ମେଣ୍ଟ ରାଜନୀତି ସମ୍ପର୍କରେ ଭୀଷ୍ମଙ୍କ ଉପଦେଶ

Share it

ମାର୍ଜାର ମୂଷିକ ଉପାଖ୍ୟାନ

ମାର୍ଜାର ଡାଳ ଉପରେ ବସି ମୂଷିକକୁ କହିଲା, ହେ ସଖା ତୁମେ ମୋ ସହିତ ଆଳାପ ନକରି ଗର୍ତ୍ତରେ କାହିଁକି ପଶି ରହିଛ ? ଆମେ ଦୁହେଁ ଏବେ ମିତ୍ର ଓ ବିପଦ ମୁକ୍ତ, ତୁମେ ସବାନ୍ଧବେ ମୋ ପାଖକୁ ଆସ । ତୁମେ ବୁଦ୍ଧିରେ ଶୁକ୍ରାଚାର୍ଯ୍ୟ ତୁଲ୍ୟ । ତୁମେ ଆସି ମୋର ମନ୍ତ୍ରୀହୋଇ ମୋତେ ସତପରାମର୍ଶ ଦିଅ ।

ବିଳରେ ଥାଇ ମୂଷିକ ଉତ୍ତରଦେଲା, ହେ ଲୋମଶ ଏହି ସଂସାରରେ କେହି କାହାର ମିତ୍ର ନୁହଁନ୍ତି କି କେହି କାହାର ଶତ୍ରୁ ନୁହଁନ୍ତି । ସ୍ୱାର୍ଥପରତାରୁ କିଏ କାହାର ମିତ୍ର ବା ଶତ୍ରୁ ହୁଅନ୍ତି । ଏହା କେବେ ସ୍ଥିର ନୁହେଁ । ସମୟ ଅନୁସାରେ ଏହା ପରିବର୍ତ୍ତନୀୟ । ତେଣୁ ମିତ୍ର ବା ଶତ୍ରୁକୁ ଅତି ବିଶ୍ୱାସ କିମ୍ବା ଅତି ଅବିଶ୍ୱାସ କରିବା ଉଚିତ ନୁହେଁ

କୁରୁକ୍ଷେତ୍ରର ଓଘବତୀ ନଦୀତୀରରେ ପିତାମହ ଭୀଷ୍ମ ଶରଶଯ୍ୟାରେ ଶାୟିତ ଥାଇ ଶରୀରତ୍ୟାଗ ପାଇଁ ଇପ୍ସିତ ମୁହୂର୍ତ୍ତ ସୂର୍ଯ୍ୟଙ୍କ ଉତ୍ତରାୟଣ ଦିନକୁ ଅପେକ୍ଷା କରିଥାନ୍ତି । ଧୀରେ ଧୀରେ ସେହି ଇପ୍ସିତ ଦିନ ନିକଟତର ହେଉଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶାନୁସାରେ ପ୍ରତ୍ୟହ ପ୍ରବୀଣ ପିତାମହଙ୍କ ଠାରୁ ଯାଇ ରାଜନୀତି, ଧର୍ମନୀତି, କୂଟନୀତି, ଅର୍ଥ ନୀତି ଆଦି ବିଷୟରେ ଜ୍ଞାନ ଆହରଣ କରୁଥାନ୍ତି ଧର୍ମରାଜ ଯୁଧିଷ୍ଠିର ।

ପୂର୍ବଦିନ ପିତାମହ ତିନିମତ୍ସ୍ୟ କଥା କହି ବୁଝାଇ ଦେଇଥାନ୍ତି ଯେ ରାଜା ବିପଦ ପଡ଼ିବା ବେଳେ ଓ ବିପଦ ଆସିବା ଆଗରୁ କ’ଣ କରିବା ଉଚିତ । ଯୁଧିଷ୍ଠିର ଯାଇ ପିତାମହଙ୍କୁ ପୁଣି ପ୍ରଶ୍ନ କଲେ,” ଦୀର୍ଘସୂତ୍ରୀର ବିନାଶ ହୁଏ ବୋଲି ଆପଣ କହିଲେ, କିନ୍ତୁ ଶତ୍ରୁମାନେ ଯଦି ଏକତ୍ରିତ ହୋଇ ଚାରିଆଡ଼ୁ ଘେରି ଯାଆନ୍ତି, ସେତେବେଳେ ରାଜାର କର୍ତ୍ତବ୍ୟ କଅଣ ହେବା ଉଚିତ ସେକଥା ମୋତେ ବୁଝାଇ ଦିଅନ୍ତୁ ।”

ଭୀଷ୍ମ କହିଲେ,’ ବତ୍ସ ଯୁଧିଷ୍ଠିର ! କେହି କାହାର ଜନ୍ମରୁ ଶତ୍ରୁ ନଥାନ୍ତି । ପରିସ୍ଥିତିର ବଶଵର୍ତ୍ତି ହୋଇ ମିତ୍ର ଶତ୍ରୁ ହୋଇଯାଏ ଓ ଶତ୍ରୁ ମଧ୍ୟ ମିତ୍ର ହୋଇ ଯାଏ । ଏଣୁ ଦେଶ, କାଳ, ପାତ୍ରକୁ ବିଚାର କରି ରାଜା ନିଜର କର୍ତ୍ତବ୍ୟ ନିର୍ଣ୍ଣୟ କରିବା ଉଚିତ ଓ ଦରକାର ହେଲେ ବଳଵାନ ଶତ୍ରୁ ସହିତ ମିତ୍ରତା ସ୍ଥାପନ କରିବା ଉଚିତ । ଏ ବିଷୟରେ ତୁମକୁ ମୁଁ ଏକ ପୁରୁଣା ଉପାଖ୍ୟାନ କହୁଛି ମନଦେଇ ଶୁଣ’ ।

ଏହା କହି ପିତାମହ କାହାଣୀଟି ଶୁଣାଇଲେ ।

ପୁରା କାଳର କଥା । ଗୋଟିଏ ଅରଣ୍ୟରେ ଏକ ପ୍ରକାଣ୍ଡ ବଟବୃକ୍ଷ ଥିଲା । ସେ ବୃକ୍ଷରେ ବହୁ ପକ୍ଷୀ ବସା ବାନ୍ଧି ରହୁଥିଲେ । ବୃକ୍ଷର ସୁଶୀତଳ ଛାୟା ତଳେ ବହୁ ଜୀବଜନ୍ତୁ ମଧ୍ୟ ଆଶ୍ରୟ ନେଉଥିଲେ । ଏହି ବରଗଛ ମୁଳେ ଶହେଟି ଦ୍ୱାର ବିଶିଷ୍ଟ ଏକ ବିଳ ନିର୍ମାଣ କରି ପଳିତ ନାମକ ଏକ ବୁଦ୍ଧିମାନ ମୂଷିକ ବାସ କରୁଥିଲା । ବର ଡାଳରେ ଲୋମଶ ନାମକ ଏକ ମାର୍ଜାର ମଧ୍ୟ ରହୁଥିଲା । ମାର୍ଜାରଟି ପ୍ରତି ରାତ୍ରିରେ ପକ୍ଷୀ ମାନଙ୍କୁ ମାରି ଖାଉଥିଲା ଓ ଆନନ୍ଦରେ କାଳାତିପାତ କରୁଥଲା ।

ବିରାଡ଼ି ଏବଂ ମୂଷିକ ମଧ୍ୟରେ ସର୍ବଦା ଶତ୍ରୁତା ଲାଗି ରହିଥାଏ । ଦିନେ ଗୋଟିଏ ବ୍ୟାଧ ଆସି ସେଠାରେ ତାହାର ଡେରା ପକାଇଲା ।

ସେ ପ୍ରତିଦିନ ସେଠାରେ ଜାଲ ବିଛାଇ ଦିଏ ଏବଂ ଯାହା ପଶୁ ପକ୍ଷୀ ପଡ଼ନ୍ତି ତାକୁ ଧରି ନିଏ । ଥରେ ଅସାବଧାନତା ବଶତଃ ସେହି ବିଡ଼ାଳଟି ବ୍ୟାଧର ଜାଲରେ ପଡ଼ିଗଲା । ମୂଷିକ ପଳିତ, ଲୋମଶକୁ ଜାଲରେ ପଡ଼ିଥିବାର ଦେଖି ତାକୁ ଉପହାସ କରି ଜାଲରେ ଥୋପ ଦିଆହୋଇଥିବା ଆମିଷ ଦ୍ରବ୍ୟକୁ ଖାଇବାକୁ ଲାଗିଲା ।

ଏହି ସମୟରେ ସେଠାରେ ହରିତ ନାମକ ଗୋଟିଏ ନେଉଳ ଆସି ପହଞ୍ଚିଲା । ସେ କ୍ଷୁଧାରେ ତା’ର ଜିହ୍ୱା ଲହ ଲହ କରୁଥାଏ । ଆହୁରି ମୂଷିକ ଦେଖିଲା ଗଛଡାଳରେ ଏକ ତୀକ୍ଷ୍ମ ଚଞ୍ଚୁ ବିଶିଷ୍ଟ ଉଲ୍ଲୁକ ବସି ରହିଛି । ତା ନାମ ଚନ୍ଦ୍ରକ ଓ ତାର ଦୀପ୍ତ ଚକ୍ଷୁର ଦୃଷ୍ଟି ସେହି ମୂଷିକ ଉପରେ ନିବଦ୍ଧ ଥାଏ । ମୂଷିକ ଦେଖିଲା ବର୍ତ୍ତମାନ ତିନୋଟି ଶତ୍ରୁ କବଳରେ ସେ ପଡ଼ିଛି ।

ମୂଷିକ ମନେମନେ ଚିନ୍ତାକଲା ଏଭଳି ପରିସ୍ଥିତିରେ ମାର୍ଜାର ସାହାଯ୍ୟ ନେବାହିଁ ଉଚିତ ହେବ । ସେ ବିପଦରେ ପଡିଛି, ଏଣୁ ନିଶ୍ଚୟ ସେ ମୋ ସହ ସନ୍ଧି କରିବ ।

ମୂଷିକ ଯାଇ ମାର୍ଜାରକୁ କହିଲା,” ହେ ମାର୍ଜାର ! ତୁମେ ବର୍ତ୍ତମାନ ଭୀଷଣ ବିପଦରେ ପଡ଼ିଛ । ତୁମକୁ ଏ ବିପଦରୁ ଉଦ୍ଧାର କରିବା ଉପାୟ ମୋତେ ଜଣା । ମୋ ଉପରେ ମଧ୍ୟ ବିପଦ । ଦେଖ ଏ ପେଚା ଓ ନେଉଳ ତାଙ୍କର ଜିହ୍ୱା ଲହ ଲହ କରି ମୋତେ ଚାହିଁ ରହିଛନ୍ତି । ଆମେ ଦୁହେଁ ଏହିଠାରେ ବାସ କରୁଛନ୍ତି । ଏଣୁ ତୁମର ଆମର ବନ୍ଧୁତା ଅବଶ୍ୟ ଉଚିତ । ମୁଁ ତୁମକୁ ଏହି ବିପଦରୁ ନିଶ୍ଚୟ ଉଦ୍ଧାର କରିବି ଯଦି ତୁମେ ମୋତେ ଆକ୍ରମଣ ନକରିବ ।

ତହୁଁ ମାର୍ଜାର ମୂଷାକୁ ଅଭିନନ୍ଦନ ଜଣାଇ କହିଲା,ତୁମେ ମୋତେ ରକ୍ଷାକଲେ ମୁଁ ତୁମ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଅଛି । ଆସ ତୁମ ମୋ ଭିତରେ ଯଥା ଶୀଘ୍ର ସନ୍ଧି କରିନେବା ।

ମୂଷିକ ମାର୍ଜାର ମନରେ ପୂର୍ଣ୍ଣ ବିଶ୍ୱାସ ଜନ୍ମାଇ ତା କୋଳରେ ଯାଇ ବସି ପଡ଼ିଲା । ଉଭୟ ନେଉଳ ଏବଂ ପେଚା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ସେମାନଙ୍କର କାର୍ଯ୍ୟ ସିଦ୍ଧି ହେବନାହିଁ ଭାବି ସେମାନେ ନିରାଶ ହୋଇ ଫେରିଗଲେ ।

ମୂଷିକ ଧୀରେ ଧୀରେ ବିଡାଳ ପଡ଼ିଥିବା ଫାସକୁ କାଟିଲା । ବିଡ଼ାଳ କହୁଥାଏ ବନ୍ଧୁ ଡେରି ନ କରି ତୁମେ ଶୀଘ୍ର ଶୀଘ୍ର କାଟ । ଯଦି ଅତୀତରେ ମୋ ଦ୍ୱାରା କିଛି ଭୁଲ ହୋଇଥାଏ ତାହା ବନ୍ଧୁ ପଣରେ କ୍ଷମା କରିଦିଅ ।

ମୂଷିକ କହିଲା ସଖା କିଛି ବ୍ୟସ୍ତ ହୁଅ ନାହିଁ । ମୁଁ ଠିକ ସମୟରେ ମୋ କାର୍ଯ୍ୟ କରି ନେବି । ମୁଁ ଜାଲର ସମସ୍ତ ତନ୍ତୁ କାଟି ସାରିଲିଣି, ଗୋଟେ ଯୋଡ଼ିଏ ବାକିଅଛି । ତାହା ସେହି ବ୍ୟାଧ ଆସୁଥିବା ଦେଖିଲେ ମୁଁ ତୁରନ୍ତ କାଟି ଦେବି । ମୁଁ ତୁମକୁ ଆଗରୁ ବନ୍ଧନମୁକ୍ତ କଲେ ତୁମଠାରୁ ମୋ ଜୀବନପ୍ରତି ଭୟଅଛି । ବ୍ୟାଧ ଆସୁଥିବା ବେଳେ ଜାଲ କାଟିଦେଲେ ତୁମେ ଭୟରେ ପଳାଇ ଯାଇ ଗଛରେ ଆଶ୍ରୟ ନେବ ଏବଂ ମୁଁ ମଧ୍ୟ ନିର୍ଭୟରେ ମୋ ବିଳ ଭିତରେ ପଶିଯିବି ।

ମାର୍ଜାର ଓ ମୂଷିକ ଏହିଭଳି କଥା ହେଉ ହେଉ ରାତି ପାହିଗଲା । ପ୍ରଭାତରୁ ବ୍ୟାଧ ତା’ର କୁକୁର ମାନଙ୍କୁ ଧରି ଆସି ସେଠାରେ ଜାଲରେ ପଡ଼ିଥିବା ପଶୁ ପକ୍ଷୀମାନଙ୍କୁ ଗୋଟାଇବା ପାଇଁ ପହଞ୍ଚିଲା । ମୂଷା ତୁରନ୍ତ ଅବଶିଷ୍ଟ ଫାଶ କାଟିଦେଲା ।

ବନ୍ଧନ ମୁକ୍ତ ହୋଇ ବିରାଡ଼ି ଲୋମଶ ଶୀଘ୍ର ବୃକ୍ଷ ଶାଖା ଉପରକୁ ଚଢ଼ିଗଲା । ମୂଷା ମଧ୍ୟ ଯାଇ ନିର୍ଭୟରେ ନିଜ ବିଳ ଭିତରେ ଆଶ୍ରୟ ନେଲା । ବ୍ୟାଧ ଜଣକ ନିରାଶ ହୋଇ ଫେରିଲା ।

ମାର୍ଜାର ଡାଳ ଉପରେ ବସି ମୂଷିକକୁ କହିଲା, ହେ ସଖା ତୁମେ ମୋ ସହିତ ଆଳାପ ନକରି ଗର୍ତ୍ତରେ କାହିଁକି ପଶି ରହିଛ? ଆମେ ଦୁହେଁ ଏବେ ମିତ୍ର ଓ ବିପଦ ମୁକ୍ତ, ତୁମେ ସବାନ୍ଧବେ ମୋ ପାଖକୁ ଆସ । ତୁମେ ବୁଦ୍ଧିରେ ଶୁକ୍ରାଚାର୍ଯ୍ୟ ତୁଲ୍ୟ । ତୁମେ ଆସି ମୋର ମନ୍ତ୍ରୀହୋଇ ମୋତେ ସତପରାମର୍ଶ ଦିଅ ।

ବିଳରେ ଥାଇ ମୂଷିକ ଉତ୍ତରଦେଲା, ହେ ଲୋମଶ ଏହି ସଂସାରରେ କେହି କାହାର ମିତ୍ର ନୁହଁନ୍ତି କି କେହି କାହାର ଶତ୍ରୁ ନୁହଁନ୍ତି । ସ୍ୱାର୍ଥପରତାରୁ କିଏ କାହାର ମିତ୍ର ବା ଶତ୍ରୁ ହୁଅନ୍ତି । ଏହା କେବେ ସ୍ଥିର ନୁହେଁ । ସମୟ ଅନୁସାରେ ଏହା ପରିବର୍ତ୍ତନୀୟ । ତେଣୁ ମିତ୍ର ବା ଶତ୍ରୁକୁ ଅତି ବିଶ୍ୱାସ କିମ୍ବା ଅତି ଅବିଶ୍ୱାସ କରିବା ଉଚିତ ନୁହେଁ ।

ଦେଖ ଅବସ୍ଥା ଚକ୍ରରେ ପଡ଼ି ଆମ ଦୁଇଜଣଙ୍କର ମିତ୍ରତା ହୋଇ ଗଲା ବର୍ତ୍ତମାନ ତୁମେ ମୋର ଶତ୍ରୁ । ମୁଁ ତୁମର ଭକ୍ଷ୍ୟ ଓ ତୁମେ ମୋର ଭକ୍ଷକ । ତୁମେ ଯଦି ମୋ ସହ ଚିର ବନ୍ଧୁତା ସ୍ଥାପନ କରିବାକୁ ଚାହଁ ତେବେ ଏତିକି ମାତ୍ର କର, ମୁଁ ଅସାଵଧାନ ଥିବା ବେଳେ ମୋତେ ଆକ୍ରମଣ କରିବ ନାହିଁ ।

ଆଖ୍ୟାୟିକାଟିକୁ ସମ୍ପୂର୍ଣ କରି ପିତାମହ କହିଲେ, ଦେଖ ମୂଷିକ ପଳିତ ଦୁର୍ବଳ ଜୀବଟିଏ । ସେ ତିନି ତିନିଟି ଶତ୍ରୁ କବଳରେ ପଡ଼ିଥିଲା, ଅଥଚ ନିଜର ବୁଦ୍ଧି ଓ ନୀତି ବଳରେ ଶତ୍ରୁମାନଙ୍କ ଠାରୁ ନିଜକୁ ସେ ବଞ୍ଚାଇପାରିଲା ।

ଦୁଇଶତ୍ରୁଙ୍କ ମଧ୍ୟରେ ଯେଉଁ ମିତ୍ରତା ସ୍ଥାପନହୁଏ ତାହା ସାମୟିକ ହୋଇଥାଏ । ମାତ୍ର କର୍ତ୍ତବ୍ୟ ଦୃଷ୍ଟିରୁ ଦୁର୍ବଳ ଏବଂ ଚତୁର ବ୍ୟକ୍ତି ତାହା ହିଁ କରିଥାଏ । ବତ୍ସ, ଯୁଧିଷ୍ଠିର ଏବେ ତୁମ ପ୍ରଶ୍ନର ଉତ୍ତର ତୁମେ ବୋଧହୁଏ ପାଇ ସାରିଛ ।

ପିତାମହ ଭୀଷ୍ମ ଶରଶଯ୍ୟା ଉପରେ ଦିନ ପରେ ଦିନ ଏହିଭଳି ବହୁ ଉପାଖ୍ୟାନ ଓ ଆଖ୍ୟାୟିକା ମାଧ୍ୟମରେ ଯୁଧିଷ୍ଠିରଙ୍କୁ ବହୁମୂଲ୍ୟ ଉପଦେଶମାନ ଦେଇ ଥିଲେ । ମନୋରମ ଆଖ୍ୟାୟିକା ମାନଙ୍କ ଛଳରେ ଦିଆଯାଇଥିବା ଭୀଷ୍ମଙ୍କ ଏହି ଉପଦେଶ ଗୁଡ଼ିକ ମହାଭାରତରେ ଏକ ବିଶାଳ ଗ୍ରନ୍ଥ ଯାହା ଶାନ୍ତି ଓ ଅନୁଶାସନ ପର୍ବ ନାମରେ ଖ୍ୟାତ । ଏହା ରାଜନୀତି, ଅର୍ଥନୀତି, ସମାଜଶାସ୍ତ୍ର ଓ ଧର୍ମନୀତି ବିଷୟରେ ଯେ ଏକ ଉତ୍କୃଷ୍ଠ ମାର୍ଗ ଦର୍ଶିକା, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights