ଭର୍ତ୍ତୃହରି ଶତକମ୍

Share it

PURAN KATHA
13th August 2024

ଭର୍ତ୍ତୃହରି ଶତକମ୍
=============

ଉଜ୍ଜୟିନୀର କୀର୍ତ୍ତିମାନ ସମ୍ରାଟ, ବିକ୍ରମାଦିତ୍ୟଙ୍କ ବିଷୟରେ ଆମେ ବତ୍ରିଶ ସିଂହାସନ ଓ ଅନ୍ୟାନ୍ୟ ବହୁତ କିମ୍ବଦନ୍ତୀ ଭିତ୍ତିକ ଉପାଖ୍ୟାନ ଓ କାହାଣୀ ଶୁଣିଛନ୍ତି । ଇତିହାସ ଏହି ବିଜ୍ଞ ରାଜାଙ୍କୁ ଚନ୍ଦ୍ରଗୁପ୍ତ ଦ୍ୱିତୀୟ ବୋଲି ପରିଚିତ କରାଇ ଥାଏ । ରାଜାଙ୍କ ନାମରେ ଖ୍ରୀଷ୍ଟ ପୂର୍ବ 57 ସାଲରୁ ବିକ୍ରମ ସମ୍ବତ, ତାଙ୍କର ଶକ ମାନଙ୍କ ଉପରେ ବିଜୟର ସ୍ମାରକୀ ସ୍ଵରୂପେ ପ୍ରଚଳିତ । ତାଙ୍କରି ଦରବାରରେ ନବରତ୍ନ ନାମରେ ପ୍ରସିଦ୍ଧ ଅମରସିଂହ, ଧନ୍ଵନ୍ତରୀ, ହରିସେନ, କାଳିଦାସ, କ୍ଷପଣକ, ଶଙ୍କୁ, ବରାହମିହିର, ବରରୁଚି ଓ ବେତାଳ ଭଟ୍ଟ ଆଦି ମହା ପଣ୍ଡିତମାନେ ଥିଲେ ।

ବିକ୍ରମାଦିତ୍ୟ ପ୍ରଥମରୁ ରାଜା ନ ଥିଲେ । ପ୍ରଥମେ ତାଙ୍କ ବିମାତା ପୁଅ ଭାଈ, ଭର୍ତ୍ତୃହରି ରାଜା ଥିଲେ । ଘଟଣାକ୍ରମେ ରାଜ୍ୟ ଓ ରାଜପଣ ବିକ୍ରମାଦିତ୍ୟଙ୍କୁ ଅର୍ପଣ କରି ସେ ସନ୍ନ୍ୟାସ ଅବଲମ୍ବନ କରିଥିଲେ।

ଜୀବନରେ ତାଙ୍କର ଏହି ଘଟଣାକୁ ନେଇ ଭର୍ତ୍ତୃହରି ଲେଖିଥିଲେ 100 ଶ୍ଳୋକ ବିଶିଷ୍ଟ ତିନୋଟି ଶତକ ଯାହା ଶୃଙ୍ଗାର ଶତକ, ନିତି ଶତକ ଓ ବୈରାଗ୍ୟ ଶତକ ନାମରେ ଖ୍ୟାତ ।

ଘଟଣାକ୍ରମ ଥିଲା :-
ଭର୍ତ୍ତୃହରି ଜଣେ ବିଜ୍ଞ ତଥା ଉତ୍ତମ ଶାସକ ଥିଲେ । କିନ୍ତୁ ତାଙ୍କର ଗୋଟିଏ ଦୋଷ ସେ ନାରୀସଂଗ ଓ ଯୌନ ବିଳାସରେ ଏତେ ବୁଡ଼ି ରହୁଥିଲେ ଯେ ସେ ରାଜକାର୍ଯ୍ୟ ଠିକ ଭାବରେ ପରିଚାଳନା କରିପାରୁ ନଥିଲେ । ତାଙ୍କର ବହୁତ ରାଣୀ ଥିଲେ । ତା ମଧ୍ୟରୁ ପିଙ୍ଗଳା ନାମ୍ନୀ ରୂପବତୀ ରାଣୀ ତାଙ୍କର ସବୁଠାରୁ ପ୍ରିୟ ଥିଲେ ।

କିନ୍ତୁ ସେହି ରାଣୀ ଥିଲେ ଦୁଶ୍ଚରିତ୍ରା । ତାଙ୍କର ରାଜାଙ୍କ ଘୋଡା ସହିସ ସହ ଗୁପ୍ତ ପ୍ରଣୟ ଥିଲା । ଏ କଥା ରାଜାଙ୍କୁ ଜଣା ନଥିଲା । ବିକ୍ରମାଦିତ୍ୟ ଏଥିପ୍ରତି ଭର୍ତ୍ତୃହରିଙ୍କ ଦୃଷ୍ଟି ଆକର୍ଷଣ କରନ୍ତେ, ସେ ରାଣୀଙ୍କ କୁଟ ପ୍ରରୋଚନାରେ ପଡ଼ି ତାଙ୍କର କୁତ୍ସ। ରଟନା କରୁଥିବା ଅପରାଧରେ ତାଙ୍କୁ ରାଜ୍ୟରୁ ବହିଷ୍କାରକଲେ ।

କିଛିଦିନ ପରେ ରାଜାଙ୍କ ଦରବାରରେ ଜଣେ ସାଧୁ ଉପସ୍ଥିତ ହୋଇ ରାଜାଙ୍କୁ ଗୋଟିଏ ଫଳ ଉପହାର ଦେଇ କହିଲେ ଏ ଫଳଟି ଭକ୍ଷଣ କଲେ, ଲୋକ ଚିର ଯୌବନ ପ୍ରାପ୍ତ ହେବ । ରାଜା ଭାବିଲେ ଫଳଟି ମୁଁ ଖାଇ ଲାଭ କଅଣ ? ମୁଁ ଏହା ରାଣୀ ପିଙ୍ଗଳାକୁ ଦେଲେ ସେ ଚିର ଯୌବନ ପ୍ରାପ୍ତହେଲେ ମୋର ଲାଭ । ଏଣୁ ସେ ନେଇ ରାଣୀ ପିଙ୍ଗଳାକୁ ଫଳଟି ଖାଇବାକୁ ଦେଲେ ।

ଫଳଟି ପାଇ ପିଙ୍ଗଳା ନେଇ ତାର ପ୍ରେମିକ ଘୋଡ଼ା ସହିସ ଚିର ଯୌବନ ପ୍ରାପ୍ତି ହେଲେ ତାର ଲାଭ ବିଚାର କରି ତାକୁ ନେଇ ଦେଲା। ସହିସର ଗୋଟିଏ ବେଶ୍ୟା ସହିତ ସମ୍ପର୍କ ଥିଲା । ତେଣୁ ସହିସ ନେଇ ବେଶ୍ୟା ଅକ୍ଷୁର୍ଣ ଯୌବନା ହେଲେ ତାର ଲାଭ ହେବ ଭାବି ଫଳଟି ବେଶ୍ୟାକୁ ଦେଲା ।

ବେଶ୍ୟା ଫଳଟି ପାଇ ଭାବିଲା ଏ ଫଳଟି ଆମର ବିଜ୍ଞ ରାଜାଙ୍କୁ ଦେଲେ ସାରା ଦେଶର କଲ୍ୟାଣ ହେବ । ଆମେ ଦୀର୍ଘ କାଳ ପର୍ଯ୍ୟନ୍ତ ସୁଶାସନ ପାଇ ପାରିବୁ । ଏହାକୁ ମୁଁ ଖାଇ ଲାଭ କଅଣ । ଏଣୁ ସେ ନେଇ ରାଜାଙ୍କୁ ଫଳଟି ଦେଲା ।

ରାଜା ସେ ଫଳଟି ପାଇ ଆଶ୍ଚର୍ଯ୍ୟ ହୋଇ ଗଲେ । ଅନୁସନ୍ଧାନ କରି ଜାଣି ପାରିଲେ ଫଳଟି ରାଣୀଙ୍କ ପାଖରୁ ସହିସ ପାଖକୁ ଓ ସହିସ ପାଖରୁ ବେଶ୍ୟା ପାଖକୁ କିପରି ଆସିଲା ବୋଲି । ଘଟଣା ପରେ ରାଜା ବୁଝି ପାରିଲେ ପାର୍ଥିବ ସୁଖ ଏବଂ ଏ ସଂସାରର ନଶ୍ଵରତା ବିଷୟରେ। ତାଙ୍କର ସଂସାର ପ୍ରତି ବୈରାଗ୍ୟ ଜାତ ହେଲା ଓ ସେ ରାଜ୍ୟ ଭାର ବିମାତା ଭାଇ ବିକ୍ରମାଦିତ୍ୟଙ୍କ ଉପରେ ନ୍ୟସ୍ତକରି ସନ୍ନ୍ୟାସୀ ହେଲେ ଓ ତପସ୍ୟା ପାଇଁ ଅରଣ୍ୟବାସୀ ହେଲେ ।

ଭର୍ତ୍ତୃହରି ତାଙ୍କର ଏହି ତିକ୍ତ ଜୀବନ ଅନୁଭୂତିକୁ ନେଇ ସେ ତିନୋଟି ଶତକ ଲେଖିଛନ୍ତି ।

ଶୃଙ୍ଗାର ଶତକକମ୍ -ଏଥିରେ ସେ ଶହେଟି ଶ୍ଳୋକ ମାଧ୍ୟମରେ ନାୟକ, ନାୟିକାଙ୍କ ରୂପବର୍ଣ୍ଣନା ସହ ପ୍ରେମ ଏବଂ ଶୃଙ୍ଗାର ବିଷୟରେ ବିଶଦ ବିବରଣୀ ପ୍ରଦାନ କରିଛନ୍ତି ।

ନିତି ଶତକମ୍ – ଏଥିରେ 100 ଟି ଶ୍ଳୋକରେ ସେ ମଣିଷର ଉତ୍ତମ ଆଚରଣର ବିଭିନ୍ନ ଦିଗ ଉପରେ ଜଣାଇଛନ୍ତି ।

ବୈରାଗ୍ୟ ଶତକମ୍ -ଏଥିରେ 100 ଟି ଶ୍ଳୋକରେ ସେ ବୈରାଗ୍ୟର କାରଣ, ଉତ୍ତରଣ, ଫଳାଫଳ ଓ ତଦ୍ଜନିତ ସନ୍ନ୍ୟାସ ବିଷୟରେ ଲେଖିଛନ୍ତି ।

ଏ ତିନି ଶତକ ଭର୍ତ୍ତୃହରି ଶତକ ନାମରେ ଖ୍ୟାତ l

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ-୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights