଉ ଏକ ଅନୁଗ୍ରହ କରନ୍ତୁ, ମୋର ଗୋଟିଏ ବିବାହ ଯୋଗ୍ୟା ରୂପବତୀ କନ୍ୟା ଅଛି l ନାମ ଜାମ୍ବବତୀ l ଆପଣ ତାକୁ ବିବାହ କରି ତା’ ଜୀବନ ଧନ୍ୟ କରନ୍ତୁ l

ଭଗବାନ ଭକ୍ତର ମନୋବାଞ୍ଛା ପୂରଣ କଲେ l ସେ ଜାମ୍ବବତୀଙ୍କୁ ବିବାହ ପୂର୍ବକ ଦ୍ଵାରିକା ପ୍ରତ୍ୟାବର୍ତ୍ତନ କଲେ ଓ ଶକ୍ରାଜିତଙ୍କୁ ତାଙ୍କ ମଣି ଦେଲେ l ମଣିଟି ଫେରି ପାଇ, ଶକ୍ରାଜିତ, ଶ୍ରୀକୃଷ୍ଣଙ୍କ ପ୍ରତି କରିଥିବା ଆକ୍ଷେପ ଜନିତ ନିଜର ଭୁଲ ବୁଝି ପାରିଲେ ଏବଂ ଶ୍ରୀକୃଷ୍ଣଙ୍କ ଶରଣପଶି ଭୁଲ ମାଗିଲେ l

ସେ ମନେ ମନେ ବିଚାର କଲେ :-
ଏ ଯେ ଦୁହିତା ଅଛି ମୋର
ଅପୂର୍ଵ ସ୍ତିରୀ ରତ୍ନ ସାର ।।
ଏ ମଣି ଏହା କଣ୍ଠେ ଦେଇ
କୃଷ୍ଣଙ୍କୁ ସମର୍ପିବି ନେଇ ।।

ଏହା ବିଚାର କରି ସେ ନିଜ ପରମାସୁନ୍ଦରୀ କନ୍ୟା ସତ୍ୟଭାମାଙ୍କୁ କୃଷ୍ଣଙ୍କୁ ବିବାହଦେଲେ ଓ ଯୌତୁକ ସ୍ୱରୂପେ ସ୍ୟମନ୍ତକ ମଣିକୁ ପ୍ରଦାନ କଲେ l ଦେବୀ ସତ୍ୟଭାମା ଓ ଦେବୀ ଜାମ୍ବବତୀ, ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟବଂଶୀ ମାନଙ୍କ ମଧ୍ୟରେ ଅନ୍ୟତମା l ତାଙ୍କର ଅନ୍ୟ ପାଟବଂଶୀମାନେ ହେଲେ ରୁକ୍ମିଣୀ, କାଳିନ୍ଦୀ, ମିତ୍ରବିନ୍ଦ୍ୟା, ନଗ୍ନଜିତ, ଲକ୍ଷ୍ମଣା ଓ ଭଦ୍ରା l

ସ୍ୟମନ୍ତକ ମଣି ଉପାଖ୍ୟାନକୁ ଭାଗବତକାର ଶ୍ରୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଦଶମ ସ୍କନ୍ଧ (ଦ୍ୱାରିକା ଲୀଳା) ଷାଠିଏ ଓ ଏକଷଠି ଅଧ୍ୟାୟରେ ଅତି ଚମତ୍କାରଭାବେ ବର୍ଣ୍ଣନା କରିଛନ୍ତି ଓ ଶେଷକୁ ଭଗବାନ ଉବାଚରେ କହିଛନ୍ତି :-
ମଣି ପ୍ରସାଦେ ମୁଁ ବିହରି
ବିଭା ହୋଇଲି ବେନି ନାରୀ ।।

! ଓଁ ନମଃ ଭଗବତେ ବାସୁଦେବାୟ !
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights