ଭୀମରାଓ ଆମ୍ବେଦକର: ଏକ ଅମ୍ଳାନ ପ୍ରତିଭା

Share it

ଦି’ପଦ ଅତୀତ

ଭୀମରାଓ ଆମ୍ବେଦକର: ଏକ ଅମ୍ଳାନ ପ୍ରତିଭା

– ବିଜୟ କୁମାର ଜେନା

ଜଣେ ଆଇନ ବିଶାରଦ, ନ୍ୟାୟବାଦୀ, ପ୍ରଭାବଶାଳୀ ଓ କ୍ଷମତାଶାଳୀ ରାଜନୈତିକ ନେତା, ସମାଜର ଦୁର୍ବଳ ତଥା ଅବହେଳିତ ଜନତା ଙ୍କ ଦେବଦୂତ ଭାବରେ ସେ ପ୍ରତିଥ ଯଶା ମନିସ୍ୱୀ ଭାବେ ସର୍ବତ୍ର ପରିଚିତ ଅଟନ୍ତି। ସେ ହେଉଛନ୍ତି ଭୀମରାଓ ରାମଜୀ ଆମ୍ବେଦକର ବା ତାଙ୍କୁ ସମସ୍ତେ ଡଃ ଭୀମରାଓ ଆମ୍ବେଦକର ବୋଲି କହନ୍ତି।

୧୮୯୧ମସିହା ଏପ୍ରିଲ ମାସ ୧୪ତାରିଖ ଦିନ ସେ ଇନ୍ଦୋର ନିକଟସ୍ଥ ମାହୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପାଞ୍ଚ ବର୍ଷ ବୟସ ବେଳେ ତାଙ୍କ ମାଆ ଭୀମବାଇ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଏହି ଦାରୁଣ ଦୁଃଖ ସମୟରେ ସେ ତାଙ୍କର ମାଇଁ ମୀରା ବାଇଙ୍କ ଦ୍ଵାରା ଲାଳିତ ପାଳିତ ହୋଇ ଥିଲେ। ରାମଜୀ ସକପାଲ ହେଉଛନ୍ତି ତାଙ୍କର ପିତା ଏବଂ ମାଲୋଜୀ ସକପାଲ ହେଉଛନ୍ତି ତାଙ୍କର ଜେଜେ ବାପା, ଉଭୟେ କବୀର ଓ ତାଙ୍କ ବାଣୀ ଦ୍ଵାରା ଗଭୀର ମାତ୍ରାରେ ପ୍ରଭାବିତ ହୋଇଥିଲେ। ଏହି ପ୍ରଭାବ ଭୀମରାଓ ଆମ୍ବେଦକରଙ୍କ ଉପରେ ପରବର୍ତ୍ତୀ କାଳରେ ରେଖାପାତ କରିଥିଲା। ସେ ଏକ ଅସ୍ପୃଶ୍ୟ ମାହାର ଜାତି ଓ ପରିବାରରେ ଜନ୍ମିତ ହୋଇଥିବାରୁ ଜୀବନରେ ଛୁଆଁ ଅଛୁଆଁ ଭେଦଭାବର ଶୀକାର ହୋଇ ଜୀବନରେ ବହୁ ଘାତ ପ୍ରତିଘାତ ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ।

ଅସ୍ପୃଶ୍ୟ ହୋଇ ଥିବାରୁ ଉଚ୍ଚ ଓ କୁଳୀନ ଜାତିର ଲୋକେ ତାଙ୍କୁ କଟୁ ମନ୍ତବ୍ୟ ପ୍ରଦାନ ପୂର୍ବକ ଟାହି ଟାପରା କରୁଥିଲେ। ସେ ତାଙ୍କ ସହପାଠୀ ମାନଙ୍କ ଦ୍ଵାରା ହୀନ ମନ୍ୟତାର ଶିକାର ହୋଇଛନ୍ତି। ଏସବୁ ସେ ମଥା ପାତି ସହିଛନ୍ତି। ଯନ୍ତ୍ରଣା, କ୍ରୋଧ, ତିକ୍ତତା, ନିଷ୍ପେସିତ, ଅପମାନ ଓ ଜାତିଆଣ ଆକ୍ଷେପ ଅଭିଯୋଗ ଓ ଗାଳି ଗୁଲଜ ସହିବା ତାଙ୍କ ଜୀବନ ପ୍ରତି ଗୋଟିଏ ଗୋଟିଏ ଅଙ୍ଗ ପାଲଟି ଯାଇ ଥିଲା। ଏହି ମନୋଭାବ ତାଙ୍କୁ ଜାତିପ୍ରଥା ବିରୋଧରେ ଲଢି ବାକୁ ବହୁ ପ୍ରେରଣା ଦେଇଥିଲା। ଜାତିପ୍ରଥାର ଉଚ୍ଛେଦ ପାଇଁ ସେ ସଂକ୍ଲପ ନେଇଥିଲେ। ଅବଶ୍ୟ ସେ ବୌଦ୍ଧ ଧର୍ମ ରେ ଦୀକ୍ଷିତ ହୋଇ ଏହାର ପ୍ରଚାର ପ୍ରସାର ଦିଗରେ ମଧ୍ୟ କାର୍ଯ୍ୟ କରିଥିଲେ।

ଆମ୍ବେଦକର ତାଙ୍କ ବିଦ୍ୟାଳୟ ଶିକ୍ଷା ସାତ୍ରା ଠାରେ ହିଁ ଆରମ୍ଭ କରିଥିଲେ। ସେହି ସ୍କୁଲ ରେ ପଢୁଥିବା ବେଳେ ସେ ତାଙ୍କ ଉଚ୍ଚଜାତିର ସାଙ୍ଗ ସାଥିଙ୍କ ଗହଣରେ ଏକତ୍ର ବସିବାର ସୁଯୋଗ ପାଉ ନ ଥିଲେ। ଶିକ୍ଷକ ମାନେ ତାଙ୍କୁ ଛୁଉଁ ନ ଥିଲେ। ଛୁଇଁ ଦେଲେ କାଳେ ସେମାନଙ୍କ ଦେହ ଓ ମନ ଅପିବତ୍ର ହୋଇଯିବ ଏହି ଭୟ ଶିକ୍ଷକ ମାନଙ୍କ ମଧ୍ୟରେ ଥିଲା। ଛାତ୍ର ଅବସ୍ଥାରେ କୋମଳ ମତି ମନ ଉପରେ କେତେ ନା କେତେ ପ୍ରଭାବ ପକାଇ ଥିବ ତାହା ଅନୁଭବୀ ହିଁ ସହଜରେ ବୁଝି ପାରନ୍ତି। ଏହିପରି ଯନ୍ତ୍ରଣା ଭୋଗ କରି ଆମ୍ବେଦକର ଆଗକୁ ଆଗକୁ ବଢିଲେ। ତତ୍କାଳୀନ ବମ୍ବେ ର ଏଲଫିନିଷ୍ଟୋନ କଲେଜରୁ ୧୯୧୩ମସିହାରେ ବିଏ ପାସ କରିଥିଲେ।

ବାରୋଦାର ଗାଏକୋୱାର୍ଡଙ୍କ ଠାରୁ ଫେଲୋସିପ ପାଇ ସେ ନୃୟୂର୍କୋ ର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ। ୧୯୧୬ରେ ପିଏଚଡି ସମାପ୍ତ କରି ଥିଲେ। ଏହିପରି ଆର୍ଥିକ ସହାୟତା ମଧ୍ୟ ସେ କୋଲାହାପୂର ର ଛତ୍ରପତି ସାହୁ ମହାରାଜଙ୍କ ଠାରୁ ପ୍ରାପ୍ତ ହୋଇ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସ୍ ରେ ନାମ ଲେଖାଇ ଥିଲେ। ୧୯୨୩, ମସିହାରେ ସେ ଡିଲିଟ ଇନ୍ ସାଇନ୍ସ ଲାଭ କରି ଥିଲେ। ଦୁଇଟି ବିଶ୍ଵ ବିଖ୍ୟାତ ବିଶ୍ଵ ବିଦ୍ୟାଳରୁ କୃତକାର୍ଯ୍ୟ ହେବା ତାଙ୍କ ପାଇଁ ବଡ ଗର୍ବ ଓ ଗୌରବର ପ୍ରତୀକ ଥିଲା। ସେ ମଧ୍ୟ ଲଣ୍ଡନରୁ ବାର ଆଟ ଲ କରି ଥିଲେ। ପାଶ୍ଚାତ୍ୟ ଜଗତର ଶିକ୍ଷା ଓ ମୂଲ୍ୟବୋଧରେ ବିଭୂଷିତ ହୋଇ ସେ ନିଜର ଉତୁଙ୍ଗ ବ୍ୟକ୍ତିତ୍ଵ ବଳରେ ଜାତି ପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ଦୃଢ ସ୍ଵର ଉତ୍ତୋଳନ କରି କୃତକାର୍ଯ୍ୟ ହୋଇ ପାରିଥିଲେ।

ଆମ୍ବେଦକରଙ୍କ ରାଜନୈତିକ ଜୀବନ କ୍ଷେତ୍ରରେ ଏକ ମାତ୍ର ଲକ୍ଷ୍ୟ ଥିଲା କିଭଳି ଜାତି ପ୍ରଥା ର ଭେଦଭାବ, ଜାତିୟାଣର କୁତ୍ସିତ ଓ କଦାକାର ଦିଗର ବିଲୋପ କରିବା। ଏହି ଗୋଟିଏ ଲକ୍ଷ୍ୟକୁ କେନ୍ଦ୍ରୀଭୂତ କରି ତାଙ୍କର ରାଜନୈତିକ ଜୀବନ ସମାପ୍ତ ଘଟିଛି। ମାନବ ଜାତିର ଇତିହାସରେ ଆମ୍ବେଦକର ଯେତିକି ସମୟ ଏହି ଜାତିପ୍ରଥା ବିରୋଧରେ ଲଢି ବିଜୟୀ ହୋଇଛନ୍ତି, ଅନ୍ୟ କୌଣସି ବ୍ୟକ୍ତି ସେଭଳି ସମୟର ସମ୍ମୁଖୀନ ହୋଇ ନାହାଁନ୍ତି।ସେଥିପାଇଁ ତାଙ୍କୁ ଇତିହାସ ଚିରଦିନ ମନେ ରଖିବ। ସେ ତାଙ୍କର ସମଗ୍ର ଜୀବନ ଅସ୍ପୃଶ୍ୟତା ବିରୋଧରେ ସ୍ବର ଉତ୍ତୋଳନ କରି, ଏହା କିପରି ଦୂରୀଭୂତ ହୋଇ ପାରିବ ଏବଂ କେବଳ ଗୋଟିଏ ମାତ୍ର ଲକ୍ଷ୍ୟ ନେଇ କାର୍ଯ୍ୟ କରିଛନ୍ତି ତାହା ବଡ ଆଶ୍ଚର୍ଯ୍ୟର ବିଷୟ।

୧୯୩୦-୧୯୩୨ମସିହାରେ ଅନୁଷ୍ଠିତ ହୋଇଥିବା ଗୋଲ ଟେବୁଲ ବୈଠକ ଗୁଡ଼ିକରେ ଡଃ ଆମ୍ବେଦକର ଜବରଦସ୍ତ ଯୁକ୍ତି ବାଢ଼ିଥିଲେ ଯେ ଅସ୍ପୃଶ୍ୟ ମାନଙ୍କ ପାଇଁ ଏକ ଅଲଗା ନିର୍ବାଚନ ମଣ୍ଡଳୀ ଗଠନ କରାଯାଉ। ଅସ୍ପୃଶ୍ୟ ମାନଙ୍କ ବିଶେଷ ଚିହ୍ନଟ କୁ ଗୁରୁତ୍ୱ ପ୍ରଦାନ କରିବା ପରିବର୍ତ୍ତେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଓ ଅଲଗା ନିର୍ବାଚନ ମଣ୍ଡଳୀ ଗଠନ ସପକ୍ଷରେ ସେ ବରାବର ଜବରଦସ୍ତ ଯୁକ୍ତି ଉପସ୍ଥାପନ କରି ଆସୁଥିଲେ। ୧୯୩୧ମସିହା ସେପ୍ଟେମ୍ବର-ଡିସେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ଗୋଲ ଟେବୁଲ ବୈଠକରେ ଡ, ଆମ୍ବେଦକର ଓ ମହାତ୍ମା ଗାନ୍ଧୀ ପରସ୍ପର ମୁହାଁମୁହିଁ ହୋଇଥିଲେ। କାରଣ ମହାତ୍ମା ଗାନ୍ଧୀ ଆମ୍ବେଦକରଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଲେ ଯେ ଏହା ପ୍ରତ୍ୟାହୃତ ନ ହେଲେ ସେ ଅନଶନରେ ବସିବେ। ଗାନ୍ଧୀଙ୍କ ଏତାଦୃଶ୍ୟ ଆଚରଣ ଆମ୍ବେଦକରଙ୍କ ଉପରେ ସବୁ ଦିଗରୁ ଏଭଳି ଚାପ ପଡ଼ିଲା ଏବଂ ସେ ବଡ ଦୁଃଖ ଓ ଅନୁଶୋଚନା ପୂର୍ବକ ଦେଇଥିବା ପ୍ରସ୍ତାବରୁ ଓହରି ଯିବାକୁ ବାଧ୍ୟ ହେଲେ।

ଅବଶ୍ୟ ସେ ସମୟରେ କେହି ଆମ୍ବେଦକରଙ୍କ ପ୍ରସ୍ତାବକୁ ଅଣଦେଖା କରି ନ ଥିଲେ କିମ୍ବା ପୁରାପୁରି ଏଡେଇ ଦେଇ ନ ଥିଲେ। ବରଂ ଏକ ମଧ୍ୟବର୍ତ୍ତୀ କାଳୀନ ପ୍ରସ୍ତାବ ଅନୁଯାୟୀ ଅସ୍ପୃଶ୍ୟ ମାନଙ୍କ ନିମନ୍ତେ କିଛି ଆସନ ସଂରକ୍ଷିତ ହେବାର ବନ୍ଦୋବସ୍ତ ହୋଇଥିଲା। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୁନାପାକ୍ଟ ବା ପୁନା ଚୁକ୍ତି ହୋଇଥିଲା ।

୧୯୩୭ମସିହାରେ ଦେଶରେ ଅନୁଷ୍ଠିତ ବିଧାନ ସଭା ନିର୍ବାଚନ ବେଳେ ପୁନା ଚୁକ୍ତି କୁ ପରୀକ୍ଷା ମୂଳକ ଭାବେ କାର୍ଯ୍ୟ କାରି କରା ଯାଇ ଥିଲା। ଆମ୍ବେଦକର ଙ୍କ ସ୍ଵାଧୀନ ଶ୍ରମିକ ଦଳ ଏହି ନିର୍ବାଚନରେ ବହୁତ ଭଲ ଫଳ ପ୍ରଦର୍ଶନ କରି ଥିଲା। ଫଳତଃ ଏହି ଦଳ ସଂରକ୍ଷିତ ଥିବା ୧୫ଟି ଆସନରୁ ୧୧ଗୋଟି ଆସନରେ ଜିତି ବମ୍ବେ ସଂସଦ ରେ ପ୍ରତିନିଧିତ୍ଵ କରିଥିଲେ। କିନ୍ତୁ ବମ୍ବେ ପ୍ରୋଭି ଡେନ୍ସୀ ବାହାରେ ଏହି ଦଳ ସେତେଟା ଭଲ କରି ନଥିଲା। ଏପରିକି କଂଗ୍ରେସ ଦଳର ସମର୍ଥନରେ ଅସ୍ପୃଶ୍ୟ ମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସମଗ୍ର ଭାରତରେ ତାଙ୍କ ଦଳ ୧୫୦ଟି ଆସନରୁ ୭୦ଟି ଆସନରେ ବିଜୟୀ ହୋଇ ଥିଲେ। ଏଥିରୁ ସୂଚନା ମିଳେ ଯେ ସେ ସର୍ବ ଦଳୀୟ ଭିତ୍ତିରେ ଜଣେ ଜନପ୍ରିୟ ନେତା ଥିଲେ।

୧୯୪୬ମସିହାରେ ଡଃ ଆମ୍ବେଦକର ଶାସନ ବିଧାୟକ ସଭାର ସଭ୍ୟ ପଦ ଗ୍ରହଣ କରିଥିଲେ ଓ ପରେ ପରେ drafting committee ର ଚେୟାରମେନ ରୂପେ ନିର୍ବାଚିତ ହୋଇ ଥିଲେ। ଏହି ଦାୟିତ୍ଵ ତାଙ୍କ ପାଇଁ ଏକ ବଡ ଆହ୍ବାନ ଓ ସମ୍ମାନ ଜନକ ଥିଲା। ଜୀବନର ସମସ୍ତ ଜ୍ଞାନ, କୌଶଳ ଓ ଅନୁଭୂତିକୁ ଲଗାଇ ସେ ଏହି କାର୍ଯ୍ୟରେ ମନୋନିବେଶ କରି ଥିଲେ। ତାଙ୍କର କଠୋର ପରିଶ୍ରମ, ପ୍ରତିଶ୍ରୁତି, ନିଷ୍ଠା ଓ ଆନ୍ତରିକତା ବଳରେ ସେ ତାଙ୍କ ସାଧନାରେ ସିଦ୍ଧି ଲାଭ କରିଛନ୍ତି। ତେଣୁ ତାଙ୍କୁ ଯଥାର୍ଥରେ ସମ୍ବିଧାନର ଜନକ ବୋଲି କୁହାଯାଏ।

ଆଇନ ମନ୍ତ୍ରୀ ଥିବା ବେଳେ ସେ ହିନ୍ଦୁ କୋଡ ବିଲ ଆଗତ କରିଥିଲେ ଏବଂ ଯୁକ୍ତି ଉପସ୍ଥାପନ କରି ଥିଲେ ଯେ ମହିଳା ମାନଙ୍କ ର ପୁରୁଷ ମାନଙ୍କ ସହିତ ସମାନ ଧରଣର ସମ୍ପତ୍ତି ଗତ ଅଧିକାର ରହିବ। ତେଣୁ ଏକ ଉନିଫର୍ମ ସିଭିଲ କୋଡ ରହିବା ଆବଶ୍ୟକ।

ତାଙ୍କର ଏହି ଆଭିମୁଖ୍ୟ କୁ ତତ୍କାଳୀନ କିଛି କ୍ଷମତାଶାଳୀ କଂଗ୍ରେସ ନେତା ଗଣ ସହଜରେ ଗ୍ରହଣ କରିପାରି ନ ଥିଲେ। ଏଥିରେ ବ୍ୟସ୍ତ ଓ ବିବ୍ରତ ହୋଇ ୧୯୫୧ ମସିହା ସେପ୍ଟେମ୍ବର ୨୭ତାରିଖ ଦିନ ସେ କେନ୍ଦ୍ର କ୍ୟାବିନେଟ ରୁ ଇସ୍ତଫା ଦେଲେ। ଅନ୍ୟ ପକ୍ଷରେ ୧୯୫୧-୫୨ସାଧାରଣ ନିର୍ବାଚନ ରେ ତାଙ୍କର ପରାଜୟ ତାଙ୍କୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ ୧୯୫୬ମସିହା ଯାଏ ତାଙ୍କୁ ସକ୍ରିୟ ରାଜନୀତିରୁ ଦୂରେଇ ରଖି ଥିଲା।


ବିଜୟ କୁମାର ଜେନା
ଅବସରପ୍ରାପ୍ତ ପ୍ରାଧ୍ୟାପକ,
ଶାମୁକା ସାହି ରଣପୁର ନୟାଗଡ଼


Share it

Leave a comment

Your email address will not be published. Required fields are marked *

Verified by MonsterInsights