ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ

Share it

ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ଶାନ୍ତି ନିମନ୍ତେ ଅନ୍ତିମ ପ୍ରୟାସ ବିଫଳ ହେବାପରେ ପ୍ରଳୟଙ୍କରୀ ମହାଭାରତ ଯୁଦ୍ଧ ଏକ ରକମ ନିଶ୍ଚିନ୍ତ ହୋଇପଡିଥାଏ । କୁରୁକ୍ଷେତ୍ର ରଣଭୂମିରେ ରଣ ପ୍ରାନ୍ତର ପ୍ରସ୍ତୁତି ଚାଲିଥାଏ । ପ୍ରାନ୍ତରରେ ଥିବା ଅନେକ ବଡ଼ ବଡ଼ ବୃକ୍ଷକୁ ଛେଦନ କରି ସମତଳ ପ୍ରାନ୍ତର ପ୍ରସ୍ତୁତ କରାଯାଉଥାଏ । ଯୁଦ୍ଧ ଆରମ୍ଭର ପୂର୍ବ ଦିନ ପାଣ୍ଡବ ପକ୍ଷର ସେନାପତି ଅର୍ଜୁନ ଓ ସଖା ଶ୍ରୀକୃଷ୍ଣ ଯାଇଥିଲେ ପ୍ରାନ୍ତରକୁ ପରିଦର୍ଶନ କରିବାକୁ । ଉଭୟ ପକ୍ଷର ବିଶାଳକାୟ ହସ୍ତୀ ମାନଙ୍କୁ ନିୟୋଜିତ କରାଯାଇଥାଏ ବଡବଡ଼ ବୃକ୍ଷମାନଙ୍କୁ ଧରାଶାୟୀ କରିବାକୁ ।

ରଣପ୍ରାନ୍ତରରେ ଏକ ବିରାଟ ବୃକ୍ଷ ଶାଖାରେ ଗୋଟିଏ ଭରତିଆ ପକ୍ଷୀ ବସାବାନ୍ଧି ରହୁଥାଏ ତାର ଖୁବ ସାନ ସାନ ଚାରିଟି ଶାବକଙ୍କ ସହ । ଶାବକଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡି ପାରିବା ଯୋଗ୍ୟ ହୋଇ ନଥାନ୍ତି । ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ବୃକ୍ଷଟିକୁ ଧରାଶାୟୀ କରିଦେଲା । ପକ୍ଷୀର ବସାଟି ମଧ୍ୟ ବୃକ୍ଷ ସହ ଭୂପତିତ ହେଲା । ଛୁଆମାନେ ବସା ଭିତରର ଚେଁ ଚାଁ କରୁଥାନ୍ତି । ମା ପକ୍ଷୀଟି ଅତ୍ୟନ୍ତ ଦୁଖି ହୋଇ ଉଡି ଉଡି ଶ୍ରୀକୃଷ୍ଣ ଓ ଅର୍ଜୁନ ଥିବା ଜାଗାକୁ ଆସିଲା ।

ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ସେ ନନ୍ଦିଘୋଷ ରଥ ଉପରେ ବସି ଆତୁର ଭାବରେ ଶ୍ରୀକୃଷ୍ଣଙ୍କୁ କହିଲା,“ହେ ମହାଭାଗ, ବୃକ୍ଷଟି ଉପୁଡ଼ି ଯିବାରୁ ମୋର ଶାବକ ମାନେ ଅସହାୟ ହୋଇ ଭୂପତିତ ହୋଇଛନ୍ତି । ଯୁଦ୍ଧର ଘନଘଟା ଆରମ୍ଭ ହୋଇଗଲେ ସେମାନେ ତ ଯୁଦ୍ଧଅଶ୍ଵ, ଗଜ ମାନଙ୍କ ପଦାଘାତ ବା ରଥଚକ ତଳେ ଚାପି ହୋଇ ମରିଯିବେ । ହେ ମାଧବ ! ମୁଁ ଅସହାୟ ! ସେମାନଙ୍କୁ ରକ୍ଷା କରନ୍ତୁ ।”

ଶ୍ରୀକୃଷ୍ଣ କହିଲେ,“ହେ ପକ୍ଷୀରାଜ! କାଳ ଚକ୍ର ତ ତା ନିଜ ବାଟରେ ଯିବ, ଭାଗ୍ୟଫଳ ସମସ୍ତଙ୍କୁ ଭୋଗିବାକୁ ହେବ, ତାକୁ ମୁଁ କିପରି ଅଟକାଇ ପାରିବି ? “

ଏହା ଶୁଣି ମା ପକ୍ଷୀଟି ବିବ୍ରତ ନ ହୋଇ ବିନମ୍ର ଭାବରେ ପୁଣି କହିଲା ,“ପ୍ରଭୁ ମୁଁ ସାମାନ୍ୟ ପକ୍ଷୀଟିଏ, ଆପଣଙ୍କର ଏ ଗୂଢ ଦର୍ଶନ କଥା ମୁଁ ଜାଣେନାହିଁ, ଆପଣଙ୍କ କୃପାରୁ ମୁଁ ଏତିକି ଜାଣେ, ଆପଣହିଁ ଏହି କାଳ ଚକ୍ରକୁ ଗତିଶୀଳ ଓ ନିୟନ୍ତ୍ରଣ କରିଥାନ୍ତି । ଚାହିଁଲେ ନିଶ୍ଚୟ ମୋତେ ଓ ଶାବକ ମାନଙ୍କୁ ଆପଣ ରକ୍ଷା କରି ପାରିବେ । ମୁଁ ନିଶ୍ଚିତ ହୋଇ ମୋର ଶାବକ ମାନଙ୍କ ଭାଗ୍ୟ ଆପଣଙ୍କ ହାତରେ ଅର୍ପଣ କଲି ଓ ଆପଣଙ୍କ ଶରଣ ପଶିଲି ।

ମୃଦୁ ହାସ୍ୟ କରି ପ୍ରଭୁ ଭରତିଆ ପକ୍ଷୀକୁ କହିଲେ,“ତୁମେ ଗୋଟିଏ କାମ କର, ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେଇଠି ପଡ଼ିଥିବା ବସାରେ ତିନି ସପ୍ତାହ ପାଇଁ ଖାଦ୍ଯ ଓ ଜଳ ଆଣି ତୁମ ଓ ଶାବକ ମାନଙ୍କ ପାଇଁ ସଞ୍ଚୟ କରି ରଖ । ବାକି କଥା ମୋ ଉପରେ ଛାଡି ଦିଅ ।“ 

ଏହା କହି ଶ୍ରୀକୃଷ୍ଣ ଓ ଅର୍ଜୁନ ଶିବିରକୁ ଚାଲିଗଲେ ଯୁଦ୍ଧର ଅନ୍ୟ ପ୍ରସ୍ତୁତି କାର୍ଯ୍ୟ ତଦାରଖ ପାଇଁ । ଦୁଇଦିନ ପରେ ଯୁଦ୍ଧ ଆରମ୍ଭର ସମୟ ଉପନୀତ ହେଲା । ପ୍ରଭାତରୁ ଆସି କୁରୁକ୍ଷେତ୍ରରେ ଉଭୟ ପାର୍ଶ୍ଵର ଅଗଣିତ ରଥାରୋହୀ, ଗଜାରୋହୀ, ଅଶ୍ଵାରୋହୀ ଓ ପଦାତିକ ସୈନ୍ୟମାନେ ଆସି ରୁଣ୍ଡ ହେଲେ । ସୁସଜ୍ଜିତ ରଥମାନଙ୍କରେ କୌରବ ଓ ପାଣ୍ଡବ ପକ୍ଷର ସେନାପତିମାନେ ଦଣ୍ଡାୟମାନ ଥାନ୍ତି । ଉଭୟ ପକ୍ଷର ରଣତୁରୀ ଓ ଶଙ୍ଖନାଦରେ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା ।

ଏହି ସମୟରେ ଶ୍ରୀକୃଷ୍ଣ ନନ୍ଦିଘୋଷରୁ ଓହ୍ଲାଇ ପଡ଼ିଲେ । ସେ ଅର୍ଜୁନଙ୍କୁ କହିଲେ, “ପାର୍ଥ, ତୁମର ଗାଣ୍ଡୀବ ଧନୁ ଓ ଶରଟିଏ ମୋତେ ଦିଅ ।“ ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ ।

ସେ ଶ୍ରୀକୃଷ୍ଣଙ୍କୁ କହିଲେ, “ଆପଣ ଏ କ’ଣ କହୁଛନ୍ତି ମାଧବ ! ଆପଣ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ, ପ୍ରତ୍ଯକ୍ଷ ଯୁଦ୍ଧରେ ଭାଗ ନେବେନାହିଁ ବୋଲି ଦୃଢ ସର୍ତ୍ତ ଦେଇଥିଲେ ଯେ !”

ଶ୍ରୀକୃଷ୍ଣ କିଛି ନକହି ଟିକିଏ ମୃଦୁ ହସିଦେଲେ । ଅର୍ଜୁନ ବୁଝିଗଲେ, ମାଧବଙ୍କ ହସରେ କୌଣସି ରହସ୍ୟ ଅଛି । ଆଦେଶ ଅନୁସାରେ ସେ ତାଙ୍କର ଗାଣ୍ଡୀବ ଧନୁ ଓ ତୀରକୁ ତାଙ୍କ ହାତକୁ ବଢେଇ ଦେଲେ । ଶ୍ରୀକୃଷ୍ଣ ଧନୁରେ ଶର ସଂଯୋଗ କରି ଦୂରରେ ଥିବା କୌରବ ପକ୍ଷ ଆଡ଼ର ଏକ ବିଶାଳକାୟ ହସ୍ତୀକୁ ଲକ୍ଷ୍ୟକରି ଶର ନିକ୍ଷେପ କଲେ । ଶର ଯାଇ ହାତୀର ଗ୍ରୀବା ଦେଶରେ ଦୋଳାୟମାନ ଗୋଟିଏ ବୃହତ ଧାତବ ଘଣ୍ଟାର ରଜ୍ଜୁରେ ବାଜିଲା । ରଜ୍ଜୁ ଛିଡ଼ି ଯାଇ ଘଣ୍ଟାଟି ଭୂମି ଉପରେ ପତିତ ହେଲା ।

ଏହା ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ କହିଲେ,“ସଖା, ଆପଣ ମୋତେ କହିଥିଲେ ତ ମୁଁ ଗଜଟିକୁ ଅନାୟାସରେ ନିହତ କରିପାରିଥାନ୍ତି। ଆପଣ ଲକ୍ଷ୍ୟ ଚ୍ୟୁତ ହେଲେ ଏବଂ ହସ୍ତୀଟି ବଞ୍ଚିଗଲା ।”

ପ୍ରଭୁଙ୍କ ମାୟା କିଏ ବୁଝିବ । ଶ୍ରୀକୃଷ୍ଣ ପୁଣି ମୃଦୁହାସ୍ୟ କରି ଉତ୍ତର ଦେଲେ, “ପାର୍ଥ ! ମୁଁ କଣ ଯୁଦ୍ଧ କରୁଥିଲି କି? ଯୁଦ୍ଧ ତ ତୁମେ କରିବ । ମୁଁ କଣ କଲି ତାହା ସମଗ୍ର ଯୁଦ୍ଧର ପରିସମାପ୍ତି ପରେ ତୁମେ ଜାଣିବ, ଏବେ ଆସ ଯୁଦ୍ଧରେ ମନୋନିବେଶ କରିବା ।“  
 
ଘନଘଟା ଭିତରେ ଅଠର ଦିନର ମହାଭାରତ ଯୁଦ୍ଧର ପରିସମାପ୍ତି ହେଲା। କୌରବମାନେ ସମୂଳେ ନିଶେଷ ହୋଇଗଲେ ମାତ୍ର ତିନି ଜଣଙ୍କୁ ଛାଡି । ଯୁଧିଷ୍ଠିର ଏବେ ହସ୍ତିନାର ସମ୍ରାଟ ହେବାପାଇଁ ପଥ ପରିଷ୍କାର । ପରଦିନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନେଇ କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳରେ ଯାଇ ଉପନୀତ ହେଲେ । ଅଠର ଦିନର ଯୁଦ୍ଧ ପରେ ଏବେ ସେଠାରେ ଶ୍ମଶାନର ରାଜୁତି । ସମଗ୍ର ରଣଭୂମି ପୁତିଗନ୍ଧ ମୟ । ଚାରିଆଡ଼େ ପଡ଼ିରହିଛି ଯୋଦ୍ଧା ଅଶ୍ୱ ଗଜମାନଙ୍କର ମୃତପିଣ୍ଡ । ଭଗ୍ନ ରଥ, ବର୍ଜିତ ଅସ୍ତ୍ରଶସ୍ତ୍ର ଚାରିଆଡେ ପଡି ରହିଥାଏ । ତାହାରି ମଧ୍ୟ ଦେଇ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କଢେଇ ନେଲେ ସେହି ସ୍ଥାନକୁ ଯେଉଁଠି ସେହି ବିଶାଳ ଘଣ୍ଟାଟି ପଡିଥିଲା ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେ ଘଣ୍ଟାଟି ଉଠାଇବାକୁ କହିଲେ । ଅର୍ଜୁନ ଘଣ୍ଟାକୁ ଉଠେଇଲାମାତ୍ରେ ଭିତରୁ ସେଇ ମା ଚଡେଇ ଓ ତାର ଚାରି ଶାବକ ଡେଣା ମେଲେଇ ଉଡି ବାହାରି ଆସିଲେ । ଅଠର ଦିନ ଭୟଙ୍କର ଯୁଦ୍ଧ ମଧ୍ୟରେ ସେମାନେ ଘଣ୍ଟ ଘୋଡେଇ ହୋଇ ସୁରକ୍ଷିତ ରହିଥିଲେ ।ଶାବକମାନଙ୍କ ଡେଣା ମଧ୍ୟ ବିକଶିତ ହୋଇ ସାରି ଥିଲା ।

ପକ୍ଷୀମାନେ ଶ୍ରୀକୃଷ୍ଣଙ୍କ ଚରଣ କମଳ ସ୍ପର୍ଶକରି ଭକ୍ତିଭରା ପ୍ରଣାମଟିଏ କଲେ । ତାଙ୍କୁ କୃତଜ୍ଞତା ଜଣାଇଲେ ଓ ମୁକ୍ତ ଆକାଶକୁ ଉଡିଗଲେ ।

ଶ୍ରୀକୃଷ୍ଣ ଅର୍ଜୁନଙ୍କ ଆଡ଼କୁ ମୃଦୁ ହାସ୍ୟକରୀ କହିଲେ, “ପାର୍ଥ ଏବେ ବୁଝିପାରିଲ ତ ? ମନେ ପଡୁଛି ସେଦିନର ସେହି ଘଟଣା ।”

ପାର୍ଥଙ୍କର ଆଉ କିଛି କହିବାର ନଥିଲା ସେ ଖାଲି ସ୍ମରଣ କରୁଥିଲେ ପ୍ରଭୁଙ୍କର ଲୀଳାକୁ । ସ୍ମରଣ କରୁଥିଲେ ପ୍ରଭୁ ତାଙ୍କୁ ଯୁଦ୍ଧକ୍ଷେତ୍ରର କହିଥିବା ସେହି ବାଣୀକୁ :-

‘’ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ,
ଅହଂ ତ୍ଵଂସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମାଶୁଚଃ”
(ଶ୍ରୀମଦ ଭଗବତ ଗୀତା 18/66)

ମହାଭାରତର ଏହି ଉପାଖ୍ୟାନର ଝଲକ ଆମର ବହୁ ଓଡ଼ିଆ ଭଜନ, ଜଣାଣ ଓ ଚଉତିଶା ମଧ୍ୟରେ ଦେଖିବାକୁ ମିଳିଥାଏ । କଲ୍ଲୋଳ କବି ଦୀନକୃଷ୍ଣ ଦାସ ଲେଖିଲେ :-

କୁରୁ ସଭା ତଳେ ଦ୍ରୌପଦୀ ଚିନ୍ତିଲା
କୋଟି ବସ୍ତ୍ର ଦିଆଇଲେ ତ
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ     
ଘଣ୍ଟ ଘୋଡାଇ ରଖିଲେ ତ
ନାହିଁ ନାହିଁତ ଜଗବନ୍ଧୁ ପରି ଜଣେ ସାମନ୍ତ“

ଭକ୍ତକବି ବଳରାମ ଦାସ ଲେଖିଲେ :-
“ମହାବାହୁ ଭକତ ଦୁଃଖରେ ଦୁଃଖୀ
ଭକ୍ତଜନ ଚିନ୍ତା ସଂସାର ମଧ୍ୟରେ
ଭରତିଆ ପକ୍ଷୀ ରଖି ।”

ପ୍ରାଚୀନ କବି ଭରତ ଦାସ ଲେଖିଲେ :-
“କୁରୁ ସଭାତଳେ ଦ୍ରୌପଦୀ ଚିନ୍ତିଲା
ତାକୁ କୋଟି ବସ୍ତ୍ର ଦେଇ ଥିଲକି
ଭାରତ ଯୁଦ୍ଧରେ ଘଣ୍ଟ ଘୋଡ଼ାଇଣ
ରଖିଥିଲ ଭରତିଆ ପକ୍ଷୀକି ।।
କଳା କୃଷ୍ଣ ହେ ! କଳା କମଳ ଆଖି !”

ଆମ ଓଡ଼ିଆ ମହାଭାରତରେ ଶୂଦ୍ରମୁନି ଶାରଳା ଦାସ ଏ ଉପାଖ୍ୟାନକୁ ଟିକିଏ ଅଲଗା ଭାବରେ ଅବତାରଣା କରି ଛନ୍ତି । ସେ ଭରତିଆ ପକ୍ଷୀର ଚାରି ଶାବକ ଯାଗାରେ ଚାରି ଅଣ୍ଡା କଥା କହିଛନ୍ତି । ସେ ଭିଷ୍ମପର୍ବରେ କାହାଣୀର ଆରମ୍ଭରେ ଲେଖିଛନ୍ତି :-

ଶୂନ୍ୟେ ଉଡୁଥିଲା ଭଦଭଦଳିଆ ପକ୍ଷୀ
ଉତ୍ତରଦିଗେ ଦେଖିଲା ଦେବୀ ଯେ କାମାକ୍ଷୀ ।।

ସେ ଏହି କାହାଣୀ କହିଲାବେଳେ ଭରତିଆ ପକ୍ଷୀ ପୂର୍ବ ଜନ୍ମରେ ସତ୍ୟଯୁଗରେ ଶ୍ୱେତକଳ୍ପ ବୋଲି ଜଣେ ରାଜା ଥିଲା ବୋଲି କହିଛନ୍ତି । ସେ ଇନ୍ଦ୍ର, କୁବେରଙ୍କ ଅଭିଶାପରୁ ଏହି ପକ୍ଷୀ ଜନ୍ମ ପାଇଥିଲା ଏବଂ କଥାଥିଲା ସେ ଦ୍ୱାପର ଯୁଗରେ କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଶ୍ରୀକୃଷ୍ଣଙ୍କ ହାତରେ ମୁକ୍ତିଲାଭ କରିବ । ତାହାହିଁ ହୋଇଥିଲା । ଶେଷରେ ସେ ଭରତିଆ ପକ୍ଷୀ ନାମ କାହିଁକି ହେଲା ବୋଲି ବୁଝାଇ କହିଛନ୍ତି :-

ପିତାର ବାକ୍ୟ ଲଙ୍ଘିଲେ ଯହୁଁ ଚାରି ପୁତ୍ରେ
ଭରତିଆ ନାମ ବହି ରହିଲେ ଯୁଗାନ୍ତେ ।।

ଶାରଳା ମହାଭାରତର ବର୍ଣ୍ଣନା ମୂଳ କାହାଣୀର ଏକ ବ୍ୟତିକ୍ରମ ଯାହା ଅନ୍ୟ କୌଣସି ମହାଭାରତରେ ଦେଖା ଯାଏନାହିଁ । ଏହାହିଁ ଶାରଳା ଦାସ କୃତ ଆମ ଓଡ଼ିଆ ମହାଭାରତର ବିଶେଷତା । ଏହା ଏକ ଦୀର୍ଘ କାହାଣୀ ଏବଂ ଏକ ସ୍ୱତନ୍ତ୍ର ଆଲେଖ୍ୟର ଅପେକ୍ଷା ରଖେ ।

ଏହି ଉପାଖ୍ୟାନର ନିଷ୍କର୍ସ, ଉପରେ ଦିଆ ଯାଇଥିବା ଗୀତା ଶ୍ଲୋକରେ ନିହିତ ଅଛି । ଅର୍ଥାତ ଜୀବ ତାର ସମସ୍ତ କର୍ତ୍ତବ୍ୟ କର୍ମକୁ ଭଗବାନଙ୍କୁ ସମର୍ପଣ କଲେ ଭଗବାନ ତାର ସମସ୍ତ ସୁରକ୍ଷାର ଭାର ବହନ କରିଥାନ୍ତି ।

ଧନ୍ୟ ମହାପ୍ରଭୁ ! ଧନ୍ୟ ତୁମ୍ଭର ଲୀଳା !
ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାରାୟଣ ହେ ବାସୁଦେବ ।।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights