ମଣିପୁର କଥା

Share it

16th July 2024

ପିତା ପୁତ୍ରଙ୍କ ମହା ସମର
==============

ମହାଭାରତର ଏକ ସୁନ୍ଦର ଗାଥା । ପାଣ୍ଡବ ମାନେ ଦ୍ରୌପଦୀଙ୍କୁ ଲାଭ କରିବାପରେ ନିଜ ମଧ୍ୟରେ ଏକ ସର୍ତ୍ତ ରହିଲା, ଦ୍ରୌପଦୀଙ୍କ କକ୍ଷରେ କେବଳ ଜଣେ ଭାଇ ରହିପାରିବ । ଏହାକୁ କେହି ଉଲ୍ଲଙ୍ଘନ କଲେ ସେ ଉଚିତ୍ ଦଣ୍ଡ ଭୋଗ କରିବେ । ଦିନେ ଯୁଧିଷ୍ଠିର ଦ୍ରୌପଦୀଙ୍କ କକ୍ଷରେ ଥାନ୍ତି । ସେହି କକ୍ଷରେ ଥାଏ ଅର୍ଜୁନଙ୍କ ଅସ୍ତ୍ର ଶସ୍ତ୍ର । ଜଣେ ଦୁର୍ଦ୍ଦଶାଗ୍ରସ୍ତ ବ୍ରାହ୍ମଣଙ୍କୁ ରକ୍ଷା କରିବା ପାଇଁ ଅର୍ଜୁନ ନିୟମ ଭଙ୍ଗ କରି କକ୍ଷ ମଧ୍ୟକୁ ପ୍ରବେଶ କରିଗଲେ । ନିୟମ ଭଙ୍ଗ ହେଲା । ଦଣ୍ଡସ୍ୱରୂପେ ଅର୍ଜୁନଙ୍କୁ ବନବାସ କରିବାକୁ ହେଲା । ଏହି ବନବାସ ସମୟରେ ଦିନେ ଅର୍ଜୁନ ପହଞ୍ଚିଲେ ଯାଇ ମଣିପୁର ରାଜ୍ୟରେ ।

ପୂର୍ବ କାଳରେ ମଣିପୁରର ପ୍ରଭଞ୍ଜନ ବୋଲି ଜଣେ ରାଜା ଥିଲେ । ସେ ମହାଦେବଙ୍କୁ ସନ୍ତୁଷ୍ଟ କରି ବର ଲାଭ କରିଥିଲେ ତାଙ୍କ ବଂଶରେ ପ୍ରତ୍ୟେକ ପୁରୁଷ ଏକମାତ୍ର ସନ୍ତାନର ଅଧିକାରୀ ହେବ । କାଳକ୍ରମେ ମଣିପୁରର ରାଜା ହେଲେ ଚିତ୍ରଭାନୁ ଏବଂ ତାଙ୍କର ଏକ କନ୍ୟା ହେଲା ତାଙ୍କ ନାମହେ଼ଲା ଚିତ୍ରାଙ୍ଗଦା ।

ଚିତ୍ରଭାନୁ ଏକମାତ୍ର କନ୍ୟା ଚିତ୍ରାଙ୍ଗଦାକୁ ପୁଅ ପରି ପାଳନ କଲେ । ତାକୁ ସମସ୍ତ ଶାସ୍ତ୍ର ଓ ଶସ୍ତ୍ର ବିଦ୍ୟା ଶିକ୍ଷା ଦେଇ ପାରଙ୍ଗମ କରାଇଲେ। ଦିନେ ପୁରୁଷ ବେଶରେ ଚିତ୍ରାଙ୍ଗଦା ସଖୀମାନଙ୍କ ସହିତ ଅରଣ୍ୟ ଭ୍ରମଣ କରୁଥାନ୍ତି । ଏହି ସମୟରେ, ତାଙ୍କ ସାକ୍ଷାତ ହେଲା ମହାବୀର ଅର୍ଜୁନଙ୍କ ସହ । ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଲାଗିଲା । ଏଥିରେ ଚିତ୍ରାଙ୍ଗଦା ପରାସ୍ତ ହେଲେ । ଚିତ୍ରାଙ୍ଗଦା ପୁରୁଷ ନୁହଁନ୍ତି, ଜଣେ ନାରୀ, ଏହା ଜାଣି ଅର୍ଜ୍ଜୁନ ତାଙ୍କ ସୋନ୍ଦର୍ଯ୍ୟରେ ବିମୋହିତ ହୋଇ ପଡ଼ିଲେ ।ଦୁହିଙ୍କ ମଧ୍ୟରେ ବିବାହ ହେଲା । ଅର୍ଜୁନ କିଛିଦିନ ସେଠାରେ ରହି ବିଦାୟ ନେଲେ । ଅଳ୍ପଦିନ ପରେ ଅର୍ଜୁନଙ୍କ ଔରସରୁ, ଚିତ୍ରାଙ୍ଗଦାଙ୍କ ଗର୍ଭରେ ପୁଅ ଗୋଟିଏ ଜନ୍ମ ହେଲା । ପୁତ୍ରର ନାମ ରଖାଗଲା ବବ୍ରୁବାହନ ।

ଏହା ଭିତରେ ବହୁ ବର୍ଷ ବିତିଗଲା । ଘଟଣା କ୍ରମେ ମହାଭାରତ ଯୁଦ୍ଧ ସଂଘଟିତ ହେଲା ଓ ଯୁଦ୍ଧ ଜୟୀ ଯୁଧିଷ୍ଠିର ହସ୍ତିନା ସିଂହାସନରେ ଅଭିଷିକ୍ତ ହେଲେ । ଗୁରୁଜନ ମାନଙ୍କ ପରାମର୍ଶରେ ଧର୍ମରାଜ ଯୁଧିଷ୍ଠିର ଏକ ରାଜସୂୟ ଯଜ୍ଞର ଆୟୋଜନ କଲେ । ଶ୍ୟାମ ବର୍ଣ୍ଣର ଏକ ଅଶ୍ୱକୁ ସୁସଜ୍ଜିତକରି ଛାଡ଼ିଦିଆ ଗଲା । ଯଜ୍ଞାଶ୍ୱର ରକ୍ଷାକାରୀ ଭାବେ ଗଲେ ଅର୍ଜୁନ ।

ବହୁଦେଶ ପରିକ୍ରମାକରି ଅର୍ଜୁନ ଯାଇ ମଣିପୁରରେ ପହଞ୍ଚିଲେ l। ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ ସ୍ମୃତି ପଟରେ ଭାସି ଉଠିଲା ଦେବୀ ଚିତ୍ରାଙ୍ଗଦାଙ୍କ କଥା । ବର୍ତ୍ତମାନ ମଣିପୁରରେ ଶାସନକରୁଛନ୍ତି ତାଙ୍କ ପୁତ୍ର ବବ୍ରୁବାହନ । ଉଭୟ ଉଭୟଙ୍କୁ ଦେଖିବାପାଇଁ ଖୁବ୍ ବ୍ୟାକୁଳ ହୋଇ ପଡ଼ିଲେ । ଯୁଧିଷ୍ଠିରଙ୍କ ଯଜ୍ଞ ଅଶ୍ଵର ରକ୍ଷାକର୍ତ୍ତାହୋଇ ଅର୍ଜୁନ ତାଙ୍କ ଐଶ୍ୱର୍ଯ୍ୟମୟ ରାଜ୍ୟ ମଣିପୁର ଆସିଛନ୍ତି ଶୁଣି ବବ୍ରୁବାହନ ପାତ୍ର ମନ୍ତ୍ରୀଙ୍କ ଗହଣରେ ଆସି ତାଙ୍କୁ ପ୍ରଣାମ କରି ତାଙ୍କ ବଶ୍ୟତା ସ୍ବୀକାର ପୂର୍ବକ ବହୁ ଧନଦୌଲତ ଭେଟି ଦେବାକୁ ପ୍ରତିଶ୍ରୁତି ବ୍ୟକ୍ତ କଲେ ।

ଅର୍ଜୁନ କହିଲେ, ବବ୍ରୁବାହନ ! ମୁଁ ଧର୍ମରାଜଙ୍କ ଯଜ୍ଞ ଅଶ୍ଵଜୁ ଧରି, ତୁମ ରାଜ୍ୟକୁ ଆସିଛି । ତୁମେ କଅଣ ଏତେ ହୀନବୀର୍ଯ୍ୟ ହୋଇଗଲ ଯେ ମୋ ସହ ଯୁଦ୍ଧ ପରିବର୍ତ୍ତେ ଏ ଭେଟି ଘେନିଆସିଛ ।

ଅର୍ଜୁନଙ୍କ କଥା ଶୁଣି, ବବ୍ରୁବାହନ ହତବାକ୍ ହୋଇ ପଡ଼ିଲେ । ଏହି ସମୟରେ ସେଠାରେ ଆସି ପହଁଚିଲେ ନାଗକନ୍ୟା ଉଲ୍ଲୁପି, ଅର୍ଜୁନଙ୍କ ଅନ୍ୟତମା ପତ୍ନୀ । ବବ୍ରୁବାହନଙ୍କୁ ସେ ନିଜର ପୁତ୍ର ରୂପେ ପାଳିଥିଲେ । ସେ କହିଲେ, ହେ ପୁତ୍ର ! ତୋ ପିତା ଭୁବନବିଦିତ ଯୋଦ୍ଧା । ବୀର ପୁତ୍ର ଭାବେ ତୁ ଯାହା କଲେ ତାଙ୍କର ସନ୍ତୁଷ୍ଟି ହେବ ତୁ ତାହା ହିଁ କର। ତୁ ତୋର ବଳ ବିକ୍ରମ, ଶୌର୍ଯ୍ୟ ଧୈର୍ଯ୍ୟ ତାଙ୍କୁ ଦେଖାଇ ଦେ।

ବୀର ବବ୍ରୁବାହନଙ୍କ ଦ୍ୱିଧା ଭଙ୍ଗ ହେଲା । ସଂଘଟିତ ହେଲା, ପିତା ପୁତ୍ରଙ୍କ ମଧ୍ୟରେ ମହା ସଂଗ୍ରାମ । କିଛି ସମୟର ଯୁଦ୍ଧ ପରେ, ଉଭୟେ ଉଭୟଙ୍କ ବାଣରେ ମୂର୍ଚ୍ଛିତ ହୋଇପଡ଼ିଲେ । ପିତା ପୁତ୍ର ଉଭୟେ ନିହତ ଏ ଖବର ମଣିପୁରର ଚାରିଆଡ଼େ ପ୍ରଚାରିତ ହୋଇ ଗଲା।

ଦୁଃଖଦସମ୍ବାଦ ଶୁଣି ଚିତ୍ରାଙ୍ଗଦା ସେଠାରେ ଆସି ପହଞ୍ଚି ବିଳାପ କରିବାକୁ ଲାଗିଲେ ।

କିଛିସମୟ ପରେ ବବ୍ରୁବାହନଙ୍କ ଚେତା ଫେରିଲା । ମୃତ ଅର୍ଜୁନଙ୍କୁ ଦେଖି ସେ ନିଜକୁ ପିତୃହନ୍ତା ବୋଲି ଧିକ୍କାର କରିବାକୁ ଲାଗିଲେ । ସେ ଉଲ୍ଲୁପୀଙ୍କୁ ଚାହିଁ କହିଲେ, ହେ ମାତା ! ତୁମରି କଥାରେ, ମୁଁ ପିତାଙ୍କୁ ହତ୍ୟା କଲି । ଏ ପିତୃହନ୍ତା ଜୀବନ ନେଇ ମୁଁ ଆଉ ବଞ୍ଚିବାକୁ ଚାହେଁ ନାହିଁ । ଅନଶନ କରି ଏହିଠାରେ ମୁଁ ପ୍ରାଣ ପ୍ରୟାଣ କରିବି ।

ଉଲ୍କୁପୀ କହିଲେ, ପୁତ୍ର ତୁ ଶୋକ କରନାହିଁ । ଏହା ହିଁ ଅର୍ଜୁନଙ୍କ ପ୍ରାୟଶ୍ଚିତ । ମୁଁ ଦିନେ ଗଙ୍ଗା ତୀରରେ ବୁଲୁଥିଲା ବେଳେ ଶୁଣିଥିଲି ମାଆ ଗଙ୍ଗା ଅର୍ଜୁନଙ୍କୁ ଅଭିଶାପ ଦେଲେ,’ତୁ ମୋ ପୁତ୍ର ଭୀଷ୍ମକୁ ଯେପରି ଅନ୍ୟାୟ ଯୁଦ୍ଧରେ ଧରାଶାୟୀ କଲୁ, ତୁ ମଧ୍ୟ ସେହି ପରି ତୋର ନିଜପୁତ୍ର ବାଣରେ ଧରାଶାୟୀ ହେବୁ । ଦେଖ, ଅର୍ଜୁନ କିପରି ଉଠି ବସୁଛନ୍ତି ।

ଏହା କହି, ଉଲ୍ଲୁପୀ ତାଙ୍କ ପାଖରେ ଥିବା ଏକ ବିଷ ହରଣକାରୀ ମଣିକୁ ଅର୍ଜୁନଙ୍କ କ୍ଷତସ୍ଥାନ ଗୁଡିକରେ ଲଗାଇ ଦେବାରୁ ଅର୍ଜୁନ ନିଦ୍ରାରୁ ଉଠିଲା ପରି ଉଠି ପଡ଼ି ବୀର ପୁତ୍ରକୁ ଆଲିଙ୍ଗନ କଲେ । ପିତା ପୂତ୍ରଙ୍କ ମହା ମିଳନ ହେଲା । ପୁତ୍ର ବବ୍ରୁବାହନ ଏବଂ ପତ୍ନୀ ଉଲ୍ଲୁପୀ ଓ ଚିତ୍ରାଙ୍ଗଦାଙ୍କୁ ଘେନି ଅତି ସୁନ୍ଦର ରାଜ୍ୟ ମଣିପୁରରୁ ଅର୍ଜୁନ ହସ୍ତିନା ପ୍ରସ୍ଥାନ କଲେ ।
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights