ଭରଦ୍ୱାଜଙ୍କ ଆଶ୍ରମରେ ଭରତ
================
ରାମଙ୍କୁ ବନବାସରୁ ଫେରାଇଆଣିବା ପାଇଁ ଭରତ ଚତୁରଙ୍ଗ ସେନା ସହ ଗୁରୁ, ଆମାତ୍ୟ,ରାଜ ମହିଷି ଓ ଅଯୋଧ୍ୟାର ପ୍ରଜାମାନଙ୍କୁ ଘେନି ଶୃଙ୍ଗବେରପୁର ଠାରେ ରାମମିତ୍ର ବିଷାଦରାଜ ଗୁହଙ୍କ ସାହାଯ୍ୟରେ ଗଙ୍ଗା ପାର ହେଲେ l ଗଙ୍ଗା ଅପର ପାରିରେ ପହଞ୍ଚି ସେ କୋଶେଦୁରରେ ରହି ୠଷି ଭରଦ୍ୱାଜଙ୍କ ଆଶ୍ରମ ଯିବା ପାଇଁ ପ୍ରସ୍ତୁତ ହେଲେ l
ସେ ଦେହରୁ ସମସ୍ତ ରାଜ ପରିଚ୍ଛଦ ଖୋଲି ଦେଲେ ଓ ସବୁ ଅସ୍ତ୍ର ଶସ୍ତ୍ର ରଖିଦେଇ ପଟ୍ଟବସ୍ତ୍ର ଧାରଣ କରି ପାଦରେ ଚାଲି ଚାଲି ଚାଲିଲେ, ଭରଦ୍ୱାଜଙ୍କ ଦର୍ଶନ ପାଇଁ l ଭରଦ୍ୱାଜ ବଶିଷ୍ଠଙ୍କୁ ଦୂରରୁ ଦେଖି ଧାଇଁଆସି ତାଙ୍କୁ ପାଛୋଟି ନେଲେ ଓ ଅର୍ଘ୍ୟଦାନ ପୂର୍ବକ ତାଙ୍କ କୁଶଳ ଜିଜ୍ଞାସା କଲେ l ଭରତ ମହର୍ଷି ଭରଦ୍ୱାଜଙ୍କ ପଦ ବନ୍ଦନା କଲେ l
କିଛି ସମୟ କୁଶଳ ଜିଜ୍ଞାସା ପରେ ୠଷି ଭରଦ୍ୱାଜ ଭରତଙ୍କୁ କହିଲେ, ସ୍ତ୍ରୀବଶ ହୋଇ ରାଜା ଦଶରଥ ରାମଙ୍କୁ ଚଉଦବର୍ଷ ବନବାସ ଦେଇଛନ୍ତି l ପିତ୍ରାଜ୍ଞା ପାଳନ କରି, ରାମ ବର୍ତ୍ତମାନ ବନବାସ କରୁଛନ୍ତି l ତୁମେ ରାଜ୍ୟ ଶାସନ କରୁଥିଲ l ବର୍ତ୍ତମାନ ତୁମର ଏଠାକୁ ଦଳ ବଳ ସହ ଆସିବାର କାରଣ କଅଣ l ତୁମେ କଅଣ ରାମ ଲକ୍ଷ୍ମଣଙ୍କ ଅନିଷ୍ଟକରି ରାଜ୍ୟକୁ ଆହୁରି ନିଷ୍କଣ୍ଟକ କରିବାକୁ ଚାହୁଁଛ l
ଭରତ ସାଶ୍ରୁନେତ୍ରରେ କହିଲେ, ଭଗବନ୍ ! ଆପଣ ମୋତେ ଭୁଲ୍ ବୁଝନ୍ତୁ ନାହିଁ l ମୋର ଅନୁପସ୍ଥିତିରେ ମୋ ମାଆ ଯାହା କରିଛନ୍ତି ସେଥିପାଇଁ ମୁଁ ଲଜ୍ଜିତ l ଅଯୋଧ୍ୟା ରାମଙ୍କର l ମୁଁ ତାଙ୍କର ଭୃତ୍ୟ l ମୁଁ ତାଙ୍କୁ ଅଯୋଧ୍ୟା ଫେରାଇ ନେବା ପାଇଁ ଆସିଛି l ଆପଣ ମୋତେ ଅନୁଗ୍ରହ କରି, ରାମ କେଉଁଠାରେ ଅଛନ୍ତି କୁହନ୍ତୁ ଓ ମୋତେ ଆଶୀର୍ବାଦ କରନ୍ତୁ l
ମୁନି ଭରଦ୍ୱାଜ ଅତି ପ୍ରୀତହୋଇ କହିଲେ, ଭରତ ! ପ୍ରସିଦ୍ଧ ରଘୁ କୁଳରେ ତୁମର ଜନ୍ମ l ତୁମେ ଧାର୍ମିକ l ତୁମେ ସାଧୁ l ଜାଣିଶୁଣି ତୁମର ମନୋବଳ ପରୀକ୍ଷା ପାଇଁ, ମୁଁ ଏପରି ପ୍ରଶ୍ନ କରିଥିଲି l ବର୍ତ୍ତମାନ ଲକ୍ଷ୍ମଣ ଓ ସୀତାଙ୍କ ସହ ରାମ ଚିତ୍ରକୁଟ ପର୍ବତରେ ନିବାସ କରୁଛନ୍ତି l ଆଜି ତୁମେ ଏଇଠି ବିଶ୍ରାମକର l କାଲି ପ୍ରଭାତରୁ ଚିତ୍ରକୁଟ ଯାତ୍ରା କରିବ l
ଭରଦ୍ୱାଜଙ୍କ ନିର୍ଦ୍ଦେଶ କ୍ରମେ, ଭରତ ଦୂରରେ ରଖି ଆସିଥିବା, ତାଙ୍କର ସମସ୍ତ ସେନା ଓ ଗଜ ବାଜିଙ୍କୁ ଭରଦ୍ୱାଜ ଆଶ୍ରମକୁ ଘେନି ଆସିଲେ l ତାଙ୍କ ଏତେ ବଡ଼ ବାହିନୀର ସତ୍କାରନିମନ୍ତେ ଋଷିଙ୍କ ଆଶ୍ରମରେ କଅଣ ବା ଅଛି l ମହର୍ଷି ସ୍ନାନସାରି ଅଗ୍ନି ଶାଳାରେ ପ୍ରବେଶ କରି, କୁବେରଙ୍କୁ ଆବାହନ କରି କହିଲେ, ତୁମେ ଭରତଙ୍କ ସତ୍କାରନିମନ୍ତେ ଶୀଘ୍ର ଗୃହ ଆଦିର ବ୍ୟବସ୍ଥା କର l ଉତ୍ତରକୁରୁରେ ଥିବା ବୃକ୍ଷ ଓ ଫଳ ସମ୍ଭାର ପୁର୍ଣ୍ଣ କୁବେରବନକୁ ମହର୍ଷି ଆହ୍ବାନ କଲେ ସମସ୍ତ ଖାଦ୍ୟପେୟ ଯୋଗାଇ ଦେବା ପାଇଁ l ଇନ୍ଦ୍ର, ସମସ୍ତ ଲୋକପାଳ ତଥା ଅପସରାମାନଙ୍କୁ ଆହ୍ଵାନ କଲେ ସେ ସବୁ ଆମୋଦ ପ୍ରମୋଦ ସାମଗ୍ରୀ ଖଞ୍ଜି ଦେବା ପାଇଁ l ସଙ୍ଗେ ସଙ୍ଗେ, ଆଶ୍ରମରେ ବସନ୍ତର ମୃଦୁ ହିଲ୍ଲୋଳ ପ୍ରବାହିତ ହେଲା l ସମସ୍ତ ତରୁଲତା କୁସୁମିତ ହୋଇ ଉଠିଲେ l ହର୍ମ୍ୟ ଓ ପ୍ରାସାଦ ମାନ ଗଢ଼ି ଉଠିଲା l ସୁନ୍ଦରୀ ଅପ୍ସରାମାନେ ବାଦ୍ୟ ନୃତ୍ୟ ଓ ଗୀତର ଝଙ୍କାର ତୋଳି ଦେଲେ l ପ୍ରଚୁର ମାଂସ ମଦ୍ୟ ଓ ସୁମିଷ୍ଟ ଭୋଜନ ସାମଗ୍ରୀମାନ ଆସି ଠୁଳ ହୋଇ ଗଲା l ସୁନ୍ଦର ପାନପାତ୍ର ମାନଙ୍କରେ ନାନା ଫଳରସ ଓ ମଦିରା ସଜ ହୋଇ ରହିଲା l ସେଦିନ ମୁନି ଭରଦ୍ୱାଜଙ୍କ ଆଶ୍ରମର ଐଶ୍ୱର୍ଯ୍ୟ ସ୍ଵର୍ଗର ନନ୍ଦନ କାନନକୁ ନିନ୍ଦା କରୁଥିଲା l
ଭରତଙ୍କ ଲୋକ ମାନେ ପ୍ରଚୁର ଖାଦ୍ୟ ପାନୀୟ ଓ ଆମୋଦ ପ୍ରମୋଦରେ ତୃପ୍ତହୋଇ କହିଲେ, ଆମେ ଏଇଠି ରହିବୁ,ଆମେ ଆଉ ଅଯୋଧ୍ୟା ଯିବୁନାହିଁ କି ଦଣ୍ଡକାରଣ୍ୟକୁ ଯିବୁନାହିଁ l ରାତି ପାହିଲାରୁ ସମସ୍ତ ଭୋଗ୍ୟ ବସ୍ତୁ, ଭରଦ୍ୱାଜଙ୍କ ଅନୁମତି ନେଇ ଯେଝା ସ୍ଥାନକୁ ଫେରିଗଲେ l ମୁନିଆଶ୍ରମ ପୁଣି ସ୍ଵାଭାବିକ ଅବସ୍ଥାକୁ ଫେରି ଆସିଲା l
ଭରତ କୃତକୃତ୍ୟ ହୋଇ କୃତାଞ୍ଜଳୀ ପୂର୍ବକ ମହର୍ଷି ଭରଦ୍ୱାଜଙ୍କୁ କହିଲେ, ଭଗବନ୍ ! ଆମ ସମସ୍ତଙ୍କର କ୍ଲାନ୍ତି ଦୂରହୋଇଛି, ଏବେ ଆମକୁ ବିଦାୟ ଦିଅନ୍ତୁ l କେଉଁ ବାଟରେ ଗଲେ, ଆମେ ରାମଙ୍କ ଆଶ୍ରମରେ ଯାଇ ପହଞ୍ଚି ପାରିବୁ ତାହା ଆପଣ ଦର୍ଶାଇ ଦିଅନ୍ତୁ l ଭରଦ୍ୱାଜ କହିଲେ, ଏଇଠୁ ଅଢେ଼ଇ ଯୋଜନ ଦୂର ମନ୍ଦାକିନୀ ନଦୀ ଦକ୍ଷିଣ ତୀରରେ ଚିତ୍ରକୁଟ ପର୍ବତ ପଡ଼ିବ l ପୂଣ୍ୟତୋୟା ମନ୍ଦାକିନୀ ପ୍ରବାହିତ, ସେହି ପୁଷ୍ପିତ କାନନରେ ରମଣୀୟ ଗିରି ନିର୍ଝର ଶୋଭିତ ଚିତ୍ରକୂଟ ପର୍ବତ ଉପରେ ପାଇବ ରାମଙ୍କ ଆଶ୍ରମ l ସେଇଠି ପର୍ଣ୍ଣ କୁଟୀରରେ ସୀତା ଓ ଲକ୍ଷ୍ମଣଙ୍କ ସହ ରାମ ନିବାସ କରୁଛନ୍ତି l
ୠଷିଙ୍କ ପଦ ବନ୍ଦନା କରି ସମସ୍ତେ ବିଦାୟ ନେଲା ବେଳେ ଭରତ, ରାଜମାତା ମାନଙ୍କୁ ଚିହ୍ନାଇ ଦେଇ କହିଲେ, ଏହି ହେଲେ, ରାମଙ୍କ ଜନନୀ ଯଶଶ୍ୱିନୀ କୌଶଲ୍ୟା l ମାତା କୌଶଲ୍ୟାଙ୍କ ବାମବାହୁକୁ ଧରି ବିଷର୍ଣ୍ଣ ବଦନରେ ଠିଆ ହୋଇଛନ୍ତି, ମାତା ସୁମିତ୍ରା, ଲକ୍ଷ୍ମଣ ଶତ୍ରୁଘ୍ନଙ୍କ ଜନନୀ l ଏହି ହେଉଛନ୍ତି ମୋର ମାତା କୈକେୟୀ ଯାହାଙ୍କ ପାଇଁ ରାଜା ଦଶରଥଙ୍କ ମୃତ୍ୟୁ ହେଲା ଓ ରାମ ବନବାସକୁ ଗଲେ l ନୃଶଂସ କାର୍ଯ୍ୟ କରି ମାତା କୈକେୟୀ ମୋର ସବୁ ଦୁଃଖର କାରଣ ହୋଇଛନ୍ତି l
ଏହା ଶୁଣି ଭରଦ୍ୱାଜ କହିଲେ, ହେ ଆର୍ଯ୍ୟ ଭରତ ! ମାତା କୈକେୟୀଙ୍କୁ ଦୋଷାରୋପ କରିବା, ତୁମର ଠିକ୍ ହେଉ ନାହିଁ l ରାମଙ୍କ ବନଗମନର ପରିଣାମ ସମସ୍ତଙ୍କପାଇଁ ମଙ୍ଗଳମୟ ହେବ l ତାଙ୍କ ବନବାସ ଦେବତା ଓ ଋଷିଙ୍କ ମଙ୍ଗଳ ପାଇଁ ଅଭିପ୍ରେତ l
ଭରତ ମହର୍ଷି ଭରଦ୍ୱାଜଙ୍କୁ ପ୍ରଣାମ କରି ଆଶୀର୍ବାଦ ଘେନିଲେ ଓ ତାଙ୍କୁ ପ୍ରଦକ୍ଷିଣ ପୁର୍ବଜ ଚତୁରଙ୍ଗ ବଳ, ଗଜବାଜି ଓ ଅନୁଚରଙ୍କ ସହିତ ବିପୁଳ କୋଳାହଳ ମଧ୍ୟରେ ଚିତ୍ରକୁଟ ଅଭିମୁଖେ ଯାତ୍ରା ଆରମ୍ଭ କଲେ l ଭରତଙ୍କ ସେ ଗଜବାଜି ପରିବୃତ୍ତ, ବିଶାଳ ବାହିନୀ ଦକ୍ଷିଣଦିଗକୁ ଅଗ୍ରସର ହେବାକୁ ମହାକବି ବାଲ୍ମୀକି ଆକାଶରେ ମହାମେଘ ମାନଙ୍କର ଗତି ସହ ତୁଳନା କରି ମହାକାବ୍ୟ ରାମାୟଣରେ ଲେଖିଲେ :-
ସା ପ୍ରଜାତା ମହାସେନା ଗଜ ବାଜି ସମାକୁଳା l
ଦକ୍ଷିଣୋଦିଶାମାବୃତ୍ୟ ମହାମେଘ ଇବୋସ୍ଥିତଃ ll
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971