ମାଆ କୀଚକେଶ୍ୱରୀ

Share it

ପୁରାଣ କଥା
6th August 2024

ମାଆ କୀଚକେଶ୍ୱରୀ

ଭଞ୍ଜଭୂମି ମୟୁରଭଞ୍ଜର ଭଞ୍ଜ ବଂଶୀୟ ନରପତି ମାନଙ୍କ ଅମ୍ଳାନ କିର୍ତ୍ତୀ, ଖିଚିଂରେ ଅବସ୍ଥିତ ମାଆ କୀଚକେଶ୍ଵରୀମନ୍ଦିର l ଘଞ୍ଚ ସବୁଜବନାନୀ ଏବଂ ପାହାଡ଼ଘେରା ମନୋରମ ମାଆଙ୍କର ଏହି ପୀଠ ଦର୍ଶନରେ ଦର୍ଶକ କ୍ଷଣେ ହୋଇଥାଏ ଆନମନା l

ତଇତିହାସରୁ ଜଣାଯାଏ ଖିଚିଂର ପୂର୍ବନାମ ଥିଲା ଖିଜିଙ୍ଗାକୋଟା l ଏହା ପ୍ରାଚୀନ ଖିଜିଙ୍ଗା ମଣ୍ଡଳର ରାଜଧାନୀ ଥିଲା l ଖିଜିଙ୍ଗାମଣ୍ଡଳ ପୂର୍ବେ ଆଧୁନିକ କେନ୍ଦୁଝର, ମୟୁରଭଞ୍ଜ, ଝାଡ଼ଖଣ୍ଡ ସିଂହଭୂମି ଓ ପଶ୍ଚିମବଙ୍ଗର ମେଦିନୀପୁରର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା l ଭଣ୍ଡନ,କଣ୍ଟା ଖଇରୀ ନଦୀର ମଧ୍ଯ ଭାଗରେ ଅବସ୍ଥିତ ଖିଜିଙ୍ଗା କୋଟା ବା ଖିଚିଂ ଏହାର ରାଜଧାନୀ ଥିଲା l

ଅଷ୍ଟମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଏହା ଏକ ସମୃଦ୍ଧ ଅଞ୍ଚଳ ଥିଲା ଓ ଭଞ୍ଜବଂଶୀ ରାଜନ୍ୟ ଗଣ ଏଠାରେ ରାଜ୍ୟ କରୁଥିଲେ l ପରେ ୧୩୧୬ ମସିହାରେ ମହମ୍ମଦ ତୋଗଲକଙ୍କ ଆକ୍ରମଣରେ ଏହା ନଷ୍ଟହୋଇଯିବାରୁ ଭଞ୍ଜରାଜ୍ୟର ରାଜଧାନୀ ବାରିପଦା ନିକଟ ବର୍ତ୍ତୀ ହରିପୁରକୁ ସ୍ଥାନାନ୍ତରିତ କରା ଯାଇଥିଲା l ଭଞ୍ଜ ରାଜବଂଶର ଇଷ୍ଟ ଦେବୀ ଓ ଖିଜିଙ୍ଗାମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ଥିଲେ ମା’ ଖିଜିଙ୍ଗେଶ୍ୱରୀ l ସେ କ୍ରମେ ଲୋକ ମୁଖରେ ମାଆ କୀଚକେଶ୍ଵରୀ ଭାବରେ ପରିଚିତ ହୋଇ ଥିଲେ l

ଲୋକ କଥା ଅନୁସାରେ ମହାଭାରତ କାଳରେ ଅଜ୍ଞାତ ବାସ ସମୟରେ ଏଠାରେ ପାଣ୍ଡବ ଭ୍ରାତା ମାନେ ଗୋଟିଏ ବର୍ଷ ବସବାସ କରିଥିଲେ l ସେ ସମୟରେ ଏହା ଥିଲା ବିରାଟ ରାଜାଙ୍କ ଦେଶ l ଏହିଠାରେ ବିରାଟ ରାଣୀ ସୁଦେଷ୍ଣାଙ୍କ ସେବାରେ ଛଦ୍ମ ବେଶରେ ଦ୍ରୌପଦୀ, ଶୈରୀନ୍ଦ୍ରୀ ନାମ ଧରି ନିଯୁକ୍ତ ଥିଲେ l ବିରାଟ ରାଜାଙ୍କ ଶାଳକ ଥିଲେ କୀଚକ l ତାଙ୍କର ବିରାଟ ରାଜଙ୍କ ଉପରେ ବହୁ ପ୍ରଭାବ ଥିଲା l ଏଣୁ ଲୋକକଥା ରହିଛି ‘କୀଚକ ବାହୁ ବଳେ ବିରାଟ ରାଜା’ l କୀଚକ ଏହିଠାରେ ସତୀ ଦ୍ରୌପଦୀଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଠ ହୋଇ ତାଙ୍କ ଉପରେ ଅତ୍ୟାଚାରର ଉଦ୍ୟମ କରୁଥିଲା ବେଳେ ଛଦ୍ମ ବେଶୀ ପାଚକ ମହାବଳୀ ଭୀମଙ୍କ ହସ୍ତରେ ନିପାତ ହୋଇଥିଲେ l ଏହି ପୌରାଣିକ କାହାଣୀକୁ ଭିତ୍ତି କରି କେହି କେହି କହନ୍ତି ଦେବୀ କୀଚକେଶ୍ବରୀ ଥିଲେ କୀଚକର ଇଷ୍ଟ ଦେବୀ l ଏ କାହାଣୀର ସ୍ମୃତି ବହନ କରୁଛି ଭୁ ଖନନ ଦ୍ୱାରା ଆବିଷ୍କୃତ ବିରାଟ ଗଡ଼ ଓ କୀଚକ ଗଡ଼ l

ବିରାଟ ନଗରୀର ଶୋଭାବର୍ଣ୍ଣନା କରିବାକୁ ଯାଇ ସ୍ଵଭାବ କବି ଗଙ୍ଗାଧର ମେହେର କୀଚକ ବଧ କାବ୍ୟରେ ଲେଖିଛନ୍ତି :-
ବିରାଟ ନଗର ମହୀ ମଧ୍ୟେ ମନୋହର l
ବିଶ୍ଵ ମନୋରମା ରମାଦେବୀ କେଳିଘର ll
ବିପଣି ସକଳ ଶୁଭ୍ର ସଉଧ ମାଳିନୀ l
ରଜତ ପର୍ବତ ସମ ସୁଷମା ଶାଳୀନୀ ll

ଏହି ଗଡ଼ କୀଚକେଶ୍ଵରୀ ମନ୍ଦିର ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ସ୍ଥିତ l ପ୍ରତ୍ନତାତ୍ବିକ ଖନନ ଦ୍ୱାରା ଏଠାରେ ବହୁଗୁଡ଼ିଏ ସ୍ତୁପ ଆବିଷ୍କୃତ ହୋଇ ଥିବାରୁ ଅନୁମାନ କରାଯାଏଯେ ଏଠାରେ ଏକଦା ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା l

ଭଞ୍ଜ ରାଜଧାନୀ ହରିପୁରକୁ ଉଠିଯିବା ପରେ ମା’ କିଚକେଶ୍ବରୀଙ୍କ ମୂର୍ତ୍ତୀ ଏବଂ ମନ୍ଦିର ମାଟି ତଳେ ପୋତି ହୋଇ ଯାଇଥିଲା l ବହୁବର୍ଷ ପରେ ଭଞ୍ଜ ରାଜାଙ୍କ ଭୂୟାଁ ଜନ ଜାତିର ପ୍ରଜା ମାନେ ମୂର୍ତ୍ତିକୁ ଭଗ୍ନ ଅବସ୍ଥାରେ ମାଟି ତଳୁ ଉଦ୍ଧାର କରିଥିଲେ ଓ ଛୋଟଘରଟିଏ ନିର୍ମାଣକରି ସେହ ସ୍ଥାନରେ ମୂର୍ତ୍ତିକୁ ରଖି ପୂଜା କରୁ ଥିଲେ l ପରେ ଏଠାରେ ଭଞ୍ଜ ରାଜାଙ୍କ ସହାୟତାରେ ନବମ ଏବଂ ଦଶମ ଶତାବ୍ଦୀରେ ମାଆଙ୍କ ମନ୍ଦିର ନିର୍ମାଣ କରା ଯାଇ ଥିଲା l କାଳକ୍ରମେ ଦେବୀ ସମଗ୍ର ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇଲେ l

ନବମ ଶତବ୍ଦୀରେ ନିର୍ମିତ ମାଆଙ୍କ ପୁରାତନ ମନ୍ଦିରଟି କ୍ରମେ ନଷ୍ଟ ହୋଇ ଯାଇ ଥିଲା l ଭଗ୍ନ ମନ୍ଦିରର କାରୁ କାର୍ଯ୍ୟକୁ ଅକ୍ଷୁଣ୍ଣ ରଖି ତା ଉପରେ ୧୯୨୫ ମସିହାରେ ତତ୍କାଳୀନ ମୟୁରଭଞ୍ଜ ରାଜା ପୂର୍ଣ୍ଣ ଚନ୍ଦ୍ର ଭଞ୍ଜ ଦେଓ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୩୪ ରେ ମନ୍ଦିର ନିର୍ମାଣ କାର୍ଯ୍ୟ ତାଙ୍କର ସୁପୁତ୍ର ପ୍ରତାପ ଚନ୍ଦ୍ର ଭଞ୍ଜ ଦେଓଙ୍କ ଅମଳରେ ସମ୍ପୂର୍ଣ୍ଣ ହୋଇଥିଲା l ସମ୍ପୂର୍ଣ୍ଣ ମନ୍ଦିରଟି କଳା ମୁଗୁନି ପଥରରେ ନିର୍ମିତ l ମନ୍ଦିର ଉଚ୍ଚତା ୧୦୦ ଫୁଟ l ଏହା ୧୭୬୪ ବର୍ଗ ଫୁଟର କ୍ଷେତ୍ର ଉପରେ ଅବସ୍ଥିତ l ମନ୍ଦିର ନିକଟରେ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି ଯେଉଁଠି ବହୁ ପୁରାତନ ମୂର୍ତ୍ତି ସଂଗ୍ରହ କରି ରଖା ଯାଇଛି l ମା’ କୀଚକେଶ୍ୱରୀଙ୍କ ମନ୍ଦିର ଏକ ରେଖ ଦେଉଳ ଆକୃତିର ଅନନ୍ୟ କାରିଗରୀ l ଏହି ମନ୍ଦିରରେ କୌଣସି ଭୋଗ ମଣ୍ଡପ ଓ ନାଟ ମଣ୍ଡପ ନାହିଁ l ଗର୍ଭଗୃହ ଭିତରେ ମା’ କୀଚକେଶ୍ବରୀ ପଦ୍ମଫୁଲ ଉପରେ ଉପବିଷ୍ଠା ଅଷ୍ଟ ଭୂଜା ମା’ ଚାମୁଣ୍ଡା ମୂର୍ତ୍ତି l ମାଆଙ୍କ ମନ୍ଦିର ପାର୍ଶ୍ବରେ ରହିଛି ଶ୍ରୀଚନ୍ଦ୍ରଶେଖର ମହାଦେବ ଓ କୁଚେଇତୁଣ୍ଡି ଶିବ ମନ୍ଦିର l ମନ୍ଦିର ପରିସରରେ ଏକ ସୁନ୍ଦର ଉଦ୍ୟାନ ରହିଛି l

କୀଚକେଶ୍ୱରୀଙ୍କ ମନ୍ଦିରର ଅନତି ଦୂରରେ ରହିଛି ଭଗବାନ ବୁଦ୍ଧଙ୍କ ଏକ ବିରାଟ ମୂର୍ତ୍ତୀ l ମନ୍ଦିର ଠୁଁ ଅଳ୍ପ ଦୂରରେ ଥିବା ଚାଉଳକୁଞ୍ଜି ଏବଂ ଚାନ୍ଦିଶାଳ ଦୁଇଟି ଗୁରୁତ୍ୱ ସମ୍ପନ୍ନ ପ୍ରତ୍ନତାତ୍ବିକ ସ୍ଥଳୀ l ସୁନ୍ଦର ପଥର ମୂର୍ତ୍ତୀ ପାଇଁ ଖିଚିଂର ପ୍ରସିଦ୍ଧି ରହିଛି l ଏହା ଏକ ପ୍ରାଚୀନ ଐତିହ୍ୟସମ୍ପନ୍ନ କ୍ଷେତ୍ର l ଓଡିଶା ଓ ମୟୂରଭଞ୍ଜ ଇତିହାସ ସହ ଏହା ଅଙ୍ଗାଙ୍ଗୀଭାବେ ଜଡ଼ିତ l ଆମ ରାଜ୍ୟରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଏହା ମାନ୍ୟତା ପ୍ରାପ୍ତ l ମା’ କରୁଣାମୟୀଙ୍କ ଆଶୀର୍ବାଦ ପ୍ରାପ୍ତି ଓ ମନୋରଞ୍ଜନ ପାଇଁ ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କ ଆଗମନ ଲାଗି ରହିଥାଏ l
ଜୟ ମା’ କୀଚକେଶ୍ୱରୀ !
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights