24th July 2024
ବିପ୍ଳବୀ କବି ରବି ସିଂ ଙ୍କ “ମଣିଷ” କବିତା:-
ମଣିଷକୁ ଥରେ ପଢ ପଢ,
ମଣିଷ ଠାରୁ କେ ଅଛି ବଡ,
ମଣିଷ ତ ବଡ ଗ୍ରନ୍ଥ କିତାବ,
ସାରା ଦୁନିଆର କାରିଗର,
ମଣିଷକୁ ଥରେ–‘
ସୂନା ଋପା ହିରା ନୀଳା ମୋତି,
ଆଣିଛି ମଣିଷ ମେହନତି,
ତାଡିଛି ପଥର କାଟିଛି କୋଇଲା,
ଚୁରି ବାରବାର ମେରୁହାଡ,
ମଣିଷକୁ ଥରେ–
ଉଆସ ନଅର ରାଜବାଟୀ,
ତୋଳିଛି ମଣିଷ ବେଠି ଖଟି,
ଏଇ ରାଜଧାନୀ ସଚିବାଳୟର,
ପ୍ରତିଟି ଇଟାର ଯେତେ ଯୋଡ,
ମଣିଷକୁ ଥରେ —
ରକତେ ଗୋଳାଇ ଚୂନବାଲି,
ମୁଣ୍ଡର ଝାଳକୁ ତୁଣ୍ଡେ ମାରି,
ମୁଠାଏ ତ ଚୁଡା ପିଠିରେ କୋରଡା,
ଯତନ ନଗର କେତେ ବଡ,
ମଣିଷକୁ ଥରେ–
( ଯତନ ନଗର ଢେଙ୍କାନାଳର ଅନ୍ୟତମ ରାଜପ୍ରାସାଦ ଥିଲା)
ରତ୍ନାକର ତଳେ ବୁଡି ବୁଡି,
ମଣିଷ ଆଣିଛି ରତ୍ନ ଚୁଡି,
ପୃଥିବୀମାଆର ହାତେ ପିନ୍ଧାଇଛି,
ଫୁଟାଇଛି କେତେ ଫୁଲ କଢ,
ମଣିଷକୁ ଥରେ —
ସେ ମଣିଷ ଆଉ କେହି ନୁହଁ,
କାହିଁକି ଶୁଖିଛି ତାର ମୁହଁ,
ଆଖି ତାର କିଆଁ ଲୁହ ଛଳ ଛଳ,
ଗଣି ହୋଇଯାଏ ଛାତି ହାଡ,
ମଣିଷକୁ ଥରେ–
ଏଇ କଥାର ତ କଇଫତ,
ତୁମେହିଁ ଦେବରେ ଅଲବତ,
କୁଟାଖଣ୍ଡକୁ ଯେ ଦିଖଣ୍ଡ କରେନି,
ନିତି ନୂଆ ନୂଆ ଗାଡି ଚଢ,
ମଣିଷକୁ ଥରେ ପଢ ପଢ।
ଖଟିଖିଆ ଆଉ ଲୁଟିଖିଆ,
ଦୁଇଟି ଜାତିର ଏ ଦୁନିଆ,
ହୋଇଛି ଦିଫାଳ-ହୋଇଛି ପ୍ରବଳ,
ଝଂଜା ତୋଫାନ ବାଲିଝଡ,
ମଣିଷକୁ ଥରେ—
ମଣିଷ ଯାଗିବ ବୋଲି ଡରି,
ପୋଷୁଛ ପୋଲିସ ମିଲିଟାରୀ,।
କରିଅଛ ତାକୁ ହତିଆର ହରା,
ଛାତିତଳେ ତାର ନିଆଁରଡ,
ମଣିଷକୁ ଥରେ–
ମଣିଷ ଖୋଲିଲେ ତା ନୟନ,
ହେବ ଏ ରାତିର ଅବସାନ,
ଭେଉ ତୋଳି ତାର ପତାକା ଉଡିବ,
ଲାଲରଂଗ ତାର ଭାରି ଗାଢ,
ମଣିଷକୁ ଥରେ–
ରକତସାଗରୁ ଉଠେ ରବି,
ଶୁଭେ ସକାଳର ଭଇରବି,
ରକତପାତକୁ ଡରେନା ମଣିଷ,
ବରମାଗି ଜାଣେ ଦେଇମାଡ,
ମଣିଷକୁ ଥରେ–
ମଣିଷ ନୁହେଁତ ଦୁରୂବଳ,
ଯାଣିଥାଅ ତୁମେ କୁରୂବଳ,
ନାଆଁଟି ତାହାର ନରନାରାୟଣ ,
ମଣିଷଜାତିକୁ ହାତ ଯୋଡ,
ମଣିଷକୁ ଥରେ-
( ମଣିଷକୁ ଦୂଋବଳ କରି ସବୁଦିନ ପାଇଁ ଠକି ରଖିବାକୁ କୁଋବଳ ସଫଳ ହେଲେଣି ଓ ରବି ସିଂ ଆଜି ନାହାନ୍ତି )
ସୁନ୍ଦର କବିତା।
ବିପ୍ଳବୀ କବି ରବି ସିଂଙ୍କର ଏହା କାଳଜୟୀ ସୃଷ୍ଟି। ଏଠାରେ ଉପସ୍ଥାପନ କରି ଆମ ସମସ୍ତଙ୍କୁ ପୁଣି ଥରେ ଚେତାଇ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।