ସାଧୁଙ୍କୁ ନର୍କ ପ୍ରାପ୍ତିର ଆଦେଶ ମିଳିଲା । ସାଧୁ ଏହାର ଦୃଢ ବିରୋଧ କଲେ । ସେ ଜୀଵନରେ କୌଣସି ପାପ କରି ନାହାନ୍ତି । ତେଵେ ତାଙ୍କୁ ନର୍କ କାହିଁକି ?
ସାଧୁମହାତ୍ମା ଜଣଙ୍କ ସମ୍ପୂର୍ଣ ଭାବେ ନିଜ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଥିଲେ । ଦୀର୍ଘ ଦିନର ତପସ୍ୟାରୁ ଫେରି, ସେ ଏକ ଆଶ୍ରମରେ ଦୀନହିନ ଭାବେ ଜୀବନ ଯାପନ କରିବାକୁ ଲାଗିଲେ । ସେ ଭିକ୍ଷା ମାଗିବାକୁ ଯାଉ ନଥିଲେ, କୋୖଣସି ଦାନ ମଧ୍ୟ ଗ୍ରହଣ କରୁନଥିଲେ । ଯିଏ ଯାହା ଦେଉଥିଲା, ତାକୁ ଭଗବାନଙ୍କ ପ୍ରସାଦ ଭାବି ଶ୍ରଦ୍ଧା ପୂର୍ବକ ଭୋଜନ କରୁଥିଲେ ।
ମୋକ୍ଷ ତାଙ୍କ ଜୀବନର ଅନ୍ତିମ ଲକ୍ଷ୍ୟ ଥିଲା । ଦୀର୍ଘ ଦିନର ସାଧନା ଦ୍ୱାରା ସେ ଆତ୍ମା, ପରମତ୍ମାର ଗୁଢ଼ ରହସ୍ୟ ବୁଝିବାକୁ ସମର୍ଥ ହୋଇଥିଲେ । କ୍ରମଶଃ ତାଙ୍କର ଖ୍ୟାତି ବ୍ୟାପିବାକୁ ଲାଗିଲା ଓ ଲୋକମାନେ ସ୍ୱତଃ ତାଙ୍କର ଆଶୀର୍ବାଦ ନେବାକୁ ଆସିଲେ । ପ୍ରତ୍ୟେକ ଦିନ ତାଙ୍କ ଆଶ୍ରମ ସମ୍ମୁଖରେ ଭିଡ଼ ଜମିବାକୁ ଲାଗିଲା । ଭକ୍ତମାନଙ୍କ ଆଗ୍ରହ ଦେଖି ସେ ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚନ ଦେବାକୁ ଆରମ୍ଭ କଲେ ।
ତେବେ ସାଧୁ ମହାତ୍ମାଙ୍କର ଏକ ସମସ୍ୟା ଥିଲା । ତାଙ୍କ ଆଶ୍ରମର ଠିକ୍ ସମ୍ମୁଖରେ, ରାସ୍ତାର ଅପର- ପାର୍ଶ୍ଵରେ, ଏକ ଗଣିକା ରହୁଥିଲା । ଦୀର୍ଘ ଦିନରୁ ସେ ତାର ବ୍ୟବସାୟ ଚଳାଇ ଆସୁଥିଲା । ଭକ୍ତମାନଙ୍କ ଠାରୁ ସବୁ ଶୁଣି ସାଧୁ ବ୍ୟଥିତ ହେଲେ । କାରଣ ସାଧୁଙ୍କ ପ୍ରବଚନ ଓ ଗଣିକାର ବ୍ୟବସାୟ ସମୟ ନିର୍ଘଣ୍ଟ ଏକା ଥିଲା । ଆଶ୍ରମକୁ ଆସୁଥିବା ଭକ୍ତମାନେ ସାଧାରଣ ବର୍ଗର ହୋଇଥିଲା ବେଳେ ଗଣିକା ପାଖକୁ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ଆସୁଥିଲେ । ସେମାନଙ୍କ ମଧ୍ୟରେ ଅନେକ ରାଜ କର୍ମଚାରୀ ମଧ୍ୟ ଥିଲେ ।
ଅନେକ ଦିନ ଏସବୁ ଦେଖିଲା ପରେ, ଦିନେ ସାଧୁ ଗଣିକାକୁ ନିଜ ଆଶ୍ରମକୁ ଡକାଇଲେ । ଦେହ-ବ୍ୟବସାୟ ଜନିତ ପାପରୁ ତାକୁ ନିବୃତ୍ତ କରି, ଅଧ୍ୟାତ୍ମିକ ମାର୍ଗରେ ଚାଲିବାକୁ ପ୍ରବତ୍ତାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସାଧୁଙ୍କ ନିର୍ଦ୍ଦେଶ ପାଇଁ ଗଣିକା ସାଧୁଙ୍କ ସମ୍ମୁଖରେ ପ୍ରଣିପାତ ପୂର୍ବକ ନତ ମସ୍ତକ ହୋଇ ଦଣ୍ଡାୟମାନ ହେଲା । ସାଧୁ ଯେତେବେଳେ ତାକୁ ପୁତ୍ରୀ ସମ୍ବୋଧନ କରି ଆଶୀର୍ବାଦ ଦେଲେ, ତା ଆଖିରୁ ଧାରଧାର ଲୁହ ଗଡ଼ିବାକୁ ଲାଗିଲା ।
ସାଧୁ ଗଣିକାକୁ ଆତ୍ମା, ପରମାତ୍ମା ଓ ମୋକ୍ଷର ମାର୍ଗ ବୁଝାଇଲେ । ଯେହେତୁ ଜୀବନ ଓ ଯୌବନ କ୍ଷଣସ୍ଥାୟୀ, ଦୈହିକ ସୁଖରୁ ନିବୃତ୍ତ ହୋଇ, ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରିବାକୁ ପରାମର୍ଶ ଦେଲେ । ଗଣିକା ସାଧୁଙ୍କୁ କିଛି କହିଲା ନାହିଁ । ସାଧୁଙ୍କୁ ପ୍ରଣାମ କରି ଛଳଛଳ ଆଖିରେ ପ୍ରସ୍ଥାନ କଲା । ତାର ଏତାଦୃଶ୍ୟ ବ୍ୟବହାରରେ ସାଧୁ ଖୁସି ହେଲେ ଓ ତାଙ୍କ ମହତ ବାଣୀ ଦ୍ବାରା ସେ ଜଣଙ୍କର ଚରିତ୍ରକୁ ପରିବର୍ତ୍ତନ କରି ପାରିଛନ୍ତି ବୋଲି ଆତ୍ମ ସନ୍ତୋଷ ଲାଭକଲେ ।
ପରଦିନ ସେହି ଏକା ଘଟଣାର ପୁନରାବୃତ୍ତି ଘଟିଲା । ସାଧୁ ଲକ୍ଷ୍ୟ କଲେ ଯେ ଗଣିକା ବେଷଭୂଷା ହୋଇ ପୂର୍ବଭଳି ଗ୍ରାହକଙ୍କ ଅପେକ୍ଷାରେ ଠିଆ ହୋଇଛି । ସାଧୁ ଚିନ୍ତିତ ହେଲେ । ଆଶ୍ରମକୁ ଆସୁଥିବା ଭକ୍ତମାନେ ଗଣିକାର ରୂପ ଯୌବନରେ ସମ୍ମୋହିତ ହୋଇ ବିପଥଗାମୀ ହେବାର ଭୟ ତାଙ୍କୁ ଘାରିଲା କିନ୍ତୁ ତାଙ୍କର ଆଉ କିଛି କରିବାର ନଥିଲା । ତାଙ୍କର ଆଶଙ୍କା ମଧ୍ୟ ସତ୍ୟ ପ୍ରମାଣିତ ହେଲା।
ତାଙ୍କର ଅନୁଗାମୀଙ୍କ ମଧ୍ୟରୁ କେତେକ ଆଉ ଆଶ୍ରମକୁ ନଆସି ବେଶ୍ୟାଳୟକୁ ଗମନ କଲେ । କ୍ରମଶଃ ସାଧୁ ମହାତ୍ମାଙ୍କର ଅନୁଗାମୀଙ୍କ ସଂଖ୍ୟା କମିଲା ଓ ଗଣିକାର ବ୍ୟବସାୟ ବଢିବାକୁ ଲାଗିଲା । ସାଧୁ ବ୍ୟଥିତ ହେଲେବି ଏହା ବୋଧେ ଈଶ୍ୱରଙ୍କ ଇଛା ଭାବି ନିରବ ରହିଲେ । ଆଶ୍ରମ ସମ୍ମୁଖରେ ବେଶ୍ୟାଳୟଟି ଥିବାରୁ ସେଠାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ଦେଖି ପାରୁଥିଲେ । ସାଧୁ କିନ୍ତୁ ଦୃଢ଼ମନା ଥିଲେ। ଯେମିତି ହେଉ ଗଣିକାର ହୃଦୟ ପରିବର୍ତ୍ତନ କରବାକୁ ସେ ଦୃଢ ପରିକର ଥିଲେ । ସେ ଏକ ନୂଆ ଉପାୟ ପାଞ୍ଚିଲେ ।
ଗଣିକା ଗୃହ ଭିତରକୁ ଗ୍ରାହକ ଟିଏ ପ୍ରବେଶ କଲା ମାତ୍ରେ, ସାଧୁ ଏହାର ହିସାବ ରଖିବା ପାଇଁ ଏକ ଗୋଡି ରଖିଲେ । ବେଶ୍ୟାଳୟକୁ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କର ସଂଖ୍ୟା ଗୋଡି ମାଧ୍ୟମରେ ଗଣିବା ଦ୍ୱାରା ଅଳ୍ପ ଦିନ ଭିତରେ ଗୋଡିର ଗଦା ପୂର୍ଣ୍ଣ ହୋଇଗଲା । ସାଧୁ ଗଣିକକୁ ଆଉଥରେ ଆଶ୍ରମକୁ ଡ଼ାକି ସେ ଗୋଡିଗଦାକୁ ଦେଖାଇଲେ ଓ କହିଲେ, __” ଏହି ଗୋଡି ଗଦା ହେଉଛି ତୋର ପାପର ପ୍ରତୀକ ଓ ତୋର ନର୍କକୁ ଯିବା ସୁନିଶ୍ଚିତ”। ପୂର୍ବ ଭଳି ଗଣିକା କିଛି କହିଲା ନାହିଁ । ସାଧୁଙ୍କୁ ପ୍ରଣିପାତ ପୂର୍ବକ କାନ୍ଦିକାନ୍ଦି ଘରକୁ ଫେରିଲା ।
ଏହାର କିଛି ଦିନ ପରେ ସଂଯୋଗ ବଶତଃ ସାଧୁ ଓ ଗଣିକା ଉଭୟଙ୍କ ଏକା ସମୟରେ ମୃତ୍ୟୁ ଘଟିଲା । ଯମଦୂତ ଆସି ଦୁଇ ଜଣଙ୍କୁ ନେଇ ଯମଙ୍କ ଦରବାରରେ ହାଜର କରାଇଲେ । କର୍ମଫଳ ଆଧାରରେ, ସାଧୁଙ୍କୁ ନର୍କ ଓ ଗଣିକାକୁ ସ୍ୱର୍ଗ ପ୍ରାପ୍ତିର ଆଦେଶ ମିଳିଲା । ସାଧୁ ଏହାର ଦୃଢ ବିରୋଧ କଲେ । ସେ ଜୀଵନରେ କୌଣସି ପାପ କରି ନାହାନ୍ତି । ତେଵେ ତାଙ୍କୁ ନର୍କ କାହିଁକି ? ଅନ୍ୟ ପକ୍ଷରେ ଗଣିକାକୁ ବା କିପରି ସ୍ୱର୍ଗ ପ୍ରାପ୍ତି ହେବ ?
ଚିତ୍ରଗୁପ୍ତ ଗୋଡି ଗଦାଟିକୁ ସାଧୁଙ୍କୁ ଦେଖାଇ କହିଲେ_” ଏହା ହିଁ ଆପଣଙ୍କର ଏକମାତ୍ର ପାପ । ଯେତେବେଳେ ଗଣିକାଟି ଅତ୍ୟନ୍ତ ନିଷ୍ଠାର ସହ ତାର ଦାୟିତ୍ୱ ନିର୍ବାହ କରୁଥିଲା ସେତେବେଳେ ଆପଣ ନିଜ କର୍ତ୍ତବ୍ୟ ଭୁଲି, ଗୋଡି ଗଣିବାରେ ବ୍ୟସ୍ତ ଥିଲେ” ।
ଭୁବନେଶ୍ୱର
ତା-୧୨-୦୨-୨୦୨୨